ଭୁବନେଶ୍ବର: କିଛି ଦିନ ଧରି ନିରବତା ଅବଲମ୍ବନ କରୁଥିଲେ। ହେଲେ ହଠାତ ଥିଲେଥିଲେ ଏକ ବାଣ ଫୁଟାଇ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ ଯାହା କହିଲେ ତାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବଡ ଚର୍ଚ୍ଚା। ସେ ଏମିତି କାହିଁକି କହିଲେ ଆଉ କାହାକୁ ଦେଖାଇ କହିଲେ ସେ ନେଇ ଚାଲିଛି ଆଲୋଚନା।
ଏକ ସଭାରେ ବିଧାୟକ ଅରୁଣ ସାହୁ କହିଲେ ଯେ, ତମେ କଣ ବାବୁ ପଣିଆ ଦେଖେଇ ହେଉଛି, ସମସ୍ତେ ବାବୁ ପଣିଆ ଦେଖି ହେବେ। ଓଡିଶାର ଦୁର୍ଗତି ପଛରେ ଯିଏ ଅଛି ତାଙ୍କର ମୁଖା ଖୋଲିଦେବି। ମୋ ମନରେ ବିଦ୍ରୋହର ନିଆଁ କୁହୁଳୁଛି। ଜାଳିପୋଡି ପାଉଁଶ କରିଦେବି ବୋଲି ଅରୁଣ କହିଛନ୍ତି।
ତେବେ ଅରୁଣ କେଉଁ ବାବୁଙ୍କୁ ଏପରି କହିଛନ୍ତି ସେ କଥା ସ୍ପଷ୍ଟ କରି ନାହାଁନ୍ତି। କାହାକୁ ଏପରି ଇଙ୍ଗିତ କରିଛନ୍ତି ତାହା ମଧ୍ୟ ଉଲ୍ଲେଖ କରି ନାହାଁନ୍ତି। ହେଲେ ସେ କଣ ପାଣ୍ଡିଆନଙ୍କୁ ଦେଖାଇ ଏପରି କରିଛନ୍ତି କି ବୋଲି ଚର୍ଚ୍ଚା ଚାଲିଛି।
ପୂର୍ବରୁ ମଧ୍ୟ ଅରୁଣ ସେହିପରି ପରୋକ୍ଷରେ ପାଣ୍ଡିଆନଙ୍କୁ ତେରଚ୍ଛା ବାଣ ମାରିଥିଲେ। ସେ କହିଥିଲେ ଯେ, ଦଳ ଭିତରେ ସଂସ୍କାର ଆସିବା ଦରକାର। ରାସ୍ତାରେ ଚାଲୁଚାଲୁ କିଛି ଭୁଲ ହୋଇଯାଏ। ହେଲେ ସେଥିରେ ସୁଧାର ଆଣିବା ଦରକାର। ବର୍ତ୍ତମାନ ସମୟ ଆସିଛି ବିଜେପିକୁ ବିରୋଧ କରିବା। ନଚେତ ଲୋକେ ଆମକୁ ଆଉ କ୍ଷମା କରିବେ ନାହିଁ।
ଅରୁଣ ଦଳରେ ସଂସ୍କାର ନାହିଁ ବୋଲି କହିବା ଅର୍ଥ ଦଳ ଠିକ ଚାଲି ନାହିଁ। ସେହିପରି ବିଜେପିକୁ ବିରୋଧ କରିବା ଅର୍ଥ କାହିଁକି ୱାକଫ ବିଲକୁ ସମର୍ଥନ କଲ। ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ବିଜେଡି ଭିତରେ ସେତେବେଳେ ମଧ୍ୟ ବେଶ ଚର୍ଚ୍ଚା ଚାଲିଥିଲା।