ଭୁବନେଶ୍ବର: ଆସନ୍ତାକାଲି ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେଥିପାଇଁ ଆଜି ସକାଳୁ ସମସ୍ତ ବୁଥକୁ ପୋଲିଂ ପାର୍ଟି ପଠାଇବା ଆରମ୍ଭ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ବାବଧାନରେ ଏହି ବ୍ୟବସ୍ଥା କରାଯାଇଛି। ଆଜି ସଂଧ୍ୟା ସୁଦ୍ଧା ପୋଲିଂ ପାର୍ଟି ସେମାନଙ୍କ ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସକାଳୁ ସବୁ ବୁଥକୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। କେତେକ ବୁଥରେ ପୋଲିଂ ପାର୍ଟି ପହଞ୍ଚିଥିବାର ଜଣାପଡିଛି।
ତେବେ ଏହି ନିର୍ବାଚନ ମଣ୍ଡଳିର ଆଠଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥ ଭାବେ ଗ୍ରହଣ କରାଯାଇଛି। ଫଳରେ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ସୁନାବେଡା ଅଞ୍ଚଳକୁ ପୋଲିଂ ପାର୍ଟିଙ୍କୁ ସ୍ବତନ୍ତ୍ର ବାୟୁ ସେନା ହେଲିକାପ୍ଟରରେ ପଠାଯାଇଛି। ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିଂ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ଦୁଇଟି ହେଲିକାପ୍ଟର ନିୟୋଜିତ କରାଯାଇଛି। ଗୋତମା ଏୟାରପୋର୍ଟରୁ ଆଜି ଦିନ ୧୧.୩୦ରୁ ୧୧.୪୫ ମଧ୍ୟରେ ସୁନାବେଡ଼ା ଅଭିମୁଖେ ଉଡ଼ାଣ କରିଛି।
ନୂଆପଡାରେ ମୋଟ ୩୫୮ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୧୦୧ ଉତ୍ତେଜନା ପ୍ରବଣ ବୁଥ୍ ରହିଛି। ସେଥିରୁ ୪୭ଟି ବୁଥ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ରହିଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଲା, ୧– ୩୨୦ ସୋସେଙ୍ଗ, ୨-୩୨୧ ସୋସେଙ୍ଗ-୨, ୩– ୩୨୨ ଦେଓସିଲ, ୪ – ୩୨୪ ସୁନାବେଡ଼ା-୧, ୫– ୩୨୫ ସୁନାବେଡ଼ା-୧(କ), ୬– ୩୨୬ ଜାମଗାଁ, ୭– ୩୨୭ ଗତିବେଡା ଓ ୮– ୩୨୮ ଗତିବେଡା-୨। ଏହିସବୁ ଭୋଟ କେନ୍ଦ୍ରକୁ ୪୮ ଜଣିଆ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯିବା ପାଇଁ ବନ୍ଦୋବସ୍ତ କରାଯାଇଛି।
( ଏଥିରେ ଥିବା ଫଟୋଟି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆଜି ଜାରୀ କରାଯାଇଛି।)


