ନୂଆଦିଲ୍ଲୀ: ଚଳିତ ପାର୍ବଣ ଋତୁରେ ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି। ଏହା ରଙ୍ଗିନ କାଗଜରେ ଗୁଡ଼ା ହୋଇଥିବା ଉପହାର ନୁହେଁ, ବରଂ ଏକ ନୀତିଗତ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାମ୍ପ୍ରତିକ ଜିଏସଟି ହାର ହ୍ରାସ ଦେଶବ୍ୟାପୀ କିଣାବିକା ଓ ବାଣିଜ୍ୟ କାରବାର ବୃଦ୍ଧି କରିଛି। ଏ ବର୍ଷର ନବରାତ୍ରିକୁ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ କ୍ରୟ ଉତ୍ସବରେ ପରିଣତ କରିଛି। ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ ଟିକସ ସାଧାରଣ ପରିବାରକୁ ଆଶ୍ୱସ୍ତି ଦେଇଛି, ବଜାରକୁ ଶକ୍ତି ଦେଇଛି ଏବଂ ଭାରତର ସବୁଠାରୁ ସମୃଦ୍ଧ ଦୀପାବଳି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି।
ସୂଚନାଯୋଗ୍ୟ ମୁଦ୍ରାସ୍ଫୀତି ଗତ ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ସିପିଆଇ ମୁଦ୍ରାସ୍ଫୀତି ମାତ୍ର 1.54%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ (-2.3%) ହୋଇଛି। ଏହା ସାଧାରଣ ପରିବାରଗୁଡ଼ିକୁ ବଡ଼ ଉତ୍ସବ ପାଳନ କରିବାର ଆର୍ଥିକ ସ୍ୱାଧୀନତା ଦେଇଛି। ଜିଏସଟି ହାର ହ୍ରାସ ପାଇବା ସହିତ, ମୂଲ୍ୟ କମିଛି ଏବଂ କ୍ରୟ ଶକ୍ତି ବୃଦ୍ଧି ପାଇଛି। ପାର୍ବଣ ଏବଂ ବିବାହ ଋତୁ ପୂର୍ବରୁ ଜିଏସଟି ହ୍ରାସ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଏବଂ ଫଳାଫଳ ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ହେଉଛି। ପର୍ବପର୍ବାଣୀ ଏବଂ ବିବାହ ଋତୁର କାରବାର 7ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତର ସର୍ବବୃହତ କ୍ରୟ ପ୍ରବାହକୁ ଦର୍ଶାଉଛି ।
ଜିଏସଟି ସଞ୍ଚୟର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରୁ ଡିଜିଟାଲ୍ ପେମେଣ୍ଟ ଅକସ୍ମାତ ଦଶଗୁଣ ବୃଦ୍ଧି ପାଇ 21 ସେପ୍ଟେମ୍ବରରେ 1.18 ଲକ୍ଷ କୋଟି ଟଙ୍କାରୁ 22 ସେପ୍ଟେମ୍ବରରେ 11.31 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଭଳି ସହରରେ, ଉତ୍ସବ ବିକ୍ରୟ 75,000 କୋଟି ଟଙ୍କା ଥିବା ଆକଳନ କରାଯାଇଛି। ଅନ୍ୟପକ୍ଷରେ 2,500 ଟଙ୍କାରୁ କମ୍ ପୋଷାକ ଉପରେ ଜିଏସଟି ହ୍ରାସ ପରେ ଅହମ୍ମଦାବାଦର ସୂତା କପଡ଼ା ଚାହିଦା ପ୍ରାୟ 10% ବୃଦ୍ଧି ପାଇଛି। ସରକାରଙ୍କ ଆର୍ଥିକ ନିଷ୍ପତ୍ତିଗୁଡ଼ିକ କେବଳ ଖର୍ଚ୍ଚ ହ୍ରାସ କରିନାହିଁ, ବରଂ ଉତ୍ସବ ଅର୍ଥବ୍ୟବସ୍ଥାକୁ ମଧ୍ୟ ପୁନର୍ଜୀବିତ କରିଛି। ଏହା ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ବୃଦ୍ଧି କରିବା ସହିତ ମେଡ୍-ଇନ୍-ଇଣ୍ଡିଆ ଉତ୍ପାଦଗୁଡ଼ିକୁ ସଶକ୍ତ କରିଛି।
ଭାରତର ଅଟୋମୋବାଇଲ୍ ଶିଳ୍ପ ଗତ ଦଶନ୍ଧି ମଧ୍ୟରେ ଏହାର ସର୍ବୋତ୍ତମ ନବରାତ୍ରି ପ୍ରଦର୍ଶନ କରିଛି। ମାରୁତି ସୁଜୁକିର ବିକ୍ରୟ ଗତ ବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। କେବଳ ଅଷ୍ଟମୀରେ 30,000 ବାହନ ବିକ୍ରି ରେକର୍ଡ ସହିତ କମ୍ପାନୀ 35 ବର୍ଷ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ବିକ୍ରୟ କରିଛି। ମହିନ୍ଦ୍ରାର ଏକ୍ସୟୁଭି700 ଏବଂ ସ୍କର୍ପିଓ ବିକ୍ରି 60% ବୃଦ୍ଧି ପାଇଛି। ଟାଟା ମୋଟର୍ସ 50,000 ରୁ ଅଧିକ ଯାନ ବିକ୍ରି କରି ଥିବା ବେଳେ ଯେତେବେଳେ ହ୍ୟୁଣ୍ଡାଇର କ୍ରେଟା ଓ ଭେନ୍ୟୁ ବିକ୍ରି 72% ପ୍ରତିଶତ ଅଂଶ ହାସଲ କରିଛି। ହିରୋ ଏବଂ ବଜାଜ ପରି ଦୁଇଚକିଆ ଯାନ କମ୍ପାନୀଗୁଡିକ ଗତ ବର୍ଷ ତୁଳନାରେ ଦୁଇ ଗୁଣା ବିକ୍ରି କରିଛନ୍ତି। ଏଫଏଡିଏର ତଥ୍ୟ ମୁତାବକ ଅଟୋମୋବାଇଲ ଶିଳ୍ପରେ ଏଥର 34% ବାର୍ଷିକ ଅଭିବୃଦ୍ଧି ଦେଖିବାକୁ ମିଳିଛି।
ସେହିପରି ଟିଭି, ଫ୍ରିଜ୍, ୱାଶିଂମେସିନ ଭଳି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି 40–45% ବୃଦ୍ଧି ପାଇଛି। ହାୟର କମ୍ପାନୀ ଅଢ଼େଇ ଲକ୍ଷରୁ ଅଧିକ ଦାମର ଟିଭି ବିକ୍ରିରେ 85% ଅଭିବୃଦ୍ଧି ହାସଲ କରିଛି। ରିଲାଏନ୍ସ ରିଟେଲରେ ଟିଭି ଓ ସ୍ମାର୍ଟଫୋନ୍ ବିକ୍ରି 20-25% ବୃଦ୍ଧି ପାଇଛି। ବିଜୟ ସେଲନ୍ସ, ଏଲଜି, ଗୋଦ୍ରେଜର ବିକ୍ରି ମଧ୍ୟ ଦୁଇ ଅଙ୍କ ଅଭିବୃଦ୍ଧି ହାସଲ କରିଛି । ଓଣମରୁ ନବରାତ୍ରି ପର୍ଯ୍ୟନ୍ତ ଭାରତର ପାର୍ବଣ ବିକ୍ରି 40-45%ରେ ପହଞ୍ଚିଛି। ଏହା ଧନତେରସ ଏବଂ ଦୀପାବଳିରେ ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି।
ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି ବଢ଼ିଛି। ଟିୟର 2 ଏବଂ ଟିୟର 3 ସହରରେ ଆମାଜନ ଇଣ୍ଡିଆର ପାର୍ବଣ ଗ୍ରାହକ ସଂଖ୍ୟା 276 କୋଟିକୁ ବୃଦ୍ଧି ପାଇଛି। ମେଟ୍ରୋ ସହର ବାହାରେ ଛୋଟ ସହରଗୁଡ଼ିକରେ ପ୍ରାଇମ୍ ମେମ୍ବରସିପ୍ ବଢ଼ିବା ସହିତ 70% ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ସେହପରି ମିଶୋରେ ଗ୍ରାହକ ସଂଖ୍ୟା ମଧ୍ୟ 206 କୋଟିକୁ ବୃଦ୍ଧି ପାଇଛି।
ଭାରତର ବଜାର ଭାବନା ଉପଭୋକ୍ତା ଉତ୍ସାହ ସହିତ ମେଳ ଖାଉଛି। ନିଫ୍ଟି 50 ବିଗତ 52-ସପ୍ତାହର ସର୍ବୋଚ୍ଚ ସ୍ତର 25,709 ରେ ପହଞ୍ଚିଛି। ଏହା ତିନୋଟି ଅଧିବେଶନରେ 2.2% ଲାଭ କରିରିଛି। ଶକ୍ତିଶାଳୀ ବିଦେଶୀ ନିବେଶ, ଦୃଢ ଭାରତୀୟ ମୁଦ୍ରା ମୂଲ୍ୟ ଏବଂ ଉତ୍ସବର ଚାହିଦା ଏହାକୁ ସମର୍ଥନ କରିଛି। ସ୍ଥାନୀୟ ତେଜରାତି ଦୋକାନ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ କାର୍ ସୋରୁମ୍ ପର୍ଯ୍ୟନ୍ତ, ଭାରତର ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କୋଣ ନୂତନ ଆତ୍ମବିଶ୍ୱାସର ସହିତ ଉଜ୍ଜ୍ୱଳ ହେଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କେବଳ ଜିଏସଟି ହାର ହ୍ରାସ କରିନାହାନ୍ତି, ବରଂ ଗ୍ରାହକଙ୍କ ମନୋବଳ ବୃଦ୍ଧି କରିଛନ୍ତି। ସର୍ବାଧିକ କ୍ରୟ ଅବଧି ପୂର୍ବରୁ ଦର ହ୍ରାସ କରିବାର ରଣନୀତିକ ସମୟ ନିର୍ଦ୍ଧାରଣ କରି ସରକାର ପ୍ରତ୍ୟେକ ଭାରତୀୟ ପରିବାରକୁ ଏହି ଋତୁରେ ଅଧିକ ସଞ୍ଚୟ ଏବଂ ନିଜର ପସନ୍ଦଯୋଗ୍ୟ ସାମଗ୍ରୀ କିଣିବାର ସୁଯୋଗ ଦେଇଛନ୍ତି। ସେମାନେ ଭାରତୀୟ ସାମଗ୍ରୀ କିଣିବା ସହିତ ଏହାକୁ ନେଇ ଗର୍ବ କରିପାରୁଛନ୍ତି।
ଏହି ପାର୍ବଣ ଋତୁରେ, ବାର୍ତ୍ତା ବେଶ ସ୍ପଷ୍ଟ ହୋଇଛି। ଭାରତର ଅଭିବୃଦ୍ଧି କାହାଣୀ ଦୀପାବଳିର ଆଲୋକ ଅପେକ୍ଷା ଅଧିକ ଉଜ୍ଜ୍ୱଳ ହୋଇଛି। ଯାନବାହନ ଠାରୁ ଆରମ୍ଭ କରି ଇ-କମର୍ସ ପର୍ଯ୍ୟନ୍ତ, ସ୍ଥାନୀୟ କାରିଗରଙ୍କଠାରୁ ଆରମ୍ଭ କରି ଡିଜିଟାଲ୍ ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ, ଦେଶ କେବଳ ପର୍ବପର୍ବାଣୀ ପାଳନ କରୁନାହିଁ, ବରଂ ଏହାର ଅର୍ଥବ୍ୟବସ୍ଥାର ଶକ୍ତି ଏବଂ ସମୟୋଚିତ ସଂସ୍କାରର ଜ୍ଞାନକୁ ମଧ୍ୟ ପାଳନ କରୁଛି।