Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

December 26, 2025No Comments9 Mins Read
Share Facebook Twitter LinkedIn Email WhatsApp Copy Link
ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ
ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ‘ବୀର ବାଲ୍ ଦିବସ’ ପାଳନ ଉଦ୍ଦେଶ୍ୟରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରୁ ଆସିଥିବା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଉପସ୍ଥିତ ପିଲାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଜି ଦେଶ ବୀର ବାଲ୍ ଦିବସ ପାଳନ କରୁଛି। ସେ ବନ୍ଦେ ମାତରମର ସୁନ୍ଦର ଉପସ୍ଥାପନା ଉପରେ ଆଲୋକପାତ କରି ଉଲ୍ଲେଖ କରିଥିଲେ ଯେ ଏଥିରେ କଳାକାରମାନଙ୍କର ନିଷ୍ଠା ଏବଂ ପ୍ରୟାସ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା।

ଏହି ଦିନରେ ଦେଶ ଭାରତର ଗର୍ବ ଏବଂ ଅଦମ୍ୟ ସାହସ ଏବଂ ବୀରତ୍ୱର ଶୀର୍ଷ ପ୍ରତିନିଧିତ୍ୱ କରୁଥିବା ସାହସୀ ସାହିବଜାଦେମାନଙ୍କୁ ମନେ ପକାଏ ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ସାହିବଜାଦେମାନେ ବୟସ ଏବଂ ପରିସ୍ଥିତିର ସୀମାକୁ ଅତିକ୍ରମ କରି ନିଷ୍ଠୁର ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ପଥର ପରି ଦଣ୍ଡାୟମାନ ହୋଇଥିଲେ। ସେମାନେ ଧାର୍ମିକ କଠୋରତା ଏବଂ ଆତଙ୍କବାଦର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ଗୌରବମୟ ଅତୀତ ସହିତ ଯେଉଁ ରାଷ୍ଟ୍ରର ଯୁବ ପିଢ଼ି ଏପରି ପ୍ରେରଣାଦାୟକ ଐତିହ୍ୟ ପାଇଛନ୍ତି, ସେମାନେ ଯେକୌଣସି ସଫଳତା ହାସଲ କରିପାରିବେ।

ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ଡିସେମ୍ବର ୨୬ ତାରିଖଟି ଆସେ, ସେ ନିଶ୍ଚିତ ଭାବରେ ଅନୁଭବ କରନ୍ତି ଯେ ସରକାର ସାହିବଜାଦେଙ୍କ ବୀରତ୍ୱ ଦ୍ୱାରା ଅନୁପ୍ରାଣିତ ହୋଇ ବୀର ବାଲ୍ ଦିବସ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ସେ ଆଲୋକପାତ କରିଥିଲେ ଯେ, ଗତ ଚାରି ବର୍ଷ ମଧ୍ୟରେ, ଏହି ନୂତନ ପରମ୍ପରା ଯୁବ ପିଢ଼ିଙ୍କ ନିକଟରେ ସାହିବଜାଦେଙ୍କ ପ୍ରେରଣାକୁ ପହଞ୍ଚାଇଛି ଏବଂ ସାହସୀ ଓ ପ୍ରତିଭାବାନ ଯୁବପିଢ଼ି ଗଠନ ପାଇଁ ଏକ ମଞ୍ଚ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତିବର୍ଷ ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ରେ ସମ୍ମାନିତ କରାଯାଏ ଏବଂ ଏହି ବର୍ଷ ମଧ୍ୟ ସାରା ଦେଶରୁ ୨୦ ଜଣ ପିଲା ଏହି ପୁରସ୍କାର ପାଇଛନ୍ତି। ସେ ସେମାନଙ୍କ ସହିତ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ସେମାନଙ୍କ ମଧ୍ୟରୁ କେତେକ ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି, କେତେକ ସମାଜସେବା ଏବଂ ପରିବେଶ ସୁରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡା, କଳା ଏବଂ ସଂସ୍କୃତିରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ସମ୍ମାନ କେବଳ ସେମାନଙ୍କ ପାଇଁ ନୁହେଁ ବରଂ ସେମାନଙ୍କ ପିତାମାତା, ଶିକ୍ଷକ ଏବଂ ପରାମର୍ଶଦାତାଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ବିଜେତା ଏବଂ ସେମାନଙ୍କ ପରିବାରକୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ବୀର ବାଲ୍ ଦିବସ ହେଉଛି ଭାବପ୍ରବଣତା ଏବଂ ଶ୍ରଦ୍ଧାରେ ପରିପୂର୍ଣ୍ଣ ଏକ ଦିନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସାହିବଜାଦା ଅଜିତ ସିଂହ ଜୀ, ସାହିବଜାଦା ଜୁଝର ସିଂହ ଜୀ, ସାହିବଜାଦା ଜୋରାୱର ସିଂହ ଜୀ ଏବଂ ସାହିବଜାଦା ଫତେହ ସିଂହ ଜୀଙ୍କୁ ସ୍ମରଣ କରିଥିଲେ, ଯେଉଁମାନେ ବହୁତ କମ୍ ବୟସରେ ସେମାନଙ୍କ ସମୟର ସର୍ବଶ୍ରେଷ୍ଠ ଶକ୍ତିର ମୁକାବିଲା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସେମାନଙ୍କର ସଂଘର୍ଷ ଭାରତର ମୌଳିକ ଚିନ୍ତାଧାରା ଏବଂ ଧାର୍ମିକ କଠୋରତା ମଧ୍ୟରେ, ସତ୍ୟ ଏବଂ ମିଥ୍ୟା ମଧ୍ୟରେ ଥିଲା, ଗୋଟିଏ ପକ୍ଷ ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ନେତୃତ୍ୱରେ ଏବଂ ଅନ୍ୟ ପକ୍ଷ ଔରଙ୍ଗଜେବଙ୍କ ନିଷ୍ଠୁର ଶାସନ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ସାହିବଜାଦେମାନେ ବହୁତ ଛୋଟ ଥିଲେ, ଔରଙ୍ଗଜେବ ଭାରତୀୟଙ୍କ ମନୋବଳ ଭାଙ୍ଗିବାକୁ ଏବଂ ସେମାନଙ୍କୁ ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରିବାକୁ ଚାହୁଁଥିଲେ, ଏବଂ ସେଥିପାଇଁ ସେ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଲକ୍ଷ୍ୟଭୁକ୍ତ କରିଥିଲେ।

ସେ ଗୁରୁତ୍ୱାରୋପ କରିଥିଲେ ଯେ, ଔରଙ୍ଗଜେବ ଏବଂ ତାଙ୍କ ସେନାପତିମାନେ ଭୁଲି ଯାଇଥିଲେ ଯେ, ଗୁରୁ ଗୋବିନ୍ଦ ସିଂହ ଜୀ କୌଣସି ସାଧାରଣ ବ୍ୟକ୍ତି ନଥିଲେ ବରଂ ତ୍ୟାଗ ଏବଂ ବଳିଦାନର ପ୍ରତିମୂର୍ତ୍ତି ଥିଲେ, ଏବଂ ସାହିବଜାଦେମାନେ ଏହି ଐତିହ୍ୟ ଉତ୍ତରାଧିକାରୀ ଭାବରେ ପାଇଥିଲେ। ସମଗ୍ର ମୋଗଲ ସାମ୍ରାଜ୍ୟର ଶକ୍ତି ସତ୍ତ୍ୱେ, ଚାରି ଜଣ ସାହିବଜାଦେଙ୍କ ମଧ୍ୟରୁ ଜଣେ ମଧ୍ୟ ବିଚଳିତ ହୋଇ ନଥିଲେ। ପ୍ରଧାନମନ୍ତ୍ରୀ ସାହିବଜାଦା ଅଜିତ ସିଂହ ଜୀଙ୍କ ବୀରତ୍ଵର କଥାକୁ ମନେ ପକାଇଥିଲେ, ଯାହା ତାଙ୍କ ସାହସକୁ ପ୍ରତିପାଦିତ କରିଥାଏ।

କିଛି ଦିନ ପୂର୍ବରୁ କୁରୁକ୍ଷେତ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀ’ଙ୍କୁ ତାଙ୍କ ୩୫୦ତମ ସହିଦ ଦିବସରେ ଦେଶ ସ୍ମରଣ କରିଥିଲା। ଏହା ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଶ୍ରୀ ଗୁରୁ ତେଗ ବାହାଦୁର ଜୀ’ଙ୍କ ବଳିଦାନରୁ ପ୍ରେରଣା ପାଇଥିବା ସାହିବଜାଦେମାନେ ମୋଗଲ ଅତ୍ୟାଚାରକୁ ଭୟ କରିବେ ବୋଲି ଭାବିବା ଭୁଲ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମାତା ଗୁଜରୀ ଜୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ଏବଂ ଚାରି ସାହିବଜାଦେଙ୍କ ସାହସ ଏବଂ ଆଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଆସୁଛି ଏବଂ ପ୍ରେରଣାର ଉତ୍ସ ହୋଇ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସାହିବଜାଦେଙ୍କ ବଳିଦାନର ଗାଥା ପ୍ରତ୍ୟେକ ନାଗରିକଙ୍କ ଓଠରେ ରହିବା ଉଚିତ, କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ମଧ୍ୟ ଉପନିବେଶବାଦୀ ମାନସିକତା ପ୍ରଚଳିତ ହୋଇଥିଲା। ସେ ଦର୍ଶାଇଥିଲେ ଯେ ଏହି ମାନସିକତା ୧୮୩୫ ମସିହାରେ ବ୍ରିଟିଶ ରାଜନେତା ମ୍ୟାକାଲେଙ୍କ ଦ୍ୱାରା ବ୍ୟାପକ ହୋଇଥିଲା। ସ୍ୱାଧୀନତା ପରେ ମଧ୍ୟ ଏହାକୁ ମୂଳପୋଛ ହେବାକୁ ଦିଆଯାଇ ନଥିଲା, ଯାହା ଫଳରେ ଏପରି ସତ୍ୟକୁ ଦମନ କରିବା ପାଇଁ ଦଶନ୍ଧି ଧରି ପ୍ରୟାସ କରାଯାଇଥିଲା। ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଛନ୍ତି ଯେ, ଭାରତ ଏବେ ଉପନିବେଶବାଦୀ ମାନସିକତାରୁ ନିଜକୁ ମୁକ୍ତ କରିବାକୁ ସଂକଳ୍ପ ନେଇଛି। ଭାରତୀୟ ବଳିଦାନ ଏବଂ ବୀରତ୍ୱର ସ୍ମୃତିକୁ ଆଉ ଦମନ କରାଯିବ ନାହିଁ ଏବଂ ଦେଶର ବୀର ଏବଂ ବୀରାଙ୍ଗନାମାନଙ୍କୁ ଆଉ ଅଣଦେଖା କରାଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏହି କାରଣରୁ ବୀର ବାଲ ଦିବସକୁ ପୂର୍ଣ୍ଣ ନିଷ୍ଠା ଏବଂ ଉତ୍ସାହର ସହିତ ପାଳନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଅଟକି ଯାଇନାହାଁନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୩୫ ରେ ମ୍ୟାକାଲେଙ୍କ ଷଡ଼ଯନ୍ତ୍ରର ୨୦୦ ବର୍ଷ ପୂରଣ ହେବ ଏବଂ ଏଥିପାଇଁ ୧୦ ବର୍ଷ ବାକି ରହିଥିବାବେଳେ, ଭାରତ ଉପନିବେଶବାଦୀ ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତି ପ୍ରଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦେଶ ଏହି ମାନସିକତାରୁ ମୁକ୍ତ ହେବା ପରେ, ଏହା ସ୍ୱଦେଶୀ ପରମ୍ପରାକୁ ନେଇ ଅଧିକ ଗର୍ବ କରିବ ଏବଂ ଆତ୍ମନିର୍ଭରଶୀଳତା ପଥରେ ଆହୁରି ଆଗକୁ ବଢ଼ିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବା ପାଇଁ ଅଭିଯାନର ଏକ ଝଲକ ସମ୍ପ୍ରତି ସଂସଦରେ ଦୃଶ୍ୟମାନ ହୋଇଛି। ଶୀତକାଳୀନ ଅଧିବେଶନ ସମୟରେ ସଂସଦର ସଦସ୍ୟମାନେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଭାରତୀୟ ଭାଷାରେ ପ୍ରାୟ ୧୬୦ ଟି ଭାଷଣ ଦେଇଥିଲେ। ସେ ଏହା ଉପରେ ଆଲୋକପାତ କରିଥିଲେ ଯେ ପ୍ରାୟ ୫୦ ଟି ଭାଷଣ ତାମିଲରେ, ୪୦ ରୁ ଅଧିକ ମରାଠୀରେ ଏବଂ ପ୍ରାୟ ୨୫ ଟି ବଙ୍ଗଳାରେ ଥିଲା। ସେ ଉଲ୍ଲେଖ କରିଥିଲେ ଯେ ଏପରି ଦୃଶ୍ୟ ବିଶ୍ୱର କୌଣସି ସଂସଦରେ ବିରଳ ଏବଂ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ମ୍ୟାକାଲେ ଭାରତର ଭାଷା ବିବିଧତାକୁ ଦମନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ, ଦେଶ ନିଜକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବା ସହିତ, ଭାଷାଗତ ବିବିଧତା ଏକ ଶକ୍ତି ପାଲଟିଛି।
ଯୁବ ଭାରତ ସଂଗଠନର ଉପସ୍ଥିତ ଯୁବପିଢ଼ିଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନେ ଜେନ୍ ଜେଡ୍ ଏବଂ ଜେନ୍ ଆଲଫାକୁ ପ୍ରତିନିଧିତ୍ୱ କରନ୍ତି, ଏବଂ ଏହା ହେଉଛି ସେମାନଙ୍କର ସେହି ପିଢ଼ି, ଯିଏ ଭାରତକୁ ଏକ ବିକଶିତ ରାଷ୍ଟ୍ର ହେବା ଲକ୍ଷ୍ୟରେ ପହଞ୍ଚାଇବ। ସେ କହିଥିଲେ ଯେ, ସେ ସେମାନଙ୍କର ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ଦେଖନ୍ତି ଏବଂ ବୁଝନ୍ତି, ତେଣୁ ସେମାନଙ୍କ ଉପରେ ବହୁତ ଭରସା ରଖନ୍ତି। ଏକ ପ୍ରବାଦକୁ ଉଦ୍ଧୃତ କରି ଶ୍ରୀ ମୋଦୀ ବ୍ୟାଖ୍ୟା କରିଥିଲେ ଯେ, ଯଦି ଗୋଟିଏ ପିଲା ବୁଦ୍ଧିମତାର ସହିତ କଥା କହେ, ଏହାକୁ ଗ୍ରହଣ କରାଯିବା ଉଚିତ, ଅର୍ଥାତ୍ ମହତ୍ତ୍ୱ ବୟସ ଦ୍ୱାରା ନୁହେଁ ବରଂ କାର୍ଯ୍ୟ ଏବଂ ସଫଳତା ଦ୍ୱାରା ପରିଭାଷିତ ହୁଏ। ଯୁବକମାନେ ଏପରି କାର୍ଯ୍ୟ କରିପାରିବେ ଯାହା ଅନ୍ୟମାନଙ୍କୁ ପ୍ରେରଣା ଦିଏ, ଏବଂ ଅନେକ ଏହାକୁ ପୂର୍ବରୁ ପ୍ରଦର୍ଶନ କରିସାରିଛନ୍ତି। ତଥାପି, ଏହି ସଫଳତାଗୁଡ଼ିକୁ କେବଳ ଏକ ଆରମ୍ଭ ଭାବରେ ଦେଖାଯିବା ଉଚିତ, କାରଣ ଆହୁରି ବହୁତ ଆଗକୁ ଯିବାକୁ ଅଛି, ସ୍ୱପ୍ନକୁ ଆକାଶରେ ଉଡାଣ ଭରିବାର ଅଛି। ଏହି ପିଢ଼ି ଭାଗ୍ୟବାନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜି ଦେଶ ସେମାନଙ୍କ ପ୍ରତିଭା ସହିତ ଦୃଢ଼ ଭାବରେ ଠିଆ ହୋଇଛି, ଆଉ ପୂର୍ବ ଭଳି ସମୟ ନାହିଁ, ଯେତେବେଳେ ଯୁବପିଢ଼ି ହତାଶାର ପରିବେଶ ଯୋଗୁଁ ସ୍ୱପ୍ନ ଦେଖିବାକୁ ମଧ୍ୟ ଭୟ କରୁଥିଲେ। ଆଜି ଦେଶ ପ୍ରତିଭା ଖୋଜୁଛି, ପ୍ଲାଟଫର୍ମ ପ୍ରଦାନ କରୁଛି ଏବଂ ୧୪୦ କୋଟି ନାଗରିକଙ୍କ ଶକ୍ତିକୁ ସେମାନଙ୍କ ଆକାଂକ୍ଷା ସହିତ ସମନ୍ଵିତ କରୁଛି। ଡିଜିଟାଲ ଇଣ୍ଡିଆର ସଫଳତା ସହିତ, ଯୁବପିଢ଼ିଙ୍କ ପାଖରେ ଇଣ୍ଟରନେଟ୍ ଏବଂ ଶିକ୍ଷା ପାଇଁ ସମ୍ବଳର ଶକ୍ତି ଅଛି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ କ୍ରୀଡାରେ ଅଗ୍ରଣୀ ହେଉଥିବା ଲୋକଙ୍କ ପାଇଁ ଖେଲୋ ଇଣ୍ଡିଆ ଭଳି ମିଶନ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ମାତ୍ର ଦୁଇ ଦିନ ପୂର୍ବେ ସେ ସଂସଦ ଖେଳ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ, ଯାହା ଯୁବପିଢ଼ିଙ୍କ ପ୍ରଗତିକୁ ସମର୍ଥନ କରିବା ପାଇଁ ଉପଲବ୍ଧ ଅନେକ ପ୍ଲାଟଫର୍ମକୁ ଗୁରୁତ୍ୱ ଦେଇଥିଲା। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧ୍ୟାନ କେନ୍ଦ୍ରିତ କରି ରହିବାକୁ ଅନୁରୋଧ କରିଥିଲେ, କ୍ଷଣସ୍ଥାୟୀ ଲୋକପ୍ରିୟତାର ଚମକରେ ଫସି ନଯିବା ପାଇଁ ସତର୍କ କରାଇଥିଲେ ଏବଂ ଚିନ୍ତାଧାରା ଏବଂ ନୀତିର ସ୍ପଷ୍ଟତା ଜରୁରୀ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ସେମାନଙ୍କୁ ଦେଶର ଆଦର୍ଶ ଏବଂ ମହାନ ବ୍ୟକ୍ତିତ୍ୱଙ୍କଠାରୁ ଶିଖିବାକୁ ଏବଂ ସେମାନଙ୍କର ସଫଳତା କେବଳ ସେମାନଙ୍କ ମଧ୍ୟରେ ସୀମିତ ନ ହୋଇ ଦେଶର ସଫଳତା ହେବା ନିଶ୍ଚିତ କରିବାକୁ ଆହ୍ୱାନ କରିଥିଲେ।

ଯୁବ ସଶକ୍ତୀକରଣ ଉପରେ ଧ୍ୟାନ ଦେଇ ନୂତନ ନୀତି ପ୍ରସ୍ତୁତ କରାଯାଉଛି, ଯାହା ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣର କେନ୍ଦ୍ରରେ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆଲୋକପାତ କରିଥିଲେ ଯେ, ମେରା ୟୁବା ଭାରତ ଭଳି ପ୍ଲାଟଫର୍ମ ମାଧ୍ୟମରେ ଯୁବପିଢ଼ିଙ୍କୁ ସଂଯୋଗ କରିବା, ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ନେତୃତ୍ୱ ଦକ୍ଷତା ବିକାଶ କରିବା ପାଇଁ ପ୍ରୟାସ କରାଯାଉଛି। ଏହା ମହାକାଶ ଅର୍ଥନୀତିକୁ ଆଗକୁ ବଢାଇବା, କ୍ରୀଡାକୁ ପ୍ରୋତ୍ସାହନ ଦେବା, ଫିନଟେକ୍ ଏବଂ ଉତ୍ପାଦନ କ୍ଷେତ୍ରକୁ ବିସ୍ତାର କରିବା, କିମ୍ବା ଦକ୍ଷତା ବିକାଶ ଏବଂ ଇଣ୍ଟର୍ନସିପ୍ ପାଇଁ ସୁଯୋଗ ସୃଷ୍ଟି କରିବା ହେଉ, ଯୁବପିଢ଼ି ପ୍ରତ୍ୟେକ ପଦକ୍ଷେପର ମୂଳରେ ରହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ଖୋଲାଯାଉଛି।

ବିଶ୍ୱର ସବୁଠାରୁ ଯୁବ ଦେଶ ମଧ୍ୟରୁ ଗୋଟିଏ ହୋଇଥିବାରୁ ଭାରତ ଆଜି ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦୀ କହିଥିଲେ। ଆଗାମୀ ୨୫ ବର୍ଷ ଦେଶର ଦିଗ ନିର୍ଣ୍ଣୟ କରିବ ଏବଂ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତର କ୍ଷମତା, ଆକାଂକ୍ଷା ଏବଂ ବିଶ୍ୱର ଆଶା ଏକତ୍ରିତ ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଆଜିର ଯୁବପିଢ଼ି ପୂର୍ବ ଅପେକ୍ଷା ଅଧିକ ସୁଯୋଗ ରହିଥିବା ସମୟ ଦେଇ ଆଗକୁ ବଢ଼ୁଛନ୍ତି ଏବଂ ସରକାର ସେମାନଙ୍କ ପ୍ରତିଭା, ଆତ୍ମବିଶ୍ୱାସ ଏବଂ ନେତୃତ୍ୱକୁ ଉପଯୋଗ କରିବା ପାଇଁ ଉତ୍ତମ ସୁଯୋଗ ପ୍ରଦାନ କରିବାକୁ ପ୍ରତିବଦ୍ଧ।

ଯୁବପିଢ଼ିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଶିକ୍ଷା ନୀତିରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ମାଧ୍ୟମରେ ଏକ ବିକଶିତ ଭାରତ ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଉଛି। ନୂତନ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱାରୋପ କରୁଛି, ବ୍ୟାବହାରିକ ଶିକ୍ଷା ଉପରେ ଗୁରୁତ୍ଵ ଦେଉଛି, ପିଲାମାନଙ୍କୁ ମନେ ରଖିବା ଅପେକ୍ଷା ଚିନ୍ତା କରିବାକୁ ଉତ୍ସାହିତ କରୁଛି, ପ୍ରଶ୍ନ ପଚାରିବାର ସାହସ ସୃଷ୍ଟି କରୁଛି ଏବଂ ସମସ୍ୟା ସମାଧାନ ଦକ୍ଷତା ସୃଷ୍ଟି କରୁଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ପ୍ରଥମ ଥର ପାଇଁ, ଏହି ଦିଗରେ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଉଛି, ବହୁବିଧ ଅଧ୍ୟୟନ, ଦକ୍ଷତା- ଆଧାରିତ ଶିକ୍ଷା, କ୍ରୀଡାକୁ ପ୍ରୋତ୍ସାହନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଛାତ୍ରଛାତ୍ରୀମାନଙ୍କୁ ବହୁତ ଲାଭ ପହଞ୍ଚାଉଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ସାରା ଦେଶରେ, ଲକ୍ଷ ଲକ୍ଷ ପିଲା ଅଟଳ ଟିଙ୍କରିଂ ଲ୍ୟାବ ମାଧ୍ୟମରେ ନବସୃଜନ ଏବଂ ଗବେଷଣାରେ ନିୟୋଜିତ ହେଉଛନ୍ତି, ଏବଂ ସ୍କୁଲ ସ୍ତରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ରୋବୋଟିକ୍ସ, ଏଆଇ, ସ୍ଥାୟୀତ୍ୱ ଏବଂ ଡିଜାଇନ୍ ଚିନ୍ତାଧାରା ସହିତ ପରିଚିତ କରାଯାଉଛି। ଏହି ପ୍ରୟାସ ସହିତ, ଜାତୀୟ ଶିକ୍ଷା ନୀତି ମାତୃଭାଷାରେ ଅଧ୍ୟୟନ କରିବାର ବିକଳ୍ପ ପ୍ରଦାନ କରିଛି, ଯାହା ଶିକ୍ଷାକୁ ସହଜ କରିଥାଏ ଏବଂ ପିଲାମାନଙ୍କୁ ବିଷୟଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଥାଏ।

ସାହସୀ ସାହିବଜାଦେମାନେ ତାଙ୍କ କାର୍ଯ୍ୟ କରିବା ସମୟରେ ପଥ କେତେ କଷ୍ଟକର ତାହା ଦେଖି ନଥିଲେ, ପଥ ଠିକ୍ ଅଛି କି ନାହିଁ ତାହା ପରଖି ନଥିଲେ ଏବଂ ଆଜି ସମାନ ଭାବନାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ଯୁବପିଢ଼ିଙ୍କ ଠାରୁ ବଡ଼ ସ୍ୱପ୍ନ ଦେଖିବା, କଠିନ ପରିଶ୍ରମ କରିବା ଏବଂ କେବେ ବି ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ନ ଦେବା ପାଇଁ ତାଙ୍କର ଆଶା ପ୍ରକାଶ କରିଥିଲେ। ଭାରତର ଭବିଷ୍ୟତ ଏହାର ପିଲା ଏବଂ ଯୁବକମାନଙ୍କ ଭବିଷ୍ୟତ ମାଧ୍ୟମରେ ଉଜ୍ଜ୍ୱଳ ହେବ, ଯେଉଁମାନଙ୍କର ସାହସ, ପ୍ରତିଭା ଏବଂ ସମର୍ପଣ ରାଷ୍ଟ୍ରର ପ୍ରଗତିକୁ ମାର୍ଗଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହି ବିଶ୍ୱାସ, ଦାୟିତ୍ୱ ଏବଂ ନିରନ୍ତର ଗତି ସହିତ, ଭାରତ ତା’ର ଭବିଷ୍ୟତ ଆଡ଼କୁ ଆଗକୁ ବଢ଼ିବ। ସେ ପୁଣି ଥରେ ସାହିବଜାଦେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସମସ୍ତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ, ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଶ୍ରୀମତୀ ସାବିତ୍ରୀ ଠାକୁର, ଶ୍ରୀ ରଭନୀତ ସିଂହ, ଶ୍ରୀ ହର୍ଷ ମାଲହୋତ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ପୃଷ୍ଠଭୂମି

ବୀର ବାଲ୍ ଦିବସ ପାଳନ କରିବା ପାଇଁ, ଭାରତ ସରକାର ସାରା ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସାହିବଜାଦେଙ୍କ ଅସାଧାରଣ ସାହସ ଏବଂ ସର୍ବୋଚ୍ଚ ବଳିଦାନ ବିଷୟରେ ସୂଚନା ଦେବା ଏବଂ ଶିକ୍ଷିତ କରିବା , ଏବଂ ଭାରତର ଇତିହାସର ଯୁବ ନାୟକମାନଙ୍କ ଅଦମ୍ୟ ସାହସ, ତ୍ୟାଗ ଏବଂ ବୀରତ୍ୱକୁ ସମ୍ମାନିତ କରିବା ଏବଂ ସ୍ମରଣ କରିବା। ଏହି କାର୍ଯ୍ୟକ୍ରମରେ କାହାଣୀ କହିବା ଅଧିବେଶନ, ପାଠୋତ୍ସବ, ପୋଷ୍ଟର ତିଆରି ଏବଂ ପ୍ରବନ୍ଧ ଲେଖା ପ୍ରତିଯୋଗିତା ଇତ୍ୟାଦି ଅନ୍ତର୍ଭୁକ୍ତ ହେବ। ଏଗୁଡ଼ିକ ସ୍କୁଲ, ଶିଶୁ ଯତ୍ନ ପ୍ରତିଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷାଗତ ପ୍ଲାଟଫର୍ମରେ ଏବଂ ମାଇଁଗଭ୍ ଏବଂ ମାଇଁଭାରତ ପୋର୍ଟାଲରେ ଅନଲାଇନ୍ କାର୍ଯ୍ୟକଳାପ ମାଧ୍ୟମରେ ଆୟୋଜିତ ହେବ।

୯ ଜାନୁଆରୀ ୨୦୨୨ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ଙ୍କ ପ୍ରକାଶ ପରବ ଅବସରରେ, ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୬ ଡିସେମ୍ବରକୁ ‘ବୀର ବାଲ୍ ଦିବସ’ ଭାବରେ ପାଳନ କରାଯିବ। ଏହା ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂହ ଜୀଙ୍କ ଏବଂ ବାବା ଫତେହ ସିଂହ ଜୀ’ଙ୍କ ସହିଦତାକୁ ସ୍ମରଣ କରିବ, ଯାହାଙ୍କ ଅତୁଳନୀୟ ବଳିଦାନ ପିଢ଼ିକୁ ପ୍ରେରଣା ଦେଇ ଆସୁଛି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର (ପିଏମଆରବିପି) ବିଜେତାମାନେ ମଧ୍ୟ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଗାମୀ ୫ ବର୍ଷ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ଟ୍ରେନ କ୍ଷମତା ଦ୍ୱିଗୁଣିତ କରିବାକୁ ଯୋଜନା

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

December 26, 2025

୮୫ ଲକ୍ଷ ଡକାୟତିର ପର୍ଦ୍ଦାଫାସ କଲା ହାପୁର ପୋଲିସ, ଛଅ ଅଭିଯୁକ୍ତ ଗିରଫ

December 26, 2025
Latest News

ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ଆଗାମୀ ୫ ବର୍ଷ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ଟ୍ରେନ କ୍ଷମତା ଦ୍ୱିଗୁଣିତ କରିବାକୁ ଯୋଜନା

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.