Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ
ଜାତୀୟ ଖବର

ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ

December 29, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ
ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଆସାମର ନାଗାଓଁ ଜିଲ୍ଲାରେ ଅବସ୍ଥିତ ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବଙ୍କ ଜନ୍ମସ୍ଥାନ ବଟଦ୍ରବ ଥାନର ପୁନର୍ବିକାଶ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟାଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ଧରି ଅନୁପ୍ରବେଶକାରୀଙ୍କ ଅଧିକାରରେ ଥିବା ନାଗାଓଁର ବିଶ୍ୱପ୍ରସିଦ୍ଧ ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବଙ୍କ ଜନ୍ମସ୍ଥାନକୁ ମୁକ୍ତ କରି ସମ୍ପୂର୍ଣ୍ଣ ଭାବେ ପୁନର୍ବିକାଶ କରାଯାଇଛି। ନାଗାଓଁ ହେଉଛି ସେହି ପବିତ୍ର ଭୂମି, ଯେଉଁଠାରୁ ଶ୍ରୀମନ୍ତ ଶଙ୍କର ଦେବ ନବ-ବୈଷ୍ଣବ ଧର୍ମର ପ୍ରଚାର କରି ସମଗ୍ର ଆସାମ ଓ ଉତ୍ତର-ପୂର୍ବକୁ ଧାର୍ମିକ ଏକତାର ସୂତ୍ରରେ ବାନ୍ଧିଥିଲେ। ଏହି ଅବସରରେ ଗୋପୀନାଥ ବୋରଦୋଲୋଇଙ୍କୁ ସ୍ମରଣ କରି ସେ କହିଥିଲେ ଯେ, ତାଙ୍କର ଅଦମ୍ୟ ପ୍ରୟାସ ଫଳରେ ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତ ଦେଶର ଅଂଶ ଭାବେ ଅବିଚ୍ଛିନ୍ନ ରହିଛି।

ଶ୍ରୀ ଶାହ କହିଛନ୍ତି ଯେ, ବଟଦ୍ରବ ଥାନରେ ମହାପୁରୁଷ ଶଙ୍କର ଦେବଙ୍କ ସ୍ମୃତିରେ ଏକ ‘ଅଭୈରବ କ୍ଷେତ୍ର’ ସୃଷ୍ଟି କରାଯାଇଛି। ଏହି ପବିତ୍ର ସ୍ଥାନରୁ ଶତାବ୍ଦୀଧରି ନବ-ବୈଷ୍ଣବ ଧର୍ମର ବାର୍ତ୍ତା ପ୍ରସାରିତ ହୋଇଆସୁଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ପୁନର୍ବିକାଶ କାର୍ଯ୍ୟ ତିନିଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଛି। ୧୬୨ ବିଘା ଜମିରେ ବିକଶିତ ଏହି ପ୍ରକଳ୍ପ ପାଇଁ ୨୨୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ନବ-ବୈଷ୍ଣବ ପରମ୍ପରାର ସମସ୍ତ ମୂଲ୍ୟବୋଧକୁ ଏଠାରେ ସତର୍କତା, ସଠିକତା ଓ ଭକ୍ତି ସହିତ ଜୀବନ୍ତ କରାଯାଇଛି ବୋଲି ସେ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି,  ବଟଦ୍ରବ ଥାନ ଏବେ ସାଧାରଣ ସ୍ଥାନ ନୁହେଁ; ଏହା ଏକ ପବିତ୍ର ତୀର୍ଥସ୍ଥଳରେ ପରିଣତ ହୋଇ ୫୦୦ ବର୍ଷ ପୁରୁଣା ଐତିହ୍ୟ ସହିତ ଆମକୁ ଯୋଡ଼ିଛି। ସେ କହିଥିଲେ ଯେ, ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୨୦୨୦ ଡିସେମ୍ବର ୨୬ ତାରିଖରେ ତାଙ୍କ ହାତରେ ହୋଇଥିଲା ଏବଂ ଆଜି ଉଦଘାଟନ କରିବାର ସୌଭାଗ୍ୟ ମଧ୍ୟ ତାଙ୍କୁ ମିଳିଛି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ନବ-ବୈଷ୍ଣବ ବିଶ୍ୱାସକୁ ପ୍ରତିଷ୍ଠା କରି ସମଗ୍ର ଉତ୍ତର-ପୂର୍ବ ଭାରତରେ ଏହାକୁ ଦୃଢ଼ ଭାବେ ପ୍ରସାରିତ କରିଥିଲେ।

ଶ୍ରୀ ଶାହ କହିଛନ୍ତି ଯେ, ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ଭାଗବତରେ ଉଲ୍ଲେଖିତ ପଥକୁ ଅନୁସରଣ କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ ଓ ମାତୃଭୂମିକୁ ଧର୍ମର ଆଧାରରେ ପୂଜା କରିବାର ବାର୍ତ୍ତା ଦେଇଥିଲେ। ବଟଦ୍ରବ ଥାନ କେବଳ ଏକ ପୂଜା ସ୍ଥଳ କିମ୍ବା ନାମଘର ନୁହେଁ; ଏହା ଆସାମର ସୌହାର୍ଦ୍ଦ୍ୟ, ସଦ୍ଭାବନା ଏବଂ ସହଭାଗୀ ସଂସ୍କୃତିର ଜୀବନ୍ତ ପ୍ରତୀକ। ଏହି ସ୍ଥାନ ସାମୂହିକ ଭକ୍ତିର କେନ୍ଦ୍ର ଭାବେ ଗଢ଼ିଉଠିବା ସହ ଶ୍ରୀମନ୍ତ ଶଙ୍କର ଦେବଙ୍କ ‘ଏକ ସରଣା ନାମ ଧର୍ମ’ ପରମ୍ପରାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଯୁଗ ଆଶୀର୍ବାଦପୂର୍ଣ୍ଣ, ମାନବ ଜୀବନ ସ୍ୱଭାବତଃ ମହାନ, ଏବଂ ଭାରତର ପବିତ୍ର ଭୂମିରେ ଜନ୍ମ ହେବା ହେଉଛି ସବୁଠାରୁ ବଡ଼ ଭାଗ୍ୟ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ୫୦୦ ବର୍ଷ ପୂର୍ବେ ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ‘ଏକ ଭାରତ’ର ବାର୍ତ୍ତା ଦେଇଥିଲେ, ସେହି ଚିନ୍ତାଧାରାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗକୁ ନେଉଛନ୍ତି। ଶଙ୍କର ଦେବଙ୍କ ପବିତ୍ର ସ୍ଥାନଗୁଡ଼ିକୁ ଅନୁପ୍ରବେଶକାରୀମାନେ ଦୀର୍ଘଦିନ ଧରି ଅଧିକାର କରିଥିଲେ, ଯାହା ଅନୁଚିତ। ଏହି ପବିତ୍ର ସ୍ଥାନଗୁଡ଼ିକୁ ମୁକ୍ତ କରି ନାମଘର ପୁନଃପ୍ରତିଷ୍ଠା କରିବା ପାଇଁ ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେ ଉଲ୍ଲେଖ କରିଥିଲେ ଯେ, ସମଗ୍ର ଆସାମରେ ଅଭିଯାନ ଜାରି ରହିଛି ଏବଂ ୧.୨୯ ଲକ୍ଷରୁ ଅଧିକ ବିଘା ଜମି ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରାଯାଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନରେ ହୋଇଥିବା ଜବରଦଖଲ ମଧ୍ୟ ଉଚ୍ଛେଦ କରାଯାଇଛି । ଶ୍ରୀ ଶାହ କହିଥିଲେ, ବିରୋଧୀ ଦଳମାନେ ବର୍ଷଧରି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଇଆସୁଥିଲେ ଏବଂ ୧୯୮୩ର ଆଇଏମଡିଟି ଅଧିନିୟମ ମାଧ୍ୟମରେ ସେମାନଙ୍କୁ ଆଇନଗତ ସୁଯୋଗ ମିଳିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆମର ସଂକଳ୍ପ ହେଉଛି କେବଳ ଆସାମରୁ ନୁହେଁ, ବରଂ ସମଗ୍ର ଦେଶରୁ ଚିହ୍ନଟ କରି ଏବଂ ଚୟନ କରି ଆମେ ଅନୁପ୍ରବେଶକାରୀଙ୍କୁ ଉଚ୍ଛେଦ କରିବା ପାଇଁ କାର୍ଯ୍ୟ କରିବୁ। ଏହି ଅନୁପ୍ରବେଶକାରୀଙ୍କ ଚାପରେ ଆସାମର ସଂସ୍କୃତିକୁ ଦମନ କରାଯାଉଛି, କିନ୍ତୁ ମୋଦୀ ଜୀଙ୍କ ନେତୃତ୍ୱରେ ଏଠାରେ ହିମନ୍ତ ବିଶ୍ୱ ଶର୍ମା ଏହି ସଂସ୍କୃତିକୁ ଅନୁପ୍ରବେଶକାରୀଙ୍କ ପ୍ରଭାବରୁ ମୁକ୍ତ କରିଛନ୍ତି। ଆଜି, ନାମଘରେ, ମୃଦଙ୍ଗ ଏବଂ ତାଳ ଧ୍ୱନି ସହିତ ଭକ୍ତି ସଂଗୀତ ପ୍ରତିଧ୍ୱନିତ ହୁଏ ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ବିରୋଧୀ ସରକାର ଏତେ ବର୍ଷଧରି କ୍ଷମତାରେ ରହିଥିଲେ ମଧ୍ୟ ଆସାମ ଆନ୍ଦୋଳନର ଶହୀଦମାନଙ୍କ ପାଇଁ କିଛି କରିନଥିଲେ। ବର୍ତ୍ତମାନର ରାଜ୍ୟ ସରକାର ଶହୀଦମାନଙ୍କ ସ୍ମୃତିରେ ଭବ୍ୟ ‘ସ୍ୱାହିଦ ସ୍ମାରକ କ୍ଷେତ୍ର’ ନିର୍ମାଣ କରିଛି ବୋଲି ସେ କହିଥିଲେ। ଆସାମବାସୀ ୭୦ ବର୍ଷର ଏହି ଅବହେଳାକୁ କେବେ ବି ଭୁଲିବେ ନାହିଁ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଉତ୍ତର-ପୂର୍ବ, ବିଶେଷକରି ଆସାମର ବିକାଶ ପାଇଁ ୧୧ଟି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଆସାମରେ ପ୍ରଥମ ପାଞ୍ଚ ବର୍ଷ ସର୍ବାନନ୍ଦ ସୋନୋୱାଲ ଓ ବର୍ତ୍ତମାନ ପାଞ୍ଚ ବର୍ଷ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଚାଲିଛି। ଏହି ଗତ ୧୦ ବର୍ଷକୁ ଆସାମର ବିକାଶର ‘ସୁବର୍ଣ୍ଣ ଯୁଗ’ ବୋଲି ସେ ଅଭିହିତ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷରେ ୮୦ ଥର ଉତ୍ତର-ପୂର୍ବ ଏବଂ ୩୬ ଥର ଆସାମ ଗସ୍ତ କରି ରାଜ୍ୟ ସହ ସିଧାସଳଖ ସମ୍ପର୍କ ରଖିଛନ୍ତି। ଉତ୍ତର-ପୂର୍ବ ଓ ଆସାମ ପ୍ରତି ଏତେ ନିରନ୍ତର ଧ୍ୟାନ ଦେଇଥିବା ନେତା ହେଉଛନ୍ତି ମୋଦୀ ଜୀ । ସେ କହିଥିଲେ ଯେ ସେମାନଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ୧୦ ବର୍ଷରେ କେବଳ ୭ ଥର ଆସାମ ଆସିଥିଲେ, ଯାହା ମଧ୍ୟରୁ ଦୁଇଥର କେବଳ ରାଜ୍ୟସଭା ନାମାଙ୍କନ ପାଇଁ ଥିଲା।

ସେମାନଙ୍କ ପାଇଁ ଆସାମର ବିକାଶ, ସଂସ୍କୃତି ଓ ଶାନ୍ତି କେବଳ ଭାଷଣର ସୀମାରେ ସୀମିତ ଥିଲା। ଶ୍ରୀ ଶାହ କହିଥିଲେ ଯେ ଯେଉଁ ଆସାମ କେବେ ଆନ୍ଦୋଳନ, ହିଂସା ଓ ବୋମା ବିସ୍ଫୋରଣରେ ପରିଚିତ ଥିଲା, ସେଠାରେ ମୋଦୀ ଜୀଙ୍କ ନେତୃତ୍ୱରେ ଶାନ୍ତି ସ୍ଥାପିତ ହେଉଛି। ୨୦୨୦ରେ ବୋଡୋ, ୨୦୨୧ରେ କାର୍ବି, ୨୦୨୨ରେ ଆଦିବାସୀ ଏବଂ ୨୦୨୩ରେ ଡିଏନଏଲଏ ଓ ଉଲଫା ବୁଝାମଣା ସ୍ୱାକ୍ଷର ହୋଇଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ଏହି ଚୁକ୍ତିଗୁଡ଼ିକ କେବଳ କାଗଜରେ ନୁହେଁ, ୯୨ ପ୍ରତିଶତ ସମସ୍ୟାର ସମାଧାନ ହୋଇସାରିଛି। ଏକଦା ବୋମା ଶବ୍ଦରେ ପ୍ରତିଧ୍ୱନିତ ହେଉଥିବା ଆସାମରେ ଆଜି ଶ୍ରୀମନ୍ତ ଶଙ୍କର ଦେବଙ୍କ ସ୍ମରଣ ଓ ଭକ୍ତିର ଧ୍ୱନି ଶୁଣାଯାଉଛି । ଆଗାମୀଦିନରେ ଆମ ସରକାର ପୁନଃ ଗଠିତ ହେଲେ ସମସ୍ତ ସମସ୍ୟାର ୧୦୦ ପ୍ରତିଶତ ସମାଧାନ ସୁନିଶ୍ଚିତ କରାଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ଅଧୀନରେ ଆସାମର ସଂସ୍କୃତିକୁ ଜାତୀୟ ଓ ବିଶ୍ୱ ସ୍ତରରେ ପରିଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ୧୧ ହଜାରରୁ ଅଧିକ କଳାକାର ଏକାଠି ବିହୁ ନୃତ୍ୟ ପରିବେଷଣ କରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ  ‘ଚରାଇଦେଓ ମଇଦାନ’କୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରି ଆସାମକୁ ପର୍ଯ୍ୟଟନର ନୂଆ କେନ୍ଦ୍ର ଭାବେ ଗଢ଼ିତୋଳାଯାଇଛି।

ସେ କହିଥିଲେ ଯେ ପୂର୍ବରୁ କେବଳ ଆସାମରେ ପରିଚିତ ଲଚିତ ବୋରଫୁକାନଙ୍କ ବୀରତ୍ୱକୁ ମୋଦୀ ସରକାର ୨୩ଟି ଭାଷାରେ ଅନୁବାଦ କରି ସାରା ଦେଶ ଓ ବିଶ୍ୱରେ ପ୍ରସାର କରିଛନ୍ତି। ସେ ଆହୁରି କହିଛନ୍ତି ଯେ ହେମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ସରକାର ‘ଗାମୁଛା’ ପାଇଁ ଜିଆଇ ଟ୍ୟାଗ୍ ସୁନିଶ୍ଚିତ କରିଛନ୍ତି। ଏହା ସହ ୧୬ଶ ଶତାବ୍ଦୀର ପ୍ରସିଦ୍ଧ ‘ବୃନ୍ଦାବନୀ ବସ୍ତ୍ର’, ଯାହା ଶ୍ରୀମନ୍ତ ଶଙ୍କରଦେବଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା, ମୋଦୀଙ୍କ ପ୍ରୟାସରେ ସାରା ଦେଶରେ ଲୋକପ୍ରିୟ ହୋଇଛି ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ବୋଗୀବୀଲ ସେତୁକୁ ଦେଖିବାକୁ ଆସାମମୁଖୀ ହେଉଛି। ମୋଦୀ ସରକାର ଅଧୀନରେ ଆସାମର ଭିତ୍ତିଭୂମି ବିକାଶକୁ ଅଭୂତପୂର୍ବ ଗତି ମିଳିଛି । ୭,୦୦୦ କୋଟି ଟଙ୍କା ବ୍ୟୟରେ ଏନ୍‌ଏଚ୍–୭୧୫ର କାଲିୟାବୋର–ନୁମାଲୀଗଡ଼ ୮୫ କିଲୋମିଟର ଭାଗକୁ ଚାରିଲେନ ରାଜପଥରେ ପରିଣତ କରାଯାଇଛି। ୩,୪୦୦ କୋଟି ଟଙ୍କା ବ୍ୟୟରେ ସିଲଚର–ଚୁରାଇବାରୀ କରିଡର ଏବଂ ୨୨,୮୬୪ କୋଟି ଟଙ୍କା ବ୍ୟୟରେ ମେଘାଳୟରୁ ପଞ୍ଚଗ୍ରାମ ପର୍ଯ୍ୟନ୍ତ ୧୬୬.୮ କିଲୋମିଟର ସଡ଼କକୁ ମଞ୍ଜୁରୀ ଦିଆଯାଇଛି। ସେ କହିଥିଲେ ଯେ ୬,୦୦୦ କୋଟି ଟଙ୍କା ବ୍ୟୟରେ ରେଳ–ସଡ଼କ ସଂଯୁକ୍ତ ବୋଗୀବୀଲ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇ  ୫,୦୦୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁତ୍ର ଉପରେ ଧୁବ୍ରି–ଫୁଲବାରୀ ଚାରିଲେନ ସେତୁ ନିର୍ମାଣ ଚାଲିଛି।

୨୦୧୭ ମସିହାରେ ୨,୦୦୦ କୋଟି ଟଙ୍କା ବ୍ୟୟରେ ଧୋଲା–ସାଦିଆ ସେତୁ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ସେ ସ୍ମରଣ କରାଇଥିଲେ। ଉତ୍ତର–ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା (ଏନଇଏସ ଆଇଡିଏସ) ଅଧୀନରେ ୬୪୬ କୋଟି ଟଙ୍କା ବ୍ୟୟରେ ୧୯ଟି ସଡ଼କ ଓ ସେତୁ ପ୍ରକଳ୍ପ ଆରମ୍ଭ ହୋଇଛି। ରେଳ, ବିମାନ ଓ ଜଳପଥ ମାଧ୍ୟମରେ ଆସାମର ସଂଯୋଗକୁ ସୁଦୃଢ଼ କରାଯାଉଛି ବୋଲି ସେ କହିଛନ୍ତି।

ଶ୍ରୀ ଶାହ କହିଥିଲେ ଯେ, ପ୍ରାୟ ୮,୦୦୦ କୋଟି ଟଙ୍କା ବ୍ୟୟରେ ଜଳମାର୍ଗ ବିକାଶ ପ୍ରକଳ୍ପ ରୂପାୟଣ ହେଉଛି ଏବଂ ଭାରତର ପ୍ରଥମ ସ୍ୱଦେଶୀ କ୍ରୁଜ୍ ଏମ୍‌.ଭି. ଗଙ୍ଗା ବିଳାସ ବାରାଣାସୀରୁ ଦିବ୍ରୁଗଡ଼ ପର୍ଯ୍ୟନ୍ତ ଯାତ୍ରା ସଫଳତାର ସହ ସମ୍ପନ୍ନ କରିଛି। ସେ ଆହୁରି କହିଛନ୍ତି ଯେ, ଆସାମରେ ଏମ୍ସ ସମେତ ଅନେକ ମେଡ଼ିକାଲ କଲେଜ ଓ ନବୋଦୟ ବିଦ୍ୟାଳୟ ସ୍ଥାପିତ ହୋଇଛି। ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧,୧୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୫୦ ଶଯ୍ୟା ବିଶିଷ୍ଟ ଏମ୍ସକୁ ଆସାମବାସୀଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆସାମରେ ୨୭,୦୦୦ କୋଟି ଟଙ୍କା ବ୍ୟୟରେ ଟାଟା ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ହେଉଛି। ସେହିପରି ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର୍ କର୍ପୋରେସନ୍ ଲିମିଟେଡ୍ ପରିସରରେ ୧୦,୬୦୧ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଆମୋନିଆ–ୟୁରିଆ କମ୍ପ୍ଲେକ୍ସ ନିର୍ମାଣ ହେଉଛି, ଯାହାର ବାର୍ଷିକ କ୍ଷମତା ୧୩ ଲକ୍ଷ ମେଟ୍ରିକ୍ ଟନ୍। ବହୁ ସଂଖ୍ୟାରେ ଘରୋଇ ଉଦ୍ୟୋଗ ଆସାମକୁ ଆସୁଛନ୍ତି ଏବଂ ରାଜ୍ୟ ଏବେ ଆନ୍ଦୋଳନ ନୁହେଁ, ବିକାଶର ଭୂମିରେ ପରିଣତ ହୋଇଛି। ପୂର୍ବରୁ ଦିଲ୍ଲୀରେ ଆସାମକୁ ସମସ୍ୟାପୂର୍ଣ୍ଣ ରାଜ୍ୟ ଭାବେ ଦେଖାଯାଉଥିଲେ ମଧ୍ୟ, ଆଜି ଆସାମ ସମଗ୍ର ଉତ୍ତର–ପୂର୍ବର ଅଭିବୃଦ୍ଧିର ଇଞ୍ଜିନ ଭାବେ ଉଭୟ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ଏବଂ ଆସାମରେ ଦଳୀୟ ସରକାରର ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏହି ବଡ଼ ପରିବର୍ତ୍ତନ ସମ୍ଭବ ହୋଇଛି। ବିରୋଧୀ ଦଳକୁ ନେଇ ଶ୍ରୀ ଶାହ କହିଛନ୍ତି ଯେ, ସେମାନେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଇ ଆସାମର ସଂସ୍କୃତି ଓ ପରମ୍ପରାକୁ କ୍ଷତି ପହଞ୍ଚାଇଥିଲେ। ରାଜ୍ୟବାସୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ଆହ୍ୱାନ କରି ସେ କହିଛନ୍ତି ଯେ, ଆସାମକୁ ସମ୍ପୂର୍ଣ୍ଣ ଅନୁପ୍ରବେଶକାରୀମୁକ୍ତ କରିବା ହେଉଛି ସରକାରଙ୍କ ଦୃଢ଼ ସଂକଳ୍ପ।

amit shah Shah in Assam ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ
Share. Facebook Twitter LinkedIn Email WhatsApp Copy Link

Related Posts

ଲମ୍ବା ଦୂରଗାମୀ ଗାଇଡେଡ୍‌ ରକେଟ ପିନାକର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ

December 29, 2025

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

December 29, 2025

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ  

December 29, 2025
Latest News

ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ

December 29, 2025

ଲମ୍ବା ଦୂରଗାମୀ ଗାଇଡେଡ୍‌ ରକେଟ ପିନାକର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ

December 29, 2025

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

December 29, 2025

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କଲେ ଖୋର୍ଦ୍ଧା ଜିଲ୍ଲାପାଳ

December 29, 2025

ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ରେଳବାଇ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.