ଚାଉଳ ନ ମିଳିବାରୁ ଆମ୍ବ କୋଇଲି ଖାଇ ମୃତ୍ୟୁ ହୋଇଛି, ଦୁଇ ସାମାଜିକ ସଂସ୍ଥା ସର୍ଭେ ପରେ କଲେ ଘୋଷଣା

Published: Nov 16, 2024, 8:37 pm IST

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଆମ୍ବ କୋଇଲି ଜାଉ ମୃତ୍ୟୁ ଘଟଣାକୁ ନେଇ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଓ ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ (CSFHR) ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସାମାଜିକ ଗବେଷକ ରବି ଶଙ୍କର ବେହେରା, ସ୍ଵାଧୀନ ସାମ୍ବାଦିକା ରାକ୍ଷୀ ଘୋଷ ଏବଂ ଆଇନଜୀବୀ ସୁଜାତା ଜେନା ପ୍ରମୁଖ ଉପସ୍ଥିତ ରହି କହିଲେ ଯେ, ଖାଦ୍ୟ ଶସ୍ୟର ଅଭାବ (ଚାଉଳ) ଯୋଗୁଁ ଓଡିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁର ମହିଳାମାନଙ୍କୁ ଫଙ୍ଗ ସଂକ୍ରମିତ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ କଲା।

ସେମାନେ ୩୦ ଅକ୍ଟୋବର, ୨୦୨୪ ଦିନ ଯେଉଁ ଆମ୍ବ କୋଇଲି ଜାଉ ଖାଇଲେ ତାହା ବୋଧ ହୁଏ ଫଙ୍ଗାଳ ପ୍ରକ୍ରିୟା ଯୋଗୁଁ ବିଷାକ୍ତ ହେଇଥିଲା। ଯାହା ଖାଇବା ଦ୍ଵାରା ସେମାନଙ୍କ “ଖାଦ୍ୟ ପଇଜନିଙ୍ଗ” ପାଇଁ ସମ୍ଭବତଃ ମୃତ୍ୟୁ ହେଲା। ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଏବଂ ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ (CSFHR) ତରଫରୁ କୋରାପୁଟର ସାମାଜିକ କର୍ମୀ ଶ୍ରୀ ବିଦ୍ୟୁତ୍ ମହାନ୍ତି, ସ୍ଵାଧୀନ ସାମ୍ବାଦିକା ଶ୍ରୀମତୀ ରାକ୍ଷୀ ଘୋଷ, ସାମାଜିକ ଗବେଷକ ଶ୍ରୀ ରବି ଶଙ୍କର ବେହେରା, ଆଇନଜୀବୀ ସୁଶ୍ରୀ ସୁଜାତା ଜେନାଙ୍କ ନେତୃତ୍ୱରେ ଏକ ଚାରିଜଣ ସଦସ୍ୟ ବିଶିଷ୍ଟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଣ୍ଡିପଙ୍କା ଗାଁ ର ଖ୍ରୀଷ୍ଟିୟାନ ସାହିକୁ ଯାଇ ଲୋକଙ୍କ ସହିତ କଥାବାର୍ତ୍ତା କରି ଏହି ଆମ୍ବ କୋଇଲି ଜାଉ ଖାଇ ହୋଇଥିବା ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କଲେ।

ଏହି ରିପୋର୍ଟରୁ ଜଣାପଡିଛି ଯେ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଅଧୀନରେ ମିଳୁଥିବା ଚାଉଳ (ମୁଣ୍ଡ ପିଛା ୫ କେଜି) ସେ ପରିବାରମାନଙ୍କ ପାଇଁ ଯଥେଷ୍ଟ ନୁହେଁ, କାରଣ ସେମାନେ ଦିନକୁ ତିନିଥର ମୁଖ୍ୟତଃ ଭାତ ଖାଇଥାନ୍ତି। ସେତିକି ଚାଉଳ ମାସକୁ ବେଶୀ ସେ ବେଶୀ ୧୫ – ୧୭ ଯାଇଥାଏ।

ଯେତେବେଳେ ଘରେ ଥିବା ଚାଉଳର ଅଭାବ ହୁଏ, ସେମାନେ ଚାଉଳକୁ ଆମ୍ବ କୋଇଲି କିମ୍ବା ମାଣ୍ଡିଆ ସହିତ ମିଶେଇ କିମ୍ବା ବେଳେବେଳେ କେବଳ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ ହୁଅନ୍ତି। ପରିବାରଗୁଡିକ ଶେଷ ଥର ପାଇଁ ଜୁଲାଇ ମାସରେ ପିଡିଏସ୍ ଅଧୀନରେ (ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ) ଚାଉଳ ପାଇଥିଲେ। ଅକ୍ଟୋବରରେ ସେମାନେ ଚାଉଳ ପାଇବା କଥା କିନ୍ତୁ ସେମାନେ ପାଇଲେ ନାହିଁ।

ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ ସ୍ଥାନୀୟ ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ବର୍ଷର ଖାଦ୍ୟ ଅଭାବ ସମୟରେ (ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର) ଆମ୍ବ କୋଇଲି ଗୁଣ୍ଡ, ପଣସ ମଞ୍ଜି ଇତ୍ୟାଦି ଖାଇବା ପାଇଁ ବାଧ୍ୟ ହୁଅନ୍ତି। ଏହି ପରିବାରମାନେ ଅଭାବ ସମୟ ପାଇଁ ଆମ୍ବ କୋଇଲି ସଂରକ୍ଷଣ କରିଥିଲେ କିନ୍ତୁ ଏଥିରେ ଫଙ୍ଗସ୍ ହୋଇଗଲା ଯାହା ଖାଦ୍ୟ ବିଷାକ୍ତ ଏବଂ ମୃତ୍ୟୁର କାରଣ ହୋଇପାରେ।

ଏହି ଟିମ୍ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଗାଁରେ କାମର ସୀମିତ କିମ୍ବା କୌଣସି ସୁଯୋଗ ନାହିଁ। ତେଣୁ, ଅଧିକାଂଶ ପୁରୁଷ ବିଭିନ୍ନ ପ୍ରକାର କାମର ସନ୍ଧାନରେ କେରଳ ପରି ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଆନ୍ତି। ଯେଉଁମାନେ ଘରେ ରହନ୍ତି ସେମାନଙ୍କ ପାଖରେ ଜବ କାର୍ଡ ଅଛି ଏବଂ ଗଏଘଜଋଏଝ ଅଧୀନରେ କାମ ପାଆନ୍ତି। ଗାଁର ପୁରୁଷମାନେ କହିଲେ ଯେ ସେମାନେ ଗତ ତିନିମାସ ଧରି କାମ ପାଇନାହାଁନ୍ତି।

ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ ବିଭିନ୍ନ କାରଣରୁ ସରକାରଙ୍କ ରାସନ କାର୍ଡରେ ଅନେକ ମହିଳା ଏବଂ ଶିଶୁଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ଆମ୍ବ କୋଇଲି ଜାଉ ଖାଇବା ପରେ ମୃତ୍ୟୁବରଣ କରିଥିବା ରମିତା ପଟ୍ଟମାଝୀ ୨୦୧୮ରେ ଅନିଲ ପଟ୍ଟମାଝୀଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ନାମ ଶେଷ ପର‌୍ୟ୍ୟନ୍ତ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇନଥିଲା।

ଅନିଲ ତିନିଥର ବ୍ଲକ ଅଫିସକୁ ଯାଇ ଅଧିକାରୀମାନଙ୍କୁ ତାଙ୍କ ନାମ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ସବୁ ପରିଶ୍ରମ ବୃଥା ହେଲା। ଘରେ ଚାଉଳ ନଥିବାରୁ ବାଧ୍ୟ ହୋଇ ଆମ୍ବ କୋଇଲି ଜାଉ ଖାଇବା ପରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୬ ବର୍ଷୀୟା ରମିତାଙ୍କ ବାହା ହେବାର ପାଞ୍ଚ ବର୍ଷରୁ ଅଧିକ ହୋଇଯାଇଥିବା ସତ୍ତ୍ୱେ ତାଙ୍କ ସ୍ଵାମୀଙ୍କ ପରିବାରର ରାସନ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନ ଥିଲେ। ଏହି ତ୍ରୁଟି ପ୍ରଶାସନିକ ଅବହେଳାକୁ ସୂଚିତ କରେ।

ଗାଁର ଅଧିକାଂଶ ପରିବାର (୯୦% ପରିବାର) ସହିତ ଅତ୍ୟଧିକ ଦାରିଦ୍ର‌୍ୟ ତଥା ଅର୍ଦ୍ଧାହାରରେ ଜୀବନ ବିତାଉଛନ୍ତି ଏବଂ ତାଙ୍କ ପାଖରେ ଅଳ୍ପ କିମ୍ବା କୌଣସି ନଗଦ ପଇସା ନାହିଁ। ଏହି ଘଟଣା କନ୍ଧମାଳ ଜିଲ୍ଲାର ଖାଦ୍ୟ ନିରାପତ୍ତାକୁ ଦର୍ଶାଉଛି ଏବଂ ଲୋକମାନେ ଏଣ୍ଡେମିକ୍ ଏବଂ କ୍ରନିକ୍ ଭୋକରେ ପୀଡିତ।

ସରକାର ତୁରନ୍ତ ଏକ ସର୍ଭେ କରିବା ସହ ଖାଦ୍ୟ ଅସୁରକ୍ଷା ସ୍ଥିତିରେ ଥିବା ପରିବାରକୁ ଚିହ୍ନଟ କରନ୍ତୁ ଓ ପ୍ରତି ମାସରେ ପିଡ଼ିଏସ୍ ରାସନ ବଣ୍ଟନ କରିବା ସହ ମୁଣ୍ଡପିଛା ୧୨ କିଲୋ ଚାଉଳ ସହ ଡାଲି ଓ ତେଲ ଦେବା ସହ ଦୁର୍ଗମ ଅଞ୍ଚଳର ପ୍ରତି ଗାଁରେ ରେସନ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ ଓ ଆଧାର କାର୍ଡ଼କୁ ଆଧାର କରି କୌଣସି ରେସନ ବନ୍ଦ କରାନଯାଉ।

Related posts