ଭୁବନେଶ୍ବର: ଅକ୍ଟୋବର ଆସିଲେ ସବୁବେଲେ ଓଡିଶାକୁ ବାତ୍ୟା ଚିନ୍ତା ଘାରିଥାଏ। ଏଥର ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି। ଓଡିଶାକୁ ପୁଣି ବାତ୍ୟା ଡର। ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଏକ ବାତ୍ୟା, ଯାହାର ନାମ ରଖାଯାଇଛି ମୋନ୍ଥା। ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଜି ଭୋରରୁ ଅବପାତରେ ପରିଣତ ହୋଇଛି।
ପାଣିପାଗ ବିଭାଗ ଅନୁସାରେ ଏହି ଅବପାତ ଧିରେଧିରେ ଶକ୍ତିଶାଳି ହେଉଛି ଏବଂ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଆସନ୍ତା ୨୭ ତାରିଖରେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ କଣ ହେବ, କେଉଁଠି ଛୁଇଁବ ତାହା ସ୍ପଷ୍ଟ ହୋଇପାରି ନାହିଁ। ଆଜି ଅପରାହ୍ନରେ ଏହାର ଗତିପଥ ଏବଂ ସ୍ଥଳଭାଗ ସ୍ପର୍ଶ କରିବାର ସମୟ ଜଣାପଡିବ।
ତେବେ ଏହାର ପ୍ରଭାବ ଆଜିଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଆଜି ଓ କାଲି ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ସଂଧ୍ୟାରୁ ବାତ୍ୟାର ପ୍ରକୋପ ଆରମ୍ଭ ହେବ ବୋଲି କୁହାଯାଉଛି। ଆସନ୍ତା ୨୭ ତାରିଖରେ ଏହା ବାତ୍ୟା ରୁପ ନେବା ପରେ ତା ପରଦିନ ଏହାର ପ୍ରଭାବ ଜୋରଦାର ରହିବ ବୋଲି ଆଶଙ୍କା କରାଯାଇଛି।
ସୋମବାରଠାରୁ ଅତି କମରେ ତିନି ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ଏହାର ନାମ କାହିଁକି ରଖାଯାଇଛି ମୋନ୍ଥା, ଏହା କଣ ?
ଏହି ବାତ୍ୟାର ନାମ ମନ୍ଥା ରଖାଯାଇଛି। ଏହା ଥାଇଲାଣ୍ଡ ଦେଶ ଦ୍ବାରା ଦିଆଯାଇଥିବା ଏକ ନାମ। ଏହାର ଅର୍ଥ ହେଉଛି ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ। ସାଧାରଣତଃ ଏସିଆ ମହାଦେଶର ପାଣିପାଗ ବିଭାଗ ତରଫରୁ ସମସ୍ତ ଦେଶରୁ ଭଲ ଭଲ ନାମ ପ୍ରସ୍ତାବ ମଗାଯାଇଥାଏ। ସେହି ଅନୁସାରେ ବିଭିନ୍ନ ଦେଶ ତାଙ୍କ ଦେଶର ଭଲ ନାମ ବାଛି ପ୍ରସ୍ତାବ ଦେଇଥାନ୍ତି। ତାହାକୁ ସବୁ ଏକାଠି କରି ଏକ କ୍ରମାନ୍ବରେ ସଜାଯାଇଥାଏ। ଗୋଟିଏ ଗୋଟିଏ ବାତ୍ୟା ଆସିଲେ ସେହି କ୍ରମାନ୍ବର ନାମରୁ ଗୋଟିଏ ଗୋଟିଏ ଦିଆଯାଏ।



