
ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଅବଦାନ ପାଇଁ ପ୍ରତିଷ୍ଠିତ ଅଭିନେତ୍ରୀ ଆଶା ପାରେଖଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର। ଭାରତୀୟ ସିନେମାର ଅଭିବୃଦ୍ଧି ତଥା ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ଆଶା ପାରେଖ ହିନ୍ଦି ଚଳଚିତ୍ରର ଜଣେ ପ୍ରତିଷ୍ଠିତ ତଥା ଲୋକପ୍ରିୟ ଅଭିନେତ୍ରୀ। ସେ 1952 ମସିହାରେ ଚଳଚ୍ଚିତ୍ର ‘ମା’ ରେ ଦଶ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ 1959 ମସିହାରେ ‘ଦିଲ୍ ଡେକେ ଦେଖୋ’ ଚଳଚ୍ଚିତ୍ରରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ, ଯାହା ତାଙ୍କୁ ଲୋକପ୍ରିୟତା କରାଇଦେଇଥିଲା। ଏହି ଚଳଚିତ୍ରରେ ଶମି କପୁରଙ୍କ ବିପକ୍ଷରେ ଆଶା ନାୟିକା ହୋଇଥିଲେ। ସେହି ଦିନଠାରୁ ଆଶା ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିଲେ।