ନୂଆଦିଲ୍ଲୀ: ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ସୋମବାର ଶେଷ ହୋଇଛି। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ସହ-ପ୍ରଭାରୀ ହିମନ୍ତ ବିଶ୍ୱ ସରମା ସୋମବାର ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି ଯେ, ଚମ୍ପାଇ ସୋରେନ ଆସନ୍ତା ଶୁକ୍ରବାର (ଅଗଷ୍ଟ ୩୦ ତାରିଖ) ବିଜେପିରେ ଯୋଗଦେବେ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ ସରମା ଟ୍ୱିଟରରେ ଲେଖିଛନ୍ତି ଯେ, “ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ। ସେ ଅଗଷ୍ଟ ୩୦ ତାରିଖରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ।” ଏହି ଖବର ପରେ ଝାଡ଼ଖଣ୍ଡରେ ନୂତନ ରାଜନୈତିକ ସମୀକରଣ ଗଠନ ହେଉଥିବା ଜଣାପଡିଛି। ଚମ୍ପାଇ ସୋରେନ ଜରିଆରେ ବିଜେପି ଆଦିବାସୀ ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ପ୍ରସ୍ତୁତ ହେଉଛି।
ଚମ୍ପାଇ ସୋରେନଙ୍କ ଗାଁର ଆଦିବାସୀମାନେ କହିଛନ୍ତି ଯେ, ଚମ୍ପାଇଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଅପମାନିତ କରାଯାଇଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଳପୂର୍ବକ ହଟାଇ ଦିଆଯାଇଥିଲା। କେବଳ ଚମ୍ପାଇ ସୋରେନଙ୍କ କାରଣରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଆଗକୁ ବଢିଛି। ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କ୍ଷତି ସହିପାରେ। ଦଳ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରଖିବା ଉଚିତ୍। ଭବିଷ୍ୟତରେ ସେ ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ବିଜେପି ସହ ଯାଆନ୍ତି ତେବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ।
ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜିତିବା ପାଇଁ ବିଜେପି କୌଣସି ସୁଯୋଗ ହାତ ଛଡା କରୁନାହିଁ। ବିଜେପିର ଆଖି ଏଠାରେ ଥିବା ଆଦିବାସୀ ଭୋଟରଙ୍କ ଉପରେ ରହିଛି, ଯାହାର ସମର୍ଥନ ଏପର୍ଯ୍ୟନ୍ତ ବିଜେପିକୁ ଆସିନାହିଁ। ଏହି କାରଣରୁ ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଧ୍ୟ ଦଳର ଦଳିତ ଆଦିବାସୀ ନେତାଙ୍କ ଉପରେ ନଜର ରଖିଛନ୍ତି। ସେ ଗୋଟିଏ ପରେ ଗୋଟିଏ ସମସ୍ତ ଆଦିବାସୀ ନେତାଙ୍କୁ ଭେଟୁଛନ୍ତି।