ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଗସ୍ତ କରିବେ। ସେ ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀର ଉଦଘାଟନ କରିବେ। ଏହି ସମ୍ମିଳନୀରେ ପଚାଶ ହଜାର ଚାଷୀ ଯୋଗଦେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ୯ କୋଟି ଚାଷୀଙ୍କ ପାଇଁ ୧୮,୦୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଉନ୍ମୋଚନ କରିବେ।
ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଜୈବିକ କୃଷି କରୁଥିବା ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ଅବସରରେ ଦଶ ଜଣ ଉତ୍କୃଷ୍ଟ ଚାଷୀଙ୍କୁ ସମ୍ମାନିତ କରାଯିବ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସ୍ୱର୍ଗତ ଜୈବିକ ଚାଷୀ ନମ୍ମାଲଭରଙ୍କ ଦ୍ୱାରା ପ୍ରୋତ୍ସାହିତ ଜୈବିକ କୃଷି ପଦ୍ଧତିକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ଥିରେ ଶ୍ରୀ ସତ୍ୟସାଇ ବାବା ମନ୍ଦିର ଏବଂ ମହାସମାଧି ସ୍ଥଳରେ ପ୍ରାର୍ଥନା କରିବେ। ପ୍ରଧାନମନ୍ତ୍ରୀ ମୋଦି ଶ୍ରୀ ସତ୍ୟସାଇ ବାବାଙ୍କ ଶତବାର୍ଷିକୀ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିବେ।
ଏହି ଅବସରରେ ସେ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ଐତିହ୍ୟ ପ୍ରତି ସମର୍ପିତ ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିବେ। ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ।


