ଆଜି ସଂଧ୍ୟାରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଡେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଜାଣନ୍ତୁ କାରଣ

Published: Feb 27, 2025, 3:28 pm IST
nadda

ଭୁବନେଶ୍ୱର: ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ପରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୋଦିଜୀ ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି ।

ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ୩ ମାସ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ସମ୍ବିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ ଆଦି ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି।

ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ନଡ୍ଡା ଆଜିଠାରୁ ଦୁଇଦିନଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟା ୭ଟାରେ ଭୁବନେଶ୍ୱରରେ ପହଂଚିବା ପରେ କୋଣାର୍କ ଯାଇ ରାତ୍ରୀଯାପନ କରିବେ।

ଆସନ୍ତାକାଲି ଶ୍ରୀ ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ଚର୍ଚ୍ଚା ଏବଂ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

Related posts