ବିହାର-ଓଡ଼ିଶାର ଦର୍ଶକଙ୍କ ପାଇଁ ନୁହେଁ ‘କଲ୍କି’, ଏହି ବିବୃତ୍ତି ପରେ ଟ୍ରୋଲ ହେଲେ ମୁକେଶ ଖାନ୍ନା

Published: Jul 9, 2024, 11:08 am IST

ନୂଆଦିଲ୍ଲୀ: ବି.ଆର ଚୋପ୍ରାଙ୍କ ଟେଲିଭିଜନ ଧାରାବାହିକ ମହାଭାରତରେ ଭୀଷ୍ମଙ୍କ ଭୂମିକା ପାଇଁ ପ୍ରସିଦ୍ଧ ଅଭିନେତା ମୁକେଶ ଖାନ୍ନା ତାଙ୍କ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ଅନେକ ଟ୍ରୋଲ ହେଉଛନ୍ତି। ବାସ୍ତବରେ, ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ନାଗ ଅଶ୍ୱିନଙ୍କ କଲ୍କି ୨୮୯୮ ଏଡି ର ସମୀକ୍ଷା କରିବାବେଳେ ମୁକେଶ ଖାନ୍ନା ଏହିପରି କିଛି କହିଥିଲେ ଯେ, ସେ ବର୍ତ୍ତମାନ ଟ୍ରୋଲର ଟାର୍ଗେଟରେ ଆସିଯାଇଛନ୍ତି।

ପ୍ରକାଶ ଯେ, ମୁକେଶ ଖାନ୍ନା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ ଯଦିଓ ସେ କଲ୍କି ୨୮୯୮ ଏଡି ପ୍ରଦର୍ଶନ ଏବଂ ସ୍କେଲ ପାଇଁ ୧୦୦ ମାର୍କ ଦେବେ, ତଥାପି ସେ ଅନୁଭବ କରିଛନ୍ତି ଯେ ପାଶ୍ଚାତ୍ୟ ଦେଶକୁ ଆକର୍ଷିତ କରିବା ପାଇଁ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି ଏବଂ ବିହାର ଓ ଓଡିଶାର ଦର୍ଶକ ଏହା ବୁଝିପାରିବ ନାହିଁ।

ସେ କହିଛନ୍ତି ଯେ, “ଯେଉଁ ବୌଦ୍ଧିକ ସ୍ତର ସହିତ ଫିଲ୍ମ ନିର୍ମାଣ କରାଯାଇଛି ତାହା ହଲିଉଡ ପାଇଁ ଠିକ ଅଟେ। ସେଠାକାର ଲୋକମାନେ ଆମଠାରୁ ଅଧିକ ବୁଦ୍ଧିମାନ। କିନ୍ତୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ଏହି ପ୍ରକାର ଚଳଚ୍ଚିତ୍ର ନିର୍ମାଣକୁ ବୁଝିବେ ନାହିଁ।

ମୁକେଶ ଖାନ୍ନାଙ୍କ ବିବୃତ୍ତି ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଯେଉଁ ରାଜ୍ୟରେ ପଠାଣି ସାମନ୍ତ ଏବଂ ଆର୍ଯ୍ୟଭଟ୍ଟଙ୍କୁ ଜନ୍ମ ଦେଇଛି, ସେହି ରାଜ୍ୟର ଲୋକ କଲ୍କି ବୁଝିବା ପାଇଁ ସ୍ମାର୍ଟ ନୁହନ୍ତି। ଏହା ଏକ ଲଜ୍ଜାଜନକ କଥା।

Related posts