ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଜଣେ ମୁସଲିମ ମହିଳା ଡାକ୍ତରଙ୍କ ହିଜାବ କାଢିବା ପ୍ରସଙ୍ଗ ବିବାଦ ସୃଷ୍ଟି କରିଛି। ଏହି ସମୟରେ ଡାକ୍ତର ନୁସରତ ପରୱିନ ଯୋଗଦାନର ଶେଷ ଦିନରେ ମଧ୍ୟ ତାଙ୍କ ଚାକିରିରେ ଯୋଗ ଦେଇ ନଥିଲେ। ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ କମିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ଯୋଗଦାନ ତାରିଖକୁ କମିଟି ବୃଦ୍ଧି କରିଛି। ଯୋଗଦାନର ଶେଷ ତାରିଖ ଡିସେମ୍ବର ୩୧ ତାରିଖ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ତାରିଖ ସୁଦ୍ଧା ସେ ଚାକିରିରେ ଯୋଗ ଦେଇପାରିବେ।
ଶୁକ୍ରବାର ଦିନ ନୁସରତ ପରୱିନଙ୍କ ବନ୍ଧୁମାନେ ସୂଚନା ଦେଇଥିଲେ ଯେ, ସେ ଆଜି (ଡିସେମ୍ବର ୨୦) ତାଙ୍କ ନିଯୁକ୍ତ ହସ୍ପିଟାଲ ପାଟନା ସଦରର ସବଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେବେ। କିନ୍ତୁ ନୁସରତ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଯୋଗ ଦେଇ ନଥିଲେ।
ଦିନସାରା ସିଭିଲ୍ ସର୍ଜନଙ୍କ କାର୍ଯ୍ୟାଳୟଠାରୁ ପିଏସସି ସବଲପୁର ପର୍ଯ୍ୟନ୍ତ ନୁସରତ ପରୱିନ୍ ଆଜି ତାଙ୍କ ଚାକିରିରେ ଯୋଗଦେବେ ବୋଲି ଆଲୋଚନା ହେଉଥିଲା। ପାଟନା ସିଭିଲ୍ ସର୍ଜନ ଡାକ୍ତର ଅଭିନାଶ କୁମାର ଦିନସାରା ତାଙ୍କ କାର୍ଯ୍ୟାଳୟରେ ରହିଥିଲେ। କିନ୍ତୁ ନୁସରତ ଯୋଗଦେବାକୁ ଆସି ନଥିଲେ। ନୁସରତ ପରୱିନ୍ ଆୟୁଷ ଡାକ୍ତର ଭାବରେ ତାଙ୍କର ନିଯୁକ୍ତି ପତ୍ର ପାଇଥିଲେ ଏବଂ ଶନିବାର ସବଲପୁର ପିଏଚସି ରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।
ମହିଳା ଡାକ୍ତର ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ନାହାଁନ୍ତି ଯେ, ସେ ଯୋଗଦେବେ କି ନାହିଁ। ସେ ଆଜି କାହିଁକି ଆସି ନାହାଁନ୍ତି ସେ ବିଷୟରେ ମଧ୍ୟ କୌଣସି ସୂଚନା ଦେଇ ନାହାଁନ୍ତି। ହସ୍ପିଟାଲରେ ଯୋଗଦେବାକୁ ଥିବା ଡାକ୍ତରଙ୍କ ତାଲିକାରେ ନୁସରତ ପରୱିନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ଆଜି ଅନ୍ୟ ଡାକ୍ତରମାନେ ଯୋଗ ଦେଇଛନ୍ତି।


