ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ କଣ କହିଲେ ମୋହନ ମାଝୀ, ଜାଣନ୍ତୁ

Published: Jun 11, 2024, 6:30 pm IST

ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନା ଅବସାନ ଘଟାଇ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ହେବେ ଓଡିଶାର 15 ତମ ମୁଖ୍ୟମନ୍ତ୍ରୀ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦର ଯାଦବ।

ବୈଠକ ସରିବା ପରେ ରାଜନାଥ ସିଂ ଗଣମାଧ୍ୟକୁ କହିଥିଲେ ଯେ, ଆଜି ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନିତ କରାଯାଇଛି। ଆଜିର ଏହି ବୈଠକରେ ଶ୍ରୀ କେ ଭି ସିଂହଦେଓ ତାଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାପରେ ପ୍ରଭାତୀ ପରିଡା, ପୃଥୀରାଜ ହରିଚନ୍ଦନ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ। ଏହାପରେ ତାଙ୍କ ନାମ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି।

ଏହାପରେ ରାଜନାଥ ସିଂ ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତି ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ଭାବେ ଘୋଷଣା କରିଥିଲେ। ଏହାପରେ ରାଜନାଥ ମୋହନ ମାଝୀଙ୍କୁ କିଛି କହିବା ପାଇଁ ଅନୁରୋଧ କରିଥିଲେ।

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମେ ଜୟ ଜଗନ୍ନାଥ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସେକହିଥିଲେ ଯେ, ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦରୁ ଆଜି ବିଜେପି ରାଜ୍ୟରେ ସଫଳତା ହାସଲ କରିଛି। ସେହିପରି ଓଡିଶାର ସାଢେ ଚାରି କୋଟି ଜନତାଙ୍କ ଆମ ଉପରେ ଆର୍ଶିବାଦ ରହିଛି। ଫଳରେ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ଦଳକୁ ପରିତ୍ୟାଗ କରି ଆମକୁ ଜିତାଇଛନ୍ତି।

ସେ ଆହୁରି କହିଥିଲେ ଯେ, ଓଡିଶା ସର୍ବ ଭାରତୀୟ ସ୍ତରରେ ନମ୍ବର ୱାନ ହେବ। ସେଥିପାଇଁ ସମସ୍ତ ପ୍ରଚେଷ୍ଠା କରାଯିବ।

Related posts