Rajbhavan Name Changed: ଏଣିକି ରାଜ୍ୟପାଳ ରହୁଥିବା ଭବନକୁ ଆଉ ରାଜଭବନ କୁହାଯିବ ନାହିଁ। ଏହାର ନାମ ଆଜିଠାରୁ ପରିବର୍ତ୍ତନ କରାଯାଇଛି। ଏଥର ରାଜଭବନ ପରିବର୍ତ୍ତେ ତାହା ‘ଲୋକ ଭବନ; ନାମରେ ପରିଚିତ ହେବ। ଓଡିଶାର ଭୁବନେଶ୍ବର ଓ ପୁରୀରେ ଥିବା ରାଜଭବନ ମଧ୍ୟ ଲୋକ ଭବନ ନାମରେ ନାମିତ କରାଯିବ। ଏ ନେଇ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଥିଲା। ସେହି ସୁପାରିଶକୁ ଗ୍ରହଣ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହା ବହୁ ଯୁଗରୁ ପ୍ରଚଳିତ ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ରାଜ ଭବନମାନଙ୍କର ନାମକୁ ‘ଲୋକ ଭବନ’ ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା।
ରାଜ୍ୟପାଳ ଡ. କମ୍ଭମପାଟି କହିଛନ୍ତି ଯେ ନୂତନ ନାମକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ସୁଦୃଢ଼ ଜନସଂଯୋଗ ଏବଂ ଅଂଶଗ୍ରହଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟପାଳ କହିଛନ୍ତି ଯେ, ‘ଲୋକ ଭବନ’ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ ଅଟେ।
ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରିବା, ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସୁନିଶ୍ଚିତ କରିବାର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ। ‘ ଲୋକ ଭବନ ‘ ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଵ । ସମସ୍ତଙ୍କ ପାଇଁ ସୁଗମତା ଉପରେ ଧ୍ୟାନ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି।


