
ଭୁବନେଶ୍ୱର: ବିଜେଡି, କଂଗ୍ରେସ ଛାଡି କୋରାପୁଟ, କଟକ ଓ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷା, ଜିଲା ବିଜେଡି ଉପସଭାପତିଙ୍କ ସମେତ ବହୁ ସରପଂଚ ଓ ଏସ୍ଡିସି ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟର ଜୟପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତିଳୋତମା ମୁଦୁଲିଙ୍କ ନେତୃତ୍ୱରେ ସରପଂଚ ଶ୍ରୀ ଆନନ୍ଦ ହାଲୁଆ, ଶ୍ରୀ ଟଙ୍କଧର ହାଲୁଆଙ୍କ ସମେତ ୧୩ ସରପଂଚ, ୧୪ ସମିତି ସଭ୍ୟ ଓ ୧୧ ଜଣ ଏସ୍ଡିସି (ସ୍ପେଶାଲ ଡେଭଲପମେଂଟ୍ କାଉନ୍ସିଲ) ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି କଟକ ଜିଲା ବିଜେଡି ଉପସଭାପତି ତଥା ପୂର୍ବତନ ସରପଂଚ, ସମିତି ସଭ୍ୟ, ଆତ୍ମା କମିଟି ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ସରପଂଚ ପ୍ରତିମା ମଲ୍ଲିକଙ୍କ ୱାର୍ଡ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ରୀନା ସ୍ୱାଇଁ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତା ବିଜେପିରେ ଯୋଗଦେଇଛନ୍ତି ।
ଯାଜପୁର ଜିଲାର ଚିଟାଳୋ ପଂଚାୟତର ପୂର୍ବତନ ସରପଂଚ ଦିଲୀପ ମହାନ୍ତି, ପୂର୍ବତନ ପଂଚାୟତ ସମିତି ସଭ୍ୟ ନିରୁପମା ସେଠୀଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମଲ ହୋଇଛନ୍ତି ।
ସମସ୍ତ ନୂତନ କର୍ମକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନିଆଳି ବିଧାୟକ ଛବି ମଲ୍ଲିକ, ପୂର୍ବତନ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରତ ବିଶ୍ୱାଳ, ସ୍ୱଚ୍ଛ ଭାରତ ଅଭିଯାନର ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ବିଶ୍ୱାଳ, ଯାଜପୁର ଜିଲା ସଭାପତି ଗୌତମ ରାୟ, ଯାଜପୁର ଜିଲାର ବରିଷ୍ଠ ନେତା ସୁବାଷ ମହାନ୍ତି, ମଣ୍ଡଳ ସଭାପତି ଶ୍ରୀନିବାସ ପରିଡ଼ା, ଶିକ୍ଷକ ସେଲର ରାଜ୍ୟ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁଜିତ୍ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।