Subhadra Shakti Mela: ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରାର ମେଳା ‘ସୁଭଦ୍ରା ଶକ୍ତି ମେଳା’ ଦ୍ୱିତୀୟ ସଂସ୍କରଣର ଉଦ୍ଘାଟନ ଅବସରରେ କହିଛନ୍ତି ।
ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବା ଆମର ଲକ୍ଷ୍ୟ।
ଏହି ଲକ୍ଷ୍ୟ ପୁରଣ ହେବ ଯେତେବେଳେ ଆମର ଲକ୍ଷ ଲକ୍ଷ ସୁଭଦ୍ରା ମା’ମାନଙ୍କ ଶକ୍ତିର ଜାଗରଣ ଆସିବ । ସେମାନେ ସଶକ୍ତ ହେବେ ଏବଂ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ମୂଲ୍ୟବାନ ଯୋଗଦାନ ରହିବ । ସେହି ଲକ୍ଷ୍ୟ ହାସଲ ପାଇଁ ଆମ ସୁଭଦ୍ରା ଯୋଜନା ହେଉଛି ଏକ ୟୁନିକ ମଡେଲ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ, ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସଂସ୍କରଣରେ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିବା ସହିତ ବିକ୍ରୟ ମଧ୍ୟ କରୁଛନ୍ତି। ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ମା ସୁଭଦ୍ରା ହେଉଛନ୍ତି ସ୍ନେହ, ତ୍ୟାଗ, ସାହସ ଓ ଦୃଢ଼ତାର ମୂର୍ତ୍ତୀମନ୍ତ ପ୍ରତୀକ । ଆମର ସୁଭଦ୍ରା ମା ଓ ଭଉଣୀମାନେ ସେହି ଦିବ୍ୟ ଶକ୍ତିର ଚଳନ୍ତି ରୂପ । ନିଜ ଘର ଓ ପରିବାରକୁ ପ୍ରତିପାଳିତ କରିବା ସହ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ନେତୃତ୍ୱ ନେଉଛନ୍ତି ।
ସେ ପୁଣି କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସବୁବେଳେ କୁହନ୍ତି, ଯେଉଁ ସମାଜ ମହିଳାଙ୍କୁ ଶକ୍ତି ଦେଇଛି ସେ ସମାଜ ସ୍ୱୟଂ ଶକ୍ତିଶାଳୀ । ମୋଦୀଜୀଙ୍କ ଏହି ମହତ୍ୱାକାଂକ୍ଷୀ ଚିନ୍ତାଧାରାକୁ ଗୁରୁତ୍ୱ ଦେଇ ଆମ ସରକାର ମହିଳା ସଶକ୍ତିକରଣକୁ ବିକାଶର ମୂଳ ଆଧାର ଭାବେ ଗ୍ରହଣ କରିଛି ।
ସୁଭଦ୍ରା ଶକ୍ତିମେଳାର ମା’ମାନଙ୍କୁ ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମେଳା କେବଳ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ବା ବିକ୍ରୟର ସ୍ଥାନ ନୁହେଁ, ଏହି ମେଳା ହେଉଛି ଆମ ମା’ମାନଙ୍କର ଶ୍ରମ, ସୃଜନଶୀଳତା ଓ ସଫଳତାର ମେଳା । ଏହି ମେଳା ହେଉଛି ସେମାନଙ୍କ ଘର ଅଗଣାରୁ ବାହାରି ରାଜ୍ୟ, ଦେଶ ଓ ବିଶ୍ୱମଞ୍ଚ ପର୍ଯ୍ୟନ୍ତ ଯାତ୍ରାର କାହାଣୀ।
ସେ ଆହୁରି କହିଥିଲେ ମାନନୀୟ ମୋଦୀଜୀଙ୍କ Flagship ଯୋଜନା ଲକ୍ଷପତି ଦିଦି ଯୋଜନାରେ ଖୁବ୍ କମ୍ ଦିନ ମଧ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଆମ ରାଜ୍ୟ ଅଭୁତପୂର୍ବ ସଫଳତା ହାସଲ କରିଛି । ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଯାଇ ଆଜି ଲକ୍ଷପତି ଦିଦି ହୋଇ ସମାଜରେ ମହିଳାମାନେ ପ୍ରତିଷ୍ଠା ଲାଭ କରିଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି ।
ଏହାକୁ ସଫଳ କରିବା ପାଇଁ ଆମେ SHG ର Revolving Fund କୁ ଦୁଇଗୁଣା କରିଛୁ । ଗ୍ରାମପଞ୍ଚାୟତ ସ୍ତରୀୟ ଫେଡେରେସନ ଗୁଡିକ ପାଇଁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛୁ । ଏହା ସହିତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସେ ପୁଣି କହିଥିଲେ, ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଗୋଟିଏ ମାତ୍ର ଯୋଜନା ନୁହେଁ, ଅନେକ ଯୋଜନା ମଧ୍ୟରୁ ଅନ୍ୟତମ । ମହିଳାଙ୍କ ପାଇଁ ସବୁ କ୍ଷେତ୍ରରେ ଏକ ଫେଭରେବଲ ଇକୋ ସିଷ୍ଟମ ସୃଷ୍ଟି କରିବା ଆମର ଲକ୍ଷ୍ୟ । ମହିଳା ସଶକ୍ତିକରଣ ଲକ୍ଷ୍ୟରୁ ଆମ ସରକାର କେବେହେଲେ ବିଚ୍ୟୁତ ହେବେ ନାହିଁ ବୋଲି ସେ କହିଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉପସ୍ଥିତ ମା’ ଓ ଭଉଣୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ସୁଭଦ୍ରାର ମା’ମାନେ ତାଙ୍କର ଉତ୍ପାଦିତ ସାମଗ୍ରୀ ଜରିଆରେ ରାଜ୍ୟ ପାଇଁ ସୁନାମ ଆଣୁଛନ୍ତି । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଛନ୍ତି । ସୁଭଦ୍ରା ତାର କାୟା ବିସ୍ତାର କରିଛି । ସୁଭଦ୍ରାର ମା ଓ ଭଉଣୀମାନଙ୍କ ଦକ୍ଷତା ଓ କୌଶଳ ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ଘରୁ ଜଣେ ଲେଖାଏ ଲକ୍ଷପତି ଦିଦି ସୃଷ୍ଟି କରିବା ଆମର ଲକ୍ଷ୍ୟ । ଗତ ସଂସ୍କରଣରେ ୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ସଂସ୍କରଣରେ ୧୫ କୋଟି ଟଙ୍କାର ବ୍ୟବସାୟ ପାଇଁ ଆଶା କରାଯାଇଛି ବୋଲି ସେ କହିଥିଲେ ।
ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ସୁଭଦ୍ରା ମା’ମାନଙ୍କୁ ପ୍ରଂଶସା କରି କହିଥିଲେ ଯେ, ଗ୍ରାମାଞ୍ଚଳରେ ରହି ଆପଣମାନେ ଯେଉଁ କାମ କରି ଦେଖାଉଛନ୍ତି ସେଥିପାଇଁ ଆମେ ସମସ୍ତେ ଗର୍ବିତ ।
ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ.ଏନ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।



