Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଲମ୍ପିକ୍ସ ସଫଳତା ନେଇ ଭାରତୀୟ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଘୋଷଣା କଲେ ପୁରସ୍କାର ରାଶି
ଜାତୀୟ ଖବର

ଅଲମ୍ପିକ୍ସ ସଫଳତା ନେଇ ଭାରତୀୟ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଘୋଷଣା କଲେ ପୁରସ୍କାର ରାଶି

August 21, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅଲମ୍ପିକ୍ସ ସଫଳତା ନେଇ ଭାରତୀୟ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଘୋଷଣା କଲେ ପୁରସ୍କାର ରାଶି

ଭୁବନେଶ୍ୱର: ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍‌ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଆ ଖେଳାଳୀ ଅମିତ୍‌ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟିମ୍‌ର ଗୋଲକିପର ଶ୍ରୀ ପି.ଆର. ଶ୍ରୀଜେସ୍‌ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ “ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡିଶାର ମହତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ। ଓଡିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥି ଭଳି ରହିଆସିଛି।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲସ୍‌ ଏଞ୍ଜେଲେସ୍‌ ଅଲମ୍ପିକ୍‌ସ ସହିତ ଜାତୀୟ ହକି ଦଳର ଆଗାମୀ ସମସ୍ତ ଅଭିଯାନରେ ଦଳ ପ୍ରତି ଓଡିଶା ଏବଂ ଓଡିଶାବାସୀଙ୍କର ଦୃଢ ସମର୍ଥନ ଜାରି ରହିବ। ସେ କହିଥିଲେ ଯେ ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳୀ ମାନଙ୍କ ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ଯେପରି ଆହୁରି ବଡ ସଫଳତା ହାସଲ କରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶ ପାଇଁ ଆମେ ଆହୁରି ନୂଆ ନୂଆ ପଦକ୍ଷେପ ନେବୁ। ଆମର ଖେଳାଳୀ ମାନେ ଯେପରି ବିଶ୍ବସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ।

ସେ କହିଥିଲେ ଯେ 1928 ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ ଅଲମ୍ପିକ୍ସ ପ୍ରତିଯୋଗିତାର ବିଭିନ୍ନ ସଂସ୍କରଣରେ ଅଂଶଗ୍ରହଣ କରି 8ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ସହିତ ସର୍ବମୋଟ 13ଟି ଅଲମ୍ପିକ୍ସ ପଦକ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୮୦ ମସ୍କୋ ଅଲମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆମ ସମସ୍ତଙ୍କ ମନରେ ଦୁଇଟି ପ୍ରଶ୍ନ ଆସିଥିଲା । ପ୍ରଥମ ହେଉଛି – ଆମର ପରବର୍ତ୍ତୀ ପଦକ ଆମେ କେବେ ପାଇବୁ। କେହି ଭାବି ନ ଥିଲେ ଯେ ଏଥିପାଇଁ ୪୧ ବର୍ଷ ଲାଗିଯିବ। ଏମିତି ସମୟ ଆସିଥିଲା ଯେ ଗୋଟିଏ ସମୟରେ ଏହା ଅସମ୍ଭବ ଲାଗୁଥିଲା । କିନ୍ତୁ ଟୋକିଓ ଅଲମ୍ପିକ୍‌ସରେ ପଦକ ଜିତି ଭାରତୀୟ ଦଳ ଅସମ୍ଭବକୁ ସମ୍ଭବ କରିଥିଲା। ତାପରେ ପୁଣି ପ୍ରଶ୍ନ ଥିଲା ଯେ ଆମେ କଣ ପୂର୍ବ ଭଳି ଲଗାତାର ପଦକ ଜିତି ଆମର ହୃତଗୌରବକୁ ଫେରି ପାଇବୁ? ପ୍ୟାରିସ ଅଲମ୍ପିକ୍‌ସ ଏହାର ଉତ୍ତର ଥିଲା । ୧୯୭୨ ପରେ ପ୍ରଥମ ଥର ପାଇଁ ଆମ ଦଳ ଲଗାତାର ପଦକ ଜିତି ଆମର ଗୌରବକୁ ପୁଣି ଥରେ ଫେରାଇ ଆଣିଲା ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ମାଧ୍ୟମ । ଏହା ଆମକୁ ଏକତା, ଅନୁଶାସନ ଓ ସଂଘର୍ଷର ଶିକ୍ଷା ଦେଇଥାଏ । ହକି ଭଳି ଖେଳ ଆମକୁ ଏହି ପ୍ରେରଣା ଦିଏ ଯେ ଆମେ ଜୀବନର ସବୁକିଛି ଆହ୍ବାନର ମୁକାବିଲା କରି ନିଜର ପରିଚୟ ସୃଷ୍ଟି କରିପାରିବୁ। ଭାରତୀୟ ଟିମ୍‌ର ସଫଳତାର ଅନୁପ୍ରେରଣା ହେଉଛି ଯେ ଆମେ ଯଦି ଏକଜୁଟ ହୋଇ ନିଜର ଲକ୍ଷ୍ୟ ହାସଲରେ ଲାଗିପଡିବୁ, ତେବେ ଯେକୌଣସି କଠିନ ପରିସ୍ଥିତିର ମୁକାବିଲା କରିପାରିବୁ ।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମର କ୍ରୀଡ଼ାବିତ୍ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। ସୁଦୃଢ ସମାଜ ନିର୍ମାଣର ଆଧାର। ଖେଳାଳୀ ମାନେ ହେଉଛନ୍ତି, ଆମ ରାଜ୍ୟ ଓ ଦେଶର ଭବିଷ୍ୟତ। ଆପଣମାନେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ, ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ଏହାହିଁ ମୋର ଆଶା ଓ ବିଶ୍ୱାସ।
ଓଡ଼ିଶାର କ୍ରୀଡ଼ାକ୍ଷେତ୍ରରେ, ଉପାନ୍ତ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିଜର ଗାଁ ମାଟିରୁ ହିଁ ଆମର କ୍ରୀଡ଼ାବିତ୍ ମାନେ କ୍ରୀଡ଼ା ଜଗତରେ ନିଜର ଦୃଢ଼ନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଯାତ୍ରା ଆରମ୍ଭ କରିଥାନ୍ତି। ତେଣୁ ତୃଣମୂଳ ସ୍ତରରୁ ଆସୁଥିବା ଏହି କ୍ରୀଡା ପ୍ରତିଭା ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଯାହା ବିଶ୍ବ ପାଇଁ କାଂସ୍ୟ, ତାହା ଆମ ପାଇଁ ସ୍ବର୍ଣ୍ଣ। ଟୋକିଓରୁ ପ୍ୟାରିସ ପର୍ଯ୍ୟନ୍ତ ଆମ ଖେଳାଳୀ ମାନେ ଆମକୁ ଯେଉଁଭଳି ଗର୍ବ ଅନୁଭବ କରିବାକୁ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ସେମାନଙ୍କ ପ୍ରତି କୃତଜ୍ଞ।

ଭାରତୀୟ ହକି ଟିମ୍‌ର ଗୋଲକିପର ଶ୍ରୀ ପି.ଆର୍‌. ଶ୍ରୀଜେସ୍‌ କହିଥିଲେ ଯେ ଓଡିଶା ହେଉଛି ମୋର ଦ୍ବିତୀୟ ଘର। ଓଡିଶା ହକି ପାଇଁ ଯେଉଁ ପ୍ରୋତ୍ସାହନ ଦେଇଛି, ତାହା ଆଜି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଭୁବନେଶ୍ବର ଓ ରାଉରକେଲାରେ ଆମକୁ ଯେଉଁ ସ୍ନେହଶ୍ରଦ୍ଧା ମିଳୁଛି, ତାହା ଆଉ କେଉଁଠି ମିଳେ ନାହିଁ ବୋଲି ସେ କହିଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ଭାରତୀୟ ଦଳର ଉପସ୍ଥିତ ଥିବା ଖେଳାଳୀମାନେ ହେଲେ – କ୍ୟାପଟେନ୍‌ ହରମନ୍‌ପ୍ରୀତ୍ ସିଂହ, ମନପ୍ରୀତ ସିଂହ, ବିବେକ ସାଗର, ହାର୍ଦ୍ଦିକ ସିଂହ, ସୁଖଜିତ ସିଂହ, ସମଶେର ସିଂହ, ମନଦୀପ ସିଂହ, ଜର୍‌ମନପ୍ରୀତ ସିଂହ, ଗୁରୁଜାନ୍ତ ସିଂହ, ରାଜକୁମାର ପାଲ୍‌, ଲଳିତ କୁମାର ଉପାଧ୍ୟାୟ, ସୁମିତ, ସଂଞ୍ଜୟ, ଅଭିଷେକ, ଅମିତ ରୋହିଦାସ ଏବଂ ପି.ଆର୍‌ ଶ୍ରୀଜେସ୍ । ସେମାନଙ୍କ ସହିତ ୪ ଜଣ ସପୋର୍ଟିଂ ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ହକି ଦଳକୁ ବାଲୁକା କଳାର ଏକ ପୋଟ୍ରେଟ୍‌ ଉପହାର ଦେଇଥିଲେ। ହକି ଇଣ୍ଡିଆ ତରଫରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତିର୍କୀ ଏବଂ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ ।

Hockey India ପ୍ୟାରିଶ ଅଲମ୍ପିକ୍ସ ଭାରତୀୟ ହକି ଦଳ ହକି ଇଣ୍ଡିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025
Latest News

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.