ଭୁବନେଶ୍ଵର: ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ସାହା ହେବେ ମୋତେ ମା ମଙ୍ଗଳା’ ର ୱାର୍ଲଡ ଟିଭି ପ୍ରିମିୟର ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ହେବ। ସେଇ ଅବସରରେ ଏକ ଘରୋଇ ହୋଟେଲ ରେ ଏହାର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ହୋଇଥିଲା। ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ରେ ଜୀ ସାର୍ଥକ ମାର୍କେଟିଂ ହେଡ୍ ବିଶ୍ୱ ରଞ୍ଜନ ବରାଳ, ପ୍ରୋଗ୍ରାମିଂ ମ୍ୟାନେଜର ଦିବ୍ୟ ସାମଲ, ନିର୍ଦ୍ଦେଶକ ଅଜୟ କୁମାର ସିଂହ, ସଂଳାପ ଲେଖକ ପ୍ରିୟବ୍ରତ ପଣ୍ଡା, ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଅଭିନେତା ପ୍ରଶାନ୍ତ ପାତ୍ର, ନାୟକ ତୁଷାର, କୁନି କଳାକାର ଦିବ୍ୟାଂଶା ପ୍ରମୁଖ ଉପସ୍ଥିତ ଥିଲେ।
କ୍ଷୀରୋଦ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏବଂ ଅଜୟ ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସାମାଜିକ ଜୀବନରେ ଭକ୍ତିର ଶକ୍ତି କିପରି ଆମକୁ ସୁବୁବେଳେ ରକ୍ଷା କରେ ତା ଉପରେ ଏକ ସୁନ୍ଦର କାହାଣୀ। ପ୍ରିୟବ୍ରତ ପଣ୍ଡାଙ୍କ ଲିଖିତ ଏହି ଏହି ଫିଲ୍ମରେ ତୁଷାର ଏବଂ ସିମ୍ରନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
‘ସାହା ହେବେ ମୋତେ ମା ମଙ୍ଗଳା’ ହେଉଛି ଗୌରୀ ନାମକ ଏକ ଝିଅର ବିବାହର ଓ ତାର ପରବର୍ତ୍ତୀ ରୋମାଞ୍ଚ ଉପରେ ଏକ ଭିନ୍ନ କାହାଣୀ। ମା ମଙ୍ଗଳାଙ୍କ ଆଶୀର୍ବାଦପ୍ରାପ୍ତ ଏକ ସରଳ ଗ୍ରାମୀଣ ଝିଅ ଗୌରୀ ଆକସ୍ମିକ ଭାବେ ସୁପରଷ୍ଟାର ରାଜକୁମାର ଚୌଧୁରୀ ସହ ଏକ ମିଛ ବିବାହ ହୋଇଯାଏ। ଏହା ପରେ ଗୌରୀଙ୍କ ଶାନ୍ତ ଜୀବନରେ ଆସେ ବହୁତ କିଛି ପରିବର୍ତ୍ତନ କାରଣ ଗୌରୀ ଏହି ବିବାହକୁ ପ୍ରକୃତ ବୋଲି ବିଶ୍ୱାସ କରିଛନ୍ତି। ପରିସ୍ଥିତିର ବାଧ୍ୟବାଧକତା ପାଇଁ ରାଜଙ୍କ ପରିବାର ଗୌରୀଙ୍କୁ ତାଙ୍କ ସ୍ତ୍ରୀ ଭାବରେ ଗ୍ରହଣ କରନ୍ତି। ଅନ୍ୟପଟେ ଈର୍ଷାଳୁ ଅଙ୍କିତା, ଯିଏକି ରାଜଙ୍କୁ ଭଲ ପାଆନ୍ତି ତାଙ୍କୁ ପାଇବା ପାଇଁ ବ୍ୟାକୁଳ ହୋଇ କଳା ଯାଦୁ ଆଡକୁ ମୁହାଁଇଥାଏ, ରାଜକୁ ରହସ୍ୟମୟ ଭାବରେ ଆଘାତ ଦେଇଚାଲନ୍ତି । ବର୍ତ୍ତମାନ, କେବଳ ଗୌରୀଙ୍କ ଦିବ୍ୟ ଶକ୍ତି ହିଁ ପ୍ରକୃତ ସତ୍ୟକୁ ଉନ୍ମୋଚନ କରିପାରିବ ଏବଂ ତାଙ୍କୁ ରକ୍ଷା କରିପାରିବ କିନ୍ତୁ ଏକ ପ୍ରାଚୀନ ଭବିଷ୍ୟବାଣୀ ସୂଚିତ କରେ ଯେ ପ୍ରକୃତ ବିପଦ ଏବେ ଆରମ୍ଭ ହୋଇଛି ମାତ୍ର …
ଏହି ଚଳଚିତ୍ରରେ ଡ଼. ନିର୍ମଳ ନାୟକଙ୍କ ଲିଖିତ ଗୀତ ଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢ଼ୀ ଓ କଣ୍ଠ ଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟଜିତ୍।
ପୂର୍ବରୁ ଜୀ ସାର୍ଥକର ପ୍ରତିଟି ଫିଲ୍ମକୁ ମିଳିଛି ଦର୍ଶକଙ୍କ ଭଲ ପାଇବା, ‘ସାହା ହେବେ ମୋତେ ମା ମଙ୍ଗଳା’ ଜୀ ସାର୍ଥକରେ ସପରିବାର ମନୋରଞ୍ଜନର ଖୋରାକ ଯୋଗାଇବା ସହ ଭଗବାନଙ୍କ ଉପରେ ବିଶ୍ବାସ କେତେ ଶକ୍ତି ଦେଇଥାଏ ତାହା ଆମ ଦର୍ଶକ ଦେଖି ଉତ୍ସାହିତ ହେବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।


