Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’, ମୁକ୍ତିଲାଭ ଭ୍ରାନ୍ତି
ବିଶେଷ ଖବର

ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’, ମୁକ୍ତିଲାଭ ଭ୍ରାନ୍ତି

October 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’, ମୁକ୍ତିଲାଭ ଭ୍ରାନ୍ତି

  

ସୂର୍ଯ୍ୟ ଦେଓ

ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’ ସମ୍ବନ୍ଧରେ ଏପର‌୍ୟ୍ୟନ୍ତ ସଂପୂର୍ଣ ଓ ନିର୍ଭୁଲ ତଥ୍ୟ ମିଳିନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମୁକ୍ତିଲାଭ ତାରିଖ ସମ୍ବନ୍ଧରେ ମଧ୍ୟ ଭ୍ରାନ୍ତି ରହିଛି। କାର୍ତ୍ତିକ ଘୋଷଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଇତିହାସ’, ଭୀମ ସିଂହଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ଓ ରଣଧୀର ଦାସଙ୍କ ‘ଜୀବନରଙ୍ଗ ଚଳଚ୍ଚିତ୍ର ବିଶେଷାଙ୍କ’ରେ ‘ରୋଲସ୍ ଟୁ ଏଇଟ୍‌’ର ମୁକ୍ତିଲାଭ ବର୍ଷ ୧୯୫୧ ବୋଲି ଉଲ୍ଲେଖ ରହିଛି, ତାରିଖ କି ମାସର ଉଲ୍ଲେଖ ନାହିଁ। ପ୍ରଥମ ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ସମ୍ବନ୍ଧରେ ଗବେଷକ ଓ ଐତିହାସିକଙ୍କ ଉଦାସୀନତା ହିଁ ଏହାକୁ ଅନ୍ଧାରରେ ରଖିଛି।

ଅବସୋସର ସହ ଲେଖିବାକୁ ହେଉଛି: ତଥ୍ୟ ଅନୁସନ୍ଧାନ କରିନାହାନ୍ତି କି ପ୍ରମାଣ କେହି ଖୋଜିନାହାନ୍ତି। ସିନେମା ସମ୍ବନ୍ଧରେ ଥରେ କିଏ କ’ଣ ଗାରେଇ ଦେଲେ, ତାକୁ ହିଁ ଅନ୍ୟମାନେ ଦୋହରାଇଛନ୍ତି।

କାଲି ‘ସମାଜ’ କାର୍ଯ୍ୟାଳୟ ଗଲି, କଟକରେ ଏଣୁତେଣୁ କିଛି କାମ ଥିଲା, କାମ ସରିଗଲା, ସମୟ ବଳିଥିଲା। ଏଣୁ ସେ ସମୟତକ ‘ସମାଜ’ ଲାଇବ୍ରେରିରେ ବିତାଇଲି। ଏମିତି ଖିଆଲରେ। ଯେଣୁ ଭୁବନେଶ୍ୱରରେ ଥିବା ରାଜ୍ୟ ଅଭିଲେଖାଗାରରେ ୧୯୬୫ ପୂର୍ବର ‘ସମାଜ’ କି ‘ପ୍ରଜାତନ୍ତ୍ର’ ନାହିଁ, ଏଣୁ ୬୫ ପୂର୍ବର ଓଡ଼ିଆ ସିନେମାର ପ୍ରମାଣ ସିଦ୍ଧ ତଥ୍ୟ ପାଇବା ପାଇଁ କଟକ ମୁଖ୍ୟ କାର୍ଯ୍ୟାଳୟକୁ ଅନେକ ଥର ଯାଇଛି।

‘ପ୍ରଜାତନ୍ତ୍ର’ ପେଟି ବନ୍ଦ ହୋଇକି ଅଛି। ତାକୁ ଦେଖିବାର ସୁଯୋଗ ଆଜିକାଲି ଆଉ ନାହିଁ। ‘ରୂପ ରସ ଛନ୍ଦ’ରେ ଓଡ଼ିଆ ସିନେମାର ସବୁତକ କଥା ପ୍ରକାଶିତ ହେଉଥିଲା। ତାହାକୁ ପଢ଼ିବାର କଣ ଦେଖିବାର ସୁଯୋଗ ବି ନାହିଁ ଆଜିକାଲି। ପେଟିରେ ବନ୍ଦ ହୋଇ କୁଆଡ଼େ ନଷ୍ଟ ହୋଇ ସାରିଛି ସେ ଅମୂଲ୍ୟ ସମ୍ପଦତକ।

‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ‘ସମାଜ’ ଲାଇବ୍ରେରିରେ ୧୯୫୧ ମସିହାର ସବୁତକ ଖବର କାଗଜ ପୃଷ୍ଠା ପରେ ପୃଷ୍ଠା ଖୋଜିଲି। ଡିସେମ୍ବର ୧ ତାରିଖକୁ ପହଞ୍ଚିଲି ତ ‘ସପ୍ତଶଯ୍ୟା’ ମୁକ୍ତିଲାଭ କରିଛି ସେଦିନ । ମୁଁ ତ ସେଇ ପ୍ରକାଶିତ ବିଜ୍ଞାପନ ସଂଗ୍ରହ କରିସାରିଥିଲି ଆଗରୁ।

ତେବେ ‘ରୋଲ୍‌ସ ଟୁ ଏଇଟ୍‌’? ଏମିତି ତ ହୋଇ ନଥିବ ପ୍ରଥମ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବ ଓ ବିଜ୍ଞାପନ ପ୍ରକାଶିତ ହୋଇ ନଥିବ! ‘ରୋଲ୍‌ସ ଟୁ ଏଇଟ୍‌’ କ’ଣ ‘ସପ୍ତଶଯ୍ୟା’ ପରେ? ‘ରୋଲ୍‌ସ ଟୁ ଏଇଟ୍‌’ ତେବେ ପ୍ରଥମ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ? ୧୯୫୨ର ସବୁତକ ସମାଜ ଖୋଜିଲି, ସେହି ବର୍ଷ ଗୋଟିଏ ବି ଓଡ଼ିଆ ସିନେମାର ବିଜ୍ଞାପନ ନାହିଁ। ୧୯୫୩ ଖୋଜିଲି। ସେପ୍‌ଟେମ୍ବରରେ ପ୍ରକାଶିତ ହୋଇଛି ‘ଆମରି ଗାଁ ଝୁଅ’ର ବିଜ୍ଞାପନ। ଆଶ୍ଚର୍ଯ୍ୟ! ‘ରୋଲ୍‌ସ ଟୁ ଏଇଟ୍‌’ କାହିଁ ?

ସଂଧ୍ୟା ହୋଇ ଆସୁଥିଲା, ଲାଇବ୍ରେରି ବନ୍ଦ ହେବାର ସମୟ ହୋଇ ଆସୁଥିଲା। ମୁଁ ବ୍ୟଗ୍ର ହେଉଥିଲି। ବୋଧେ ସବୁଥର ପରି ଏଥର ବି ‘ରୋଲ୍‌ସ ଟୁ ଏଇଟ୍‌’ ସମ୍ବନ୍ଧରେ ସୂଚନା ପାଇବି ନାହିଁ। ଗ୍ରନ୍ଥଗାରିକାଙ୍କୁ ଅନୁରୋଧ କଲି: ୧୯୫୦ର ଫାଇଲ୍ ଦେଖିହେବ? ଯଦି ସମ୍ଭବ ନୁହେଁ ପରେ ଆସିବି। ମୋର ଅନୁନୟରେ ସେ ରାଜିହେଲେ। କହିଲେ ‘ଶୀଘ୍ର ଦେଖିବେ,ଲାଇବ୍ରେରି ବନ୍ଦ ହେବାର ସମୟ ହୋଇଗଲାଣି’।

୧୯୫୦ରେ ଯେ ‘ରୋଲ୍‌ସ ଟୁ ଏଇଟ୍‌’ ମୁକ୍ତିଲାଭ କରିଥିବ ମୋର ସନ୍ଦେହ ଥିଲା। ସେହି ବର୍ଷ ଫେବୃଆରିରେ ମୁକ୍ତିଲାଭ କରିଥିବା ‘ଶ୍ରୀଜଗନ୍ନାଥ’ର ପ୍ରଭାବ ଏତେ ବେଶି ଥିବ ସେ ଅନ୍ୟ କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରି ହିଁ ନଥିବ। ମୋର ଧାରଣା ଏହପରି ଥିଲା।

ତେବେବି ପୃଷ୍ଠା ଓଲଟାଇଲି। ମସିଆ ହୋଇଥିବା, ହଳଦିଆ ପଡ଼ିଥିବା ପତଳା କାଗଜ, ଟିକେ ଏପାଖ ସେପଖେ ହେଲେ ଚିରିଯିବାର ଆଶଙ୍କା ଅଛି। ତେବେବି ପୃଷ୍ଠା ଓଲଟାଇଲି। ମାର୍ଚ୍ଚ ପର୍ଯ୍ୟନ୍ତ ଗଲି, ଏପ୍ରିଲ ପନ୍ଦର ଯାଏ ବି ଗଲି। ‘ଲାଇବ୍ରେରି ବନ୍ଦ ହେବ ଏବେ, ଥାଉ! ରଖି ଦେବି’ ଭାବିଛି ତ ଆଉ ଆଉ କେତେ ପୃଷ୍ଠା ସିଧା ଓଲଟାଇଦେଇ ସେଠି ପହଂଚି ଗଲି ଯେଉଁଠି ଏତେ ସହଜରେ ଥରକରେ ପହଂଚିବା କଥା ନୁହେଁ। ପୃଷ୍ଠା ପରେ ପୃଷ୍ଠା ଓଲଟାଇ ପହଂଚିବା କଥା।

ମୁଁ ସିଧା ଏପ୍ରିଲ ପନ୍ଦର ତାରିଖରୁ ଗୋଛାଏ କାଗଜ ଯତ୍ନ କରି ଓଲଟାଇ ଦେଲି ଆଉ ପହଂଚିଲି ଏପ୍ରିଲ ୨୭ ତାରିଖ ୧୯୫୦ ମସିହାରେ। ମୋ ପାଇଁ ଅଦ୍ଭୁତ ଥିଲା ସେ କ୍ଷଣ! ଯେଣୁ ତାହା ପରଦିନ ମୁକ୍ତିଲାଭ କରିଥିଲା ‘ରୋଲ୍‌ସ ଟୁ ଏଇଟ୍‌’ ଓ ଚଉଠେ ପୃଷ୍ଠାରୁ ଅଧିକ ଆକାରର ବିଜ୍ଞାପନ ପ୍ରକାଶିତ ହୋଇଥିଲା ‘ସମାଜ’ର ପ୍ରଥମ ପୃଷ୍ଠାରେ! ଏପ୍ରିଲ ୨୮ ତାରିଖରେ ବି ସେହି ଏକା ଆକାରର ସମାନ ବିଜ୍ଞାପନ ପ୍ରଥମ ପୃଷ୍ଠାରେ। ତାହାର କିଛି ଦିନପରେ ପ୍ରଣୟ କବି ମାୟାଧର ମାନସିଂହଙ୍କ ‘ରୋଲ୍‌ସ ଟୁ ଏଇଟ୍‌’ ସମ୍ବନ୍ଧିତ ମନ୍ତବ୍ୟ ସ୍ଥାନିତ ହୋଇଛି ସମାଜର ପ୍ରଥମ ପଷ୍ଠାରେ।

ଅତଏବ ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲ୍‌ସ ଟୁ ଏଇଟ୍‌’ ମୁକ୍ତିଲାଭ କରିଛି ୨୮ ଏପ୍ରିଲ ୧୯୫୦ରେ, କ୍ୟାପିଟାଲ ଟକିଜ୍‌ରେ। ସେହି ବିଜ୍ଞାପନ ଏଠାରେ ସ୍ଥାନିତ କରୁଛି, ଅଦ୍ଭୁତ ସଂଯୋଗ ଦେଖନ୍ତୁ: ପ୍ରଥମ ଓଡ଼ିଆ ସିନେମା ‘ସାତା ବିବାହ’ ଓଡ଼ିଶାରେ ମୁକ୍ତିଲାଭ କରିଥିଲା ସେହି ଏପ୍ରିଲ ୨୮ ତାରିଖରେ, ତାହାର ଚଉଦ ବର୍ଷ ପରେ ସେହି ଏକା ତାରିଖରେ ମୁକ୍ତିଲାଭ କଲା ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲ୍‌ସ ଟୁ ଏଇଟ୍‌’!

( ଲେଖକ ସୂର୍ଯ୍ୟ ଦେଓ ହେଉଛନ୍ତି ଜାତୀୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ଓଡିଶାର ଜଣେ ପ୍ରତିଷ୍ଠିତ ସିନେ ସମୀକ୍ଷକ)

ପ୍ରଥମ ସାମାଜିକ ଓଡ଼ିଆ ସିନେମା ରୋଲସ୍ ଟୁ ଏଇଟ୍‌ ସୂର୍ଯ୍ୟ ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Latest News

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.