Ram Mandir Flag Hoisting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଛନ୍ତି। ସେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଏକ ଗେରୁଆ ପତାକା ଉତ୍ତୋଳନ କରିଛନ୍ତି।ଯାହା ମନ୍ଦିର ନିର୍ମାଣ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଏବଂ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ରୋଡ୍ ଶୋ’ କରିଥିଲେ। ଏଥିରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ଏକ ଝଲକ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ। ପରେ ପ୍ରଧାନମନ୍ତ୍ରୀ ସପ୍ତମନ୍ଦିର ପରିଦର୍ଶନ କରିଛନ୍ତି। ତାହା ହେଲା ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମୀକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀ।
ସେ ଶେଷାବତାର ମନ୍ଦିର ପରିଦର୍ଶନ କରିଛନ୍ତି। ଏହା ଦେଶର ଭଗବାନ ରାମଙ୍କ ବିରଳ ମନ୍ଦିର ମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ ଏବଂ ରାମ ଲଲ୍ଲା ଗର୍ଭଗୃହରେ ଦର୍ଶନ ଏବଂ ପୂଜା କରିଥିଲେ।
“ଜୟ ଶ୍ରୀ ରାମଙ୍କ ଧ୍ୱନି, ଶଙ୍ଖଧ୍ୱନିର ପ୍ରତିଧ୍ୱନି ଏବଂ ପୃଥିବୀର ବିଭିନ୍ନ କୋଣରୁ ଅଯୋଧ୍ୟାରେ ପହଞ୍ଚିଥିବା ହଜାର ହଜାର ରାମ ଭକ୍ତଙ୍କ ଉପସ୍ଥିତି ମଧ୍ୟରେ, ପବିତ୍ର ସୀତାରାମ ବିବାହ ପଞ୍ଚମୀ ଦିନ ଏବଂ ଅଭିଜିତ ମୁହୂର୍ତ୍ତରେ ଧର୍ମ ଧ୍ୱଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଦଶ ଫୁଟ ଉଚ୍ଚତା ଏବଂ କୋଡ଼ିଏ ଫୁଟ ଲମ୍ବ ବିଶିଷ୍ଟ ଡାହାଣ କୋଣ ତ୍ରିକୋଣୀୟ ପତାକା ବା ଧର୍ମ ଧ୍ୱଜାରେ ଭଗବାନ ଶ୍ରୀ ରାମଙ୍କ ତେଜ ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ପ୍ରତିଛବି ରହିଛି, ଯେଉଁଥିରେ କୋବିଦାର ଗଛର ପ୍ରତିଛବି ସହିତ ‘ଓମ୍’ ଲେଖାଯାଇଛି। ଏହି ଧ୍ବଜାକୁ ପ୍ରଧାନମନ୍ତ୍ରୀ ରଶି ମାଧ୍ୟମରେ ମନ୍ଦିର ଶିଖରରେ ଅବସ୍ଥାନ କରାଇଥିଲେ।
ଏହାପରେ ମୋଦି ମନ୍ଦିର ପରିକ୍ରମା କରିବା ସହିଚ ଏକ ସଭାରେ ଯୋଗଦେଇଥିଲେ। ଏହି ଉତ୍ସବରେ ମୋଦିଙ୍କ ସହିତ ଆରଏସଏସ ର ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ରାଜ୍ୟପାଳ ଆନନ୍ଦବେନ ପଟେଲ ମଧ୍ୟ ଉପସ୍ଥିତ ଥିଲେ।


