ଭାରତର ଉପକୂଳବର୍ତ୍ତୀ ସ୍ଥାନଗୁଡିକରେ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ପୁନରୁଦ୍ଧାର ପାଇଁ ଆରମ୍ଭ ହେଲା ପଦକ୍ଷେପ

Published: Feb 4, 2025, 7:25 pm IST

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT), ଭୁବନେଶ୍ୱର ଓ ଭାରତର ଉପକୂଳବର୍ତ୍ତୀ  ସମ୍ପ୍ରଦାୟଗୁଡ଼ିକର ଜଳବାୟୁ  ସହନଶୀଳତା ବୃଦ୍ଧି  ପ୍ରକଳ୍ପ (ECRICC)ର  ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ  ସୁରକ୍ଷା, ପୁନରୁଦ୍ଧାର ଏବଂ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ଇକୋସିଷ୍ଟମ-ଆଧାରିତ ସମାଧାନ ଉପରେ ବିଚାର ବିମର୍ଶ କରିବା ନିମନ୍ତେ ଏହି କର୍ମଶାଳାରେ ପ୍ରମୁଖ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗ ଦେଇ ବିଶଦ ଆଲୋଚନା କରିଥିଲେ ।

ସବୁଜ ଜଳବାୟୁ ପାଣ୍ଠିର ସହାୟତାପ୍ରାପ୍ତ ଏବଂ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ସହଭାଗୀତାରେ କାର୍ଯ୍ୟକାରୀ ହେଉଥିବା ଭାରତର ଉପକୂଳବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକର ଜଳବାୟୁ ସହନଶୀଳତା ବୃଦ୍ଧି  ପ୍ରକଳ୍ପ (ECRICC), ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଭାରତର ଉପକୂଳ ସମ୍ପ୍ରଦାୟ ଏବଂ ଇକୋସିଷ୍ଟମକୁ ସୁରକ୍ଷା ଦେବାର ଲକ୍ଷ୍ୟ ରଖିଛି । ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ଇକୋସିଷ୍ଟମର ବୈଜ୍ଞାନିକ ପୁନରୁଦ୍ଧାର ଏବଂ ପରିଚାଳନା ଉପରେ ଏହି ପ୍ରଚେଷ୍ଟା ଗୁରୁତ୍ଵାରୋପ କରେ, ଯାହା ଜୈବବିବିଧତା ସଂରକ୍ଷଣ, କାର୍ବନ ସିକ୍ୱେଷ୍ଟ୍ରେସନ୍ ଏବଂ ଉପକୂଳ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT), ଭୁବନେଶ୍ୱର ଉପରେ ଏହି ପ୍ରୟାସର ବୈଷୟିକ ପରାମର୍ଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି I ଆଇ ଆଇ ଟି, ଭୁବନେଶ୍ୱର ଅଷ୍ଟ୍ରେଲିଆର ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ସହିତ ମିଳିତ ସହଯୋଗରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବୈଜ୍ଞାନିକ ଏବଂ ସମ୍ପ୍ରଦାୟ-ଭିତ୍ତିକ ପୁନରୁଦ୍ଧାର ରଣନୀତି କାର୍ଯ୍ୟକାରୀ କରିବ ।

କର୍ମଶାଳାର ଉଦଘାଟନୀ ଅଧିବେଶନରେ, UNDP ଭାରତର ଶକ୍ତି, ପରିବେଶ ଏବଂ ସହନଶୀଳତା ମୁଖ୍ୟ, ଶ୍ରୀ ଆଶିଷ ଚତୁର୍ବେଦୀ UNDP-GCF ପଦକ୍ଷେପଗୁଡ଼ିକର ଏକ ସାରାଂଶ ଏବଂ ECRICC ପ୍ରକଳ୍ପର ଅଗ୍ରଗତି ଉପରେ ତଥ୍ୟ  ପ୍ରଦାନ କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଉପକୂଳ ପ୍ରକଳ୍ପ, MoEF&CCର ଅର୍ଥନୈତିକ ପରାମର୍ଶଦାତା ଏବଂ ଜାତୀୟ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀମତୀ ରାଜଶ୍ରୀ ରାୟ ଉପକୂଳ ପରିବେଶର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଜାତୀୟ ପ୍ରକଳ୍ପ ସଂଯୋଜକ, MoEFCC, GoI, ଡକ୍ଟର ସୁନଦୀପ ଜଳବାୟୁ ପରିବର୍ତ୍ତନର ବିପଦ ହ୍ରାସ କରିବାରେ ପରିବେଶ-ଭିତ୍ତିକ ଅନୁକୂଳନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଡିନ୍, ଏମିରେଟସ୍ ପ୍ରଫେସର IIT ଭୁବନେଶ୍ୱର, ପ୍ରଫେସର ଟି. କେ. ବିଶ୍ୱାଳ ଉପକୂଳ ପରିବେଶ ପୁନରୁଦ୍ଧାରରେ ଅଗ୍ରଣୀ ଗବେଷଣା ପାଇଁ IITର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ ।

ବୈଷୟିକ ଅଧିବେଶନରେ, ପ୍ରମୁଖ ଗବେଷକ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଉପସ୍ଥାପନା ପ୍ରଦାନ କରାଯାଇଥିଲା । IIT ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଏବଂ ମୁଖ୍ୟ, ପୃଥିବୀ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ସ୍କୁଲ୍, ଡକ୍ଟର ଏସ୍.ଏଚ୍. ଫାରୁକ ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ ହସ୍ତକ୍ଷେପର ପରିସର, ଆଶାନୂରୂପ ଫଳାଫଳ ଏବଂ ଉପଲବ୍ଧତା ଉପରେ ଆଲୋକପାତ କରିଥିଲେ । ଅଷ୍ଟ୍ରେଲିଆର ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟର ଡକ୍ଟର ଅମୃତ ମିଶ୍ର ଏକ ବିସ୍ତୃତ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ, ଯେଉଁଥିରେ ଅଂଶୀଦାରଙ୍କ ଭୂମିକା, ସମୟସୀମା ଏବଂ କ୍ଷମତା-ନିର୍ମାଣ ଆବଶ୍ୟକତା ବିଷୟରେ ଆଲୋଚନା କରାଯାଇଥିଲା । ECRICC ଓଡ଼ିଶାର ରାଜ୍ୟ ପ୍ରକଳ୍ପ ପରିଚାଳିକା ଡକ୍ଟର ସ୍ପନ୍ଦିତା କର ଏହି ପଦକ୍ଷେପର ଦୀର୍ଘସ୍ଥାୟୀ ପ୍ରଭାବ ପାଇଁ ମୁଖ୍ୟ ପଦକ୍ଷେପ, ମାଇଲଖୁଣ୍ଟ ଏବଂ କାର୍ଯ୍ୟ ବିନ୍ଦୁଗୁଡ଼ିକର ଅବତାରଣା କରିଥିଲେ ।

ଓଡ଼ିଶାର ଅନନ୍ୟ ପରିବେଶଗତ ଏବଂ ସାମାଜିକ-ଅର୍ଥନୈତିକ ପରିପ୍ରେକ୍ଷୀରେ ପ୍ରସ୍ତୁତ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ, ନୀତି ସୁପାରିଶ ଏବଂ ଅଭିନବ ପୁନରୁଦ୍ଧାର ପଦ୍ଧତି ଉପରେ ଜ୍ଞାନ ଆଦାନପ୍ରଦାନକୁ ସହଜ କରିଥିଲା । ଡକ୍ଟର ଏସ୍.ଏଚ୍. ଫାରୁକଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା, ପରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ସହଯୋଗ ଏବଂ ଭବିଷ୍ୟତ ସହଭାଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନେଟୱାର୍କିଂ ଅଧିବେଶନ ହୋଇଥିଲା ।

ଇକୋସିଷ୍ଟମ-ଆଧାରିତ ଅନୁକୂଳନ, ବୈଜ୍ଞାନିକ ଗବେଷଣା ଏବଂ ସମ୍ପ୍ରଦାୟ ସମ୍ପୃକ୍ତିର ସ୍ଥାୟୀ ଉପକୂଳ ପରିଚାଳନାରେ ଓଡ଼ିଶାର ନେତୃତ୍ୱକୁ ECRICC ପ୍ରକଳ୍ପ ଅଗ୍ରାଧିକାର ଦେଉଛି । ଏହି କର୍ମଶାଳାରୁ ପ୍ରାପ୍ତ ଅନ୍ତର୍ଦୃଷ୍ଟି ସମୁଦ୍ର ଘାସ ଏବଂ ସନ୍ତସନ୍ତିଆ ଲୁଣା ଅଞ୍ଚଳ  ସୁରକ୍ଷା, ପୁନରୁଦ୍ଧାର ଏବଂ ପରିଚାଳନା ପାଇଁ ପରବର୍ତ୍ତୀ ପଦକ୍ଷେପଗୁଡ଼ିକୁ ମାର୍ଗଦର୍ଶନ କରିବ, ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଦୀର୍ଘକାଳୀନ ପରିବେଶଗତ ଏବଂ ସାମାଜିକ-ଆର୍ଥିକ ଲାଭ ସୁନିଶ୍ଚିତ କରିବ।

Related posts