ନୂଆଦିଲ୍ଲୀ: ଗତ ଦଶ ବର୍ଷ ମଧ୍ୟରେ ମୋବାଇଲ୍ ଉତ୍ପାଦନ ସମେତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଏବଂ ରପ୍ତାନି ଦ୍ରୁତ ଅଭିବୃଦ୍ଧି ପାଇଛି। ୨୦୧୪-୧୫ରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ୧ ଲକ୍ଷ ୯୦ ହଜାର କୋଟି ଟଙ୍କାରୁ ଗତ ଆର୍ଥିକ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି, ଯାହା ୬ ଗୁଣ ବୃଦ୍ଧି ଦର୍ଶାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।
ସେ କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ରପ୍ତାନି ତିନି ଲକ୍ଷ ୨୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ମୋବାଇଲ୍ ଫୋନ୍ ରପ୍ତାନି ଏକ ଦଶନ୍ଧିରେ ୧୨୭ ଗୁଣ ବୃଦ୍ଧି ପାଇ ଏକ ହଜାର ୫୦୦ କୋଟି ଟଙ୍କାରୁ ଦୁଇ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋବାଇଲ୍ ଉତ୍ପାଦନ ୧୮ ହଜାର କୋଟି ଟଙ୍କାରୁ ପାଞ୍ଚ ଲକ୍ଷ ୪୫ ହଜାର କୋଟି ଟଙ୍କା ଛୁଇଁଛି।
ମନ୍ତ୍ରୀ ଏହି ସଫଳତାର ଶ୍ରେୟ ଉତ୍ପାଦନ ଲିଙ୍କ୍ଡ୍ ଇନସେଣ୍ଟିଭ୍ ଯୋଜନାକୁ ଦେଇଛନ୍ତି ଯାହା ଫଳରେ ଭାରତରେ ଏକ ଦୃଢ଼ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ପ୍ରତିଷ୍ଠା ହୋଇଛି। ବୃହତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ PLI ଯୋଜନାରେ ପୂର୍ବରୁ ୧୨ ହଜାର ୩୯୦ କୋଟି ଟଙ୍କାର କ୍ରମାଗତ ନିବେଶ ଆକର୍ଷିତ ହୋଇଛି ଏବଂ ଗତ ମାସ ସୁଦ୍ଧା ୧ ଲକ୍ଷ ୩୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।