ଭୁବନେଶ୍ବର: ବେଶ କିଛିଦିନ ଧରି ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ତାଙ୍କ ବାସଭବନକୁ ଯାଇ ତାଙ୍କୁ ବଡବଡ ନେତା ତଥା ଖୋଦ ରାଜ୍ୟପାଳ ସାକ୍ଷାତ କରୁଛନ୍ତି। ଏହା ଏକ ସୌଜନ୍ୟ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ରାଜନୈତିକ ମହଲରେ ତାହାକୁ କେହି ମାନିବାକୁ ନାରାଜ। ଅନ୍ୟ କୌଣସି ମନ୍ତ୍ରୀଙ୍କୁ କେହି ତାଙ୍କ ବାସଭବନରେ ସାକ୍ଷାତ କରୁ ନ ଥିବା ବେଳେ ଆଇନ ମନ୍ତ୍ରୀଙ୍କୁ କାହିଁକି। ଏହି ପ୍ରଶ୍ନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।
କିଛି ଦିନ ତଳେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି ଜାତୀୟ ନେତା ତଥା ବିଜେପିରେ ବେଶ ଦବଦବା ଥିବା ନେତା ସୁନୀଲ ବଂଶଲ। ସେ ମନ୍ତ୍ରୀଙ୍କ ବାସଭବନକୁ ଆସି ତାଙ୍କୁ ସାକ୍ଷାତ କରିଛନ୍ତି। ବେଶ କିଛି ସମୟ ଧରି ଆଲୋଚନା ହୋଇଛି। ତାହା ମଧ୍ୟ ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ବୋଲି ମନ୍ତ୍ରୀ କହୁଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହି ସାକ୍ଷାତ କେବେ ବି ସୌଜନ୍ୟ ମୂଳକ ହୋଇପାରିବ ନାହିଁ।
ପ୍ରାୟ ସମସ୍ତେ ଜାଣନ୍ତି ଯେ, ସୁନୀଲ ବଂଶଲ ଜାତୀୟ ବିଜେପିରେ ବେଶ କାଟତି ରହିଛି। ସେ ଖୋଦ ମୋଦି ଓ ଶାହାଙ୍କ ପାଖ ଲୋକ। ସଂଗଠନରେ ତାଙ୍କର ପତିୟାରା ବହୁତ ଭଲ। ଅନ୍ୟପଟେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଭଲ ନାହିଁ। ହେଲେ ପୃଥୀରାଜଙ୍କ ଧର୍ମେନ୍ଦ୍ରଙ୍କ ସହିତ ବେଶ ଭଲ ସଂପର୍କ। ତେଣୁ ସେହିପରି ଜଣେ ନେତା ମନ୍ତ୍ରୀ ପୃଥୀରାଜଙ୍କୁ ସାକ୍ଷାତ କରିବା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି।
ଏହା ପୂର୍ବରୁ ପୃଥୀରାଜ ହରିଚନ୍ଦନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ଚିଲିକା ନିର୍ବାଚନ ମଣ୍ଡଳୀକୁ ନେଇ ବୁଲାଇ ଆଣିଛନ୍ତି। ଧର୍ମେନ୍ଦ୍ରଙ୍କ କୌଣସି ସରକାରୀ କାର୍ଯ୍ୟକ୍ରମ ଚିଲିକାରେ ନ ଥିବା ବେଳେ ହଠାତ ତାଙ୍କର ଚିଲିକା ଗସ୍ତକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଧର୍ମେନ୍ଦ୍ର ଭୁବନେଶ୍ବରରୁ ଯାଇ ବଡକୂଳ ପାନ୍ଥନିବାସରେ ରହି କର୍ମିମାନଙ୍କୁ ସାକ୍ଷାତ କରିଥିଲେ। ଏହାପରେ ବାଣପୁର ଯାଇ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହା ବ୍ୟତିତ ଆଉ କିଛି କାର୍ଯ୍ୟକ୍ରମ ନ ଥିଲା।
ସେହିପରି ମନ୍ତ୍ରୀଙ୍କ ବାସଭବନରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ତାଙ୍କୁ ସାକ୍ଷାତ କରିବା ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଖୋଦ ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କ ଘରକୁ ଯିବା ସେମିତି କିଛି ବାଧ୍ୟବାଧ୍ୟକତା ନ ଥିଲେ ତାହା କରାଯିବ ନାହିଁ। କାରଣ ରାଜ୍ୟପାଳ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସ ଭବନକୁ ଡାକି ପାରିବେ। ହେଲେ ମନ୍ତ୍ରୀଙ୍କ ବାସଭବନକୁ ଯିବା ଠିକ ନୁହେଁ। ସେଥିପାଇଁ ଅନେକଙ୍କର ସନ୍ଦେହ ହେଉଛି ଯେ ଏହା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ପାଇଁ ଭଲ ନା ଭେଲ।