Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ସବସିଡି ନାଁରେ ଆମ ଅର୍ଥ ଆମକୁ ମିଳୁଛି, କେନ୍ଦ୍ର କି ରାଜ୍ୟ ସରକାର ଲୋକଙ୍କ ଉପରେ ଦୟା କରୁନାହାନ୍ତି 
ମତାମତ

ସବସିଡି ନାଁରେ ଆମ ଅର୍ଥ ଆମକୁ ମିଳୁଛି, କେନ୍ଦ୍ର କି ରାଜ୍ୟ ସରକାର ଲୋକଙ୍କ ଉପରେ ଦୟା କରୁନାହାନ୍ତି 

August 10, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଏବେର କଥା ସିନା ଅଲଗା, କିନ୍ତୁ ସେଦିନକୁ ବେଶି ଦିନ ହୋଇ ନାହିଁ , ଯେତେବେଳେ ଓଡିଶା ବିଜେପି ରାସ୍ତା କଡରେ ହୋର୍ଡିଂ ଠିଆ କରେଇ ସେଥିରେ ଲେଖୁଥିଲା ଯେ ଓଡିଶାରେ ଗରିବ ଲୋକଙ୍କୁ କିଲୋ ପ୍ରତି ୧ ଟଙ୍କାରେ ଯେଉଁ ଚାଉଳ ଯୋଗାଇ ଦିଆ ଯାଉଛି ସେଥିପାଇଁ ଅଧିକ ଟଙ୍କା କେନ୍ଦ୍ରର ମୋଦୀ  ସରକାର ଦେଉଛନ୍ତି । ଗତ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାର କେଜି ପ୍ରତି ୩୨ ଟଙ୍କାରେ ଚାଉଳ କିଣି ତାହାକୁ ୩ ଟଙ୍କା ଦରରେ ରାଜ୍ୟ ସରକାରଙ୍କୁ ଯୋଗାଉଛନ୍ତି, ଯାହାକୁ ରାଜ୍ୟ ସରକାର ୧ ଟଙ୍କା ଦରରେ ଲୋକଙ୍କୁ ଦେଇ ଅଯଥା ବାହାବା ନେଉଛି ।

ଏମିତି ଦେଖିବାକୁ ଗଲେ ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଇଥିବା ହିସାବରେ ସେମିତି କିଛି ତ୍ରୁଟି ନାହିଁ । କିନ୍ତୁ ଅସଲି ପ୍ରଶ୍ନ ହେଉଛି ଯେ କେନ୍ଦ୍ର ସରକାର ଏହି ୨୯ ଟଙ୍କା ଦେଉଛନ୍ତି ତ ?
ଯେତେବେଳେ ବିଜେଡି ଓ ବିଜେପି ମଧ୍ୟରେ ଏଥିନେଇ କଳି ଚାଲିଥିଲା ସେତେବେଳେ କୌଣସି ପକ୍ଷକୁ ସମର୍ଥନ ନଦେଇ  ଅନେକ ଲୋକ ଥିଲେ ଯେଉଁମାନେ କହୁଥିଲେ ଯେ ଲୋକଙ୍କ ଟଙ୍କାରେ ଲୋକଙ୍କୁ ସବସିଡି ଦିଆଯାଉଛି, ତେଣୁ ଉଭୟ ସରକାର ସବସିଡି ଦେଉଛନ୍ତି ବୋଲି ଅଯଥା ଦମ୍ଭୋକ୍ତି ପ୍ରକାଶ କରିବା ଉଚିତ୍ ନୁହେଁ । ଏହି ଯୁକ୍ତିର ଯଥାର୍ଥତା ଏବେ ଏକ  ଅନ୍ୟ ରୁପରେ  ସାମନାକୁ ଆସିଛି ।
୧୯୬୫ ମସିହାଠାରୁ ଭାରତୀୟ ଖାଦ୍ୟ ନିଗମ ବା ଏଫ୍.ସି.ଆଇ ବିଭିନ୍ନ ରାଜ୍ୟରୁ ଚାଉଳ ସଂଗ୍ରହ କରି ଆସୁଛି । ଚାଷୀମାନଙ୍କୁ ଅଭାବି ବିକ୍ରୀରୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ  ଏକ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଇ ସେହି ଦରରେ ଚାଷୀମାନଙ୍କଠାରୁ ଧାନ କିଣା ଯାଏ ଯାହାକୁ ପରେ ଚାଉଳରେ ପରିଣତ କରାଯାଇ ଭାରତୀୟ ଖାଦ୍ୟ ନିଗମକୁ ଦିଆଯାଏ । ଓଡିଶା ଭଳି ରାଜ୍ୟ ନିଜର ସାଧାରଣ ବଣ୍ଟନ ବା ଟଙ୍କିକିଆ ଚାଉଳ ବଣ୍ଟନ ପାଇଁ ଯେତିକି ଚାଉଳ ଆବଶ୍ୟକ କରେ ତାହା ରଖିନେଇ ଅବଶିଷ୍ଟ ଚାଉଳ ଏଫ୍.ସି.ଆଇକୁ ଦେଇ ଦିଏ । ରାଜ୍ୟ ସରକାର ନିଜେ ରଖିନେବା ଚାଉଳ ପାଇଁ ଏଫ୍.ସି.ଆଇ ରାଜ୍ୟକୁ କେଜି ପ୍ରତି ତିନି ଟଙ୍କା ଦିଏ । ତେଣୁ ଏଫ୍.ସି.ଆଇ ଅଧିକ ଦରରେ କିଣି କମ୍ ଦରରେ ରାଜ୍ୟ ସରକାରଙ୍କୁ ଦିଏ । ଏହି ଦୁଇଟି ଦର ମଧ୍ୟରେ ଥିବା ପାର୍ଥକ୍ୟ ଯୋଗୁଁ ଏଫ୍.ସି.ଆଇକୁ ଯେଉଁ କ୍ଷତି ସହିବାକୁ ପଡନ୍ତା ତାହାକୁ କେନ୍ଦ୍ର ସରକାର ଭରଣା କରନ୍ତି । ତା’ଛଡା ଏଫ୍.ସି.ଆଇକୁ ଚାଉଳକୁ ସାଇତି ରଖିବା ଓ ପରିବହନ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡେ ତାହା ମଧ୍ୟ କେନ୍ଦ୍ର ସରକାର ଦିଅନ୍ତି, ଯାହାକୁ ଖାଦ୍ୟ ସବସିଡି କୁହାଯାଏ । ଏହା କେନ୍ଦ୍ର ସରକାରଙ୍କର ଏକ ଖର୍ଚ୍ଚ ଯାହାପାଇଁ ସେମାନେ ପ୍ରତିବର୍ଷ ବଜେଟରେ ବ୍ୟୟ ବରାଦ କରନ୍ତି ।ପୂର୍ବରୁ ଉପା ସରକାର ଆରମ୍ଭ କରିଥିବା ‘ଜାତୀୟ ଖାଦ୍ୟ ସୂରକ୍ଷା ଆଇନ’କୁ ସମାଲୋଚନା କରିଥିବା ବିଜେପି ୨୦୧୪ ମସିହାରେ ଯେତେବେଳେ ମୋଦୀଙ୍କ ନେତୄତ୍ବରେ କେନ୍ଦ୍ରରେ ଶାସନକୁ ଆସିଲା ସେତେବେଳେ କିନ୍ତୁ ସେମାନେ ପ୍ରାୟ ୮୦ କୋଟୀ ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଶସ୍ତା ଦରରେ ଚାଉଳ ଯୋଗାଇବାକୁ ଆରମ୍ଭ କଲେ । ଅନ୍ୟପକ୍ଷରେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ପ୍ରତିବର୍ଷ ଧିରେ ଧିରେ  ବଢିଲା । ଫଳରେ ସରକାରଙ୍କର ଏ ବାବଦରେ ସବସିଡି ବ୍ୟୟ ବଢି ଚାଲିଲା । ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ୧.୮୪ ଲକ୍ଷ କୋଟୀ ଟଙ୍କାର ବ୍ୟୟବରାଦ ରଖା ଯାଇଛି ।ମାତ୍ର ପ୍ରକୄତରେ କ’ଣ କେନ୍ଦ୍ର ସରକାର ବିଗତ ୨ ବର୍ଷରେ ବଢନ୍ତା ଖାଦ୍ୟ ସବସିଡିର ବୋଝ ନିଜେ ବହନ କରୁଛନ୍ତି ? ବଜେଟରେ ବରାଦ ଦେଖାଇବା  ଗୋଟିଏ କଥା । କିନ୍ତୁ ପ୍ରକୄତରେ କେତେ ବ୍ୟୟ ହେଉଛି ତାହା ଆଉ ଗୋଟିଏ କଥା ଯାହା ବର୍ଷ ଶେଷରେ ସରକାରଙ୍କର ଆର୍ଥିକ ସର୍ଭେ ରିପୋର୍ଟରୁ ଜଣା ପଡେ । । ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ୟ ମୋଦୀ ସରକାର ବର୍ଷ ଆରମ୍ଭରେ ବଜେଟରେ ଯଥାକ୍ରମେ ୧.୬ ଲକ୍ଷ କୋଟୀ ଓ ୧.୭ ଲକ୍ଷ କୋଟୀ ଟଙ୍କା ଖର୍ଚ୍ଚ କରିବେ ବୋଲି ଦେଖାଇ ଥିଲେ । ମାତ୍ର ଏହି ଦୁଇ ବର୍ଷ ଧରି ଖାଦ୍ୟ ସବସିଡି ବାବଦରେ  ପ୍ରାୟ ୧ ଲକ୍ଷ କୋଟୀ ଟଙ୍କା ଲେଖାଏଁ ଖର୍ଚ୍ଚ କରିଛନ୍ତି। ଏହାର  କାରଣ ହେଉଛି କେନ୍ଦ୍ର ସରକାରଙ୍କର ଲଗାତର ରାଜସ୍ବ ଆଦାୟରେ ହ୍ରାସ । ସରକାରଙ୍କ ଆଦାୟ କମୁଥିବାରୁ ଖର୍ଚ୍ଚ କାଟ କରାଯାଉଛି ।
ମୁଖ୍ୟତଃ ବ୍ୟକ୍ତିଗତ ଆୟକର ଓ ଜି.ଏସ୍.ଟି ଆଦାୟ ବଜେଟର ଅଟକଳଠାରୁ ବହୁମାତ୍ରାରେ କମୁଛି ।

ସରକାରଙ୍କର ଖର୍ଚ୍ଚ ଯେତେବେଳେ ଆଦାୟଠାରୁ ବଳି ଯାଏ ସେତେବେଳେ ଏହି ବ୍ୟବଧାନକୁ ବିତ୍ତୀୟ ନିଅଣ୍ଟ କୁହାଯାଏ । ୨୦୧୮-୧୯ରେ ବିତ୍ତୀୟ ନିଅଣ୍ଟ ସକଳ ଘରୋଇ ଉତ୍ପାଦକର (ଜି.ଡି.ପି) ୩.୪% ଥିବାବେଳେ ଚଳିତ ବର୍ଷ ପାଇଁ ତାହା ୩.୩% ରହିବ ବୋଲି  ଗତମାସରେ ଆଗତ ହୋଇଥିବା ବଜେଟରେ ଅଟକଳ ରଖାଯାଇଛି ।

ତେଣୁ ବିତ୍ତୀୟ ନିଅଣ୍ଟ ଭରଣା ପାଇଁ କେନ୍ଦ୍ର ସରକାର ଖାଦ୍ୟ ସବସିଡି ବାବଦରେ ଯେତିକି ଖର୍ଚ୍ଚ କରିବା କଥା ସେତିକି କରୁ ନାହାନ୍ତି । ଏହି ଖର୍ଚ୍ଚର ଏକ ବଡ ଅଂଶ ସରକାର ଗତ ଦୁଇ ବର୍ଷ ଧରି ଭାରତୀୟ ଖାଦ୍ୟ ନିଗମ ଉପରେ ଲଦି ଦେଉଛନ୍ତି । ମାତ୍ର ଭାରତୀୟ ଖାଦ୍ୟ ନିଗମର ତ ନିଜସ୍ବ କୌଣସି ଆୟ ନଥାଏ । ଏହା କେବଳ କେନ୍ଦ୍ର ସରକାରଙ୍କଠାରୁ ମିଳୁଥିବା ଅର୍ଥ ଉପରେ ନିର୍ଭର କରିଥାଏ । ତେଣୁ ଏଠାରେ ସ୍ବାଭାବିକ ଭାବରେ ଗୋଟିଏ ପ୍ରଶ୍ନ ଉଠିପାରେ ଯେ ସରକାର ଯଦି ଖାଦ୍ୟ ସବସିଡି ପାଇଁ ସମ୍ପୂର୍ଣ ଅର୍ଥ ଦେଉ ନାହାନ୍ତି, ତେବେ ଭାରତୀୟ ଖାଦ୍ୟ ନିଗମ କେଉଁଠାରୁ ଟଙ୍କା ଆଣି ଆବଶିଷ୍ଟ  ସବସିଡି ଖର୍ଚ୍ଚ ବହନ କରୁଛି ?

ଏହାର ଉତ୍ତର ହେଉଛି, ଭାରତୀୟ ଖାଦ୍ୟ ନିଗମ ନିଜ ଦ୍ବାରା ୠଣ ପରିଶୋଧ କରିବାର ସମ୍ଭାବନା ନଥାଇ ମଧ୍ୟ ଗତ ଦୁଇ ବର୍ଷ ଧରି ସବସିଡି ବହନ କରିବା ପାଇଁ ୠଣ ଆଣୁଛି । ଏଫ୍.ସି.ଆଇ ୨୦୧୭-୧୮ ବର୍ଷରେ ୮.୪% ସୁଧ ହାରରେ ‘ନ୍ୟାସନାଲ୍ ସ୍ମଲ୍ ସେଭିଂ ଫଣ୍ଡ’ଠାରୁ (ଏନ୍.ଏସ୍.ଏସ୍.ଏଫ୍) ୬୫୦୦୦ କୋଟୀ ଟଙ୍କାର ୠଣ ଆଣିଥିଲା । ଏହାର ପୁର୍ବ ବର୍ଷ ମଧ୍ୟ ଏହି ଖାଦ୍ୟ ସବସିଡି ଖର୍ଚ୍ଚ ପାଇଁ ଏଫ୍.ସି.ଆଇ ସେହିଠାରୁ ୭୦୦୦୦ କୋଟୀ ଟଙ୍କାର ୠଣ ଆଣିଥିଲା । ପରିସ୍ଥିତି ଏପରି ହେଲାଣି ଯେ ପୂର୍ବ ୠଣର କିସ୍ତି ପରିଶୋଧ କରିବା ପାଇଁ ପୁଣି ଥରେ ୠଣ କରାଯାଉଛି । ଗତ ମାର୍ଚ୍ଚ ମାସ ସୁଦ୍ଧା ଏଫ୍.ସି.ଆଇ ଏନ୍.ଏସ୍.ଏସ୍.ଏଫ୍ ଠାରୁ କରିଥିବା ୠଣର ପରିମାଣ ୧.୮୪ ଲକ୍ଷ କୋଟୀ ଟଙ୍କାରେ ପହଞ୍ଚିଲାଣି ।

ଯେହେତୁ ଏଫ୍.ସି.ଆଇର ନିଜର କୌଣସି ଆୟ ନାହିଁ ତେଣୁ ଏହା ଆଣୁଥିବା ୠଣକୁ ସରକାର ସୁଝିବେ । କିନ୍ତୁ ସରକାର ବର୍ତ୍ତମାନ ନିଜର ବିତ୍ତୀୟ ନିଅଣ୍ଟକୁ କାବୁ କରିବା ପାଇଁ ଏତେ ମାତ୍ରାରେ ନାକେଦମ ହେଲେଣି ଯେ ଅନ୍ତତପକ୍ଷେ ନିକଟ ଭବିଷ୍ୟତରେ ଏଫ.ସି.ଆଇ ଆଣୁଥିବା ୠଣକୁ ପରିଶୋଧ କରିବା ଅବସ୍ଥାରେ ନାହାନ୍ତି । ଏଣେ କ୍ରମାଗତ ଭାବରେ ଏଫ୍.ସି.ଆଇକୁ ୠଣ ଦେଉଥିବା ଏନ୍.ଏସ୍.ଏସ୍.ଏଫ୍ ଯଦି ଠିକ୍ ସମୟରେ ସୂଧ ସହ ମୁଳର ପରିଶୋଧ ନ ପାଏ ତେବେ ଏହା ମଧ୍ୟ ତଳିତଳାନ୍ତ ହେବାର ସମ୍ଭାବନା ରହିଛି ।

କେବଳ ଏଫ୍.ସି.ଆଇ ନୁହେଁ, ସରକାରୀ ତୈଳ କମ୍ପାନୀ,  ପାଓ୍ବାର୍ ଫାଇନାନ୍ସ କରପୋରେସନ, ଇଣ୍ଡିଆନ୍ ରେଲଓ୍ବେ ଫାଇନାନ୍ସ କରପୋରେସନ୍ ଓ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ କମ୍ପାନୀଗୁଡିକୁ ମଧ୍ୟ  ୠଣ ଆଣି ସରକାରଙ୍କ ବିଭିନ୍ନ ଯୋଜନାର ଖର୍ଚ୍ଚ ତୁଲାଇବାର ଭାର ଦିଆ ଯାଇଛି । ଅର୍ଥାତ୍ ଯେଉଁ ଖର୍ଚ୍ଚ ଓ ୠଣ ସରକାରଙ୍କ ନିଜସ୍ବ ବହିଖାତାରେ ରହିବା କଥା ତାହା ଏବେ ସରକାରୀ କମ୍ପାନୀଗୁଡିକର ଖାତାରେ ରହୁଛି । ଏହା ଦ୍ବାରା ସରକାର ନିଜର ଅସଲ ରାଜସ୍ବ ନିଅଣ୍ଟକୁ  ଅତି କାଇଦାରେ ଲୁଚାଉଛନ୍ତି ।  ଏହାକୁ ଝରକା ସଜା ବୋଲି କୁହାଯାଏ ।

ଏବେ ଦେଖିବାକୁ ପଡିବ ଯେ ଏନ୍.ଏସ୍.ଏସ୍.ଏଫ୍ ଯଦି ଠିକ୍ ସମୟରେ  ଏଫ୍.ସି.ଆଇକୁ ଦେଇଥିବା ୠଣ ଓ ସୂଧ ଫେରି ନପାଇ ତଳିତଳାନ୍ତ ହେବ ତାହାଲେ କାହାର ଅସୁବିଧା ହେବ ।

ଏହି ନ୍ୟାସନାଲ୍ ସ୍ମଲ୍ ସେଭିଂ ଫଣ୍ଡ ୧୯୯୯ରେ ଗଠିତ ହୋଇଥିଲା । ଏହା ମଧ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ । ମାତ୍ର ଏଥିରେ ସାଧାରଣ ଲୋକଙ୍କର ସଞ୍ଚିତ ଅର୍ଥ ରହିଥାଏ । ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ, ସାମାନ୍ୟ ସଞ୍ଚୟ ଜମାରାଶି ଓ ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ ଭଳି ବିଭିନ୍ନ ଜରିଆରେ ଲୋକେ ଜମା କରିଥିବା ଟଙ୍କାକୁ ଏକାଠି କରି ତାହାକୁ ପରିଚାଳନା କରିବା ପାଇଁ ଏହି ସଂସ୍ଥା ତିଆରି ହୋଇଥିଲା ।

ଏଠାରେ ସରକାର ଦ୍ବାରା ପରିଚାଳିତ  ଦେଶର ଆର୍ଥିକ  ପରିସ୍ଥିତି ଦିନକୁ ଦିନ କିପରି ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛି ତାହା ଏହି ଆଲୋଚନାର ଉଦ୍ଦେଶ୍ୟ ନୂହେଁ । ଏହି ଆଲୋଚନାର ଉଦ୍ଦେଶ୍ୟ ଅତି ସରଳ । ସାଧାରଣ ଲୋକେ ଏନ୍.ଏସ୍.ଏସ୍.ଏଫ୍ ପାଖରେ ଜମା ରଖିଥିବା ପାଣ୍ଠିରୁ ଏଫ୍.ସି.ଆଇକୁ ୠଣ ଦିଆ ଯାଉଛି ଓ ସେହି ଟଙ୍କାରୁ ଏଫ୍.ସି.ଆଇ ଖାଦ୍ୟ ସବସିଡି  ଖର୍ଚ୍ଚର ଏକ ବଡ ଅଂଶ ତୁଲାଉଛି ।

ଲୋକଙ୍କ ସଞ୍ଚୟ ଟଙ୍କା ରଖିଥିବା  ଏନ୍.ଏସ୍.ଏସ୍.ଏଫ୍ ନିଜେ ଦେଇଥିବା ୠଣ ଟଙ୍କା ଫେରିପାଇବ କି ନାହିଁ, କେବେ ଫେରିପାଇବ, କେତେ ଫେରିପାଇବ , ଏସବୁର ସଠିକ ଉତ୍ତର  ବର୍ତ୍ତମାନର ‘ବୁଡିଗଲା ଗୋଡ ତଳକୁ ତଳକୁ’ ଆର୍ଥିକ ପରିସ୍ଥିତିରେ ଦେବା ସମ୍ଭବ ନୁହେଁ ।  ଟଙ୍କିକିଆ ଚାଉଳ ବଣ୍ଟନ ପାଇଁ ଶ୍ରେୟ ନେବାକୁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିବା ବିବାଦ ମଧ୍ୟରେ ନ ପଶି ଯେଉଁମାନେ ସେତେବେଳେ କହୁଥିଲେ ଯେ ପ୍ରକୄତରେ ଲୋକଙ୍କ ପଇସାରେ ଲୋକଙ୍କୁ ଖାଦ୍ୟ ସବସିଡି ବା ଟଙ୍କିକିଆ ଚାଉଳ ଦିଆଯାଉଛି, ସେମାନେ ସିନା ସ୍ଥୁଳ ବା ମୋଟାମୋଟି ଭାବରେ ଠିକ୍ ଥିଲେ, ମାତ୍ର ଏବେ ପ୍ରତ୍ୟକ୍ଷ ସରକାରୀ ହିସାବକୁ ଦେଖିଲେ ମଧ୍ୟ ଜଣାଯାଉଛି ଯେ, ଗତ ୨/୩ ବର୍ଷ ଧରି ସାଧାରଣ ଲୋକଙ୍କ ସଞ୍ଚୟ ଅର୍ଥରୁ ହିଁ ଖାଦ୍ୟ ସବସିଡିର ଏକ ବିରାଟ ଅଂଶ ଭରଣା ହେଉଛି । ତେଣୁ ଲୋକେ ଭୁଲ କହୁ ନଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.