ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ‘ମ୍ୟାଚ୍ ହେବାକୁ ଦିଅ। ଆମେ ବନ୍ଦ କରିବୁ ନାହିଁ’। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମେତ ଅନ୍ୟାନ୍ୟ ଘଟଣା ଉଲ୍ଲେଖ କରି ୪ ଜଣ ଏଲଏଲବି ଛାତ୍ରଙ୍କ ଆବେଦନରେ ପାକିସ୍ତାନ ସହିତ ମ୍ୟାଚ୍ ଜାତୀୟ ଭାବନାର ଉପହାସ ବୋଲି ବର୍ଣ୍ଣନା କରାଯାଇଥିଲା।
ଆଜି ଆବେଦନର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। ସେପ୍ଟେମ୍ବର ୧୪ ତାରିଖରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଟି-୨୦ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ମାମଲାଟି ଜଷ୍ଟିସ୍ ଜେକେ ମହେଶ୍ୱରୀ ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ସମ୍ମୁଖରେ ରଖାଯାଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ଓକିଲ ଖଣ୍ଡପୀଠକୁ କହିଥିଲେ ଯେ, ‘ମ୍ୟାଚ୍ ରବିବାର ହେବାକୁ ଅଛି, ତେଣୁ ଆବେଦନ ଶୁକ୍ରବାର ତାଲିକାଭୁକ୍ତ କରାଯାଉ।’ ଏହା ଉପରେ କୋର୍ଟ କହିଛନ୍ତି ଯେ, ଏହା ବନ୍ଦ ହେବ ନାହିଁ, ମ୍ୟାଚ୍ ହେବାକୁ ଦିଅ। ଓକିଲ ପୁଣି ଥରେ କୋର୍ଟକୁ ମାମଲା ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କୋର୍ଟ ମନା କରିଦେଇଥିଲେ।
ଉର୍ବଶୀ ଜୈନଙ୍କ ନେତୃତ୍ୱରେ ଚାରି ଜଣ ଆଇନ ଛାତ୍ର ଏକ ଆବେଦନ ଦାଖଲ କରି କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହିତ ଏକ କ୍ରିକେଟ ମ୍ୟାଚ୍ ଖେଳିବା ଜାତୀୟ ମର୍ଯ୍ୟାଦା ଏବଂ ଜନଭାବନାର ବିପରୀତ ବାର୍ତ୍ତା ପଠାଏ। ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୧୪ ତାରିଖରେ ୨୦୨୫ ଏସିଆ କପ୍ ପାଇଁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପରସ୍ପର ସହିତ ମୁହାଁମୁହିଁ ହେବେ।
ଆବେଦନରେ କୁହାଯାଇଛି ଯେ, ‘ଦେଶଗୁଡ଼ିକ ମଧ୍ୟରେ କ୍ରିକେଟ୍ ସୌହାର୍ଦ୍ଦ୍ୟ ଏବଂ ବନ୍ଧୁତା ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ ଯେତେବେଳେ ଆମର ଲୋକମାନେ ନିହତ ହେଲେ ଏବଂ ଆମର ସୈନିକମାନେ ସବୁକିଛି ବାଜି ଲଗାଇ ଦେଲେ। ସେତେବେଳେ ପାକିସ୍ତାନ ସହିତ ଖେଳିବା ବିପରୀତ ବାର୍ତ୍ତା ଦେବ। ଆମର ସୈନିକମାନେ ସେମାନଙ୍କର ଜୀବନ ବଳିଦାନ ଦେଉଥିବା ବେଳେ, ଆମେ ସେହି ଦେଶ ସହିତ ଖେଳର ଉତ୍ସବ କରୁଛୁ, ଯିଏ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି।’
ଆବେଦନକାରୀମାନେ କହିଛନ୍ତି, ‘ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ ହାତରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରର ଭାବନାକୁ ମଧ୍ୟ ଆଘାତ ଦେଇପାରେ। ମନୋରଞ୍ଜନ ଅପେକ୍ଷା ରାଷ୍ଟ୍ରର ମର୍ଯ୍ୟାଦା ଏବଂ ନାଗରିକଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।’