ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଗୁରୁବାର ଦିନ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଶଂସା କରନ୍ତି। କିନ୍ତୁ ତାଙ୍କର ସମସ୍ତ ନୀତିକୁ ସମର୍ଥନ କରନ୍ତି ନାହିଁ। ନେହେରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ। ନେହେରୁଙ୍କ ଭୁଲକୁ ସ୍ୱୀକାର କରିବା ଆବଶ୍ୟକ। କିନ୍ତୁ ସବୁକିଛି ପାଇଁ ତାଙ୍କୁ ଦୋଷ ଦେବା ଭୁଲ। ନେହେରୁଙ୍କ କାର୍ଯ୍ୟକାଳ ସମୟରେ ନେଇଥିବା କିଛି ନିଷ୍ପତ୍ତି ଭୁଲ ହୋଇପାରେ। କିନ୍ତୁ ଆମେ ତାଙ୍କୁ ସବୁକିଛି ପାଇଁ ଦାୟୀ କରିପାରିବୁ ନାହିଁ।”
ଶଶି ଥରୁର କେରଳ ବିଧାନସଭା ଆନ୍ତର୍ଜାତୀୟ ପୁସ୍ତକ ମହୋତ୍ସବରେ ବିଜେପି ସରକାର ବିଷୟରେ କହିଥିଲେ। ସେ କହିଥିଲେ ଯେ, ସେମାନେ ନେହେରୁ ବିରୋଧୀ, ସବୁକିଛି ପାଇଁ ନେହେରୁଙ୍କୁ ଦାୟୀ କରୁଛନ୍ତି। କିଛି କ୍ଷେତ୍ରରେ ନେହେରୁଙ୍କ ନିଷ୍ପତ୍ତିକୁ ଦାୟୀ କରାଯାଇପାରେ। କିନ୍ତୁ ସବୁକିଛି ପାଇଁ ତାଙ୍କୁ ଦାୟୀ କରିବା ଭୁଲ।
କଂଗ୍ରେସ ସାଂସଦ କହିଛନ୍ତି ଯେ, “ମୁଁ ଜବାହରଲାଲ ନେହେରୁଙ୍କ ଜଣେ ପ୍ରଶଂସକ। କିନ୍ତୁ ମୁଁ ତାଙ୍କର ଅନ୍ଧ ଭକ୍ତ ନୁହେଁ। ମୁଁ ତାଙ୍କର ବିଚାର ଏବଂ ଦୃଷ୍ଟିକୋଣକୁ ବହୁତ ପ୍ରଶଂସା ଏବଂ ସମ୍ମାନ କରେ। ତଥାପି ମୁଁ ତାଙ୍କର ଚିନ୍ତାଧାରା ଏବଂ ନୀତିକୁ ୧୦୦% ସମର୍ଥନ କରେ ନାହିଁ। ସେ ଏପରି ଅନେକ କାର୍ଯ୍ୟ ସାଧନ କରିଥିଲେ, ଯାହା ପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତରେ ନେହେରୁ ହିଁ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ। ମୁଁ କହିବି ନାହିଁ ଯେ, ବିଜେପି ସରକାର ଗଣତନ୍ତ୍ର ବିରୋଧୀ, କିନ୍ତୁ ସେମାନେ ନେହେରୁ ବିରୋଧୀ।”
ସେ କହିଛନ୍ତି ଯେ, ବିଜେପି ସରକାରଙ୍କ ସମାଲୋଚନା ଅନେକ କ୍ଷେତ୍ରରେ ବୁଝିବାଯୋଗ୍ୟ, ଯେପରିକି ୧୯୬୨ ଯୁଦ୍ଧରେ ଚୀନ୍ ବିପକ୍ଷରେ ପରାଜୟ। ଏହାର କିଛି ଶ୍ରେୟ ନେହେରୁଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଦିଆଯାଇପାରେ।


