ନୂଆଦିଲ୍ଲୀ: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍ରେ “ଏଲପିଜି ଚାର୍ଜ”, “ଗ୍ୟାସ ସର୍ଚାର୍ଜ” ଏବଂ “ଇନ୍ଧନ ମୂଲ୍ୟ ଭରଣା” ଭଳି ଅତିରିକ୍ତ ଶୁଳ୍କ ଆଦାୟକୁ ବେଆଇନ ବୋଲି କହିଛନ୍ତି।
ଗ୍ରାହକ ସୁରକ୍ଷା ଆଇନ-୨୦୧୯ ଅନୁସାରେ ଏହିଭଳି କାର୍ଯ୍ୟକୁ ଅସାଧୁ ବୋଲି ଦର୍ଶାଯାଇଛି। ସର୍ଭିସ ଚାର୍ଜ ସମ୍ପର୍କିତ ବିଦ୍ୟମାନ ନିର୍ଦ୍ଦେଶାବଳୀକୁ ଏଡ଼ାଇବା ପାଇଁ ଏଭଳି ଚାର୍ଜଗୁଡିକ ପୂର୍ବ ନିର୍ଦ୍ଧାରିତ ଭାବେ ଲଗାଯାଉଥିବା ଲକ୍ଷ୍ୟ କରି, ପ୍ରାଧିକରଣ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ର ଧାରା ୧୦ ଅନୁଯାୟୀ ଏକ ନୂତନ ପରାମର୍ଶାବଳୀ ଜାରି କରିଛନ୍ତି। ଏଥିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଏଭଳି କୌଣସି ଚାର୍ଜ ସ୍ୱୟଂଚାଳିତ ଭାବେ ଲଗାଯାଇପାରିବ ନାହିଁ। ପୁଣି ଏହାର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଜାତୀୟ ଗ୍ରାହକ ହେଲ୍ପଲାଇନରେ ପ୍ରାପ୍ତ ଅଭିଯୋଗ ଏବଂ ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ସିସିପିଏ ଏହିଁ ଦୃଢ ନିର୍ଦେଶାବଳୀ ଜାରି କରିଛନ୍ତି. ସିସିପିଏ ଲକ୍ଷ୍ୟ କରିଛି ଯେ, କେତେକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମେନୁରେ ଦର୍ଶାଯାଇଥିବା ଖାଦ୍ୟ ଓ ପାନୀୟର ମୂଲ୍ୟ ଏବଂ ପ୍ରଯୁଜ୍ୟ ଟିକସ ବ୍ୟତୀତ, ଗ୍ରାହକ ବିଲ୍ରେ ପୂର୍ବ ନିର୍ଦ୍ଧାରିତ ଭାବେ ଏଭଳି ଚାର୍ଜ ଆଦାୟ କରୁଛନ୍ତି। ଏହିଭଳି କାର୍ଯ୍ୟକଳାପ ସ୍ୱଚ୍ଛତାର ଅଭାବ ସୃଷ୍ଟି କରିବା ସହ ଗ୍ରାହକଙ୍କ ଉପରେ ଅଯଥା ଖର୍ଚ୍ଚ ଲଦିଦେଉଥିବା ସିସିପିଏ ବିବେଚନା କରିଛି।
“ଏଲପିଜି ଚାର୍ଜ” କିମ୍ବା ସେହିଭଳି ଅନ୍ୟ କିଛି ଚାର୍ଜ ଆଦାୟ କରିବାକୁ ଆଇନର ପ୍ରାବଧାନକୁ ଏଡାଇବାର ପ୍ରୟାସ ବୋଲି କହିଛି ସିସିପିଏ।
ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ ଇନ୍ଧନ, ଏଲପିଜି, ବିଦ୍ୟୁତ ଏବଂ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ହେଉଛି ବ୍ୟବସାୟ ଚଳାଇବା ପାଇଁ ଲାଗୁଥିବା ଖର୍ଚ୍ଚର ଗୋଟିଏ ଗୋଟିଏ ଅଂଶବିଶେଷ ଏବଂ ଏହାକୁ ମେନୁରେ ଥିବା ସାମଗ୍ରୀର ମୂଲ୍ୟ ନିର୍ଧାରଣରେ ଅନ୍ତର୍ଭୁକ୍ତ କରାଯିବା ଉଚିତ।
ପୃଥକ ବାଧ୍ୟତାମୂଳକ ଚାର୍ଜ ମାଧ୍ୟମରେ ଏଭଳି ଖର୍ଚ୍ଚ ଆଦାୟ କରିବା ଆଇନର ଧାରା ୨(୪୭) ଅନୁଯାୟୀ ଅସାଧୁ ବ୍ୟାପାର ହୋଇଥାଏ.
ପ୍ରାଧିକରଣ ପକ୍ଷରୁ ଜାରି ପରାମର୍ଶାବଳୀ ମାଧ୍ୟମରେ କୁହାଯାଇଛି :
• କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ବିଲ୍ରେ ପୂର୍ବ ନିର୍ଦ୍ଧାରିତ କିମ୍ବା ସ୍ୱୟଂଚାଳିତ ଭାବରେ “ଏଲପିଜି ଚାର୍ଜ”, “ଗ୍ୟାସ ଚାର୍ଜ” କିମ୍ବା ସେହିଭଳି ଚାର୍ଜ ଆଦାୟ କରିପାରିବେ ନାହିଁ।
• ମେନୁରେ ଦର୍ଶାଯାଇଥିବା ମୂଲ୍ୟ ହିଁ ଚୂଡ଼ାନ୍ତ ମୂଲ୍ୟ ହେବ, ଯେଉଁଥିରେ କେବଳ ପ୍ରଯୁଜ୍ୟ ଟିକସ ଅଲଗା ରହିବ।
• ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବା ପାଇଁ ବିଭ୍ରାନ୍ତ କିମ୍ବା ବାଧ୍ୟ କରାଯିବ ନାହିଁ, ଯାହା ସ୍ୱେଚ୍ଛାକୃତ ନୁହେଁ।
ଏହି ପରାମର୍ଶାବଳୀରେ ପୁନର୍ବାର କୁହାଯାଇଛି ଯେ, ଯେକୌଣସି ନାମରେ ହେଉ ନା କାହିଁକି, ଏଭଳି ଚାର୍ଜଗୁଡିକ ସର୍ଭିସ ଚାର୍ଜ କିମ୍ବା ଅତିରିକ୍ତ ଶୁଳ୍କ ଶ୍ରେଣୀଭୁକ୍ତ ଏବଂ ଏହାକୁ ପୂର୍ବ ନିର୍ଦ୍ଧାରିତ ଭାବେ ଆଦାୟ କରିବା ସିସିପିଏ ର ୦୪.୦୭.୨୦୨୨ ତାରିଖର ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହେବ ଏବଂ ଏଥିପାଇଁ ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଗ୍ରାହକ ଅଭିଯୋଗର ସମାଧାନ
ଯେଉଁ ଗ୍ରାହକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ନିମ୍ନଲିଖିତ ପଦକ୍ଷେପ ନେଇପାରିବେ ବୋଲି ସିସିପିଏ ପକ୍ଷରୁ କୁହାଯାଇଛି.
• ବିଲ୍ ରୁ ସେହି ଚାର୍ଜ ହଟାଇବା ପାଇଁ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଅନୁରୋଧ କରନ୍ତୁ।
• ୧୯୧୫ ନମ୍ବରରେ କଲ୍ କରି କିମ୍ବା ଜାତୀୟ ଖାଉଟି ସହାୟତା ମୋବାଇଲ୍ ଆପ୍ ମାଧ୍ୟମରେ ନ୍ୟାସନାଲ କଞ୍ଜୁମର ହେଲ୍ପଲାଇନରେ ଅଭିଯୋଗ କରନ୍ତୁ।
• ଇ-ଜାଗୃତି ପୋର୍ଟାଲ ମାଧ୍ୟମରେ ସମ୍ପୃକ୍ତ ଗ୍ରାହକ କମିଶନଙ୍କ ନିକଟରେ ଅଭିଯୋଗ ଦାୟର କରନ୍ତୁ।
• ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ସିଧାସଳଖ ସିସିପିଏ ନିକଟରେ ଅଭିଯୋଗ ଦାଖଲ କରନ୍ତୁ।
ସିସିପିଏ ପକ୍ଷରୁ କୁହାଯାଇଛଜ ଯେ ସାରା ଦେଶରେ ଏଭଳି ବବ ଆଇନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରକହାଯାଇଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଅସାଧୁ କିମ୍ବା ଅନଧିକୃତ ଚାର୍ଜ ଆଦାୟ ସହିତ ଯେକୌଣସି ଉଲ୍ଲଂଘନର ଉଚିତ ମୁକାବିଲା କରାଯିବ ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିସିପିଏ ସ୍ପଷ୍ଟ କରିଛି।


