Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡିଶା ରସଗୋଲାର ଜିଆଇ ମାନ୍ୟତା ଓ ଓଡିଆ ବୁଦ୍ଧିଜୀବୀଙ୍କ ମାନସିକ ସଙ୍କଟ
ମତାମତ

ଓଡିଶା ରସଗୋଲାର ଜିଆଇ ମାନ୍ୟତା ଓ ଓଡିଆ ବୁଦ୍ଧିଜୀବୀଙ୍କ ମାନସିକ ସଙ୍କଟ

July 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଅସିତ ମହାନ୍ତି

ଯାହା ଲକ୍ଷ୍ୟ କରୁଛି, ‘ଓଡ଼ିଶା ରସଗୋଲା’ ଜି.ଆଇ. ମାନ୍ୟତା ପାଇବା ନେଇ ଓଡ଼ିଶାର ଅଗଣିତ ସାଧାରଣ ଜନତା ଖୁସି ଥିବାବେଳେ, କେତେକ ବିଦ୍ୱାନ ଓ ବିଶିଷ୍ଟ ଖୁବ୍ ଖୁସି ନୁହନ୍ତି। ଏହା ସ୍ବାଭାବିକ। କାରଣ ସେମାନେ ସାଧାରଣ ଜନତାଙ୍କ ଅପେକ୍ଷା ସବୁ କଥାକୁ ଅଧିକ ଗମ୍ଭୀରତା ସହିତ ବିଚାର କରିଥାଆନ୍ତି।
ସେମାନଙ୍କ ମନରେ ପ୍ରଶ୍ନ ଯେ ଓଡ଼ିଶା ତ ‘ରସଗୋଲା’ ପାଇଁ ଜି.ଆଇ. ମାନ୍ୟତା ପାଇନାହିଁ, ‘ବାଙ୍ଗଲାର୍ ରସଗୋଲ୍ଲା’ର ଜି.ଆଇ. ମାନ୍ୟତା ତ କାଏମ ରହିଛି, ତା’ହେଲେ ଏ ମାନ୍ୟତା ପାଇଁ ଆମେ ବେଶି ଖୁସି ହେବାର କି କାରଣ ଅଛି ?

ଖୁବ୍ ଭଲ ଓ ପ୍ରାସଙ୍ଗିକ ପ୍ରଶ୍ନ।

ଏହାର ଉତ୍ତର ହେଉଛି, GI (Geographical Indications) ମାନ୍ୟତା ଗୋଟିଏ ନିର୍ଦ୍ଦିଷ୍ଟ ଭୈ।ଗୋଳିକ ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀକୁ ତା’ର ଗୁଣ ଓ ମାନର ସ୍ୱତନ୍ତ୍ରତା ଭିତ୍ତିରେ ଦିଆଯାଏ। ତେଣୁ ସେହି ସାମଗ୍ରୀ ସହିତ ସେହି ଅଞ୍ଚଳର ନାମ ଯୋଡ଼ା ରହେ। ଯେମିତି ଶାଢ଼ି ବହୁତ ସ୍ଥାନରେ ତିଆରି ହେଉଛି, କିନ୍ତୁ ସମ୍ବଲପୁରୀ ଶାଢ଼ି ତା’ର ଗୁଣ,ମାନ ଓ ସ୍ବତନ୍ତ୍ରତା ପାଇଁ ଜି.ଆଇ. ମାନ୍ୟତା ପାଇଛି। ‘ଶାଢି’ ଏକ generic ନାମ ବା ସାମଗ୍ରୀ। ତେଣୁ ତାହାକୁ GI ମାନ୍ୟତା ଦିଆଯାଇ ପାରିବ ନାହିଁ।
‘ଶାଢି’ ପରି ‘ରସଗୋଲା’ ମଧ୍ୟ ଏକ generic ନାମ ବା ସାମଗ୍ରୀ। ତେଣୁ ତାକୁ GI ମାନ୍ୟତା ଦିଆଯାଇ ପାରିବ ନାହିଁ।
ଏ ସମ୍ପର୍କରେ ସୂଚାଇବାକୁ ଚାହେ ଯେ ୨୦୧୭ ମସିହା ନଭେମ୍ବର ମାସ ୧୪ ତାରିଖରେ ପଶ୍ଚିମବଙ୍ଗ ‘ବାଙ୍ଗଲାର୍ ରସଗୋଲ୍ଲା’ ପାଇଁ ହିଁ GI ମାନ୍ୟତା ପାଇଥିଲା। କିନ୍ତୁ ତାଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଦିନ ଟୁଇଟ୍ କରି କହିଲେ ଯେ ପଶ୍ଚିମବଙ୍ଗ ‘ରସୋଗୋଲ୍ଲା’ ପାଇଁ ଏହି ମାନ୍ୟତା ପାଇଲା। ତାହାକୁ ନେଇ ବଙ୍ଗାଳି ମାନେ ଢେର୍ ନାଚିଲେ। କହିଲେ, ଓଡ଼ିଶା ଠାରୁ ଆମେ ‘ରସଗୋଲା’ ଛଡେଇ ଆଣିଲୁ। ଓଡ଼ିଶା ହାରିଲା। ଆମେ ଜିତିଲୁ।

କିନ୍ତୁ ସେଦିନ ସୁଦ୍ଧା କୈାଣସି ଯୁଦ୍ଧ ହିଁ ଲଢା ହୋଇନଥିଲା। ସେମାନେ ଏହି ମାନ୍ୟତା ପାଇବା ବେଳକୁ ଓଡ଼ିଶା ସରକାରଙ୍କ ପଦାଧିକାରୀ ମୁଁ ଯୋଗାଇ ଦେଇଥିବା ଅସ୍ତ୍ରଶସ୍ତ୍ର ଉପରେ ନିଘୋଡ଼ ନିଦରେ ଶୋଇଥିଲେ। ଓଡ଼ିଶାବାସୀଙ୍କ କୋଳାହଳରେ ସେ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା। ସେଇଦିନ ବିଳମ୍ବିତ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋଟିଏ ପ୍ରେସ୍ ବିଜ୍ଞପ୍ତି ଜାରି ହେଲା ଯେ ସରକାର ଶୋଇ ନାହାଁନ୍ତି, କାମ ଚଳାଇଛନ୍ତି। ଶୀଘ୍ର ଓଡ଼ିଶାର ରସଗୋଲା ପାଇଁ GI ଆବେଦନ କରାଯିବ।
ଏ ପ୍ରସଙ୍ଗରେ ସୂଚାଏ ଯେ ସେ ଯାଏ ଏହି ଆବେଦନ କିଏ କରିବ, ତାହା ସ୍ଥିର ହୋଇ ନଥିଲା। ଆଲୋଚନା ହୋଇ ପରିଶେଷରେ ଡିସେମ୍ବର ୨୦୧୭ ରେ ନିଷ୍ପତ୍ତି ହେଲା ଯେ OSIC ଏହି ଆବେଦନ କରିବ। କିପରି ରାତିଦିନ କାମ ହୋଇ ବିଜେପୁର ଉପ ନିର୍ବାଚନ ପୂର୍ବରୁ ସେହି ଆବେଦନ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଦାଖଲ ହେଲା, ସେ କଥା ଆମେ ଯେଉଁ ଅଳ୍ପ କେତେଜଣ ସେଥିପାଇଁ କାମ କରୁଥିଲୁ, ଜାଣୁ। ପରବର୍ତ୍ତୀ କାଳରେ ତାହାର ସଂମାର୍ଜିତ ଆବେଦନପତ୍ର ଦିଆଗଲା ଏବଂ ସେଥିରେ ସହଯୋଗୀ ଆବେଦକ ରହିଲେ ଉତ୍କଳ ମିଷ୍ଠାନ୍ନ ବ୍ୟବସାୟୀ ସମିତି। ୨୩ ମାର୍ଚ୍ଚ ୨୦୧୮ର ସେହି ଆବେଦନ ଭିତ୍ତିରେ ‘ଓଡିଶା ରସଗୋଲା’ ପାଇଁ ଓଡ଼ିଶାକୁ GI ମାନ୍ୟତା ମିଳିଛି।
କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଦିନ ଯେଉଁ ଭୁଲ୍ କରିଥିଲେ, ଆମର କେତେକ ଏବେ ସେହି ଭୁଲ୍ କରୁଛନ୍ତିି। ଓଡ଼ିଶା ତ ‘ରସଗୋଲା’ ପାଇଁ GI ପାଇଲାନି, କେମିତି ରସଗୋଲା ଓଡ଼ିଶାର ହେଲା, ଏ ପ୍ରଶ୍ନ ସେମାନେ କରୁଛନ୍ତି। ମୁଁ ସେମାନଙ୍କୁ ଜିଆଇ ରେଜିଷ୍ଟ୍ରୀ ଓ୍ବେବସାଇଟ୍ ରେ ଥିବା ‘ବାଙ୍ଗଲାର୍ ରସଗୋଲ୍ଲା’ ଜର୍ନାଲ୍ ଓ ‘ଓଡିଶା ରସଗୋଲା’ ଜର୍ନାଲ୍ ଦେଖିବାକୁ ଅନୁରୋଧ କରିବି। ସେଥିରେ ଦିଆଯାଇଥିବା ଉତ୍ପତ୍ତି ଓ ଇତିହାସର ତଥ୍ୟ ଅନୁସାରେ, ତାଙ୍କ ରସଗୋଲାର ସମୟ ୧୮୬୮। ତା ତୁଳନାରେ ଆମ ରସଗୋଲା ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଦିନରୁ ଅଛି ଏବଂ ପଞ୍ଚଦଶ ଶତାବ୍ଦୀ ଶେଷଭାଗରେ ରଚିତ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ରେ ରସଗୋଲାର ଉଲ୍ଲେଖ ଅଛି। ତାଙ୍କ ରସଗୋଲାର ସର୍ବପ୍ରାଚୀନ ଆଧୁନିକ ସାହିତ୍ୟିକ ପ୍ରମାଣ ୧୮୯୬ର ଏକ କ୍ଷୁଦ୍ରକବିତା (ରସଗୋଲାର ସ୍ତବ) ହୋଇଥିବା ବେଳେ, ଆମ ରସଗୋଲାର ସର୍ବପ୍ରାଚୀନ ଆଧୁନିକ ସାହିତ୍ୟିକ ପ୍ରମାଣ ୧୮୯୩ର ଏକ ଦୀର୍ଘକବିତା (ବାଲିଯାତ୍ରା)। ତାଙ୍କ କବିତାରେ ଜଣେ ବ୍ୟକ୍ତି ରସଗୋଲା ଖାଇ ସେ କବିତାର ବ୍ୟକ୍ତିଗତ ଅନୁଭୂତି ଲେଖିଥିବା ବେଳେ, ଆମ ବାଲିଯାତ୍ରାରେ ରସଗୋଲାର ଦୋକାନ ଖୋଲିଛି। ଏହା କଟକ ବାଲିଯାତ୍ରାର ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ। ଏହା ବ୍ୟତୀତ ‘ଉତ୍କଳ ଦୀପିକା’ରେ କରାଯାଇଥିବା ଫକୀର ମୋହନଙ୍କ ‘ଉତ୍କଳ ଭ୍ରମଣ’ ର ସମୀକ୍ଷାରେ ଏବଂ ଫକୀର ମୋହନଙ୍କ ‘ଓୟାଲଟେୟାର ଦର୍ଶନ’ ଭ୍ରମଣ କାହାଣୀରେ ରସଗୋଲାର ବର୍ଣ୍ଣନା ଥିବାର ପ୍ରମାଣ ମଧ୍ୟ ଆମେ ସେଥିରେ ଦେଇଛୁ। ଏହା ସାବ୍ୟସ୍ତ କରୁଛି ଯେ ଆମ ରସଗୋଲା ତାଙ୍କ ରସଗୋଲା ପୂର୍ବର।
ତେବେ ସଂକ୍ଷେପରେ କେବଳ ଏତିକି କହିବି ଯେ ଆମର ଯେତେବେଳେ ‘ଦାଣ୍ଡି ରାମାୟଣ’ ଲେଖା ହୋଇଥିଲା, ସେତେବେଳେ ରସଗୋଲା ତ ରସଗୋଲା, କୋଲକାତା ସହର ହିଁ ନଥିଲା।

ଦୁଇଟି ଯାକ ଜିଆଇ ଜର୍ନାଲକୁ ଯିବା ପାଇଁ ଯଦି କାହାର ସମୟ ନଥାଏ,ତେବେ ୩୦ ତାରିଖ ଦିନ କୋଲକାତାର ‘ଦି ଟେଲିଗ୍ରାଫ’ ଦୈନିକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ଖବରଟିକୁ ପଢ଼ିବାକୁ ଅନୁରୋଧ କରିବି। ଏଥିରୁ ଏ ଦୁଇ ମାନ୍ୟତା ବାବଦରେ ଏକ ତୁଳନାତ୍ମକ ଚିତ୍ର ମିଳିବ।
ଶେଷରେ କେବଳ ଏତିକି କହିବାକୁ ଚାହେ- ଏହି ମାନ୍ୟତା ଆମ ପାଇଁ ପ୍ରକୃତରେ ଏକ ଖୁସିର କଥା। ଏ ଖୁସିକୁ କୈାଣସି ପ୍ରଶ୍ନ ବା ସଂଶୟର କଳାବଉଦ ନ ଢାଙ୍କୁ। ମନ ମିଠା ରହୁ। ତା’ହେଲେ ଯାଇ ଏ ‘ଓଡ଼ିଶା ରସଗୋଲା’ ଅଧିକ ମିଠା ଲାଗିବ।

ହଁ, ଗୋଟିଏ ସ୍ଲୋଗାନ୍ ଆମେ କରିଛୁ। ସେଇ ସ୍ଲୋଗାନ ଟି ହେଉଛି- “ରଥଯାତ୍ରା ଯେବେଠୁ… ରସଗୋଲା ସେବେଠୁ”। ବୋଧହୁଏ, ଏହାହିଁ ସବୁ ପ୍ରଶ୍ନ ଓ ସଂଶୟର ଉତ୍ତର।

Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ନବୀନ ନିବାସକୁ କାହିଁକି ଯାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଚାଲିଛି ଜୋରଦାର ଚର୍ଚ୍ଚା

October 12, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025
Latest News

କେବଳ ସିଗାରେଟ୍ ଧୂଆଁ ନୁହେଁ, ଧୂପକାଠିର ଧୂଆଁ ମଧ୍ୟ ବିପଦଜନକ; ଫୁସଫୁସକୁ ପହଞ୍ଚାଏ ଯଥେଷ୍ଟ କ୍ଷତି 

October 12, 2025

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

October 12, 2025

ସେନାର ଅଗ୍ନିପଥ ଯୋଜନା ପାଇଁ ଆସନ୍ତା ୨୨ ରୁ ୨୬ ଯାଏଁ ଭୁବନେଶ୍ୱରରେ ନିଯୁକ୍ତି ଶିବିର

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.