ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କୃଷି ବିଭାଗର ବୈଠକ, କୃଷକଙ୍କ ପାଇଁ ଜାରୀ ହେଲା ଜରୁରୀ ନମ୍ବର

Published: Oct 21, 2024, 7:52 pm IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଆଜି କୃଷି ଭବନସ୍ଥିତ ବୋର୍ଡରୁମରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀବୃନ୍ଦ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।

ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ଆତଙ୍କିତ ନ ହୋଇ ସତର୍କ ତଥା ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଯେକୌଣସି ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ କୃଷି ଭବନ ତଥା ସମସ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଅକେଫାବର ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦେଇଥିବାବେଳେ ଫସଲ ସମ୍ବନ୍ଧୀୟ ଯେକୌଣସି ପରାମର୍ଶ ପାଇଁ ଚାଷୀମାନେ କୃଷକ ସମୃଦ୍ଧ ହେଲା ଲାଇନ (୧୫୫୩୩୩) ଏବଂ ସୋସିଆଲ ମିଡ଼ିଆର ସହାୟତା ନେବା ପାଇଁ କହିଛନ୍ତି।

ଫସଲ ସ୍ଥିତି ବିଶେଷ କରି ଅମଳକ୍ଷମ ଧାନ, ମକା, କପା, ମଣ୍ଡିଆ ଓ ରବି ଜାତୀୟ ପନିପରିବା ଚାଷର ସ୍ଥିତି ଓ ଏହାର ସୁରକ୍ଷା ନେଇ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଉପକୂଳ ଅଞ୍ଚଳର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ନିଜ ଅଞ୍ଚଳରେ ଏହି ସତର୍କତାମୂଳକ ପରାମର୍ଶ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ କୁହାଯାଇଥିଲା । ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Related posts