Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ଗଲା ୧୭୫୦ କୋଟି ଟଙ୍କା
ଜାତୀୟ ଖବର

‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ଗଲା ୧୭୫୦ କୋଟି ଟଙ୍କା

October 9, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବାରିପଦାରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ କାର୍ଯ୍ୟକ୍ରମ ପାଇଁ ବାରିପଦାରେ ଆୟୋଜିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ କରିବ। ଏହା ସହିତ ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ।

ଏହି ଯୋଜନା ସାରା ଓଡିଶାର ମା’ ମାନଙ୍କ ମୁହଁରେ ହସ ଓ ଖୁସି ଆଣିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମା’ ମାନଙ୍କ ହସ ଓ ଖୁସି ହିଁ ଓଡିଶାର ବିକାଶର ଗାଡିକୁ ଦ୍ରୁତଗାମୀ କରାଇବ। ‘ସୁଭଦ୍ରା’ ଓଡ଼ିଶାର ସର୍ବ ବୃହତ ମହିଳା ସଶକ୍ତିକରଣ ଅଭିଯାନ ବୋଲି ସେ କହିଥିଲେ। ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଓଡ଼ିଶାର ମୂଳଦୁଆ ପକାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, “ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଆମେ ଆପଣଙ୍କ ସହିତ, ସୁଖରେ ଦୁଃଖରେ, ସବୁ ସମୟରେ ଛିଡ଼ା ହେବୁ। ଆପଣଙ୍କ ସାମର୍ଥ୍ୟ ଉପରେ ଆମର ପୁରା ଭରସା ଅଛି। ଆପଣଙ୍କର ଏହି ସଶକ୍ତିକରଣ ଯାତ୍ରାରେ ଆମେ ଆପଣଙ୍କ ସହିତ ଚାଲିବୁ।”

ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ଓ ସମାନତାର ସ୍ୱରୂପ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ ବ୍ୟବସ୍ଥାରେ ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ପ୍ରଗତି ଓ ବିକାଶର ସମାନ ଅଂଶୀଦାର। ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୁଏ ବୋଲି ସେ କହିଥିଲେ।

ମହିଳା ସଶକ୍ତିକରଣ ଅର୍ଥ ହେଉଛି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ସଶକ୍ତ କରିବା। ଏହାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ମୟୁରଭଞ୍ଜ ମାଟିରେ ଜନ୍ମିତା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସୁଭଦ୍ରା’ ସହାୟତା ମା’ ମାନଙ୍କର ତ୍ୟାଗ ଓ ପରିଶ୍ରମକୁ ସମ୍ମାନ ଦେବା ସହିତ ଓଡ଼ିଶାର ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବ ରୂପଦେବ। ଏହି ଯୋଜନା ଆମ ରାଜ୍ୟର ମହିଳାମାନଙ୍କ ମୁହଁକୁ ଏକ ନୂତନ ଆଶା ଓ ସ୍ୱପ୍ନରେ ଆଲୋକିତ କରୁଛି। ଅସହାୟ ମହିଳାମାନଙ୍କ ପାଇଁ ଏହା ସହାୟତାର ଏକ ନୂତନ କିରଣ ହୋଇଛି।

ସେ କହିଲେ ଯେ, ଯେଉଁ ମହିଳାମାନେ ଅନେକ ପରିଶ୍ରମ କଲା ପରେ ମଧ୍ୟ ପିଲାମାନଙ୍କୁ ଭଲ ଭାବରେ ଖାଦ୍ୟ ଦେଇ ପାରନ୍ତି ନାହିଁ, ସ୍କୁଲକୁ ପଠାଇ ପାରନ୍ତି ନାହିଁ, ସେହି ପରି ମହିଳାମାନଙ୍କ ସ୍ୱପ୍ନ ପୁରଣ କରିବାରେ ସୁଭଦ୍ରା ଯୋଜନା ବରଦାନ ସଦୃଶ ହେବ।

ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ବଣ୍ଟନ ହୋଇସାରିଛି। ସେଥିମଧ୍ୟରୁ ୧ କୋଟି ୩୦ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ସୁଭଦ୍ରା ଅଧୀନରେ ଆବେଦନ କରିଛନ୍ତି । ସୁଭଦ୍ରାରେ ପଞ୍ଜିକରଣ ପାଇଁ ରାଜ୍ୟରେ ୨୮ ହଜାର ୪୦ରୁ ଅଧିକ ସାଧାରଣ ସେବା କେନ୍ଦ୍ର ଏବଂ ୧୦ ହଜାର ୫୫ରୁ ଅଧିକ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଅଛି।

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ପ୍ରଥମ କିସ୍ତିର ସହାୟତା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ୩୫ ଲକ୍ଷରୁ ଉର୍ଦ୍ଧ୍ବ ନୂତନ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଗଲା।

ମୟୂରଭଞ୍ଜ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫ ଲକ୍ଷ ୭୮ ହଜାର ୧୭୮ ଜଣ ହିତାଧିକାରୀ ସୁଭଦ୍ରା ଅଧୀନରେ ପଞ୍ଜିକରଣ କରିଛନ୍ତି, ସେଥିମଧ୍ୟରୁ ୧ ଲକ୍ଷ ୩୭ ହଜାର ୮୧୬ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପ୍ରଦାନ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଥିବା ପ୍ରଥମ ହିତାଧିକାରୀ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ ତଥା ବସୁଆଘାଇ ଗ୍ରାମପଞ୍ଚାୟତର ଉମାରାଣୀ ମହାନ୍ତି ଓ ୧ କୋଟି ସଂଖ୍ୟାରେ ପଞ୍ଜିକରଣ କରିଥିବା ହିତାଧିକାରୀ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ତଥା ସୁରୁଡା ଗ୍ରାମର ଦୟାମଣି କୁଜୁରଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ସୁଭଦ୍ରା ଯୋଜନାରେ ଆପଣମାନଙ୍କ ଉତ୍ସାହ ଓ ଅଂଶ ଗ୍ରହଣର ଏକ ସୁନ୍ଦର ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଶେଷ ସ୍ନେହ ଓ ଶ୍ରଦ୍ଧା ରହିଛି। ଗତ ମାସ ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭୁବନେଶ୍ୱର ଆସି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଶୁଭାରମ୍ଭ କରିଥିଲେ। ସେଦିନ ତାଙ୍କର ଜନ୍ମଦିନ ଥିଲା ।

ନିଜ ଜନ୍ମ ଦିନରେ ତାଙ୍କର ସବୁ କାର୍ଯ୍ୟକ୍ରମ ଛାଡି ସେ ଓଡିଶା ଆସିଥିଲେ ଆମର ମା’ମାନଙ୍କ ପାଇଁ, ଆମର ଭଉଣୀମାନଙ୍କ ପାଇଁ। ସେଥିରୁ ହିଁ ଜଣାପଡେ ମୋଦୀଜୀ ଓଡିଶାକୁ କେତେ ଭଲ ପାଆନ୍ତି। କେବଳ ସେତିକି ନୁହେଁ, ଭୁବନେଶ୍ୱରର ଗୋଟିଏ ଛୋଟିଆ ଜାଗା, ଗାଡକଣକୁ ଯାଇ ସେଠାରେ ଜଣେ ଆଦିବାସୀ ଶବର ମା’ଙ୍କଠାରୁ ଖିରି ଖାଇ ତାଙ୍କ ଜନ୍ମ ଦିନ ପାଳିଲେ। ଏହି ଅବସରରେ ସେ ତାଙ୍କ ନିଜ ମା’ଙ୍କୁ ମଧ୍ୟ ମନେ ପକାଇଥିଲେ। ଏହା ହେଉଛି ଓଡିଶା ପ୍ରତି ମୋଦୀଜୀଙ୍କ ସ୍ନେହ ଓ ଶ୍ରଦ୍ଧାର ପରିଚୟ।

ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଆଜି ଓଡିଶାରେ ଆପଣମାନେ ଡବଲ ଇଞ୍ଜିନ ସରକାର ପାଇଛନ୍ତି। ତେଣୁ ଓଡିଶାର ବିକାଶକୁ ଆଉ କେହି ଅଟକେଇ ପାରିବେ ନାହିଁ। କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ବିକାଶକୁ ଦୁଇ ଗୁଣ ବେଗରେ ଆଗେଇ ନେବ। ୨୦୩୬ ପାଇଁ ୨୦୪୭ ପାଇଁ, ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନ କରିବାର ଆମର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ମୟୁରଭଞ୍ଜ ମିଶ୍ରଣ, ମୟୁରଭଞ୍ଜର କଳା, ସଂସ୍କୃତି ଓ ପରମ୍ପରା ସହିତ ବାରିପଦାର ଗୌରବମୟ ଗାଥା ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନଙ୍କ ଦ୍ୱାରା ଟଣା ଯିବା ବିଷୟରେ ଉଲ୍ଲେଖକରି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଓଡିଶାରେ ୧୦୦ ଦିନ ସରକାରରେ ‘ସୁଭଦ୍ରା’ ଭଳି ଏକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲା। ଆଗରୁ ଏଭଳି କୌଣସି ଯୋଜନା ନଥିଲା ଯେଉଁଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହୋଇଥିଲେ। ଓଡିଶାର ମହିଳାମାନଙ୍କ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ଏହି ‘ସୁଭଦ୍ରା’ ଯୋଜନାକୁ ମୟୁରଭଞ୍ଜ ଆଦିମ ଜନଜାତି ମହିଳାମାନେ ଆପଣେଇଛନ୍ତି। ମହିଳା ବିକାଶକୁ ଏକ ନୂଆ ଦିଗ ଦେଖାଇବ ‘ସୁଭଦ୍ରା’ ଏବଂ ବିକାଶର ମୂଳ ପିଣ୍ଡ ହେବ ‘ସୁଭଦ୍ରା’ ବୋଲି ସେ କହିଥିଲେ।

ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଏହା ଏକ ଐତିହାସିକ ଯୋଜନା। ଏହି ଯୋଜନା ପାଇଁ ମୟୁରଭଞ୍ଜ ସମେତ ସମଗ୍ର ଓଡିଶାର ମହିଳାମାନେ ଅତ୍ୟନ୍ତ ଖୁସି ଅଛନ୍ତି। ଆମ ସରକାର ନାରୀମାନଙ୍କୁ, ଚାଷୀମାନଙ୍କୁ ଓ ଗରୀବଙ୍କୁ ସମ୍ମାନ ଦେଉଥିବା ସରକାର।

ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭାରତର ବିକାଶକୁ ଦ୍ୱିଗୁଣିତ କରୁଛନ୍ତି। ଆମ ଓଡିଶାରେ ମଧ୍ୟ ଡବଲ ଇଞ୍ଜନ ସରକାରରେ ବିକାଶର ଗତି କ୍ଷୀପ୍ର ହେବ। ମୟୁରଭଞ୍ଜକୁ ଏକ ବିକଶିତ ଜିଲ୍ଲା ଭାବେ ଗଠନ କରିବା ପାଇଁ ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ମୟୁରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଂସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାୟକ, ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ବଡସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, କେନ୍ଦ୍ରାଞ୍ଚଳ ଆର୍.ଡି.ସି. ବି. ପରମେଶ୍ୱର ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ ଧନ୍ୟବାଦ ଅର୍ପଣ କରିଥିଲେ।

Subhadra subhadra yojana ବାରିପଦାରେ ସୁଭଦ୍ରା ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025
Latest News

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.