କେଦାର ମିଶ୍ର
ମାତ୍ର ଦେଢ ଘଣ୍ଟାର ବାତ୍ୟା ପରେ –
ଟେଲିଫୋନ ସବୁ ଅଚଳ।
ଇଣ୍ଟରନେଟ ସାତ ସ୍ଵପ୍ନ।
ଡ଼େବିଟ କାର୍ଡ/କ୍ରେଡିଟ କାର୍ଡ ଅଛି, ହେଲେ ପାଣି ଗିଲାସେ କିଣିବା ସମ୍ଭବ ନୁହେଁ। ତମରଓଲା, ଉବର, ଗୁଗୁଲ ମ୍ୟାପ, ଜମାଟୋ , ସ୍ଵୀଗୀ ସବୁ ସବୁ ମିଛ। ଦେଢ ଘଣ୍ଟାର ପବନ ପରେ ମୁଁ ଗୋଟେ କଥା ବୁଝି ଯାଇଛି, ଯଦି ତମ ପାଖରେ କାଗଜ ନାଇଁ ତମର ଅସ୍ତିତ୍ଵ ଇ ନାଇଁ। ବାତ୍ୟା ପବନରେ କୁଆଡେ ଗୋଟେ ଛିଣ୍ଡା ଡାଳ ପଡି ପଡି ରହିଛି ଡିଜିଟାଲ ଇଣ୍ଡିଆ ର ସ୍ଵପ୍ନ। ଏଟିଏମ ରେ ପଇସା ନାଇଁ, ବୁଝା ପଡୁଛି।ବିନା ବିଜୁଳିରେ ମେସିନ କାମ ନ କରିବା ସ୍ଵାଭାବିକ। ହେଲେ ବ୍ୟାଙ୍କରେ ବି ପଇସା ମିଳୁନି କାରଣ ଲିଙ୍କ ନାଇଁ। ଗୋଟେ ନଗଦ ବିହୀନ ଅର୍ଥନୀତିର କଥା କହୁଥିବା କୁହାଳିଆ ଅର୍ଥନୀତିଜ୍ଞମାନେ ଏବେ ଭୁବନେଶ୍ଵର ଓ ପୁରୀ ଆସି ନିଜ ସ୍ଵପ୍ନର ସତ୍ୟତା ବିଷୟରେ ଥରେ ଭାବିବା ଉଚିତ। ବାତ୍ୟାରେ ବାଏଁ ବାଏଁ ଉଡିଯାଉଥିବା ମୋବାଇଲ ଟାୱାର କୁ ଭରସା କରି ଆମର ଭାଗ୍ୟ ନିୟନ୍ତ୍ରଣ କରିବାର ପାଗଳାମୀ ଯୋଗୁଁ ଆଜି ଲକ୍ଷ ଲକ୍ଷ ଲୋକ ହାତରେ ପଇସା ଥାଇ ହୀନସ୍ତା ହେଉଛନ୍ତି।
ଆଜି ଗୋଟେ ରିପୋର୍ଟ ପଢୁଥିଲି। ଆସନ୍ତା ମଇ ୧୩ ତାରିଖ ସୁଦ୍ଧା ପୁରୀରେ ବ୍ୟାଙ୍କ ବ୍ୟବସ୍ଥା ସ୍ଵାଭାବିକ ହେବ। ୩ ରୁ ୧୩, ଦଶ ଦିନ ବ୍ୟାପୀ ଲୋକେ କରିବେ କଣ? ବାସ୍ତବତା ହେଉଛି, ଲୋକେ ହାତରେ ପଇସା ଥାଇ ଭିକାରି ହୋଇ ଯାଇଛନ୍ତି। ଡିଜିଟାଲ ଇଣ୍ଡିଆର ଏହା ବୋଧେ ସବୁଠୁ ବଡ ସଫଳତା। ନାଗରିକକୁ ଆର୍ଥିକ ଭାବରେ ପରାଧୀନ କରିବାର ଏହା ସବୁଠୁ ସଫଳ ଷଡଯନ୍ତ୍ର। ଏକଥା କହିଲା ବେଳେ ଡିଜିଟାଲ ଇଣ୍ଡିଆର ସୁବିଧାକୁ ମୁଁ ଅସ୍ଵୀକାର କରୁନି। ବ୍ୟାଙ୍କ ଓ ଯୋଗାଯୋଗ ବ୍ୟବସ୍ଥାରେ ବହୁତ ବଡ ପରିବର୍ତ୍ତନ ଆସିଛି, ଏ କଥା ମଧ୍ୟ ଠିକ। ହେଲେ ପ୍ରାକୃତିକ ବିପର୍ଯୟ ବେଳେ ମଣିଷ ଯେତେବେଳେ ସବୁଠୁ ବେଶୀ ଅସହାୟ ସେତେବେଳେ ଡିଜିଟାଇଜେସନ ଆମର କି କାମରେ ଲାଗୁଛି? ଯଦି ମୋ ତଣ୍ଟି ଶୁଖି ଯାଉଛି, ଯଦି ମୋ ପାଖରେ କାର୍ଡ ଅଛି, ଯଦି ଦୋକାନରେ ପାଣି ବୋତଲ ଅଛି, ମୁଁ ତାକୁ କିଣିବାରେ ସମର୍ଥ ନୁହେଁ କାହିଁକି? ବିଜୁଳି ନାଇଁ ତ ନେଟ କାମ କରୁନି। ନେଟ ନାଇଁ ତ ଲିଙ୍କ କାମ କରୁନି। ମୁଁ ପାଣି ଦେଖି ଦେଖି ଶୋଷରେ ମରୁଛି।
ଆଜି ସବୁଠୁ ବଡ ଚିନ୍ତାର ବିଷୟ ହେଉଛି, ବନ୍ୟା, ବାତ୍ୟା ଓ ଭୂମିକମ୍ପ ପରବର୍ତ୍ତୀ ସ୍ଥିତିରେ ଆମର ଅର୍ଥନୈତିକ ପରିଚାଳନାର ବିକଳ୍ପ କଣ? ପୂରା ଡିଜିଟାଲ ବ୍ୟବସ୍ଥା ଉପରେ ଜୀବନ ନିର୍ଭରଶୀଳ ହୋଇ ପାରିବ କି? ଆମକୁ କେଉଁଠି ନା କେଉଁଠି ଏକ ପାରମ୍ପାରିକ ବ୍ୟବସ୍ଥାକୁ ସକ୍ରିୟ କରି ରଖିବା ଜରୁରୀ। ବ୍ୟାଙ୍କ ବ୍ୟବସ୍ଥାରୁ ଲେଜର ବ୍ୟବସ୍ଥା ଉଠିଗଲା ପରେ ବିନା ଲିଙ୍କରେ ଗ୍ରାହକ ଆଉ ପଇସା ପାଇବନି। ଏହା ଏକ ପ୍ରକାର ସମ୍ବିଧାନ ବିରୋଧୀ ବ୍ୟବସ୍ଥା। କୌଣସି ବ୍ୟବସ୍ଥା ଜରିଆରେ ନାଗରିକର ଆର୍ଥିକ ସ୍ଵାଧୀନତା ଅପହରଣ କରାଯାଇପାରିବ ନାଇଁ।