Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଜାତୀୟ ଖବର

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 30, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏହି ସମାରୋହରେ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ଦିଆଯାଇଥିଲା। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ, ମୁରୁଗନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା, ବିଚାରକ ମଣ୍ଡଳୀର ଅଧ୍ୟକ୍ଷ, ସଦସ୍ୟଗଣ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦାଦା ସାହେବ ଫାଲକେ ପୁରସ୍କାର ବିଜୟିନୀ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତୀୟ ଚଳଚ୍ଚିତ୍ର ଜଗତକୁ ତାଙ୍କର ବିଶେଷ ଯୋଗଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିବା ସହିତ ଏହି ପୁରସ୍କାର ତାଙ୍କୁ ଦିଆଯିବା ନାରୀ ସଶକ୍ତିକରଣ ପ୍ରତି ଏକ ସମ୍ମାନ ବୋଲି କହିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ସବୁ କଳା ପ୍ରଦର୍ଶନ ମଧ୍ୟରେ ଚଳଚ୍ଚିତ୍ରର ସବୁଠୁ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଚଳଚ୍ଚିତ୍ରଗୁଡ଼ିକ କେବଳ ଏକ ଉଦ୍ୟୋଗ ନୁହନ୍ତି ବରଂ ଆମ ନୀତିଆଦର୍ଶର ଏକ କଳାତ୍ମକ ଅଭିବ୍ୟକ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ଚଳଚ୍ଚିତ୍ର ମଧ୍ୟ ଏକ ପ୍ରଭାବୀ ଉପକରଣ ବୋଲି ରାଷ୍ଟ୍ରପତି କହିଥିଲେ।

ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ରାଷ୍ଟ୍ର ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି, ସ୍ବାଧୀନତା ସଂଗ୍ରାମୀମାନଙ୍କର ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର, ଜଣା ହେଉ ଅବା ଅଜଣା, ଭାରତୀୟ ଦର୍ଶକମାନଙ୍କ ଦ୍ବାରା ଆଦୃତ ହେବ।

ସାମାଜିକ ଅଖଣ୍ଡତାକୁ ସୁଦୃଢ଼ କରୁଥିବା, ରାଷ୍ଟ୍ରର ବିକାଶଧାରାକୁ ତ୍ବରାନ୍ବିତ କରୁଥିବା ଏବଂ ପରିବେଶ ସୁରକ୍ଷା ପ୍ରୟାସକୁ ମଜବୁତ କରୁଥିବା ବିଷୟ ଉପରେ ଆଧାରିତ ଚଳଚ୍ଚିତ୍ର ଦର୍ଶକମାନେ ଦେଖିବାକୁ ପସନ୍ଦ କରିଥାନ୍ତି।

ରାଷ୍ଟ୍ରପତି କହିଥିଲେ ଯେ, ବିଦେଶରେ ଭାରତୀୟ ସଙ୍ଗୀତର ବିଶେଷ ଆଦର ରହିଛି। ବିଶ୍ବସ୍ତରରେ ଭାରତର ନମ୍ରଶକ୍ତି ବା ସଫ୍ଟ ପାଓ୍ବାରକୁ ପ୍ରସାରିତ କରିବା କ୍ଷେତ୍ରରେ ଏହା ଏକ ଶ୍ରେଷ୍ଠ ମାଧ୍ୟମ ହୋଇ ରହି ଆସିଛି। ସେ ଆହୁରି କହିଥିଲେ ଯେ, ଚଳିତ ବର୍ଷ ଜୁଲାଇ ମାସରେ ଉଜବେକିସ୍ତାନ ଠାରେ ଶାଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କର ବିଦେଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ୬୦ ଦଶକର ଏକ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତକୁ ବିଦେଶୀ କଳାକାରମାନେ ପରିବେଷଣ କରିଥିଲେ। ସେ ଆହୁରି କହିଥିଲେ, ଭାରତୀୟ ନମ୍ର ଶକ୍ତିକୁ ଆହୁରି ପ୍ରଭାବୀ କରିବା ଲାଗି ଆମେ ଆମ ଚଳଚ୍ଚିତ୍ରର ଗୁଣବତ୍ତା ବଢ଼ାଇବାର ଆବଶ୍ୟକତା ରହିଛି । ରାଷ୍ଟ୍ରପତି କହିଥିଲେ ଯେ ଆଜି ଦେଶର ଗୋଟିଏ କୋଣରେ ନିର୍ମିତ ଚଳଚ୍ଚିତ୍ର ଅନ୍ୟ କୋଣରେ ଆଦୃତି ଲାଭ କରୁଛି। ଏପରି ଭାବେ ଭାରତୀୟ ଚଳଚ୍ଚିତ୍ର ସାରା ଦେଶର ଲୋକମାନଙ୍କୁ ଏକ ସାଂସ୍କୃତିକ ଡୋରରେ ବାନ୍ଧି ପାରିଛି। ଭାରତୀୟ ସମାଜ ପ୍ରତି ଚଳଚ୍ଚିତ୍ର ସମୁଦାୟର ବିଶେଷ ଯୋଗଦାନ ରହିଛି ବୋଲି ସେ କହିଥିଲେ।

ସମାରୋହକୁ ସମ୍ବୋଧିତ କରି ଅନୁରାଗ ଠାକୁର କହିଥିଲେ ଯେ, ଚଳଚ୍ଚିତ୍ର ହେଉଛି ଛବିଗୁଡ଼ିକର ଏକ କବିତା। ଏଥିରେ କୁହୁକ, ଚମତ୍କାର ଓ ପାଗଳପଣ ପ୍ରତିଫଳିତ ହୋଇଥାଏ। ଏସବୁ ଆମକୁ ଏକ ଜୀବନ୍ତ ଏବଂ ମାନବୀୟ ଅନୁଭୂତି ପ୍ରଦାନ କରିଥାଏ। ଚଳଚ୍ଚିତ୍ର ଆମ ଦେଶର ବିବେକ, ସମୁଦାୟ ଏବଂ ସଂସ୍କୃତିକୁ ଆହରଣ କରିବା ସହିତ ଏକ ନୂଆ ରୂପରେ ପ୍ରସ୍ତୁତ କରିଛି। ଶତାଧିକ ବର୍ଷ ଧରି ଭାରତୀୟ ଚଳଚ୍ଚିତ୍ର ଜଗତର ନୂଆ କଳାକାର, ପେସାଦାର ଏବଂ ମହାନ ଅଭିନେତାମାନେ ଆମ ମନ ଓ ମସ୍ତିଷ୍କକୁ ପ୍ରଭାବିତ କରି ଚାଲିଛନ୍ତି ବୋଲି ସେ କହିଥିଲେ।

କୋଭିଡ ୧୯ ସମୟରେ ଓଟିଟି ପ୍ଲାଟଫର୍ମର ଭୂମିକା ବିଷୟରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଚଳଚ୍ଚିତ୍ରର ପରିସର ଥିଏଟର ଠାରୁ ବାହାରକୁ ଯାଇ ଆମ ଘର ଏବଂ ମୋବାଇଲ ଫୋନ ଜରିଆରେ ଆମ ହାତ ପାଖରେ ପହଞ୍ଚି ପାରିଛି। ମହାମାରୀ ସମୟରେ ଭାରତୀୟ ଚଳଚ୍ଚିତ୍ର ତାରକାମାନଙ୍କର ଯୋଗଦାନକୁ ସ୍ମରଣ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀର ବାସ୍ତବତା ଏବଂ ଅସ୍ଥିର ବିଶ୍ବ ଆର୍ଥିକ ପରିସ୍ଥିତି ମଧ୍ୟରେ ଚଳଚ୍ଚିତ୍ର ତାରକା ଦେଇଥିବା ମନୋରଞ୍ଜନ ଏବଂ ବାର୍ତ୍ତା ଆଶାର ଏକ କିରଣ ହୋଇ ଆସିଥିଲା।

ପାଞ୍ଚ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ସବୁଠୁ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ପୁରସ୍କାର ପାଇଥିବା କାରଣରୁ କେନ୍ଦ୍ର ମନ୍ତ୍ରୀ ମଧ୍ୟପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ। ୭୫ ସୃଜନଶୀଳ ମସ୍ତିଷ୍କ ପୁରସ୍କାର ବା ସେଭେଣ୍ଟି ଫାଇଭ କ୍ରିଏଟିଭ ମାଇଣ୍ଡସ୍ ଅଫ ଟୁମୋରୋ ଜରିଆରେ ବଛା ହୋଇଥିବା ଚଳଚ୍ଚିତ୍ର ନିର୍ମାତାମାନଙ୍କର ମାର୍ଗଦର୍ଶନ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ପୁରସ୍କାର ବିଜେତାମାନଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ ଏହାଦ୍ବାରା ଏକ ନୂଆପିଢ଼ିର ଚଳଚ୍ଚିତ୍ର ନିର୍ମାତା ସୃଷ୍ଟି ହୋଇପାରିବେ।

ଭାରତ ଭାଷାଗତ ବିବିଧତା ଥିବା ଏକ ରାଷ୍ଟ୍ର ହୋଇଥିବାରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବ୍ୟତୀତ ଅନ୍ୟ କୌଣସି ମଞ୍ଚ ଏହି ବିବିଧତାକୁ ପ୍ରଦର୍ଶନ କରିପାରିବ ନାହିଁ। ସାରା ଦେଶରୁ ପୁରସ୍କାର ପାଇଥିବା ପ୍ରତିଭାମାନଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ପୁଣିଥରେ ଭାରତୀୟ ଚଳଚ୍ଚିତ୍ରର ଆଞ୍ଚଳିକ ସାମର୍ଥ୍ୟ ଲୋକଲୋଚନକୁ ଆସିପାରିଛି । କର୍ବି ଭାଷାରେ ନିର୍ମିତ କଚିଚିନ୍ଥୁ, ଡାଙ୍ଗିରେ ନିର୍ମିତ ଟେଷ୍ଟିମୋନି ଅପ ଆନା ଏବଂ ଦିମସାରେ ନିର୍ମିତ ସେମଖୋର ଆମ ଭାଷାଗତ ସମ୍ପତ୍ତିର ଏକ ଉତ୍କୃଷ୍ଟ ନିଦର୍ଶନ।

ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାରପ ପାଇଥିବା ୪ ଜଣ ଶିଶୁ ଅଭିନେତା ଏବଂ ଅନ୍ୟତମ ଶିଶୁ କଳାକାର ପୁରସ୍କାର ବିଜେତା ଦିବ୍ୟାଙ୍ଗ ବାଳକ ଦିବ୍ୟେଶ ଇନ୍ଦୁଲକରଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଜଣେ ଲୋକ କଳାକାର ନିଞ୍ଜିୟାମ୍ମା ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ଜିତିବା ଖୁସିର ବିଷୟ ବୋଲି ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ କୌଣସି ପେସାଦାର ଚଳଚ୍ଚିତ୍ର ପୃଷ୍ଠଭୂମି ନଥିବା ସତ୍ତ୍ବେ କେରଳର ଏକ ଛୋଟ ଜନଜାତି ସମୁଦାୟରୁ ଆସିଥିବା ଏହି ଗାୟିକା ଜଣଙ୍କର ନିଜ କଳା ପ୍ରତିଭା ବଳରେ ଆମ ଦେଶର କାହାଣୀ ବର୍ଣ୍ଣନା ଶୈଳୀକୁ ପ୍ରଦର୍ଶନ କରିଛନ୍ତି।

ଶ୍ରେଷ୍ଠ ଅଣ ଫିଚର ଫିଲ୍ମ ବର୍ଗରେ ଟେଷ୍ଟିମନୀ ଅଫ ଆନା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ଫିଚର ଫିଲ୍ମ ବର୍ଗରେ ସୁରାରାଇ ପୋଟ୍ଟୁ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି। ଅଜୟ ଦେବଗନ ଏବଂ ସୁରିୟା ମିଳିତ ଭାବେ ଶ୍ରେଷ୍ଠ ଅଭିନେତା ଏବଂ ଅପର୍ଣ୍ଣା ବାଲମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିଲେ। ସଚ୍ଚିତାନନ୍ଦ କେଆରଙ୍କୁ ମାଲାୟଲମ ଚଳଚ୍ଚିତ୍ର ଏକେ ଆୟାପ୍ପନୁମ କୋଶିୟୁମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିବା ବେଳେ ସାମଗ୍ରିକ ମନୋରଞ୍ଜନ ଯୋଗାଇ ଦେଇଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ପାଇଛି ତାନାଜୀ: ଦ ଅନସଙ୍ଗ ଓ୍ବାରିଅର। ଚଳଚ୍ଚିତ୍ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ଏଠାରେ ଦିଆଯାଇଛି।

ଆଶା ପାରେଖ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦାଦା ସାହେବ ଫାଲକେ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.