ଭୁବନେଶ୍ବର: ଅନ ଲାଇନରେ ମିଳିପାରିବ ନାହିଁ ମହାପ୍ରସାଦ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କେତେକ ସଂସ୍ଥା ମହାପ୍ରସାଦକୁ ଅନ ଲାଇନରେ ବିକ୍ରି କରିବାକୁ ଆବେଦନ କରିଥିଲେ। ହେଲେ ସେସବୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ସେଗୁଡିକୁ ବାତିଲ କରି ଦିଆଯାଇଛି। ମହାପ୍ରସାଦର ଗୁଣବତ୍ତା ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି।
ଜଗନ୍ନାଥ ମହାପ୍ରସାଦକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ କେତେକ ସଂସ୍ଥା ଅନଲାଇନରେ ତାହା ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିଲେ। ସେମାନେ ମହାପ୍ରସାଦ ଏବଂ ଶୁଖିଲା ଭୋଗକୁ ଅନଲାଇନରେ ବିକ୍ରି କରିବା ପାଇଁ ଉଲ୍ଲେଖ କରିଥିଲେ। ସେହି ଆବେଦନକୁ ବିଚାର କରାଯାଇ ତାହାକୁ ବାତିଲ କରାଗଲା ବୋଲି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟ ମନ୍ଦିରରେ ଅନଲାଇନ ବ୍ୟବସ୍ଥା ଥିଲେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ନିଆରା ବୋଲି ସେ କହିଥିଲେ। ମହାପ୍ରସାଦକୁ ନେଇ ବ୍ୟବସାୟ କରିବା ଠିକ ହେବ ନାହିଁ ବୋଲି ବିଚାର କରି ଏହି ନିଷ୍ପତି ଗ୍ରହଣ କରାଯାଇଛି।