ଭୁବନେଶ୍ବର: ଓଡିଶା ମାଟି ତଳେ ଯେ, କେବଳ ଲୁହା ଓ ବକ୍ସସାଇଟ ଅଛି ତାହା ନୁହେଁ। ଏହି ମାଟି ତଳେ ମଧ୍ୟ ହୀରା ଓ ମାଣିକ ପଥରର ସନ୍ଧାନ ମିଳିଛି। ଆଜି ବିଧାନ ସଭାରେ ଏହି ଉତ୍ତର ରଖିଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ଯେ, ଓଡିଶାର ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅଧିନରେ ଥିବା କାଲମିଦାଦର ଅଞ୍ଚଳରେ ଏହି ସନ୍ଧାନ ମିଳିଛି। ତେବେ ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି।
ସେହିପରି ସେ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ-ଜିଲିଙ୍ଗିବାର ମାଣିକ ପଥର ଖଣି ଥିବାର ସନ୍ଧାନ ମଧ୍ୟ ମିଳିଛି। ସେ ନେଇ ମଧ୍ୟ ଅଧିକ ଅନୁସନ୍ଧାନ ଚାଲିଛି। ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵା ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି ।
ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି । କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି।


