ନୂଆଦିଲ୍ଲୀ: ଫେବୃଆରୀ ୧୨ ତାରିଖରେ ନାମିବିୟା ବିପକ୍ଷରେ ଭାରତର ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର ପ୍ରକାଶ ପାଇଛି। କାରଣ ଓପନର ଅଭିଷେକ ଶର୍ମା ଅସୁସ୍ଥ ହୋଇପଡ଼ିଛନ୍ତି। ଭାରତର ପରବର୍ତ୍ତୀ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ ଖେଳାଳିମାନେ ମଙ୍ଗଳବାର ଅଭ୍ୟାସ କରିଥିଲେ। କିନ୍ତୁ ଅଭିଷେକ ଶର୍ମା ପ୍ରଶିକ୍ଷଣ ଅଧିବେଶନର ଅଂଶ ନଥିଲେ।
ମଙ୍ଗଳବାରର ଅଧିକାଂଶ ଭାରତୀୟ ଖେଳାଳି ପ୍ରଶିକ୍ଷଣ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଆଘାତରୁ ଫେରିଥିବା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ଟିମ୍ ଇଣ୍ଡିଆ ସହିତ ଦିଲ୍ଲୀରେ ଅଛନ୍ତି। ସୁନ୍ଦରଙ୍କୁ ମଧ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଥିଲା। ପ୍ରଶିକ୍ଷକ ରିଆନ୍ ଟେନ୍ କହିଛନ୍ତି ଯେ, ଅଭିଷେକ ଶର୍ମା ଏବେ ବି ଅସୁସ୍ଥ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ସେ ଅସୁସ୍ଥ ଥିବା ସମୟରେ ଆମେରିକା ବିପକ୍ଷରେ ମ୍ୟାଚ୍ ଖେଳିଥିଲେ।
ଭାରତୀୟ ପ୍ରଶିକ୍ଷକ ରିଆନ୍ ଟେନ୍ କହିଛନ୍ତି ଯେ, “ଅଭିଷେକ ଶର୍ମା ବର୍ତ୍ତମାନ ପେଟ ସମସ୍ୟାରେ ପୀଡିତ। ଆମେ ଆଶା କରୁଛୁ ଯେ, ସେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରନ୍ତି ଏବଂ ପରବର୍ତ୍ତୀ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ।” ଆମେରିକା ବିପକ୍ଷ ମ୍ୟାଚ୍ରେ ଅଭିଷେକ ତାଙ୍କର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ ଏବଂ ଅସୁସ୍ଥତା ହେତୁ ଫିଲ୍ଡିଂକୁ ମଧ୍ୟ ଆସି ନଥିଲେ।
କ’ଣ ସଞ୍ଜୁ ସାମସନ୍ ସ୍ଥାନ ପାଇବେ?
ସଞ୍ଜୁ ସାମସନ୍ ମଧ୍ୟ ନେଟ୍ସରେ ଝାଳ ବୁହାଇଥିବା ଦେଖାଯାଇଥିଲା। ଅନୁମାନ କରାଯାଉଛି ଯେ, ଯଦି ଅଭିଷେକ ଶର୍ମା ଫେବୃଆରୀ ୧୨ ତାରିଖ ପୂର୍ବରୁ ଫିଟ୍ ହୋଇପାରିବେ ନାହିଁ, ତେବେ ସଞ୍ଜୁ ସାମସନ୍ଙ୍କ ଦଳକୁ ଫେରିପାରନ୍ତି।


