Bihar Assembly Voting: ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ୟ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଚାଲିଛି। ଏଥିରେ ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଏକ ହଜାର ୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୭ଟି ନିର୍ବାଚନମଣ୍ଡଳୀରେ ମତଦାନ ସନ୍ଧ୍ୟା ୫ଟାରେ ଶେଷ ହେବ।
ତେବେ ନିର୍ବାଚନ କମିସନରଙ୍କ ସୂଚନା ଅନୁସାରେ ସକାଳ ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ ହୋଇଛି। ଗୟା ଜି ଏବଂ କିଶନଗଞ୍ଜରେ ସର୍ବାଧିକ ମତଦାନ ହୋଇଛି। ସକାଳ ୯ ଟା ସୁଦ୍ଧା ପ୍ରାୟ ୧୬ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।
ପୋଲିସ ମହାନିର୍ଦ୍ଦେଶକ ବିନୟ କୁମାର କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ, ନେପାଳ ସଂଲଗ୍ନ ସୀମା ଏବଂ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସହିତ ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯାଇଛି ଏବଂ ନିୟମିତ ପାଟ୍ରୋଲିଂ ଚାଲିଛି। ଜୟନଗର, ମଧୁବଣୀ ଏବଂ ନେପାଳର ଜନକପୁର ମଧ୍ୟରେ ମୈତ୍ରୀ ଏକ୍ସପ୍ରେସ୍ ଟ୍ରେନ ସେବାର ପରିଚାଳନା ମତଦାନ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ତଦାରଖ କରିବା ପାଇଁ ନିର୍ବାଚନ କମିଶନ ପାଟନାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ ଏବଂ କମାଣ୍ଡ ସେଣ୍ଟର ସ୍ଥାପନ କରିଛନ୍ତି। ସମସ୍ତ ୨୦ଟି ଜିଲ୍ଲା ମୁଖ୍ୟାଳୟରେ ସମାନ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି।
ମହିଳା ସଶକ୍ତିକରଣର ବାର୍ତ୍ତା ଦେବା ପାଇଁ, ୫୯୫ ଟି ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ମହିଳା ମତଦାନ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯାଇଛି। ସେହିପରି ୨୧ ଟି ଦିବ୍ୟାଙ୍ଗ ମତଦାନ କେନ୍ଦ୍ର ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ବ୍ୟବସ୍ଥା କରାଯାଇଛି। ଏହା ସହିତ ୩୧୬ ଟି ମଡେଲ ମତଦାନ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି।


