ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଏକ ସମାଜ ଗଠନ କରିବା ପାଇଁ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ଭାରତର ପ୍ରଗତି ପଥରେ ୟୁପିଆଇର ବଡ ଭୂମିକା ରହିଛି। ଡିସେମ୍ବର ୨୦୨୪ ସୁଦ୍ଧା ୟୁପିଆଇ ମାଧ୍ୟମରେ ରେକର୍ଡ ସଂଖ୍ୟକ ୧୬.୭୩ କୋଟି କାରବାର କରାଯାଇଛି। ଏହାଛଡା ଅର୍ଥ ନେଣଦେଣ କାରବାରକୁ ଅଧିକା କ୍ଷିପ୍ର, ସହଜ ଓ ନିରାପଦ କରିବାକୁ ଆଇଏମପିଏସ, ଏନଇଟିସି ଫାସଟ୍ୟାଗ ପରି ସୁବିଧା କରାଯାଇଛି।
ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଂଟକୁ ଏବେ ଏକକ ମୋବାଇଲ ଆପ୍ଲିକେସନରେ ପରିଣତ କରାଯାଇଛି। ଗୋଟିଏ ଆପ୍ଲିକେସନ ଅଧୀନରେ ଏକାଧିକ ବ୍ୟାଙ୍କିଙ୍ଗ ଫିଚର, ସିମଲେସ ଫଣ୍ଡ ରାଉଟିଂ, ଖୁଚୁରା ଅର୍ଥ ପୈଠ ପରି ବିଭିନ୍ନ ସୁବିଧା ରହିଛି। ଅର୍ଥ ଦେଣନେଣ କାରବାରକୁ ଏହା କେବଳ କ୍ଷିପ୍ର, ନିରାପଦ ଓ ସହଜସାଧ୍ୟ କରିନାହିଁ ବରଂ ବ୍ୟକ୍ତି, ଖୁଚୁରା ବେପାର ଓ ବ୍ୟବସାୟୀଙ୍କୁ ସଶକ୍ତ କରି ଦେଶର ଅର୍ଥନୀତିକୁ କ୍ୟାସଲେସ କରିପାରିଛି।
ନେସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ବା ଏନସିପିଆଇର ସୂଚନା ଅନୁସାରେ ପ୍ରାୟ ୨୩. ୨୫ ଲକ୍ଷ କୋଟି ଟଙ୍କାର ୧୬.୭୩ କୋଟି କାରବାର କରାଯାଇ ୟୁପିଆଇ ରେକର୍ଡ ସୃଷ୍ଟି କରିପାରିଛି। ନଭେମ୍ବର ମାସରେ ହୋଇଥିବା ୨୧.୫୫ ଲକ୍ଷ କୋଟି ଟଙ୍କାର କାରବାର ଅପେକ୍ଷା ଏହି କାରବାର ଏବେ ଭଲ ପ୍ରଦର୍ଶନ କରିଛି। ୨୦୨୪ରେ ୟୁପିଆଇ ମାଧ୍ୟମରେ ୧୭୨ କୋଟି କାରବାର ହୋଇଛି। ୨୦୨୩ରେ ହୋଇଥିବା ୧୧୭. ୬୪ କୋଟି କାରବାରର ଏହା ୪୬ ପ୍ରତିଶତ ବୃଦ୍ଧି ବୋଲି କୁହାଯାଇଛି।
ମୋବାଇଲ ଟ୍ରାନଜାକ୍ସନ ଅପେକ୍ଷା ୟୁପିଆଇ କାରବାର ଅଧିକା ହୋଇଛି। ବିଭିନ୍ନ ଆକାଉଂଟ ଭିତରେ ଏକ ନିର୍ଭରଯୋଗ୍ୟ କାରବାର ପାଲଟିଛି ଆଇଏମପିଏସ। ୨୦୧୦ରୁ ଆରମ୍ଭ ହୋଇଥିବା ଏହି ଆଇଏମପିଏସ କାରବାର ଫଳରେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଭିତରେ ଚବିଶ ଘଂଟିଆ ସେବା ତ୍ୱରାନ୍ୱିତ କରାଯାଇ ପାରିଛି। ବ୍ୟକ୍ତି ଓ ବ୍ୟବସାୟୀଙ୍କ ପାଇଁ ମୋବାଇଲ, ଏଟିଏମ, ଏସଏମଏସ, ଇଂଟରନେଟ ମାଧ୍ୟମରେ ଟ୍ରାନଜାକ୍ସନ କରାଯାଇ ଏହାକୁ ଏକ ଅତ୍ୟାବଶ୍ୟକ ମାଧ୍ୟମ ରୂପେ ପରିଗଣିତ କରାଯାଇଛି। ୨୦୨୪ ନଭେମ୍ବରରେ ୪୦୭. ୯୨ କୋଟି କାରବାର ହୋଇଥିବା ବେଳେ ୨୦୨୪ ଡିସେମ୍ବରରେ ଆଇଏମପିଏସ ଟ୍ରାନଜାକ୍ସନ ୪୪୧ କୋଟି ଟ୍ରାନଜାକ୍ସନକୁ ଛୁଇଁ ଏହା ରେକର୍ଡ ସୃଷ୍ଟି କରିପାରିଛି। ୨୦୨୪ ନଭେମ୍ବରରେ ୫.୫୮ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଡିସେମ୍ବର ଏହା ୬.୦୧ ଲକ୍ଷ କୋଟି ଟଙ୍କାରେ ପହଂଚିପାରିଛି।
ଏନଇଟିସି ଫାସଟ୍ୟାଗ ହେଉଛି ଆଉ ଏକ ଡିଜିଟାଲ ଅର୍ଥ କାରବାର ମାଧ୍ୟମ। ଜାତୀୟ ରାଜପଥରେ ରହିଥିବା ଟୋଲ ଗେଟରେ ଅର୍ଥ ଦେବା ପାଇଁ ନେସନାଲ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ବା ଏନଇଟିସି ଫାସଟ୍ୟାଗ ଦ୍ୱାରା ନଗଦ ନଦେଇ ଅର୍ଥ ପଇଠ କରାଯାଇ ପାରୁଛି। ଫଳରେ ଟୋଲ ପ୍ଲାଜା ପାଖରେ ଗାଡି ଛିଡା ନହୋଇ ଫାସଟ୍ୟାଗ ମାଧ୍ୟମରେ ଗାଡି ଚାଳକମାନେ ଅର୍ଥ ପଇଠ କରିପାରୁଛନ୍ତି। ସେଭିଂସ, କରେଂଟ କିମ୍ବା ପ୍ରିପେଡ ବ୍ୟାଙ୍କ ଆକାଉଂଟକୁ ଫାସଟ୍ୟାଗ ସହ ଯୋଡି ଗାଡି ଚାଳକମାନେ ସମୟ ଓ ତୈଳ ବଂଚାଇ ଅର୍ଥ ପଇଠ କରିପାରୁଛନ୍ତି। ୨୦୨୪ ନଭେମ୍ବରରେ ୩୫୮. ୮୪ କୋଟି ଫାସଟ୍ୟାଗ କାରବାର ହୋଇଥିବା ବେଳେ ଡିସେମ୍ବରରେ ଏହା ୩୮୧. ୯୮ କୋଟିକୁ ବୃଦ୍ଧି ପାଇଥିବା ରେକର୍ଡ କହିଛି। ନଭେମ୍ବରରେ ୬, ୦୭୦ କୋଟି ଟଙ୍କା କାରବାରରୁ ଏହା ୬,୬୪୨ କୋଟି ଟଙ୍କାକୁ ଏହି କାରବାର ବୃଦ୍ଧି ପାଇଛି।
ୟୁପିଆଇ, ଆଇଏମପିଏସ, ଏନଇଟିସି ଫାସଟ୍ୟାଗ ମାଧ୍ୟମରେ ଡିଜିଟାଲ ଟ୍ରାନଜାକ୍ସନ ବୃଦ୍ଧି ପାଇ ଦେଶକୁ ଏକ ଦ୍ରୁତ ଡିଜିଟାଲ ଅର୍ଥନୀତିରେ ପରିଣତ କରିପାରିଛି। ଏପ୍ରକାର ଯାନ୍ତ୍ରିକ ସୁବିଧା ଫଳରେ ଅର୍ଥ ଦେଣନେଣ କାରବାର କେବଳ ସୁବିଧାଜନକ ହୋଇପାରିନାହିଁ ବରଂ ଅଧିକ ନିରାପଦ ହୋଇ ଠକେଇ କିମ୍ବା ଚୋରିରୁ ରକ୍ଷା ପାଇପାରିଛି। ଡିଜିଟାଲ ଭିତିଭୂମିରେ ପରିବର୍ତନ ହୋଇ ଅର୍ଥ କାରବାର ବ୍ୟବସ୍ଥାକୁ ପରିବର୍ଦ୍ଧିତ କରାଯାଇଛି। ଫଳରେ ଅର୍ଥ ଦେଣନେଣ କ୍ଷେତ୍ରରେ ରହିଥିବା ଭବିଷ୍ୟତକୁ ପୂର୍ବାପେକ୍ଷା ଅଧିକ ସମୁଜ୍ୱଳ କରାଯାଇ ପାରିଛି।