୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

Published: Aug 14, 2019, 8:40 pm IST
୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

ମୋର ପ୍ରିୟ ଦେଶବାସୀ,

(୧) ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଦେଶବିଦେଶରେ ରହୁଥିବା ଭାରତମାତାର ସବୁ ସନ୍ତାନଙ୍କ ପାଇଁ ଏକ ଖୁସି ଓ ଆବେଗର ଦିବସ । ଦେଶମାତୃକାକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଯେଉଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀ ଅଦମ୍ୟ ସଂଘର୍ଷ, ସାହସ ଏବଂ ନିଷ୍ଠା ପ୍ରଦର୍ଶନ ପୂର୍ବକ ଚରମ ବଳିଦାନ ଦେଇଛନ୍ତି ଏହି ଅବସରରେ ଆମେ କୃତଜ୍ଞତାର ସହ ସେମାନଙ୍କୁ ସ୍ମରଣ କରୁଛୁ ।
(୨) ଦେଶର ଏକ ଘଡ଼ିସନ୍ଧି ମୁହୂର୍ତରେ ସ୍ୱାଧୀନ ଭାରତର ୭୨ବର୍ଷ ଆମେ ପୂର୍ଣ୍ଣ କରିବାକୁ ଯାଉଛୁ । ଆଉ କେଇ ସପ୍ତାହ ପରେ ଅକ୍ଟୋବର ୨ ତାରିଖରେ ଆମେ ଆମ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା । ସେ ଦେଶମାତୃକାର ମୁକ୍ତି କ୍ଷେତ୍ରରେ ଆଲୋକବର୍ତିକା ଥିଲେ । ସ୍ୱାଧୀନତା ହାସଲରେ ସଫଳତା ଏବଂ ସକଳ ଅସମାନତା ଦୂର କରି ଆମ ସମାଜରେ ସଂସ୍କାର ଆଣିବା ପାଇଁ ଆମେ ଯେଉଁ ଉଦ୍ୟମ ଚଳାଇଛନ୍ତି ତା’ପଛରେ ତାଙ୍କର ପ୍ରେରଣା ଓ ମାର୍ଗଦର୍ଶନ ରହିଛି ।
(୩) ମହାତ୍ମା ଗାନ୍ଧୀ ଯେଉଁ ଭାରତରେ ବଂଚିଥିଲେ ଓ କାମ କରିଥିଲେ ସାଂପ୍ରତିକ ଭାରତ ତା’ଠାରୁ ଭିନ୍ନ । ଏହା ସତ୍ୱେ ଗାନ୍ଧିଜୀ ଏବେ ମଧ୍ୟ ଆମ ପାଇଁ ପ୍ରାସଙ୍ଗିକ ହୋଇ ରହିଛନ୍ତି । ସେ ଆଜିର ଗୁରୁତର ଆହ୍ୱାନଗୁଡ଼ିକର ଅନୁମାନ ଯଥେଷ୍ଟ ପୂର୍ବରୁ କରିଥିଲେ । ପ୍ରାକୃତିକ ସମ୍ପଦର ଉପଯୋଗ ବିବେକାନୁସାରେ କରିବାକୁ ଗାନ୍ଧିଜୀ ଗୁରୁତ୍ୱ ଦେଉଥିଲେ । ଏହା ଦ୍ୱାରା ବିକାଶ ଓ ପ୍ରକୃତି ମଧ୍ୟରେ ସର୍ବଦା ଭାରସାମ୍ୟ ରକ୍ଷା କରାଯାଇପାରିବ ବୋଲି ତାଙ୍କର ବିଚାର ଥିଲା । ସେ ପରିବେଶ ପ୍ରତି ସମ୍ବେଦନଶୀଳ ହେବାକୁ ଜୋର ଦେଉଥିଲେ ଏବଂ ପ୍ରକୃତି ସହିତ ସାମଞ୍ଜସ୍ୟ ରଖି ଜୀବନ ଜିଇବାର ଶିକ୍ଷା ଦେଉଥିଲେ । ବର୍ତମାନ ଚାଲିଥିବା ଆମର ଅନେକ ପ୍ରୟାସ ଗାନ୍ଧିଜୀଙ୍କ ବିଚାରକୁ ହିଁ ଯଥାର୍ଥ ରୂପ ଦେଉଛି । ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଦେଶବାସୀଙ୍କ ଜୀବନକୁ ସରସ ସୁନ୍ଦର କରାଯାଉଛି । ସୌର ଶକ୍ତିର ଉପଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଗାନ୍ଧିଜୀଙ୍କ ବିଚାରର ଏକ ରୂପାୟନ ।
(୪) ଚଳିତବର୍ଷ ମଧ୍ୟ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ବର୍ଷ । ସେ ଭାରତର ମହାନ୍ ସନ୍ଥମାନଙ୍କ ମଧ୍ୟରେ ଅନ୍ୟତମ । ଭାରତୀୟଙ୍କ ଉପରେ ଏହି ପ୍ରବୁଦ୍ଧ ସନ୍ଥଙ୍କର ଯଥେଷ୍ଟ ପ୍ରଭାବ ରହିଛି । ସେ ଶିଖଧର୍ମର ପ୍ରତିଷ୍ଠାତା ଥିଲେ ମଧ୍ୟ ସଂପ୍ରଦାୟ ଊଦ୍ଧ୍ୱର୍ରେ ବିଭିନ୍ନ ଧର୍ମ ଓ ପନ୍ଥର ଅନୁଗାମୀମାନଙ୍କର ତାଙ୍କ ପ୍ରତି ଯଥେଷ୍ଟ ଭକ୍ତି ଓ ସମ୍ମାନ ରହିଛି । ଭାରତ ଓ ଭାରତ ବାହାରେ ତାଙ୍କର ଅଗଣିତ ଶ୍ରଦ୍ଧାଳୁ ଓ ଅନୁଗାମୀ ଅଛନ୍ତି । ଏହି ପବିତ୍ର ମୁହୂର୍ତରେ ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।

ପ୍ରିୟ ଦେଶବାସୀ,
(୫) ଯେଉଁ ମହାନ୍ ପିଢ଼ି ଆମକୁ ସ୍ୱାଧୀନତା ଦେଇଥିଲା ତାହା କେବଳ ସ୍ୱାଧୀନତାକୁ ରାଜନୈତିକ କ୍ଷମତା ହସ୍ତାନ୍ତରରେ ସୀମିତ ରଖିବାକୁ ଭାବି ନଥିଲା । ଏହି ପିଢ଼ିର ନେତାଙ୍କ ପାଇଁ ସ୍ୱାଧୀନତା ଲାଭ ଏକ ଦୀର୍ଘତମ, ବୃହତର ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାର ମୂଳଦୁଆ ବିବେଚିତ ହୋଇଥିଲା । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କଲ୍ୟାଣ ଆଣିବା, ପ୍ରତି ପରିବାର ଏବଂ ସର୍ବୋପରି ସମଗ୍ର ସମାଜର ବିକାଶ ସେମାନଙ୍କର ଧ୍ୟେୟ ଥିଲା ।
(୬) ଏହି ପ୍ରେକ୍ଷାପଟ୍ଟରେ ମୁଁ ଦୃଢ଼ ବିଶ୍ୱାସୀ ଯେ, ନିର୍ବାଚନରେ ଜାମ୍ମୁ-କାଶ୍ମୀର ଓ ଲଦାଖରେ ଯେଉଁ ପରିବର୍ତନ ହୋଇଛି ତାହା ସେହି ଅଂଚଳର କଲ୍ୟାଣରେ ବିଶେଷ ସହାୟକ ହେବ । ଏହାଦ୍ୱାରା ସେହି ଅଂଚଳର ଜନସାଧାରଣ ଦେଶର ଅନ୍ୟାନ୍ୟ ଅଂଚଳର ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବେ । ସେମାନେ ମଧ୍ୟ ସମାନତାକୁ ଗୁରୁତ୍ୱ ଦେଉଥିବା ପ୍ରଗତିଶୀଳ ଆଇନ ଏବଂ ବ୍ୟବସ୍ଥା ଗୁଡ଼ିକର ଲାଭ ଉଠାଇପାରିବେ । ଶିକ୍ଷା ଅଧିକାର ଆଇନ ଲାଗୁ ହେବାପରେ ସବୁ ପିଲାଙ୍କ ପାଇଁ ଶିକ୍ଷା ଲାଭ ସୁନିଶ୍ଚିତ ହୋଇପାରିବ । ସୂଚନା ଅଧିକାର ମିଳିବା ପରେ ଏବେ ସେଠାକାର ଲୋକେ ଜନହିତ ସମ୍ବଳିତ ତଥ୍ୟ ପାଇପାରିବେ । ପାରମ୍ପରିକ ରୂପେ ବଂଚିତ ରହି ଆସିଥିôବା ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳିବ । ଆହୁରି ମଧ୍ୟ ତକ୍ରାଳ ତିନି ତଲାକ୍ ଭଳି ପ୍ରଥାର ଅବସାନ ପରେ ସେଠାରେ ଥିବା ଆମ ଝିଅମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନେ ଭୟମୁକ୍ତ ଜୀବନଯାପନ କରିବାର ସୁଯୋଗ ପାଇବେ ।
(୭) ଏ ବର୍ଷ ଗ୍ରୀଷ୍ମ ଋତୁରେ ଭାରତର ଜନସାଧାରଣ ସପ୍ତଦଶ ସାଧାରଣ ନିର୍ବାଚନରେ ଭାଗ ନେଇଥିଲେ । ଭାରତୀୟ ନିର୍ବାଚନ ମାନବ ଇତିହାସରେ ସର୍ବବୃହତ୍ ଗଣତାନ୍ତ୍ରିକ ପ୍ରକ୍ରିୟା । ସେଥିପାଇଁ ଭୋଟରମାନଙ୍କୁ ଅବଶ୍ୟ ଅଭିନନ୍ଦନ ଜଣାଇବି । ସେମାନେ ବିପୁଳ ଉତ୍ସାହର ସହ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରରେ ପହଂଚିବା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ସେମାନେ ଏହି ପ୍ରକ୍ରିୟାରେ ନିଜର ଗଣତାନ୍ତ୍ରିକ ଅଧିକାର ଓ ଦାୟିତ୍ୱ ଉତମ ଭାବେ ନିର୍ବାହ କରିଛନ୍ତି ।
(୮) ପ୍ରତ୍ୟେକ ନିର୍ବାଚନ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଏ । ପ୍ରତ୍ୟେକ ନିର୍ବାଚନରେ ମଧ୍ୟ ଭାରତୀୟ ଭୋଟରଙ୍କ ସାମୂହିକ ଆଶା ଓ ବିଶ୍ୱାସର ନବୀକରଣ ଘଟିଥାଏ । ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ଆମର ଯେଉଁ ଅନୁଭୂତି ଥିଲା ତାହାକୁ ବର୍ତମାନର ଅନୁଭୂତି ସହ ତୁଳନା କରାଯାଇପାରେ । ଆମ ଇପ୍ସିତ ଭାରତକୁ ନୂତନ ଶିଖରରେ ପହଂଚାଇବା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।
(୯) ଏହି ପରିପ୍ରେକ୍ଷୀରେ ନିକଟରେ ଶେଷ ହୋଇଥିବା ସଂସଦ ଅଧିବେଶନରେ କାର୍ଯ୍ୟ ନେଇ ମୁଁ ସନ୍ତୁଷ୍ଟ । ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ବେଶ୍ ସୁଦୀର୍ଘ ତଥା ଫଳପ୍ରଦ ଥିଲା । ଗଠନମୂଳକ ବିତର୍କ ଏବଂ ବିଭିନ୍ନ ଦଳଙ୍କ ସହଯୋଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ ହୋଇଛି । ମୁଁ ନିଶ୍ଚିତ ଯେ, ଆସନ୍ତା ପାଂଚବର୍ଷ ମଧ୍ୟରେ ସମାନ ବିଚାର ଓ ସହଯୋଗରେ ସଂସଦରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇପାରିବ । ଏହା ତାହାର ଏକ ଅୟମାରମ୍ଭ ।
(୧୦) ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ? ନିର୍ବାଚକମାନେ ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ ଯେଉଁ ବିଶ୍ୱାସ ସ୍ଥାପନ କରିଛନ୍ତି ସେଥିପାଇଁ ଏହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ସହିତ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସଂଶ୍ଳିଷ୍ଟ ଥିବାରୁ ଏହା ବିଶେଷ ଗୁରୁତ୍ୱ ବହନ କରୁଛି । ରାଷ୍ଟ୍ରନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା ଏବଂ ସେଥିରେ ସ୍ୱାଧୀନତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ସେ ଦୃଷ୍ଟିରୁ ସବୁ ଅନୁଷ୍ଠାନ, ପ୍ରତିଷ୍ଠାନ, ପ୍ରତ୍ୟେକ ସଂପୃକ୍ତ ପକ୍ଷ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ରାଷ୍ଟ୍ର ନିର୍ମାଣର ଅନ୍ତିମ ଲକ୍ଷ୍ୟ ହେଲା ଭୋଟର ଓ ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି, ନାଗରିକ ଓ ସରକାର ତଥା ନାଗରିକ ସମାଜ ଓ ରାଷ୍ଟ୍ର ମଧ୍ୟରେ ଏକ ଶ୍ରେଷ୍ଠ ଭାଗୀଦାରୀ ସୃଷ୍ଟି କରିବା ।
(୧୧) ଏଠାରେ ସୁବିଧା ପ୍ରଦାନକାରୀ ଓ ସାମର୍ଥ୍ୟ ପ୍ରଦାନକାରୀ ଭାବେ ଉଭୟ ରାଷ୍ଟ୍ର ଏବଂ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଦୃଷ୍ଟିରୁ ଆମ ନାଗରିକମାନେ ଦେଉଥିବା ବାର୍ତାକୁ ଭଲଭାବେ ଅନୁଧ୍ୟାନ କରି ତଦନୁସାରେ ପଦକ୍ଷେପ ନେବାକୁ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ନୀତି ନିର୍ଦ୍ଧାରକମାନେ ଯତ୍ନବାନ ହେବା ଆବଶ୍ୟକ । ଭାରତର ରାଷ୍ଟ୍ରପତି ଭାବେ ମୁଁ ଦେଶର ବିଭିନ୍ନ ଅଂଚଳ ଗସ୍ତ କରିବାର ସୁଯୋଗ ପାଇଛି । ଏହି ଗସ୍ତ ଅବସରରେ ମୁଁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିଛି । ଭାରତୀୟମାନେ ନିଜର ରୁଚି ଓ ଅଭ୍ୟାସ ଦୃଷ୍ଟିରୁ ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ହୋଇପାରନ୍ତି; କିନ୍ତୁ ମୁକ୍ତ ଭାରତରେ ସେମାନଙ୍କର ସ୍ୱପ୍ନ ସମାନ ଏକଥା ମୁଁ ଅନୁଭବ କରିଛି । ଆଜି ସେ ସ୍ୱପ୍ନଟି ହେଉଛି ତ୍ୱରିତ ବିକାଶର ସ୍ୱପ୍ନ । ଏକ ପ୍ରଭାବଶାଳୀ ଓ ପାରଦର୍ଶୀ ଶାସନର ସ୍ୱପ୍ନ । ଦୈନନ୍ଦିନ ଜୀବନରେ ସରକାରଙ୍କର କିଂଚିତ୍ ଉପସ୍ଥିତ ଓ ଅବଦାନ ସମସ୍ତଙ୍କର କାମ୍ୟ ।
(୧୨) ଏହି ସ୍ୱପ୍ନ ପୂରଣ କରିବା ଏକାନ୍ତ ଜରୁରୀ । ଜନାଦେଶକୁ ଯଦି ଅନୁଧ୍ୟାନ କରାଯାଏ ସେଥିରୁ ଲୋକଙ୍କ ଆଶା ଆକାଙ୍କ୍ଷା ସ୍ପଷ୍ଟ ରୂପେ ବାରି ହୋଇ ପଡ଼ିବ । ସରକାରଙ୍କୁ ତାଙ୍କ ଭୂମିକା ଏ କ୍ଷେତ୍ରରେ ଅବଶ୍ୟ ନିର୍ବାହ କରିବାକୁ ହେବ । ଏଥିସହିତ ମୁଁ କହିବି ଯେ, ଏହା ସହିତ ୧୩୦ କୋଟି ଭାରତୀୟଙ୍କୁ ଦକ୍ଷତା, ବିକାଶ, ପ୍ରତିଭା ବିକାଶ, ଅଭିନବତା, ସୃଜନଶୀଳତା ଓ ଉଦ୍ୟମିତାର ବିକାଶ ସୁଯୋଗ ଦେଇ ସେମାନଙ୍କୁ ସୁଦକ୍ଷ କରିବାକୁ ହେବ । ଏହା ନୂଆ କଥା ନୁହେଁ । ଦେଶର ନାଗରିକ ସେମାନଙ୍କର ଦକ୍ଷତା, ସୃଜନଶୀଳତା, ଅଭିନବତା ଓ ପ୍ରତିଭା ବଳରେ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାକୁ ଋଦ୍ଧିମନ୍ତ କରିଆସିଛନ୍ତି । ଆମ ଲମ୍ବା ଇତିହାସର କେତେକ କାଳରେ ଆମ ଲୋକେ କଷ୍ଟକର ଓ ଆହ୍ୱାନମୂଳକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଦ୍ଦିନରେ ଆମ ସମାଜ ସ୍ଥିତିସ୍ଥାପକତା ପ୍ରଦର୍ଶନ କରି ଏହାର ସଫଳ ମୁକାବିଲା କରିପାରିଛି । ସାଧାରଣ ପରିବାରଗୁଡ଼ିକ ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି । ଅନେକ ଦୃଢ଼ ସଂକଳ୍ପ ବ୍ୟକ୍ତିବିଶେଷ ଅସୀମ ଧୈର୍ଯ୍ୟ ଓ ପରିଶ୍ରମ କରି, ଶକ୍ତି ଜୁଟାଇ ଏଭଳି କଠିନ ପରିସ୍ଥିତିର ସଫଳ ମୁକାବିଲା କରିପାରିଛନ୍ତି । ଏବେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗ ଓ କ୍ରିୟାଶୀଳ ପରିବେଶରେ ଆମେ ଲୋକେ କ’ଣ କରିପାରିବେ ତାହା ଏବେ ଆମେ କଳ୍ପନା କରିବା ।
(୧୩) ଏକ ପାରଦର୍ଶୀ, ସୁସ୍ଥ, ସମାବେଶୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା, ଅନ୍ଲାଇନ୍ ଅନୁକୂଳ ଟିକସ ବ୍ୟବସ୍ଥା, ଉପଯୁକ୍ତ ଉଦ୍ୟୋଗ ସ୍ଥାପନ ପାଇଁ ପୁଞ୍ଜି ଯୋଗାଡ଼ର ସୁବିଧା ସୁଯୋଗ ମାଧ୍ୟମରେ ସରକାର ଏକ ବିତୀୟ ଭିତିଭୂମି ତିଆରି କରିପାରିବେ । ସରକାରଙ୍କ ଦ୍ୱାରା ମଧ୍ୟ ଗରିବଙ୍କ ପାଇଁ ଘର, ଅଭାବୀ ଲୋକଙ୍କୁ ଇନ୍ଧନ, ଶୌଚାଳୟ ସୁବିଧା, ଜଳଯୋଗାଣ ଭଳି ଭୌତିକ ଭିତିଭୂମି ଯୋଗାଇ ଦେଇ ହେବ । ସରକାର ମଧ୍ୟ ଆନୁଷ୍ଠାନିକ ଭିତିଭୂମି ତିଆରି କରି ବନ୍ୟା ଭଳି ପ୍ରାକୃତିକ ବିପତି ଓ ଜଳାଭାବ ଜନିତ ସମସ୍ୟାର ମୁକାବିଲା କରିପାରିବେ । ନିରାପଦ ଉତମ ରେଳ, ସଡ଼କ, ଆକାଶ ଓ ଜଳପଥ ଯୋଗାଯୋଗ ସୁବିଧା ପାଇଁ ସରକାର ମଧ୍ୟ ଭିତିଭୂମି ନିର୍ମାଣ କରିବାକୁ ସକ୍ଷମ । ସେହିଭଳି ସରକାରଙ୍କ ଦ୍ୱାରା ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ସାର୍ବଜନୀନ ‘ଡାଟା ଆକ୍ସେସ୍’ ବ୍ୟବସ୍ଥା ମାଧ୍ୟମରେ ସାଧାରଣ ଜନତା ଉପକୃତ ହୋଇପାରିବେ ।
(୧୪) ଆମ ଦେଶର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ସରକାର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ସହ ବିଭିନ୍ନ ଯୋଜନାରେ ସ୍ୱତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟ କରୁଛନ୍ତି । ଲିଙ୍ଗଗତ ସମାନତା ହାସଲ ଦିଗରେ ଆଇନ ପ୍ରଣୟନ ଓ ପ୍ରବର୍ତନ ସହ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି । ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପୁରୁଣା ଆଇନଗୁଡ଼ିକର ଅବସାନ ଘଟାଇ ନୂଆ ବିଧି ଓ ଆଇନ ମାଧ୍ୟମରେ ଆଇନଗତ ନୂତନ ଭିତିଭୂମି ଯୋଗାଣର ବ୍ୟବସ୍ଥା କରାଯାଉଛି ।
(୧୫) ଏସବୁ ସତ୍ୱେ ସମାଜ ଓ ନାଗରିକଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏସବୁ ଭିତିଭୂମିକୁ ସେମାନେ କିପରି ବ୍ୟବହାର କରୁଛନ୍ତି । ନିଜ ପାଇଁ, ନିଜ ନିଜର ପରିବାର, ସମଗ୍ର ଜନତା ଏବଂ ସମାଜ ନିମନ୍ତେ ଏହାର କିପରି ବ୍ୟବହାର ହେଉଛି ତାହା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।
(୧୬) ଗ୍ରାମାଂଚଳ ସଡ଼କ ସଂଯୋଗ ସୁବିଧାକୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ଯଦି ଚାଷୀମାନେ ଏହାକୁ ବ୍ୟବହାର କରି ବଡ଼ ବଜାରରେ ପହଂଚିବା ସହ ନିଜ ସାମଗ୍ରୀ ବିକି ଉତମ ମୂଲ୍ୟ ପାଇପାରିଲେ ତେବେ ଏହି ସଡ଼କ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହେଲା ବୋଲି କୁହାଯାଇପାରିବ । ସେହିଭଳି ଯେଉଁ ବିତୀୟ ସଂସ୍କାର ଓ ନୀତିନିୟମ କୋହଳ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ତାହାର ସୁଯୋଗ ପ୍ରକୃତ ଉଦ୍ୟୋଗୀ ପାଇ ନିଜର ଉଦ୍ୟୋଗ, ଷ୍ଟାର୍ଟ ଅପ୍ ତିଆରି କରିପାରିଲେ ଏହା ସଫଳ ହେଲା ବୋଲି ବୁଝିବାକୁ ପଡ଼ିବ । ସେଇଭଳି ଶୌଚାଳୟ ନିର୍ମାଣ ଓ ଜଳଯୋଗାଣ ବ୍ୟବସ୍ଥା ଦ୍ୱାରା ମହିଳାମାନେ ଯଦି ସଶକ୍ତ ହୁଅନ୍ତି ଓ ମର୍ଯ୍ୟାଦା ସହ ବଂଚିବାର ସୁଯୋଗ ଲାଭ କରନ୍ତି ତେବେ ଏହି ଯୋଜନା ସଫଳ ହୋଇଛି ବୋଲି କୁହାଯାଇପାରିବ । ଏହି ସୁବିଧା ସୁଯୋଗର ଉପଯୋଗ କରି ମହିଳାମାନେ ସେମାନଙ୍କ ଅଭିଳାଷ ପୂରଣ କରିବା ସହ ଉଭୟ ମା’ ଏବଂ ଗୃହିଣୀର ଦାୟିତ୍ୱ ସଫଳତାର ସହ ନିର୍ବାହ କରିପାରିଲେ ଏହି ଯୋଜନାର ବାସ୍ତବ ଲକ୍ଷ୍ୟ ପୂରଣ ହେବ ।
(୧୭) ଏସବୁ ଭିତିଭୂମି ପାଇଁ ଅଭିଳାଷ ରଖିବା ସହିତ ସେ ସବୁର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟିଦେବା ଆମର ସାମୂହିକ ଦାୟିତ୍ୱ । ଏହା ଆମ ସମସ୍ତଙ୍କର, ସବୁ ଭାରତୀୟଙ୍କ ସମ୍ପତି । ଏ ସବୁର ସୁରକ୍ଷା ଅର୍ଥ ଆମ କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା । ଦାୟିତ୍ୱସମ୍ପନ୍ନ ନାଗରିକ ଏସବୁ ଭିତିଭୂମିର ସୁରକ୍ଷା କରିଥାନ୍ତି ଏବଂ ସେ ସବୁକୁ ଆପଣାର ସମ୍ପତି ଭାବେ ବିଚାର କରିଥାନ୍ତି । ସେମାନଙ୍କର ଏତାଦୃଶ ମନୋଭାବ ଓ ବିଚାର ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟରତ ସାହସୀ ଯବାନମାନଙ୍କ ବିଚାରର ପ୍ରତିନିଧିତ୍ୱ କରେ । ଆପଣ, ସୀମାନ୍ତରେ ଦେଶର ସୁରକ୍ଷାରେ ନିୟୋଜିତ ହୁଅନ୍ତୁ କିମ୍ବା ସରକାରୀ ସମ୍ପତିିକୁ ନଷ୍ଟ କରୁଥିବା ଲୋକଙ୍କ ପ୍ରତିରୋଧ କରନ୍ତୁ ଉଭୟ କ୍ଷେତ୍ରରେ ଆପଣ ଦେଶର ବୃହତର ସ୍ୱାର୍ଥ ପାଇଁ କାମ କରୁଛନ୍ତି । ଏହାଦ୍ୱାରା ଦେଶର ସାର୍ବଜନୀନ ସମ୍ପତି ସୁରକ୍ଷିତ ହୋଇପାରୁଛି । ଏହା କେବଳ ଆଇନକାନୁନକୁ ମାନିବା ବା ପାଳନ କରିବାର କଥା ନୁହେଁ, ଏହା ନିଜର ବିବେକର କଥା ।

ପ୍ରିୟ ଦେଶବାସୀ,
(୧୮) ମୁଁ ଏ ପର୍ଯ୍ୟନ୍ତ ରାଷ୍ଟ୍ର, ସମାଜ, ସରକାର ଓ ନାଗରିକ ପ୍ରତ୍ୟେକ ନିଜ ନିଜକୁ କିପରି ଦେଖିବେ ଓ ମିଳିମିଶି କାମ କରିବେ ସେ ସମ୍ପର୍କରେ କହିଲି । ଏବେ ଆମେ ଭାରତୀୟ ଜଣେ ଅନ୍ୟଜଣକୁ କିପରି ଦେଖିବ ଏବଂ ପ୍ରତ୍ୟେକ ପ୍ରତ୍ୟେକ ଠାରୁ କି ପ୍ରକାର ଆଚରଣ ଆଶା କରିବ ସେ ସମ୍ପର୍କରେ କିଛି କହିବି । ଭାରତ ତାହାର ଅସ୍ଥିତ୍ୱର ଦୀର୍ଘଯାତ୍ରା ମଧ୍ୟରେ କ୍ୱଚିତ୍ ଏକ ଜଟିଳ ବିଚାରଧାରା ସମ୍ପନ୍ନ ବା ଗର୍ହିତ ବିଚାରର ସମାଜରେ ପରିଣତ ହୋଇଛି । ଏହା ଏକ ସହଜ, ସରଳ ସମାଜ ଭାବେ ମୁଖ୍ୟତଃ ରହିଆସିଛି । ନିଜେ ବଂଚି ଅନ୍ୟକୁ ବଂଚିବାର ସିଦ୍ଧାନ୍ତ ଉପରେ ଏହା ଗଢ଼ି ଉଠିଛି । ଆମେ ପରସ୍ପରକୁ ସମ୍ମାନ ଦେଉ ଓ ପରସ୍ପରର ପରିଚୟକୁ ସ୍ୱୀକାର କରୁ । ଏଥିରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା, ଆଂଚଳିକତା ଆଦିର ସ୍ଥାନ ନ ଥାଏ । ଭାରତର ଇତିହାସ, ନିୟତି, ପରମ୍ପରା, ଐତିହ୍ୟର ଉତରାଧିକାର ଓ ଭବିଷ୍ୟତ – ଏସବୁ ଏକ ମିଳିତ ଶାନ୍ତିପୂର୍ଣ୍ଣ, ସମାବେଶୀ, ବୁଝାମଣା ଭିତିକ ସହାବସ୍ଥାନ ଓ ସଂସ୍କାର ଉପରେ ଗଢ଼ି ଉଠିଛି । ଏଥିରେ ହୃଦୟକୁ ବିସ୍ତାରିତ କରି ଅନ୍ୟର ବିଚାରକୁ ଗ୍ରହଣ କରି ନେବାର ଭାବନା ନିହିତ ।
(୧୯) ଅନ୍ୟ ଦେଶ ସହିତ ଆମର ସମ୍ବନ୍ଧରେ ମଧ୍ୟ ଆମେ ସହଯୋଗର ଏହି ଭାବନାର ପରିଚୟ ଦେଉଛୁ । ଆମ ପାଖରେ ଯେଉଁ କିଛି ବିଶେଷ ଅନୁଭବ ଓ ଯୋଗ୍ୟତା ଅଛି ତାହାକୁ ସହଯୋଗୀ ରାଷ୍ଟ୍ରଙ୍କ ସହ ବାଂଟି ଆମେ ଆନନ୍ଦ ଅନୁଭବ କରୁଛୁ । ଦେଶ ହେଉ ବା ବିଦେଶ ଘରୋଇ ଓ ବୈଦେଶିକ ନୀତି ସ୍ତରରେ ଆମେ ଚାହୁଁ ଭାରତର ଏହି ସାଂସ୍କୃତିକ ମୂଲ୍ୟବୋଧକୁ ଆମେ ସର୍ବଦା ନିଜର ମାନସପଟଳରେ ଧରି ରଖିବା ।
(୨୦) ଭାରତ ଏକ ଯୁବପ୍ରଧାନ ଦେଶ । ଆମ ସମାଜର ସ୍ୱରୂପ ଓ ସଂଜ୍ଞା ନିର୍ଦ୍ଧାରଣ ମୁଖ୍ୟତଃ ଯୁବକମାନେ କରୁଛନ୍ତି । ଆମ ଯୁବ ବର୍ଗର ଶକ୍ତି ବିଭିନ୍ନ ମାର୍ଗରେ ବିନିଯୋଗ ହେଉଛି । କ୍ରୀଡ଼ା ଠାରୁ ଆରମ୍ଭ କରି ବିଜ୍ଞାନ, ଜ୍ଞାନ ସନ୍ଧାନ ଠାରୁ ସୂକ୍ଷ୍ମ ଜ୍ଞାନକୌଶଳ ସବୁ କ୍ଷେତ୍ରରେ ଉକ୍ରର୍ଷ ହାସଲ ପାଇଁ ଏହି ଶକ୍ତି ବିନିଯୋଗ କରାଯାଉଛି । ଏହା ବେଶ୍ ଆନନ୍ଦଦାୟୀ ଓ ସନ୍ତୋଷଜନକ । ତଥାପି ଆମ ଯୁବବର୍ଗ ବିଶେଷକରି ନବାଗତ ପିଢ଼ିକୁ ଜିଜ୍ଞାସାର ଏକ ସଂସ୍କୃତି ପ୍ରବର୍ତନ କରିବାକୁ ଆମକୁ ଉତ୍ସାହିତ କରିବାକୁ ପଡ଼ିବ । ଶ୍ରେଣୀ ଗୃହରେ ଯେପରି ସେମାନେ ଅଧିକ ଜ୍ଞାନ ପିପାସୁ ଓ ଜିଜ୍ଞାସୁ ହେବେ ସେଥିପାଇଁ ଏକ ଆନୁଷ୍ଠାନିକ ପରିବେଶ ତିଆରି କରିବାକୁ ହେବ । ଏହା ହେବ ସେମାନଙ୍କ ପାଇଁ ଶ୍ରେଷ୍ଠ ଉପହାର ।
(୨୧) ମୁଁ ଏକଥା ଦୃଢ଼ ବିଶ୍ୱାସର ସହ କହୁଛି ଯେ ଭାରତ ସବୁଠୁ ନିର୍ବଳ ଓ ଦୁସ୍ଥ ଲୋକର ବ୍ୟକ୍ତିର ସ୍ୱର ଶୁଣିବାର ବିଶେଷତ୍ୱ ହରାଇବ ନାହିଁ; ଏହା କେବେ ତା’ର ପ୍ରାଚୀନ ମୂଲ୍ୟବୋଧକୁ ପାଶୋରି ପାରିବନି । ଏହା କୌଣସି ପରିସ୍ଥିତିରେ ନିଜର ଔଚିତ୍ୟ ଓ ନିରପେକ୍ଷ ଭାବନାକୁ ଭୁଲିଯାଇପାରିବନି । ଆମେ ଭାରତୀୟ ଚନ୍ଦ୍ର ଓ ମଙ୍ଗଳର ରହସ୍ୟ ଭେଦ କରିବାକୁ ପଛାଉନୁ । ଏହା କରିବା ବେଳେ ଆମେ ଆମ ପରିବେଶ ପ୍ରତି ମଧ୍ୟ ସଚେତନ । ଆମ ଦେଶରେ ପୃଥିବୀର ପ୍ରତି ଚାରୋଟି କରୁଣା ଭାବନା ମଧ୍ୟରୁ ତିନୋଟି ବାସ କରୁଛନ୍ତି ଏବଂ ସେଥିପାଇଁ ଆମେ ପ୍ରାକୃତିକ ସଂରକ୍ଷଣ ବ୍ୟବସ୍ଥା ଯୋଗାଇ ଦେଉଛୁ । କାରଣ ଜୀବଜଗତ ଓ ପ୍ରକୃତି ପ୍ରତି ସମ୍ବେଦନଶୀଳତା ହିଁ ହେଉଛି ଭାରତୀୟତା ।
(୨୨) ଏକ ଶହ ବର୍ଷ ପୂର୍ବେ ଆମ ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନର ସ୍ୱର ଦେଇଥିବା ବିଖ୍ୟାତ ପ୍ରେରଣାଦାୟୀ ତାମିଲ କବି ସୁବ୍ରମଣ୍ୟମ୍ ଭାରତୀ ଲେଖିଥିଲେ –
“ମନ୍ଦରମ୍ କର୍ପୋମ୍, ବିନୟ ତନ୍ଦରମ୍ କର୍ପୋମ୍
ବାନୟ ଅଲପ୍ପୋମ୍, କଡ଼ଲ ମିନୟ ଅଲପ୍ଗୋମ୍
ଚନ୍ଦିରଅ ମଣ୍ଡଳନ୍ତୁ, ଇୟଲ କଣ୍ଡୁ ତୋଲିବୋମ୍
ସାଂଦି, ତେରୁପେରୁକ୍କୁମ୍ ଶାନ୍ତିରମ୍ କର୍ପୋମ୍ ।ା”
ଅର୍ଥାତ୍ –
“ଆମେ ଶାସ୍ତ୍ର ଓ ବିଜ୍ଞାନ ଉଭୟ ପଢ଼ିବା
ଆମେ ଆକାଶ ଓ ମହାସାଗରର ଅନ୍ୱେଷଣ କରିବା
ଆମେ ଚନ୍ଦ୍ରମାର ରହସ୍ୟ ଉନ୍ମୋଚନ କରିବା
ଆମେ ସର୍ବତ୍ର ସ୍ୱଚ୍ଛତା ରକ୍ଷାର କଳା ଶିଖିବା ।”

ପ୍ରିୟ ନାଗରିକ,
(୨୩) ମୁଁ କାମନା କରୁଛି, ଆମର ସମାବେଶୀ ସଂସ୍କୃତି, ଆମର ଆଦର୍ଶ, ଆମର କରୁଣା, ଆମ ଜିଜ୍ଞାସା ଏବଂ ଆମର ଭ୍ରାତୃଭାବ ସର୍ବଦା ଅତୁଟ ରହୁ । ଆମେ ସବୁ ଏହି ଜୀବନଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଗ୍ରଗତି କରିଚାଲୁ ।
(୨୪) ଏତିକି କହି ମୁଁ ଆଉଥରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଆଗୁଆ ସ୍ୱାଧୀନତା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ ।

ଧନ୍ୟବାଦ, ଜୟହିନ୍ଦ୍!

Related posts