ରଙ୍ଗାଚରଣ ପ୍ରଧାନ
ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ସତୁରୀ ଦଶକରେ ମୁକ୍ତିଲାଭ କରିଥିବା ଫିଲିମ୍ ‘ଅମର ଆକବର ଆନ୍ଥୋନୀ’ ଦେଖିଥିବେ, ସେମାନଙ୍କର ମନେଥିବ କେମିତି ତିନି ଜଣ ପୁଅଙ୍କର ଦେହରୁ ଏକସଙ୍ଗେ ରକ୍ତ ସଂଗ୍ରହ ହୋଇ ସୀଧା ସଳଖ ମା’ ଦେହରେ ପ୍ରବେଶ କରୁଥିଲା। ଏହି ଫିଲିମର ସୁଟିଂ ଚାଲିଥିଲା ବେଳେ ଫିଲିମଟିର ଅନ୍ୟତମ ନାୟକ ଅମିତାଭ ବଚନ ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କୁ ଏପରି ନକରିବାକୁ ଅନେକ ବୁଝାଇଥିଲେ। ଆଜି ପର୍ଯ୍ୟନ୍ତ ବି ଚିକିତ୍ସା ବିଜ୍ଞାନରେ ଏପରି କରିବା ସମ୍ଭବ ହୋଇନାହିଁ। କିନ୍ତୁ ମନମୋହନ ଦେଶାଇ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ କହିଥିଲେ ‘ବ୍ୟସ୍ତ ହୁଅନି, ଭାରତୀୟ ଲୋକେ ଉଦ୍ଭଟ କଳ୍ପନା ବା ଫାଣ୍ଟାସିକୁ ଭଲ ପାଆନ୍ତି’। ସତକୁ ସତ ଫିଲିମଟି ଅପାର ବ୍ୟବସାୟିକ ସଫଳତା ହାସଲ କରିଥିଲା। କେବଳ ସତୁରୀ ଦଶକ ନୂହେଁ, ଆଜି ବି ରଜନୀକାନ୍ତଙ୍କ ଦ୍ବାରା ଅଭିନୀତ ଅତିଶୟ କାଳ୍ପନିକ ଚଳଚିତ୍ର ସୁପରହିଟ୍ ହେଉଛି। ସେସବୁ ଫିଲିମରେ ଦେଖାଯାଉଥିବା କାଳ୍ପନିକ ଅତିଶୟତାର ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ଯେ ପର୍ଯ୍ୟନ୍ତ ଦର୍ଶକମାନେ ନିର୍ଦ୍ଦେଶନା, ସମ୍ପାଦନା, ସଂଳାପ ଓ ସଙ୍ଗୀତର ମିଳିତ ସମ୍ମୋହନ ପ୍ରଭାବରେ ଥାଆନ୍ତି, ସେମାନେ ଏସବୁକୁ ଗ୍ରହଣ କରି ଉପଭୋଗ କରନ୍ତି।
ଆଜିକାଲି ଟିଭି ଖବର ଚାନେଲଗୁଡିକ ବି ଦର୍ଶକଙ୍କୁ ସମ୍ମୋହନ କରି ଉଦ୍ଭଟ କାଳ୍ପନିକ କଥା ପରିବେଷଣ କରିବାରେ ଲାଗିଛନ୍ତି। ଯେମିତି ନୂଆ ୨୦୦୦ ଟଙ୍କିଆ ନୋଟରେ ଚିପ୍ସ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦୀ ନବରାତ୍ରୀ ଉପବାସ କରିବା ସମୟରେ ତାଙ୍କ ଶରୀର ମଧ୍ୟରେ ଜଣେ ଦେବୀଙ୍କର ରଶ୍ମୀ ପ୍ରବେଶ କରୁଛି। ଦର୍ଶକଙ୍କୁ ଏହା ଭଲ ଲାଗୁଛି ଓ ଅନେକ ଏହା ବିଶ୍ବାସ କରୁଛନ୍ତି ମଧ୍ୟ।
ଆମେ ଭାରତୀୟମାନେ ମୁଖ୍ୟତଃ ଅସୁଖୀ ଲୋକ। ଜାତିସଂଘ ଦ୍ବାରା ସଦ୍ୟ ପ୍ରକାଶିତ ବାର୍ଷିକ ଖୁସୀ ରିପୋର୍ଟରୁ ଜଣାଯାଏ ଯେ ୧୫୬ଟି ଦେଶ ମଧ୍ୟରୁ ଖୁସୀରେ ରହିବାରେ ଆମ ଦେଶର ସ୍ଥାନ ହେଉଛି ୧୪୦ ତମ। ଆମକୁ ଦରକାର ଖୁସୀ ସମ୍ବାଦ। ବିଜୟ ସମ୍ବାଦ।
ଆମଠାରୁ ବହୁତ ଛୋଟ ଓ ବହୁ ପରେ ସ୍ବାଧୀନତା ପାଇଥିବା ଦେଶଗୁଡିକ ମଧ୍ୟ ଅଲମ୍ପିକ୍ ପ୍ରତିଯୋଗିତାରେ ଆମଠାରୁ ଅଧିକ ପଦକ ଜିତିଥାନ୍ତି। ମାତ୍ର ଆମର ଯଦି କେଉଁ କ୍ରିକେଟ ଖେଳାଳୀ କେଉଁ ଦିନ ଶତକ କରନ୍ତି ସେଦିନ ଆମେ ଏମିତି ଉତ୍ସବ ମନାଉ ସତେ ଯେପରି ଶ୍ରୀରାମଚନ୍ଦ୍ର ଲଙ୍କା ବିଜୟ କରି ଫେରିଛନ୍ତି।
ଆମେ ମଧ୍ୟ ଆର୍ଥିକ ଦୄଷ୍ଟିରୁ ଏକ ଶକ୍ତିଶାଳୀ ଦେଶ ନୁହେଁ। ବିଶ୍ବ ବାଣିଜ୍ୟରେ ଭାରତର ଅଂଶ ହେଉଛି ମାତ୍ର ୧.୭%, ଯେତେବେଳେ ଚୀନର ଭାଗ ହେଉଛି ୧୨.୭%। ଯଦିଓ ବିଶ୍ବରେ ସବୁଠାରୁ ଅଧିକ ଚଳଚିତ୍ର ଭାରତରେ ନିର୍ମିତ ହୁଏ, ତଥାପି ଭାରତରୁ ବହୁତ କମ ଜଣ ବ୍ୟକ୍ତି ଓସ୍କାର ପୁରସ୍କାର ପାଇଛନ୍ତି। ତେଣୁ ଯାହା ବି କିଛି ନଗଣ୍ୟ ସଫଳତା ଆମକୁ ମିଳେ ଆମେ ତାକୁ ନେଇ ବହୁ ଧୁମଧାମରେ ଖୁସୀ ମନାଉ। ଆମେ ବହୁ ସମୟ ଧରି ବାସ୍ତବ ଜୀବନର ନୈରାଶ୍ୟ ଓ ଅସଫଳତା ମଧ୍ୟରେ ରହି ପାରୁନା। ଆମକୁ ଦରକାର ଖୁସି ଖବର ଓ ବିଜୟ ସମ୍ବାଦ। ଆମେ କଳ୍ପନାର ଅତିଶୟତା ବା ଫାଣ୍ଟାସି ମଧ୍ୟରେ ରହିବା ପାଇଁ ଚାହୁଁ। ଟେଲିଭିଜନ ଚାନେଲମାନେ ତାହା ଆମକୁ ଯୋଗାଇ ଚାଲିଛନ୍ତି। ସେମାନଙ୍କ ପାଇଁ ଆମେ ଆଉ ଦର୍ଶକ ହୋଇ ରହି ନାହୁଁ। ଆମେ ସେମାନଙ୍କର ଉପଭୋକ୍ତା ମାତ୍ର।
ପାକିସ୍ଥାନର ଦୟନୀୟ ଆର୍ଥିକ ସ୍ଥିତି ପାଇଁ ଆମେ ସେହି ଦେଶକୁ ଉପହାସ କରୁ। ସେଠାରେ ଟମାଟର ଦାମ ୩୦୦ ଟଙ୍କା ହୋଇଯିବା ଆମ ଦେଶ ପାଇଁ ଏକ ବହୁ ଚର୍ଚ୍ଚିତ ଖୁସୀ ଖବର।
କିନ୍ତୁ ଯେତେବେଳେ ଆମରି ଦେଶର ସାହାଯ୍ୟରେ ୧୯୭୧ ମସିହାରେ ସ୍ବାଧୀନତା ପାଇଥିବା ପଡୋଶି ଦେଶ ବଙ୍ଗଳାଦେଶ ଅନେକ ଗୁଡିଏ ଆର୍ଥିକ ସୁଚକାଙ୍କରେ ଆମଠାରୁ ଆଗକୁ ଚାଲିଗଲାଣି ଆମେ ସେପରି ଖବର ଗ୍ରହଣ କରୁନା। କାରଣ ତାହା ଆମପାଇଁ ଖୁସି ପ୍ରଦାୟକ ନୁହେଁ। ୧୯୭୧ ମସିହାରେ ଯୁଦ୍ଧର ବିଭିଷିକାଗ୍ରସ୍ତ ବଙ୍ଗଳା ଦେଶର ବିକାଶ ଦର -୧୪% ଥିଲା। ୨୦୧୮-୧୯ରେ ତାହା ଭାରତର ବିକାଶ ଦରକୁ ଟପି ଯାଇଛି। ଅଙ୍କଟାଡ୍ (United Nations Conference on Trade and Development) ରିପୋର୍ଟ ଅନୁସାରେ ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ଭାରତରେ ମୁଣ୍ଡ ପିଛା ଆୟର ବୄଦ୍ଧି ଦର ୧୩.୮% ଥିବାବେଳେ ବଙ୍ଗଳାଦେଶ ପାଇଁ ତାହା ଥିଲା ୩୯%। ବିଶ୍ବବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଭାରତରେ ସାଧାରଣ ଲୋକଙ୍କର ହାରାହାରି ଆୟୁ ୬୮.୮ ବର୍ଷ ଥିବା ବେଳେ ବଙ୍ଗଳାଦେଶରେ ତାହା ୭୨.୫୮ ବର୍ଷ ଥିଲା। ସେହି ରିପୋର୍ଟ ଅନୁସାରେ ଭାରତରେ ଶିଶୁ ମୄତ୍ୟୁହାର ପ୍ରତି ହଜାରରେ ୩୨ ଥିବା ବେଳେ ବଙ୍ଗଳାଦେଶରେ ତାହା ୨୭ ଥିଲା। ପ୍ରାୟ ସବୁ ଆର୍ଥିକ ଓ ଜୀବନଧାରଣ ସୁଚକାଙ୍କରେ ବଙ୍ଗଳାଦେଶ ଆମଠାରୁ ଆଗରେ।
କିନ୍ତୁ ଆମର ଚୟନମୂଳକ ଦୄଷ୍ଟି ପାକିସ୍ଥାନର ତଳିତଳାନ୍ତ ଅର୍ଥନୀତି ଆଡକୁ ଆକର୍ଷିତ ହୋଇଥାଏ ଯେଉଁଠାରୁ ଆମେ ପରପୀଡକ ସୁଖ ପାଉ ଓ ବିଜୟର ଅନୁଭବ ପାଉ।
ଆମକୁ ଅଛେ ଦିନର ପ୍ରତିଶୄତି ରୋମାଞ୍ଚକର ଲାଗେ। ନୋଟବନ୍ଦୀ ଦ୍ବାରା କଳାଧନ ବିରୁଦ୍ଧରେ ନିର୍ଣାୟକ ବିଜୟର କାଳ୍ପନିକ ଧାରଣା ଆମକୁ ଖୁସି ଦେଇଥିଲା। ମାତ୍ର ତାହାର ବିଫଳତା ଆମକୁ ନିରାଶ କରି ନଥିଲା, କାରଣ ସେତେବେଳକୁ ଆମେ ଅନ୍ୟ କେଉଁ ଉଦ୍ଭଟ କଳ୍ପନା ବା ଫାଣ୍ଟାସି ମଧ୍ୟରେ ବିଭୋର ହେବା ଆରମ୍ଭ କରିସାରିଥିଲୁ।
କାହିଁକି ବା ବିଭୋର ନ ହେବୁ ?
ଦିନସାରା ପରିବାର ଚଳାଇବା ପାଇଁ ସଂଘର୍ଷ କରିବା ପରେ ସନ୍ଧ୍ୟାରେ ପୁଣି ଥରେ ନିଜ ସଂଘର୍ଷ କାହାଣୀର ବୄହତ୍ତର ପ୍ରତିଫଳନ ଆମେ କାହିଁକି କେଉଁ ‘ନେଗେଟିଭ୍’ ଖବର ମାଧ୍ୟମରେ ଦେଖିବାକୁ ଚାହିଁବୁ ?
ଚାଷୀ ଆତ୍ମହତ୍ୟା ସମ୍ବନ୍ଧିତ ତଥ୍ୟକୁ ଅର୍ଥହୀନ କରିବା ପରେ ସେ ଖବର ଆସିବା ବନ୍ଦ ହୋଇଯାଇଛି। ଏବେ ଶିଳ୍ପପତି ବି ଆତ୍ମହତ୍ୟା କଲେଣି। ନିଜର ପୁରୁଣା ଅସହଜତାକୁ ଦୁର କରି ବିଭିନ୍ନ ନାମି ଦାମି ଶିଳ୍ପପତିମାନେ ଦେଶର ଗର୍ତ୍ତଗାମୀ ଅର୍ଥନୀତି ବିଷୟରେ ମୁହଁ ଖୋଲିବାକୁ ଆରମ୍ଭ କରିଦେଲେ। ଦେଶରେ ଚାହିଦା , ପୁଞ୍ଜିଲଗାଣ ଲଗାତର କମିବା ଯୋଗୁଁ ଶିଳ୍ପ ଉତ୍ପାଦନ, ନୂଆ ଶିଳ୍ଫସ୍ଥାପନ, ରୋଜଗାର ଲଗାତର କମିବାରେ ଲାଗିଛି। ଶିଳ୍ପ କାରଖାନା ବନ୍ଦ ହେବାରେ ଲାଗିଛି। ଭାରତୀୟ ଅଟୋଶିଳ୍ପର ଭୟଙ୍କର ଆର୍ଥିକ ସ୍ଥିତି ପାଇଁ ପ୍ରାୟ ଦଶ ହଜାର ଲୋକ ଚାକିରୀ ହରାଇବେ ବୋଲି ଖବର ଆସିଛି।
ମାତ୍ର ଏସବୁ ଖବର ଭାରତର ତଥାକଥିତ ବିଶାଳ ଓ ମୁଖର ମଧ୍ୟବିତ୍ତ ଶ୍ରେଣୀର ଆତ୍ମବିଶ୍ବାସ ହ୍ରାସ କରେ। ୨୦୦୧ରୁ ୨୦୧୧ ମସିହା ମଧ୍ୟରେ ଭାରତରେ ଦାରିଦ୍ର୍ୟ ହାର ୩୫%ରୁ ୨୦%କୁ ହ୍ରାସ ପାଇଛି। ତେବେ ୨୦୧୫ରେ ପିଉ ରିସର୍ଚ୍ଚ ସେଣ୍ଟର (PEW Research Center) ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଭାରତରେ ଦାରିଦ୍ର୍ୟ ସୀମାରେଖା ଅତିକ୍ରମ କରିଥିବା ଅଧିକାଂଶ ଲୋକ ମଧ୍ୟବିତ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଯାଇଛନ୍ତି ବୋଲି ଭାବିବା ଭ୍ରମାତ୍ମକ। କାରଣ ଯଦିବା ସେମାନେ ଦୈନିକ ୨ ଡଲାର ଆୟର ଦାରିଦ୍ର୍ୟ ସୀମାରେଖା ଅତିକ୍ରମ କରିସାରିଛନ୍ତି , କିନ୍ତୁ ସର୍ବନିମ୍ନ ଦୈନିକ ୧୦ ଡଲାର ମଧ୍ୟବିତ୍ତ ଶ୍ରେଣୀ ଆୟବର୍ଗଠାରୁ ସେମାନେ ବହୁ ତଳେ ଅଛନ୍ତି। ଏହି ଅଧ୍ୟୟନ ଅନୁସାରେ ଦାରିଦ୍ର୍ୟ ସୀମାରେଖା ଟପିଥିବା ଏହି ଲୋକମାନେ ନିମ୍ନ ଆୟବର୍ଗ ଶ୍ରେଣୀରେ ଅଛନ୍ତି, ମଧ୍ୟବିତ୍ତ ଆୟବର୍ଗ ଶ୍ରେଣୀରେ ନାହାନ୍ତି। ଭାରତରେ ଉଭୟ ଦରିଦ୍ର ଓ ନିମ୍ନ ଆୟବର୍ଗଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୯୫% ବୋଲି ଏହି ଅଧ୍ୟୟନ ଆକଳନ କରିଛି। ତେଣୁ ଭାରତରେ ଏକ ବିଶାଳ ମଧ୍ୟମ ଆୟବର୍ଗ ଅଛି ବୋଲି କହିବା ଠିକ୍ ନୁହେଁ।
ଏହିମାନେ ହେଉଛନ୍ତି ବିଶାଳ ଟିଭି ଚାନେଲ ଶିଳ୍ପର ଉପଭୋକ୍ତା ଯେଉଁମାନଙ୍କୁ ଦୈନିକ ଏକ ଛଳନାତ୍ମକ ରାଷ୍ଟ୍ରବାଦୀ ଆତ୍ମବିଶ୍ବାସରେ ବୁଡାଇ ରଖିବାକୁ ପଡେ। ପାନ ମସଲାର ବିଜ୍ଞାପନରେ ବି ରାଷ୍ଟ୍ରବାଦର ଶିକ୍ଷା ଦିଆଯାଏ। ସେମାନେ ମଧ୍ୟମ ଆୟବର୍ଗୀ ଓ ସେମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇ ସାରିଛି ବୋଲି ଧାରଣା ଦିଆଯାଏ। ଯାହା ଫଳରେ ଆଉ ରୁଟି ଓ ଚାକିରୀ ଭଳି ନେଗେଟିଭ୍ କଥାରେ ବ୍ୟଥିତ ନହୋଇ ଏଣିକି ଏକ ସୌଖୀନ କିଷମର ରାଷ୍ଟ୍ରବାଦର ଫାଣ୍ଟାସି ଭିତରେ ବୁଡି ରହିଲେ ଯାଇ ସେମାନେ ନୂଆ ହୋଇ ପାଇଥିବା ସଶକ୍ତିକରଣକୁ ମର୍ଯ୍ୟାଦା ଦେଇପାରିବେ।
ଏଠାରେ ଉଲ୍ଲେଖ କରିବା ଆଦୌ ବିଷୟାନ୍ତର ହେବନାହିଁ ଯେ ଧାରା ୩୭୦କୁ ପ୍ରଭାବହୀନ କରିବା ଏବେ ପ୍ରଥମଥର ହୋଇନାହିଁ। କାଶ୍ମୀରରେ ଏଇ ପ୍ରଥମଥର ପାଇଁ କେନ୍ଦ୍ରୀୟ ଶାସନ ଲାଗୁ ହୋଇ ନାହିଁ। ଏଇ ପ୍ରଥମଥର ପାଇଁ ସେଠାରେ ଭାରତପ୍ରେମୀ ରାଜନୈତିକ ନେତାଙ୍କୁ ନଜରବନ୍ଦ କରାଯାଇ ନାହିଁ। କାଶ୍ମୀରକୁ ପ୍ରଥମଥର ପାଇଁ ସୈନ୍ୟ ଛାଉଣୀରେ ପରିବର୍ତନ କରାଯାଇ ନାହିଁ। ଏଇ ପ୍ରଥମ ଥର ପାଇଁ କାଶ୍ମୀର ବାସୀଙ୍କୁ ଆର୍ଥିକ ପ୍ୟାକେଜ୍ ଓ ବିକାଶର ପ୍ରତିଶୄତି ଦିଆଯାଉ ନାହିଁ।
କିନ୍ତୁ ଦୁଃଖର କଥା ଯେ ଏଇ ପ୍ରଥମ ଥର ପାଇଁ ଗଣମାଧ୍ୟମର ଖବର ପରିବେଷଣ ଓ ଚର୍ଚ୍ଚାରେ କାଶ୍ମୀରବାସୀଙ୍କ ପ୍ରତି ସମବେଦନା ନାହିଁ। ସତେ ଯେପରି ଭାରତ କାଶ୍ମୀର ଓ ଏହାର ଅଧିବାସୀଙ୍କୁ ପରାସ୍ତ କରି ସେମାନଙ୍କ ଉପରେ ବିଜୟ ଲାଭ କଲା।
ଆମକୁ ବିଜୟ ସମ୍ବାଦ ଦରକାର। ଆମକୁ ଖୁସୀ ଖବର ଦରକାର, ନେଗେଟିଭ୍ ଖବର ନୁହେଁ। ସମ୍ମୋହନ କଳାରେ ଟିଭି ଚାନେଲଗୁଡିକ ମନମୋହନ ଦେଶାଇଙ୍କଠାରୁ କମ୍ ନିପୁଣ ନୁହନ୍ତି।