ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ଭାରତୀୟ ଚାଷୀ ଏବଂ କୃଷି କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି। ବର୍ତ୍ତମାନ ଆମେରିକା ସହିତ କୃଷି ବାଣିଜ୍ୟରେ ଭାରତ 1.3 ବିଲିୟନ ଡଲାର ବଳକା ହାର ବଜାୟ ରଖିଛି। 2024ରେ ଆମେରିକାକୁ ଭାରତର କୃଷି ରପ୍ତାନି 3.4 ବିଲିୟନ ଡଲାର ଥିବାବେଳେ ଆମଦାନୀ 2.1 ବିଲିୟନ ଡଲାର ରହିଥିଲା। ଏହା କୃଷି କ୍ଷେତ୍ରରେ (ସାମୁଦ୍ରିକ ଉତ୍ପାଦକୁ ଛାଡ଼ି) ଭାରତର ସାମଗ୍ରିକ ରପ୍ତାନି ଦୃଢ଼ତାକୁ ଦର୍ଶାଇଥାଏ।
ଆମେରିକାର ପ୍ରାୟ 46 ବିଲିୟନ ଡଲାର ଆମଦାନୀ ବଜାରରେ ଭାରତକୁ ଶୂନ ଶୁଳ୍କ ସୁବିଧା ମିଳିଥାଏ। ବିଭିନ୍ନ କ୍ଷେତ୍ରରେ ଭାରତ ପୂର୍ବରୁ ଆମେରିକାକୁ 1.4 ବିଲିୟନ ଡଲାର ମୂଲ୍ୟର ରପ୍ତାନି କରି ଆସୁଛି। ଏଥିରେ ମସଲା, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ, ଫଳ, ଚା’, କଫି ଏବଂ ଅତ୍ୟାବଶ୍ୟକ ତେଲ ସାମିଲ ରହିଛି। ବର୍ତ୍ତମାନ 160 ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ଆମଦାନୀ ବଜାରରେ ଭାରତକୁ 18 ପ୍ରତିଶତ ଆପୋସ ଶୁଳ୍କର ଲାଭ ମିଳିଛି। ଏହା ନିକଟ ଭବିଷ୍ୟତରେ ଯଥେଷ୍ଟ ପରିମାଣର ରପ୍ତାନି ସମ୍ଭାବନା ସୃଷ୍ଟି କରିବ। ବିଶେଷ କରି ସାମୁଦ୍ରିକ କ୍ଷେତ୍ରରେ ପାଖାପାଖି 25 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଆମେରିକୀୟ ଆମଦାନୀ ବଜାରରେ 18% ଶୁଳ୍କ ଦର ଫଳରେ ଭାରତୀୟ ଉତ୍ପାଦ ବିସ୍ତୃତ ବଜାର ସୁଯୋଗ ସୃଷ୍ଟି ହେବ।
ଭାରତର ଆଭିମୁଖ୍ୟ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ ନିର୍ଭରଶୀଳ। ପ୍ରଥମତଃ ଭାରତର ପ୍ରମୁଖ କ୍ଷେତ୍ର ପାଇଁ ବୃହତ ରପ୍ତାନି ଲାଭ। ଦ୍ୱିତୀୟତଃ ବନ୍ୟଜାତ ଉତ୍ପାଦ ଏବଂ ତୃତୀୟତଃ, ଭବିଷ୍ୟ ଉନ୍ମୁଖୀ ଏବଂ ଜୀବିକା ଆଧାରିତ ଫସଲ। ତେଣୁ ଆମେରିକା ସହ ବାଣିଜ୍ୟ ଘରୋଇ ପ୍ରାଥମିକତାକୁ ସହାୟକ ହେବ, ଏଥିରେ ବାଧା ସୃଷ୍ଟି କରିବ ନାହିଁ।
ପ୍ରଥମ ସ୍ତମ୍ଭକୁ ଦେଖିଲେ, ଭାରତୀୟ ଚାଷୀମାନେ ଅଧିକ ପରିମାଣରେ ରପ୍ତାନିର ଲାଭ ପାଇବେ। ମସଲା, ଚା ଓ କଫି, ରାଶି, ନିର୍ଦ୍ଦିଷ୍ଟ ଫଳ ପାଇଁ ଆପୋସ ଶୁଳ୍କ ଦରକୁ 18% କିମ୍ବା 0%କୁ ହ୍ରାସ କରି ଦିଆଯାଇଛି। ଆମେରିକାର ଏସବୁ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା, ରପ୍ତାନି ପ୍ରସ୍ତୁତି ଏବଂ ଉଚ୍ଚ ମୂଲ୍ୟ ମିଳିବା ଫଳରେ ଚାଷୀଙ୍କ ଆୟ ବୃଦ୍ଧି ଭଳି ପ୍ରତ୍ୟକ୍ଷ ଲାଭ ମିଳିବ। ଆମେରିକା ଚିଙ୍ଗୁଡ଼ି ସମେତ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦ କ୍ଷେତ୍ରରେ ବିଶ୍ୱ ବଜାରରୁ ପ୍ରାୟ 24,898.06 ନିୟୁତ ଡଲାର ମୂଲ୍ୟର ଆମଦାନୀ କରିଥାଏ। ଏଥିମଧ୍ୟରୁ ଭାରତରୁ 2,457.92 ନିୟୁତ ଡଲାର ମୂଲ୍ୟର ଆମଦାନୀ କରିଥାଏ। ଏହି କ୍ଷେତ୍ରରେ ଅଧିକ ଚାହିଦା ଓ ଉଚ୍ଚ ମୂଲ୍ୟ ମିଳିବା ଯୋଗୁ ଉପକୂଳ ଅଞ୍ଚଳର ଜୀବିକା ସୁଦୃଢ଼ ହେବା ସହିତ ଭାରତ ବିଶ୍ୱ ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ। ସେହିପରି ଆମେରିକା ବିଶ୍ୱ ବଜାରରୁ 1471.26 ନିୟୁତ ଡଲାର ଏବଂ ଭାରତରୁ ପ୍ରାୟ 389.53 ନିୟୁତ ଡଲାରର ଚାଉଳ (ବାସମତି ଓ ସ୍ୱତନ୍ତ୍ର ମାନର) ଆମଦାନୀ କରିଥାଏ। ଜିଆଇ ଆଧାରିତ ମୂଲ୍ୟ କାରଣରୁ ଏହି କ୍ଷେତ୍ରରେ ବଡ଼ ବଜାର ସୁଯୋଗ ସୃଷ୍ଟି କରିବ ଯାହା ଭାରତରେ ଉଚ୍ଚ ମୂଲ୍ୟର ଚାଉଳ ଅମଳକୁ ସମର୍ଥନ କରିବ। ସେହିପରି ଆମେରିକା ବିଶ୍ୱ ବଜାରରୁ 2,010.97 ନିୟୁତ ଡଲାର ଏବଂ ଭାରତୀୟ ବଜାରରୁ 358.66 ନିୟୁତ ଡଲାର ମୂଲ୍ୟର ମସଲା ଓ ମସଲା ଜାତୀୟ ଉତ୍ପାଦ ଆମଦାନୀ କରିଥାଏ। ଏହି କ୍ଷେତ୍ରରେ ଉଚ୍ଚ ମୂଲ୍ୟ ମିଳିବା ଫଳରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଏଫପିଓଗୁଡ଼ିକ ଲାଭବାନ ହେବେ।
ଭାରତ ମସଲା ରପ୍ତାନି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବ। ଆମେରିକା ଭାରତରୁ 45.54 ନିୟୁତ ଡଲାର ମୂଲ୍ୟର ତୈଳବୀଜ ଓ ରାଶି ଆମାଦାନୀ କରିଥାଏ। ଏହି କ୍ଷେତ୍ରରେ ରାପ୍ତାନି ଆଧାରିତ ଚାହିଦା ବୃଦ୍ଧି ଫଳରେ ଭାରତରେ ଫସଲ ବିବିଧକରଣରକୁ ପ୍ରୋତ୍ସାହନ ମିଳିବ। ବିଶ୍ୱ ବଜାରରୁ ଆମେରିକା 9,379.44 ନିୟୁତ ଡଲାର ମୂଲ୍ୟର ଚା’ ଓ କଫି ଆମଦାନୀ କରୁଥିବା ବେଳେ ଭାରତରୁ 82.54 ନିୟୁତ ଡଲାର ମୂଲ୍ୟର ଆମଦାନୀ କରିଥାଏ। ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଏବଂ ପ୍ରିମିୟମ ଉତ୍ପାଦର ଚାହିଦା ବୃଦ୍ଧି ଫଳରେ ଉଦ୍ୟାନକୃଷି ଅର୍ଥବ୍ୟବସ୍ଥାକୁ ସମର୍ଥନ ମିଳିବ। ସେହିପରି ଭାରତ ପାଇଁ ଆମେରିକା ବଜାରରେ କଦଳୀ, ଆମ୍ବ ସମେତ ବିଭିନ୍ନ ଫଳ ରପ୍ତାନି ଲାଗି 37.72 ନିୟୁତ ଡଲାରର କାରବାର ସୁଯୋଗ ରହିଛି । ବିଶ୍ୱ ବଜାରରୁ ଆମେରିକା 10,513.59 ନିୟୁତ ଡଲାର ଫଳ ଆମଦାନୀ କରିଥାଏ। ତେବେ ବାଣିଜ୍ୟ ଚୁକ୍ତି ଫଳରେ ଭାରତର ଉଚ୍ଚ ମୂଲ୍ୟଯୁକ୍ତ ଉଦ୍ୟାନକୃଷି ଉତ୍ପାଦ ଚାହିଦା ଏବଂ ଲାଭ ବୃଦ୍ଧି ପାଇବ ଏହା କୃଷି ଆନୁସଙ୍ଗିକ କ୍ଷେତ୍ରକୁ ଲାଭାନ୍ୱିତ କରିବ।
ଦ୍ୱିତୀୟ ସ୍ତମ୍ଭ ଅର୍ଥାତ୍ ବନ୍ୟଜାତ ଉତ୍ପାଦ ଉପରେ ଆମଦାନୀ ଶୁଳ୍କକୁ ଆମେରିକା ସମ୍ପୂର୍ଣ୍ଣ ଉଚ୍ଛେଦ କରିଛି। ଏହି ଉତ୍ପାଦଗୁଡ଼ିକ କୃଷି ଆୟ, ଆନୁସଙ୍ଗିକ କ୍ଷେତ୍ର ଏବଂ କୃଷି-ଭିତ୍ତିକ ଜୀବିକା ସହିତ ଘନିଷ୍ଠ ଭାବରେ ଜଡିତ, ଯେଉଁଥିରେ ଏନଟିଏଫପି (କାଠ-ବିହୀନ ବନଜାତ ଦ୍ରବ୍ୟ) ଏବଂ ମୂଲ୍ୟ-ସଂଯୁକ୍ତ ଉତ୍ପାଦ ଅନ୍ତର୍ଭୁକ୍ତ। ଏହା ବିବିଧତା ଏବଂ ଅଣ-ଫସଲ ଗ୍ରାମୀଣ ଆୟକୁ ସମର୍ଥନ କରେ। ଆମେରିକାର 165.24 ନିୟୁତ ଡଲାର ବୁଣା ସାମଗ୍ରୀ ବଜାରରେ ଭାରତର ରପ୍ତାନି ପରିମାଣ 16.82 ନିୟୁତ ଡଲାର ରହିଛି। ଏହି କ୍ଷେତ୍ରରେ ଆଗକୁ ରପ୍ତାନି ବୃଦ୍ଧି ପାଇବା ଫଳରେ ଭାରତର ଜାତୀୟ ବାଉଁଶ ମିଶନକୁ ସମର୍ଥନ ମିଳିବ ଏବଂ ଏହା ମଧ୍ୟ ଗ୍ରାମୀଣ/ଜନଜାତି ଜୀବିକାକୁ ଲାଭ ପହଞ୍ଚାଇବ।
ସେହିପରି 41.31 ନିୟୁତ ଡଲାର ମୂଲ୍ୟର ଉଦ୍ଭିଦଜାତ ଉତ୍ପାଦ (ଭେଜିଟେବୁଲ ୱାକ୍ସ) ବଜାରରେ ଭାରତର ରପ୍ତାନି ପରିମାଣ 2.3 ନିୟୁତ ଡଲାର ରହିଛି। ଏହି କ୍ଷେତ୍ରରେ ମଧ୍ୟ କାରବାର ବୃଦ୍ଧି ପାଇବା ଫଳରେ ଏନଟିଏଫପି (କାଠ-ବିହୀନ ବନଜାତ ଦ୍ରବ୍ୟ) କ୍ଷେତ୍ରରେ ଆୟ ବଢ଼ିବ ଏବଂ ଭାରତର ବନ ଧନ ଯୋଜନା ମଧ୍ୟ ଏହାକୁ ସମର୍ଥନ କରିବ।
ଆମେରିକା ବିଶ୍ୱ ବଜାରରୁ 743.93 ନିୟୁତ ଡଲାର ଏବଂ ଭାରତୀୟ ବଜାରରୁ 285.51 ଭେଜିଟେବୁଲ ସ୍ୟାପ୍ସ ବା ଉଦ୍ଭିଦଜାତ ରସ ଆମଦାନୀ କରିଥାଏ। ଭାରତର ବନ୍ୟଜାତ କୃଷି ନୀତିକୁ ସମର୍ଥନରେ ଏ କ୍ଷେତ୍ରରେ ବାଣିଜ୍ୟ କାରବାର ବୃଦ୍ଧି ଫଳରେ ଉଦ୍ଭିଦ ଆଧାରିତ ଜୀବିକାକୁ ପ୍ରୋତ୍ସାହନ ମିଳିବ। ଏହାଛଡ଼ା ଭାରତର ମହୁ ଏବଂ ବାଉଁଶ ଜାତ ସାମଗ୍ରୀ ପାଇଁ ଆମେରିକା ବଜାରରେ ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନ ଏ କ୍ଷେତ୍ରରେ ଭାରତର ରପ୍ତାନି ଅତ୍ୟନ୍ତ ନଗଣ୍ୟ ରହିଛି। ତେବେ ବାଣିଜ୍ୟ ଚୁକ୍ତି ଦ୍ୱାରା ଏହି କ୍ଷେତ୍ରରେ ସୃଷ୍ଟି ହେବାକୁ ଥିବା ସମ୍ଭାବନା ଆଦିବାସୀ ଏବଂ ଉତ୍ତର ପୂର୍ବାଞ୍ଚଳର ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଏହାଛଡ଼ା ଆମେରିକାର 1,299.76 ନିୟୁତ ଡଲାର ମୂଲ୍ୟର କାଜୁ ଓ ଅନ୍ୟାନ୍ୟ ବାଦାମ ବଜାରରେ ଭାରତର ରପ୍ତାନି ମାତ୍ର 9.12 ନିୟୁତ ଡଲାର ରହିଛି । ଭାରତ ସରକାରଙ୍କ ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଏହି କ୍ଷେତ୍ରରେ ରପ୍ତାନି ଓ କାରବାର ବଢ଼ିଲେ ବ୍ୟାପକ ଜୀବିକା ସୁଯୋଗ ସୃଷ୍ଟି ହେବ।
ଶେଷରେ, ଭବିଷ୍ୟତ ଉନ୍ମୁଖୀ ଏବଂ ଜୀବିକା ଆଧାରିତ ଫସଲ ଉପରେ ମଧ୍ୟ ଆମେରିକା ଶୁଳ୍କ ଦରକୁ ଶୂନ୍ୟ ସ୍ତରକୁ ଖସାଇ ଦେଇଛି । ଭାରତରୁ ଏସବୁ ଉତ୍ପାଦର ରପ୍ତାନି ଫଳରେ କ୍ଷୁଦ୍ର ଚାଷୀ, ମହିଳା ଏବଂ ଭବିଷ୍ୟତର ବିବିଧତା କ୍ଷେତ୍ରକୁ ଲାଭ ମିଳିବ। ଭାରତ ଏହି କ୍ଷେତ୍ରରେ ରପ୍ତାନି ଜରିଆରେ ଘରୋଇ କ୍ଷମତାକୁ ବଢ଼ାଇବା ଲାଗି ଉଦ୍ୟମ ଜାରି ରଖିଛି। ଆମେରିକାରେ ପ୍ରାୟ 10,513.59 ନିୟୁତ ଡଲାର ମୂଲ୍ୟର ଫଳ ବଜାର ରହିଛି। ଭାରତ ବର୍ତ୍ତମାନ 32.72 ନିୟୁତ ଡଲାର ଡଲାର କଦଳୀ, ସପୁରି, ପିଜୁଳି, ଆମ୍ବ, କମଳା ଜାତୀୟ ଫଳ, ଅମୃତଭଣ୍ଡା, ତେନ୍ତୁଳି, କୋଳି ଆଦି ରପ୍ତାନି କରୁଛି। ତେବେ ଓଡିଓପି, ଜିଆଇ, ଏମଆଇଡିଏଚ ଯୋଜନାର ସମର୍ଥନ ବଳରେ ଏହି କ୍ଷେତ୍ରରେ ରପ୍ତାନି ଓ କାରବାର ବଢ଼ିଲେ କ୍ଷୁଦ୍ର ଜମି ମାଲିକ ଓ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀମାନେ ଲାଭ ମିଳିପାରିବ।
ଏହାଛଡ଼ା ଆମେରିକାର 758.9 ନିୟୁତ ଡଲାର ମୂଲ୍ୟର ପ୍ରକ୍ରିୟାକୃତ ଫଳ ଉତ୍ପାଦ (ଜୁସ, ଜାମ୍ ଆଦି) ବଜାରରେ ଭାରତର ଅଂଶ 34.9 ନିୟୁତ ଡଲାର ରହିଥିବା ବେଳେ ଏହି କ୍ଷେତ୍ରରେ ରପ୍ତାନି ବୃଦ୍ଧି ପାଇଲେ ମହିଳା ଓ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ଲାଭ ପାଇବେ। ଭାରତ ସରକାର ପିଏମକେଏସୱାଇ (ଖାଦ୍ୟ ପ୍ରକ୍ରିୟାକରଣ) ମାଧ୍ୟମରେ ଏ କ୍ଷେତ୍ରକୁ ସମର୍ଥନ ଯୋଗାଇ ଦେଉଛନ୍ତି। ଆମେରିକାର 759.73 ନିୟୁତ ଡଲାର ମୂଲ୍ୟର ନଡ଼ିଆ ତେଲ ଆମଦାନୀ (ଭାରତର ଅଂଶ 7.89 ନିୟୁତ ଡଲାର), 106.68 ନିୟୁତ ଡଲାର ପ୍ରସ୍ତୁତ/ସଂରକ୍ଷିତ ନଡ଼ିଆ ଆମଦାନୀ (ଭାରତର ଅଂଶ 5.65 ନିୟୁତ ଡଲାର) ଏବଂ 1,299.76 ନିୟୁତ ଡଲାର ମୂଲ୍ୟର ବାଦାମ (କାଜୁ ଆଦି) ଆମଦାନୀ (ଭାରତର ଅଂଶ 9.12 ନିୟୁତ ଡଲାର) ବଜାରରେ ଭାରତ ପାଇଁ ବ୍ୟାପକ ସମ୍ଭାବନା ରହିଛି।
ଏସବୁ କ୍ଷେତ୍ରରେ ସରକାରଙ୍କ ନାରିକେଳ ବିକାଶ ବୋର୍ଡ ଯୋଜନା, ପିଏମକେଏସୱାଇ, କାଜୁ ବୋର୍ଡ ସମର୍ଥନ ଜରିଆରେ କାରବାର ବୃଦ୍ଧି ଫଳରେ ଉପକୂଳ ଚାଷୀ, ଉଦ୍ୟାନ କୃଷି ଏବଂ ମହିଳା ଶ୍ରମଶକ୍ତିକୁ ସିଧାସଳଖ ଲାଭ ମିଳିପାରିବ। ଏହାବ୍ୟତୀତ ତୈଳବୀଜ, ରାଶି, ପନିପରିବା ଏବଂ କିଛି ମୂଳ ଜାତୀୟ ଉତ୍ପାଦ, ଛତୁ ଆଦି ଭାରତୀୟ ସାମଗ୍ରୀ ପାଇଁ ମଧ୍ୟ ଆମେରିକା ବଜାରରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ କ୍ଷୁଦ୍ର ଚାଷୀ, ଗ୍ରାମୀଣ ଏବଂ ଆଦିବାସୀ ଲୋକଙ୍କ ଜୀବିକା ପାଇଁ ଲାଭଦାୟକ ହେବ।


