ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହଲଚଲ ବୃଦ୍ଧି ପାଇଛି। ବଙ୍ଗଳା ରାଜ୍ୟପାଳ ସିଭି ଆନନ୍ଦ ବୋଷ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ବୋଷଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ
ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, “ପଶ୍ଚିମବଙ୍ଗ ରାଜ୍ୟପାଳ ବୋଷଙ୍କ ହଠାତ୍ ଇସ୍ତଫା ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଗଭୀର ଚିନ୍ତିତ। ମୁଁ ତାଙ୍କ ଇସ୍ତଫାର କାରଣ ଜାଣିନାହିଁ। ତଥାପି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ କିଛି ରାଜନୈତିକ ସ୍ୱାର୍ଥ ପୂରଣ କରିବା ପାଇଁ ରାଜ୍ୟପାଳଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଚାପ ପକାଇଲେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ।”
ସେ କହିଛନ୍ତି ଯେ, “କେନ୍ଦ୍ର ଗୃହମନ୍ତ୍ରୀ ମୋତେ ସୂଚନା ଦେଇଛନ୍ତି ଯେ ଆର.ଏନ. ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ନିଯୁକ୍ତ କରାଯାଉଛି।” ମମତା ବାନାର୍ଜୀ କହିଛନ୍ତି ଯେ, “ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ସେ (ଅମିତ ଶାହ) ଏ ସମ୍ପର୍କରେ ମୋ ସହିତ ପରାମର୍ଶ ନେଇ ନାହାଁନ୍ତି। ଏପରି ପଦକ୍ଷେପ ଭାରତୀୟ ସମ୍ବିଧାନର ଆତ୍ମାକୁ ଦୁର୍ବଳ କରେ ଏବଂ ଆମର ସଂଘୀୟ ଢାଞ୍ଚାର ମୂଳଦୁଆକୁ ଆଘାତ କରେ।” କେନ୍ଦ୍ର ସରକାର ସହଯୋଗ ସଂଘୀୟ ନୀତିକୁ ସମ୍ମାନ ଦେବା ଉଚିତ ଏବଂ ଗଣତାନ୍ତ୍ରିକ ପରମ୍ପରା ଏବଂ ରାଜ୍ୟଗୁଡ଼ିକର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଥିବା ଏକପାଖିଆ ନିଷ୍ପତ୍ତି ନେବାରୁ ବିରତି ରହିବା ଉଚିତ।


