Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡିଶାର ଗଣଶିକ୍ଷା ମନ୍ତ୍ରୀଙ୍କୁ ସାଧାରଣ ଜଣେ ନାଗରିକର ଖୋଲା ଚିଠି- ମନ୍ତ୍ରୀ ମହୋଦୟ ଏ ଚିଠି ପଢିବା ହେବେ କି!!
ମତାମତ

ଓଡିଶାର ଗଣଶିକ୍ଷା ମନ୍ତ୍ରୀଙ୍କୁ ସାଧାରଣ ଜଣେ ନାଗରିକର ଖୋଲା ଚିଠି- ମନ୍ତ୍ରୀ ମହୋଦୟ ଏ ଚିଠି ପଢିବା ହେବେ କି!!

June 19, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ 

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ନମସ୍କାର ।

ସାର୍ , ଆପଣ ଆମ ନିର୍ବାଚନମଣ୍ଡଳିର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇ ଥିବାରୁ ମୁଁ ଖୁସୀ । ଏହି ପତ୍ର ଜରିଆରେ ଆପଣଙ୍କ ଦୄଷ୍ଟି ଆକର୍ଷଣ କରିବାକୁ ଜରୁରୀ ମନେ କଲି । ଆମ ଅଞ୍ଚଳରୁ ଜିତି ଯଦି ଜଣେ ସଫଳତମ ଶିକ୍ଷା ମନ୍ତ୍ରୀରୁପେ ଆପଣ ନିଜକୁ ପ୍ରମାଣ କରନ୍ତି, ତେବେ ମୋ ଠାରୁ ବେଶି ଖୁସି ଆଉ କିଏ ହେବ ? ତେଣୁ ଆଉ ବେଶି ଡେରି ନକରି ଚଟାପଟ୍ କେତୋଟି ବିନ୍ଦୁ ଆପଣଙ୍କ ଗୋଚରାର୍ଥେ ରଖୁଛି ।

(୧) ଆପଣ କହିଛନ୍ତି ଯେ ସରକାରୀ ସ୍କୁଲରେ ଥିବା ଖାଲିପଦ ସବୁ ଖୁବ୍ ଶୀଘ୍ର ପୂରଣ କରାଯିବ । +୨ କଲେଜରେ ଖାଲିଥିବା ପଦବୀ ତାଲିକା ଓପିଏସସିକୁ ଦିଆଯିବ ।

କେତେ ଶୀଘ୍ର ପୁରଣ କରାଯିବ ଆପଣ ସେ ବିଷୟରେ କିଛି କହି ନାହାନ୍ତି । ଯଦି ଆପଣଙ୍କ ପ୍ରତିଶୄତି ମୁତାବକ ନୂତନଭାବେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକମାନେ ଏବେ ଥିବା ଅନ୍ୟାନ୍ୟ ସରକାରୀ ଶିକ୍ଷକଙ୍କ ସହିତ ସମାନ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇବେ ତେବେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦରମା, ଅବସର କାଳୀନ ସୁବିଧା ବି ସେଇମାନଙ୍କ ସଙ୍ଗେ ସମାନ କରାଯାଉ । ସେମାନେ ବି ସରକାରଙ୍କ ଅନୁମତି ଓ ପ୍ରତିଶୄତି ପାଇବା ପରେ ନିଯୁକ୍ତି ପାଇଛନ୍ତି । ଯଦି ତାହା ହୁଏ ତେବେ ସରକାର କେତେ ଟଙ୍କା ଦରମା ବାବଦରେ ଖର୍ଚ୍ଚ କରିବେ ସେ ବିଷୟରେ ଜଣାନ୍ତୁ ଓ ସେଥିପାଇଁ ବଜେଟ ବ୍ୟୟ ବରାଦ ମଧ୍ୟ ହେଉ । ତା’ ଛଡା, ଓପିଏସସି ଆଜି ପର୍ଯ୍ୟନ୍ତ କୌଣସି ପରୀକ୍ଷା ବିନା ଗୋଳମାଳରେ, ବିନା ବିବାଦରେ ଓ ଠିକ୍ ସମୟରେ କରି ନାହିଁ । ପ୍ରତିଟି ପରୀକ୍ଷା ଗୋଳମାଳିଆ ହୋଇଛି । ପରୀକ୍ଷା ପରେ ବି ଫଳ ବାହାରିବାରେ ଅନେକ ବିଳମ୍ବ ହୋଇଛି । କିନ୍ତୁ ଆପଣଙ୍କ ମନ୍ତ୍ରୀତ୍ବ ସମୟରେ ଯଦି ଏ ସମସ୍ୟା ଦୁର ହୋଇଯାଏ ମୁଁ ଖୁସୀ ହେବି ।

ଆଉ ଗୋଟିଏ କଥା । ଆପଣ ଜଣାଇବେ କି, ରାଜ୍ୟରେ ବର୍ତମାନ କେତୋଟି ଶିକ୍ଷକ ପଦ ଖାଲି ପଡିଛି, ବିଷୟଭିତ୍ତିକ ଶିକ୍ଷକ ଅଛନ୍ତି ନା ନାହିଁ ଓ ପ୍ରଧାନ ଶିକ୍ଷକ ପଦବୀ କାହିଁକି ଦୀର୍ଘଦିନ ଧରି ପୂରଣ ହେଉନାହିଁ ? ଶିକ୍ଷକଙ୍କୁ ଅଣଶିକ୍ଷା କାର୍ଯ୍ୟରେ କେତେ ଦିନ ନିଯୁକ୍ତ କରାଯାଏ ? ଦିଲ୍ଲୀରେ ଆପ୍ ସରକାର ଆସିବାଠାରୁ ଶିକ୍ଷକମାନଙ୍କୁ ଅଣଶିକ୍ଷା କାମରେ ଲଗାଯିବା ବନ୍ଦ କରାଯାଇଛି । ପ୍ରତ୍ୟେକ ସ୍କୁଲରେ ପାଠପଢେଇବା ବ୍ୟତୀତ ଅନ୍ୟକାମ ଦେଖିବା ପାଇଁ ଜଣିଏ ଲେଖାଏଁ ଇଷ୍ଟେଟ୍ ମ୍ୟାନେଜର ନିଯୁକ୍ତ କରାଯାଇଛି । ଆପଣ ଓଡିଶାରେ ବି ସେପରି କରିବେ କି ?

ତା’ ଛଡା ଆମ ଓଡିଶାର ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ସେ ଅଞ୍ଚଳର ବୋଲି ଜାଣିଛନ୍ତି କି ? ପିଲାମାନଙ୍କୁ ପାଠ ପଢେଇବା ବେଳେ ସେମାନେ ସେ ଅଞ୍ଚଳର ଭାଷା କିମ୍ବା ବୋଲିରେ ପାଠ ପଢାନ୍ତି କି ?

(୨) ଆପଣ କହିଛନ୍ତି ଯେ,ବିଭାଗର ନୋଡାଲ୍‌ ଅଫିସରମାନଙ୍କୁ ବିଦ୍ୟାଳୟ ପରିଦର୍ଶନ ବେଳେ ଅଭିଭାବକମାନଙ୍କ ସହ ସଂପୃକ୍ତ ବିଦ୍ୟାଳୟର ସମସ୍ୟା ଏବଂ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତା ସଂପର୍କରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଉଛି।

ମୋ ମତରେ ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ଏବେ ଯେଉଁ ନାମକୁ ମାତ୍ର ନିର୍ବାଚିତ କମିଟିଗୁଡିକ ଅଛି ସେଗୁଡିକୁ ଅଧିକ ଫଳପ୍ରଦ କାହିଁକି କରୁ ନାହାନ୍ତି ? ଦିଲ୍ଲୀରେ ସରକାର ନିୟମିତ ଭାବେ ଏହିସବୁ କମିଟିର ନିର୍ବାଚନ କରିଛି ଏବଂ ପ୍ରତ୍ୟେକ କମିଟିକୁ ବାର୍ଷିକ ୫ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି । ସେ ଟଙ୍କା କେମିତି ଖର୍ଚ୍ଚ ହେବ ତାହା କମିଟି ସ୍ଥିର କରୁଛି । ଉପରୁ କାହାର ଦଖଲ ନାହିଁ କି ଆପୄଭାଲର ଆବଶ୍ୟକତା ନାହିଁ । ଆପଣ ସେଇଆ କରୁନାହାନ୍ତି କାହିଁକି ? ନୋଡାଲ୍ ଅଫିସର୍ ସେଠାକୁ ଯାଇ କ’ଣ କରିବ ? କମିଟି ବ୍ଯତୀତ ଆପଣ ଦିଲ୍ଲୀ ଭଳି ଏଠାରେ ବି ମେଗା ପିଟିଏମ୍ କରନ୍ତୁ । ସେଥିରେ ଯୋଗଦେବାକୁ ଅଭିଭାବକମାନଙ୍କୁ ଉତ୍ସାହିତ କରିବା ପାଇଁ ଏଫ୍.ଏମ୍, ଟିଭି ମାଧ୍ୟମରେ ବ୍ୟାପକ ପ୍ରଚାର କରନ୍ତୁ ।

(୩) ଆପଣ ମାନିଛନ୍ତି ଯେ ଗତ ମାଟ୍ରିକ୍ ପରୀକ୍ଷାରେ ୧ ଲକ୍ଷ ୬୩ ହଜାର ପିଲା ଫେଲ୍ ହୋଇଛନ୍ତି । ମାତ୍ର ତାହାର ନିଦାନ ସ୍ବରୁପ ଆପଣ ସେ ବିଷୟରେ ଉଦ୍ୟମ କରିବା ପାଇଁ ଦାୟିତ୍ବ ଶିକ୍ଷକ ଓ ଶିକ୍ଷାଧିକାରୀଙ୍କ ଉପରେ ଛାଡି ଦେଇଛନ୍ତି । ଆଜ୍ଞା, ଆଜି ପର୍ଯ୍ୟନ୍ତ ଦାୟିତ୍ବ ତ ସେଇମାନଙ୍କ ଉପରେ ଅଛି । ଆପଣଙ୍କ ନିର୍ଦ୍ଦେଶ ଫଳରେ ଆଉ ଅଧିକ କ’ଣ ହେବ ? ମୁଁ ପୁଣି ଥରେ କହୁଛି, ପିଲାଙ୍କ ପାଠପଢା ବିଷୟରେ ଓ ସେଥିପାଇଁ ଥିବା ଆବଶ୍ୟକତା ବିଷୟରେ ଅଭିଭାବକ ଓ ଶିକ୍ଷକମାନଙ୍କ କମିଟିଠାରୁ ଆହୁରୀ ଭଲ କେହି ଚିନ୍ତା କରିପାରିବେ ନାହିଁ । ସେମାନଙ୍କୁ ସେମାନଙ୍କ ପିଲାଙ୍କ ମଙ୍ଗଳ ପାଇଁ ଭାବିବାକୁ ନିର୍ଦ୍ଦେଶର ଆବଶ୍ୟକତା ନାହିଁ । ବାସ୍, ସେମାନଙ୍କୁ ଅଧିକ ସ୍ବାୟତତା ଓ ଟଙ୍କା ଦିଅନ୍ତୁ ଏବଂ ନିୟମିତ କମିଟି ନିର୍ବାଚନ କରନ୍ତୁ । ଦିଲ୍ଲୀରେ ଶିକ୍ଷା କ୍ଷେତ୍ରେ ଯେଉଁ ସଫଳତା ମିଳିଛି ସେଥିପାଇଁ ଏସବୁ କମିଟି ୫୦%ର ଅଧିକ ଶ୍ରେୟଯୋଗ୍ୟ । କିନ୍ତୁ ନାଁ କମାଉଛନ୍ତି ଶିକ୍ଷାମନ୍ତ୍ରୀ ମନୀଷ ଶିଶୋଦିଆ ।

(୪) ଆପଣ ଜାଣିଥିବେ ଯେ ଏବର୍ଷ ୮୭ଟି ସ୍କୁଲର ପରୀକ୍ଷା ଫଳ ଶୂନ୍ୟ ହୋଇଛି । କିନ୍ତୁ ଆପଣ ଜାଣିଛନ୍ତି କି, ସେଥିରୁ ୫୭ଟି ସ୍କୁଲ ହେଉଛି ଉନ୍ନୀତ ବିଦ୍ୟାଳୟ ଯାହାର ପ୍ରତିଷ୍ଠାତା ସରକାର ନିଜେ । ସେଗୁଡିକରେ ସରକାର ନିଜେ ସୀଧାସଳଖ ଶିକ୍ଷକ ନିଯୁକ୍ତ କରିଛନ୍ତି, ସେମାନେ ବ୍ଲକଗ୍ରାଣ୍ଟ ଶିକ୍ଷକ ନୁହନ୍ତି । ଆପଣ କହିବେ କି ଆପଣଙ୍କ ଦ୍ବାରା ନିଯୁକ୍ତ ଶିକ୍ଷକମାନଙ୍କର ସ୍କୁଲଗୁଡିକରେ ପରୀକ୍ଷା ଫଳ କାହିଁକି ଖରାପ ହେଲା ?

(୫) ଆପଣଙ୍କ ବିଭାଗ ତରଫରୁ କୁହାଯାଇଛି ଯେ ଯେଉଁସବୁ ସ୍କୁଲଗୁଡିକରେ ୫୦%ରୁ କମ୍ ପିଲା ପାଶ୍ କରିଛନ୍ତି ସେଠାରେ ଶିକ୍ଷକମାନଙ୍କର ବାର୍ଷିକ ଦରମା ବୄଦ୍ଧି ବନ୍ଦ କରାଯିବ ଓ ଯେଉଁ ସବୁ ସ୍କୁଲରେ ପରୀକ୍ଷା ଫଳ ଶୂନ୍ୟ ହୋଇଛି ସେସବୁ ସ୍କୁଲର ଶିକ୍ଷକମାନଙ୍କୁ ନିଳମ୍ବନ କରାଯିବ ।

ତେବେ ଖରାପ ଫଳ ପାଇଁ କ’ଣ କେବଳ ଶିକ୍ଷକମାନେ ଦାୟୀ ? ଏହି ନିୟମ କ’ଣ କେବଳ ଶିକ୍ଷା ବିଭାଗରେ ଲାଗୁ ହେବ ନା ରାଜସ୍ବବିଭାଗରେ (ଧାର୍ଯ୍ୟ ରାଜସ୍ବ ଆଦାୟ ନ ହୋଇ ପାରିଲେ ), ପୋଲିସ ବିଭାଗରେ (ଅପରାଧ ସଂଖ୍ୟା ବୄଦ୍ଧି ପାଇଲେ, ସଚିବାଳୟରେ (ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ହେଲେ) ଓ ଅନ୍ୟାନ୍ୟ ବିଭାଗରେ ବି ଲାଗୁହେବ ? ଏହା କି ପ୍ରକାର ତୋଗଲକି ନିଷ୍ପତି !

ଆପଣ କେବେ ତର୍ଜମା କରିଛନ୍ତି କି ନୋ ଡିଟେନସନ୍ ପଲିସି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଉପରେ କି ପ୍ରଭାବ ପକାଇଛି ? ଥିଲାବାଲା ଶିକ୍ଷୀତ ବାପା ମା’ମାନଙ୍କର ପିଲାମାନେ ପ୍ରାଇଭେଟ ସ୍କୁଲକୁ ଚାଲିଗଲା ପରେ ଆଉ ଯେଉଁମାନେ ସରକାରୀ ସ୍କୁଲକୁ ଆସିଲେ ସେମାନଙ୍କର ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତି କ’ଣ ଓ ସେମାନଙ୍କ ଅଭିଭାବକମାନେ କେତେ ସଚେତନ ସେ ବିଷୟରେ ଆପଣ ଖବର ରଖିଛନ୍ତି କି ? ସେସବୁ ସ୍କୁଲର ଭିତ୍ତିଭୁମୀ କ’ଣ, ଲାବୋରେଟୋରି ଅଛିକି ନାହିଁ, ଶିକ୍ଷକମାନେ ଉପଯୁକ୍ତଭାବେ ତାଲିମପ୍ରାପ୍ତ କି ନୂହେଁ, ଯଦି ତାଲିମପ୍ରାପ୍ତ ତାହେଲେ ତାଲିମପାଇଁ ଥିବା ପାଠ୍ୟକ୍ରମ କେତେ ଅଧୁନାତମ, ବିଦ୍ୟାଳୟଗୁଡିକରେ ପାଠ୍ୟପୁସ୍ତକ ଠିକ୍ ସମୟରେ ପହଞ୍ଚେ କି ନାହିଁ, ଖରାପ ଫଳ ପାଇଁ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଶିକ୍ଷାଧିକାରୀମାନଙ୍କୁ ବି ଦାୟୀ କରାଯିବ କି ନାହିଁ, ଏସବୁ ବିଷୟରେ ବି ଜଣାନ୍ତୁ । ନଚେତ୍ ଖରାପ ପରୀକ୍ଷାଫଳ ପାଇଁ ଆପଣ କେବଳ ଶିକ୍ଷକମାନଙ୍କୁ ଦାୟୀ କରିବା ମାର୍ ମାର୍ ଭଣ୍ଡାରିଆକୁ ମାର୍ ସଦୄଶ ହେବ ।

(୬) ଆପଣ କହିଛନ୍ତି ଯେ ମାଟ୍ରିକ୍ ଫେଲ୍ ହୋଇଥିବା ୧ ଲକ୍ଷ ୬୩ ହଜାର ପିଲାଙ୍କ ମଧ୍ୟରୁ ୬୦ ହଜାର ପିଲା ଇଁରାଜୀରେ ଫେଲ୍ ହୋଇଛନ୍ତି । ସେଥିପାଇଁ ୧୦୦ଟି ସ୍କୁଲରେ ‘ସ୍ପୋକେନ୍ ଇଙ୍ଗଲିସ୍’ ପାଠ୍ୟକ୍ରମ ଖୋଲାଯିବ ବୋଲି ଆପଣ କହିଛନ୍ତି । ଏହା ସ୍ବାଗତଯୋଗ୍ୟ ।

ଦିଲ୍ଲୀର ସରକାରୀ ସ୍କୁଲଗୁଡିକରେ ଭାରତରେ ପ୍ରଥମ ଥର ପାଇଁ ଏହା ଗତବର୍ଷଠାରୁ ଲାଗୁ ହୋଇସାରିଛି । ଆମ ଓଡିଶାରେ ଯଦି ଏହା ଲାଗୁ ହେବାକୁ ଯାଉଛି, ତେବେ ସେ ପାଠ୍ୟକ୍ରମ ପଢାଇବ କିଏ ? ଏବେ ଯେଉଁ ଇଁରାଜୀ ଶିକ୍ଷକମାନେ କାର୍ଯ୍ୟରତ ଅଛନ୍ତି କ’ଣ ସେଇମାନେ ଆଉଗୋଟିଏ ପିରିଅଡ୍ ନେଇ ସ୍ପୋକେନ୍ ଇଙ୍ଗଲିସ୍ ପଢାଇବେ ? ସେମାନଙ୍କର ସ୍ପୋକେନ୍ ଇଙ୍ଗଲିସ୍ ଠିକ୍ ଠାକ୍ ଅଛି ତ ? ସେମାନେ ସମସ୍ତେ ନିରବଛିନ୍ନ ଭାବେ ଇଁରାଜୀରେ ଉପଯୁକ୍ତ ଉଚ୍ଚାରଣ ଓ ବାକ୍ୟବିନ୍ୟାସର ସହ କଥା ହୋଇପାରୁଛନ୍ତି ତ ? ନା ସେମାନଙ୍କୁ ଆପଣ ଏଥିପାଇଁ ସ୍ବତନ୍ତ୍ର ତାଲିମ ଦେବାକୁ ଯାଉଛନ୍ତି ?

ଦିଲ୍ଲୀ ସରକାର ବ୍ରିଟିଶ୍ କାଉନସିଲ୍, ଇଣ୍ଡିଆ-ମ୍ୟାକମିଲାନ୍ ଏଜୁକେସନ୍ ଓ ଲଣ୍ଡନସ୍ଥିତ ଟ୍ରିନିଟି କଲେଜ୍ ସହ ଚୁକ୍ତି ସ୍ବାକ୍ଷର କରି ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଚାଲୁ କରିଛନ୍ତି । ଆପଣଙ୍କ ପ୍ଲାନିଂ ସେଥିପାଇଁ କ’ଣ ଅଛି ଟିକେ ଜଣେଇବେ ।

(୭) ମୋର ଶେଷ କଥାହେଲା ଯେ ଆପଣ ଏକ ସାଂଘାତିକ ପ୍ରସ୍ତାବ ଦେଇଛନ୍ତି । ତାହା ହେଲା, ଯେଉଁ ସ୍କୁଲଗୁଡିକରେ ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ରହୁଛି, ସେଗୁଡିକୁ ନିକଟତମ ସ୍କୁଲରେ ମିଶାଇ ଦିଆଯାଇ ପାଠପଢା ଦିଗ ପ୍ରତି ଅଧିକ ଦୃଷ୍ଟି ଦିଆଯିବ ।

ମୋର ପ୍ରଶ୍ନ ହେଲା, ଅଳ୍ପ ପିଲା ପଢୁଥିବା ସରକାରୀ ସ୍କୁଲର ପିଲାମାନେ ଦୂରରେ ଥିବା ଆଉ ଗୋଟିଏ ସ୍କୁଲକୁ ଯିବା ଆସିବା କେମିତି କରିବେ ? ଯଦି ବେସରକାରୀ ସ୍କୁଲ୍ ସଂଖ୍ୟା ଛତୁ ଫୁଟିଲା ଭଳି ବଢୁଛି, ଆପଣ ସରକାରୀ ସ୍କୁଲ୍ ବନ୍ଦ କରିବା ପାଇଁ କେମିତି ଚିନ୍ତା କରୁଛନ୍ତି ? ଯେଉଁ ନୂଆ ସ୍କୁଲକୁ ଆପଣ ଅନ୍ୟସ୍କୁଲକୁ ବନ୍ଦକରି ପିଲା ଆଣିବେ ସେ ଅଞ୍ଚଳ ନିଶ୍ଚୟ ଟିକିଏ ଉନ୍ନତ ଓ ସହରତଳି ଅଞ୍ଚଳ ହୋଇଥିବ । ସେଠାରେ ବି ଯଦି ପ୍ରାଇଭେଟ୍ ସ୍କୁଲ୍ ଖୋଲିବା ଯୋଗୁଁ ସରକାରୀ ସ୍କୁଲର ଉପସ୍ଥାନ କମିଯାଏ, ତାହେଲେ ଆପଣ କ’ଣ ସେ ସ୍କୁଲକୁ ବି ବନ୍ଦ କରିଦେବେ ?

ଯଦି ଆପଣ ସେଇଆ ଚିନ୍ତା କରୁଥାନ୍ତି, ତେବେ ସରକାରୀ ସ୍କୁଲ ଶିକ୍ଷାବ୍ୟବସ୍ଥାକୁ ଧୀରେ ଧୀରେ ନ ମାରି, ଏକାବେଳକେ ମାରି ଦେଉନାହାନ୍ତି କାହିଁକି ? ଝମେଲା ଖତମ ହୋଇଯିବ ।

ଆପଣଙ୍କ ନିର୍ବାଚନମଣ୍ଡଳୀର ହୋଇଥିବାରୁ ମୁଁ ଆପଣଙ୍କୁ ମନ୍ତ୍ରୀ ହିସାବରେ ସଫଳ ହେବା ଦେଖିବାକୁ ଚାହୁଁଛି । ଆପଣ କେବଳ ବାରମ୍ବାର ନିର୍ବାଚନ ଜିତି ବରିଷ୍ଠ ବିଧାୟକ ହୋଇ ଯିବାରୁ ଆପଣଙ୍କୁ ଏଥର ମନ୍ତ୍ରୀମଣ୍ଡଳ ଗଠନରେ ଭୋଗ ମିଳିଲା । ନଚେତ୍ ଆପଣଙ୍କର ମତାମତ କହୁଛି ଯେ, ଶିକ୍ଷାକୁ ନେଇ ଆପଣଙ୍କ ଠାରେ କୌଣସି ସ୍ବପ୍ନ କିମ୍ବା ଆଗ୍ରହ ନଥିଲା । ମୁଁ ଏଠାରେ ତିନୋଟି ପ୍ରସ୍ତାବ ଆପଣଙ୍କୁ ଦେଉଛି ।

(୧) ଶିକ୍ଷାକୁ ନେଇ ଆଦର୍ଶଗତ ସରକାରୀ – ବେସରକାରୀ ବାଦବିବାଦରେ ପଶନ୍ତୁ ନାହିଁ । ବେସରକାରୀ ସ୍କୁଲମାନଙ୍କ ଦ୍ବାରା ହେଉଥିବା ଅଭିଭାବକ ଓ ଶିକ୍ଷକମାନଙ୍କ ଶୋଷଣରୁ ବି ସେମାନଙ୍କୁ ବଞ୍ଚାନ୍ତୁ । ସେମାନେ ବି ଆମରି ରାଜ୍ୟର ପିଲା । ବରଂ ସରକାରୀ ସ୍କୁଲଗୁଡିକ କିପରି ସେମାନଙ୍କ ସଙ୍ଗେ ପ୍ରତିଯୋଗିତା କରିବା ଭଳି ସ୍ତରକୁ ଆସିବ, ସେ ବିଷୟରେ ଚିନ୍ତା କରନ୍ତୁ ।

(୨) ଶିକ୍ଷା ପାଇଁ ଅର୍ଥର ଅଭାବ ନ ରହୁ । ଆଜି ଶିକ୍ଷା ପାଇଁ ଯେତିକି ଖର୍ଚ୍ଚ କରିବେ ତାହା ଭବିଷ୍ୟତ ପାଇଁ ଇନଭେଷ୍ଟମେଣ୍ଟ । ଗୋଟିଏ ଶିକ୍ଷିତ ରାଜ୍ୟର ଜିଡିପି ନିଶ୍ଚୟ ଅଧିକ ହେବ । କେବଳ ଭବିଷ୍ୟତ ପାଇଁ ନୁହେଁ, ବର୍ତମାନ ମଧ୍ୟ ଗୋଟିଏ ମାଗଣା ଓ ଉଚ୍ଚମାନର ସରକାରୀ ଶିକ୍ଷା ବ୍ୟବସ୍ଥା ରାଜ୍ୟବାସୀଙ୍କର ଘରଖର୍ଚ୍ଚ ବଞ୍ଚାଇବ, ସେମାନେ ସେହି ଅର୍ଥ ଅନ୍ୟ ଜିନିଷ କିମ୍ବା ସେବା କିଣିବାରେ ଖର୍ଚ୍ଚ କରିବେ , ରାଜ୍ୟରେ ଚାହିଦା ଓ କ୍ରୟଶକ୍ତି ବଢିବ ଓ ଅର୍ଥନୀତିର ଦ୍ରୂତ ବିକାଶ ହେବ ।

(୩) ଆପଣ ଆଇ.ଏ.ଏସ୍ ବାବୁମାନଙ୍କ କଥା ଏ କାନରେ ପୁରେଇ ସେ କାନରେ ବାହାର କରିବେ । ଆପଣଙ୍କୁ ଅନୁରୋଧ , ଆପଣ ୨/୩ ମାସରେ ଥରେ ଦିଲ୍ଲୀ ଯାଇ ମନୀଷ ଶିଶୋଦିଆଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ମିଡିଆ ଜାଣିଲେ ବି କିଛି କହିବନି କି ଆପଣଙ୍କ ନାକ କଟିବନି ।

ଇତି
ଆପଣଙ୍କର
ରଙ୍ଗାଚରଣ
ଘର: ନିମାପଡା ନିର୍ବାଚନମଣ୍ଡଳୀ

Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.