Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗଡ଼ଜାତି ଅରଣ୍ୟର ଜୀବନ
ମତାମତ

ଗଡ଼ଜାତି ଅରଣ୍ୟର ଜୀବନ

January 29, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

‘ସାରା ଦେଶକୁ ପାହାଡ଼ ଘେରି ରହିଛି ଓ ଅସୁମାରି ପର୍ବତମାଳା ଦ୍ୱାରା ଏହା ଖଣ୍ଡ ଖଣ୍ଡ ହୋଇ ଅନେକ ରାଜ୍ୟରେ ପରିଣତ ହୋଇଛି। ପାହାଡ଼ ଏପାଖେ ରହୁଥିବା ଲୋକ ସେପାଖର ରାଜା ବା ଜାହାଙ୍ଗୀର ବିଷୟରେ କିଛି ଜାଣନ୍ତି ନାହିଁ। ସେମାନେ କେବଳ ନିଜର ରଜାକୁ ଚିହ୍ନନ୍ତି। ଏହିପରି ଅସଂଖ୍ୟ ରାଜ୍ୟ ପରମ୍ପରାନୁକ୍ରମେ ଏହି ଦେଶରେ ରହିଛି । ‘ଜାହାଙ୍ଗୀର’ ର ଅର୍ଥ ଯିଏ ସାରା ପୃଥିବୀକୁ କବଳିତ କରିଛି, କିନ୍ତୁ ବାସ୍ତବରେ ତାଙ୍କ ଘୋଷିତ ରାଜ୍ୟର ପ୍ରାୟ ଅଧାଭାଗ କେବଳ ତାଙ୍କର ଶାସନାଧୀନ ଥିଲା। ବାକି ଅଞ୍ଚଳରେ ବିଦ୍ରୋହୀମାନେଥିଲେ ରଜା।’ ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ ପର୍ତ୍ତୁଗୀଜ୍ ପରିବ୍ରାଜକ ପେଲ୍ସାର୍ତ୍ତଙ୍କ ଭ୍ରମଣ ବୃତ୍ତାନ୍ତର କିୟଦଂଶ ଇଏ। ଐତିହାସିକ ଦୃଷ୍ଟିକୋଣରୁ ଭାରତ କେବେ ବି ଏକ ଶାସନାଧୀନ ନଥିଲା। ଏପରିକି ମୋଗଲ ଶାସନକାଳରେ ମଧ୍ୟ ପାଞ୍ଚ ହଜାରରୁ ଅଧିକ ରାଜ୍ୟ ଓ ରାଜା ଭାରତବର୍ଷରେ ରହିଥିଲେ ବୋଲି ଆଉ ଜଣେ ରୋମାନ୍ ପରିବ୍ରାଜକ ‘ମାନୁସି’ ତାଙ୍କର ଟିପାଖାତାରେ ଉଲ୍ଲେଖ କରିଛନ୍ତି । ଭାରତବର୍ଷ ଯେ ପୁଞ୍ଜା ପୁଞ୍ଜା ରାଜା ଓ ରାଜ୍ୟର ସମାହାର ଥିଲା – ଏକଥା ନିରାଟ ସତ୍ୟ।

ପାହାଡ଼, ଜଙ୍ଗଲ ଘେରା ଏଇ ସବୁ ଛୋଟ ଛୋଟ ରାଜ୍ୟମାନଙ୍କୁ ‘ଜଙ୍ଗଲ ରାଜ୍ୟ’ ବୋଲି ଆମ ସମୟର ଜଣେ ପ୍ରଖ୍ୟାତ ଜର୍ମାନ୍ ଗବେଷକ ବୁର୍ଖାର୍ଡ଼ ସ୍ନିପେଲ୍ କହିଛନ୍ତି। ଆମ ଦେଶୀଭାଷାରେ ଗଡ଼ଜାତ। ଆମ ରାଜ୍ୟରେ ଗଡ଼ଜାତ ଶବ୍ଦଟି ଆସ୍ତେ ଆସ୍ତେ ବ୍ୟାବହାରିକ ଜୀବନରୁ ଲୋପ ପାଇବାକୁ ବସିଲାଣି । ଦେଶ ମିଶ୍ରଣ ପରେ ଗଡ଼ଜାତର ଗୁରୁତ୍ୱ ପ୍ରାୟତଃ ଲୋପପାଇଛି । ହେଲେ ‘ଗଡ଼ଜାତିଆ’ ଶବ୍ଦଟି ଶାସନୀ ଅଞ୍ଚଳରେ ଏକପ୍ରକାର ଗାଳି ଏବଂ ପୂର୍ବତନ ଗଡ଼ଜାତ ଅଞ୍ଚଳରେ ଗୌରବସୂଚକ ଅର୍ଥରେ ବ୍ୟବହୃତ ହୋଇଥାଏ । ଗୋଟିଏ ଶବ୍ଦ ଏ ପ୍ରକାର ସ୍ଥାନ ଭେଦରେ ଦୁଇଟି ଅର୍ଥ ବହନ କରିବା କୌତୁହଳର ବିଷୟ।

ଗଡ଼ଜାତ ବୋଇଲେ ଆମର ସାଧାରଣ ଧାରଣାଟି ହେଉଛି, ଏକ ପ୍ରକାର ବଣ ପାହାଡ଼ ଘେରା ଅନ୍ଧାରୀ ମୂଲକ । ଯେଉଁଠି ଅଗାଣ୍ଡିଆ ରାଜା ପାଳଚୁଣ୍ଟା ମନ୍ତ୍ରୀର ମନ୍ତ୍ରଣାରେ ରାଜ୍ୟଶାସନ କରନ୍ତି। ରାଜାଙ୍କ ସ୍ତୁତି, ପ୍ରାର୍ଥନା, ଉପାସନା ଓ ନିଜ ରାଜ୍ୟର ସୀମିତ ପରିଧିକୁ ପୃଥିବୀ ମନେ କରିବାକୁ ଗଡ଼ଜାତି ପ୍ରଜାମାନେ ପରମ ଓ ଚରମ କର୍ତ୍ତବ୍ୟ ବୋଲି ଭାବନ୍ତି । ଏହିସବୁ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ବୋଲି କିଛି ନଥାଏ । କାଁ ଭାଁ କେତୋଟି ଗଡ଼ଜାତକୁ ବାଦ ଦେଲେ ଏ କଥାଟି ଅନେକାଂଶରେ ସତ୍ୟ।

ସ୍ୱାଧୀନତା ପ୍ରାପ୍ତି ଓ ବୃହତ୍ତର ଓଡ଼ିଶା ଗଠନର ପଚିଶ ବର୍ଷ ପରେ ସୋନପୁର ଗଡ଼ଜାତରେ ମୋର ଜନ୍ମ। ଜନ୍ମରୁ ଆଜିଯାଏଁ ଗଡ଼ଜାତି ଜୀବନର ବିଚିତ୍ର ଅନୁଭବ କେବେ କେବେ ବିହ୍ୱଳ, ପୁଣି କେବେ ବିମର୍ଷ କରିଛି ମୋତେ । ଗଡ଼ଜାତର ବଣୁଆଁ ଅନ୍ଧାର ବେଶ୍ କାବ୍ୟିକ ବୋଲି ଜଣେ ବରିଷ୍ଠ କବି ଥରେ ଭାଷଣ ପ୍ରସଙ୍ଗରେ କହିଥିଲେ। ଏହି କାବ୍ୟିକ ଅନ୍ଧାର ଭିତରେ ଶୋଷଣ, କଷଣ, ଅବହେଳା ଓ ଅଶିକ୍ଷାର ପରିବେଶ ଯେ ଜମାରୁ କାବ୍ୟିକ ନୁହେଁ, ଏକଥା ଆମେ ଭଲଭାବରେ ଜାଣିଛୁ ।

ପର୍ତ୍ତୁଗୀଜ ପରିବ୍ରାଜକ ପେଲସାର୍ତ୍ତ ଜାହାଙ୍ଗୀରଙ୍କୁ କହିଥିଲେ, ‘ସମତଳ ଭୂମି ଓ ଖୋଲାରାସ୍ତା ଅଞ୍ଚଳର ଶାସକ’ । ସୁତରାଂ ଭାରତୀୟ ଇତିହାସ କେବଳ ସମତଳ ଭୂମି ଓ ଖୋଲାରାସ୍ତାର ଇତିହାସ । ଦୁର୍ଗମ ମାଳ ଅଞ୍ଚଳର ଜନଜୀବନ, ସେମାନଙ୍କର ସଂସ୍କୃତି, ଭାଷା ଓ ପରମ୍ପରା, ସେଠିକାର ଶାସନ ଓ ଶାସକମାନଙ୍କ ବିଷୟରେ ଆମ ଇତିହାସ ପ୍ରାୟତଃ ନୀରବ । ଓଡ଼ିଶାରେ ବି ସେଇ ସମାନକଥା । ଗଡ଼ଜାତ ଏବଂ ମୋଗଲବନ୍ଦୀର ବିଭାଜନ ରେଖା ଆମ ଇତିହାସରେ ସୁସ୍ପଷ୍ଟ । ଉପକୂଳ ଓ ସମତଳ ଅଞ୍ଚଳର ଇତିହାସକୁ ସମଗ୍ର ଓଡ଼ିଶାର ଇତିହାସ ବୋଲି ଆମେ ବିଚାରି ଆସିଛୁ । ଓଡ଼ିଶାର ଗଡ଼ଜାତମାନଙ୍କ ବିଷୟରେ ଆମ ଇତିହାସରେ ଜାଗା ନାହିଁ । ବୃହତ୍ତର ଓଡ଼ିଶା ଗଠନ ପରେ ଗଡ଼ଜାତର ଅସ୍ତିତ୍ୱ ପୁରାପୁରି ମିଳେଇଯାଇଛି । ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ଗଡ଼ଜାତ ରାଜାମାନଙ୍କର ଅବଦାନ ସର୍ବାଧିକ । ପ୍ରଜାଙ୍କଠାରୁ ଜବରଦସ୍ତ ଖଜଣା ଅସୁଲ କରି ସେଇ ରାଜସ୍ୱରେ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ରାଜାମାନେ ପ୍ରୟାସ କରିଛନ୍ତି ।

ଆମ ସୋନପୁର ରାଜାଙ୍କ କୀର୍ତ୍ତିକଳାପ ବିଷୟରେ ସ୍ଥାନୀୟ ଗବେଷକମାନେ ବହୁ ବଡ଼କଥା କହିଥାନ୍ତି । ଯଥା, ସେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା -ସାହିତ୍ୟବିଭାଗ ଖୋଲିଥିଲେ, ରେଭେନ୍ସା କଲେଜରେ ‘ସୋନପୁର ଚେୟାର’ ପ୍ରତିଷ୍ଠା କରିଥିଲେ ଇତ୍ୟାଦି ଇତ୍ୟାଦି । କିନ୍ତୁ ଚଉଦକୋଶ ପରିମିତ ସୋନପୁର ଗଡ଼ଜାତରେ ଗୋଟିଏ ବି କଲେଜ ନଥିଲା । କେବଳ ରାଜଧାନୀ ସହରରେ ଏକମାତ୍ର ଉଚ୍ଚବିଦ୍ୟାଳୟ ରହିଥିଲା । ବୃହତ୍ତର ଭାଷା – ସଂସ୍କୃତିର ସୁରକ୍ଷା ଆଳରେ ସ୍ଥାନୀୟ ପ୍ରଜାଙ୍କୁ ଶୋଷଣ ଏବଂ ଅବହେଳା ଥିଲା ଗଡ଼ଜାତି ପ୍ରଶାସନର ଏକ ପ୍ରମୁଖ ଗୁଣ । ସ୍ୱଭାବତଃ ‘ରାଜଭକ୍ତ’ ଗଡ଼ଜାତି ପ୍ରଜାମାନେ ଏ ପ୍ରସଙ୍ଗରେ ସଚେତନ ହେବାକୁ ଅନୁଚିତ ମନେକରନ୍ତି ।

ତେଣୁ ଭାରତବର୍ଷର ଜାତୀୟ ଇତିହାସ ଅପେକ୍ଷା ସ୍ଥାନୀୟ ଇତିହାସର ଗୁରୁତ୍ୱ ବେଶି ବୋଲି ଏବେ କୁହାଯାଉଛି । ‘ଜାତୀୟ ସ୍ରୋତ’ ଆପାତତଃ ଏକ ନବୀନ ଚେତନା ଏବଂ ଏହି ଜାତୀୟ ସ୍ରୋତଟି ବହୁ ଆଞ୍ଚଳିକ ଉପସ୍ରୋତର ମିଶ୍ରଣ ମାତ୍ର । ସେହି ଦୃଷ୍ଟିରୁ ଓଡ଼ିଶାରେ ମଧ୍ୟ ଆମ ଇତିହାସ କେବଳ ମୁଖ୍ୟସ୍ରୋତର କଥା କହୁଛି । ଏହି ସ୍ରୋତର ଉତ୍ସ ଅନୁସନ୍ଧାନ ପାଇଁ କୌଣସି ବିଧିବଦ୍ଧ ଉଦ୍ୟମ ଆମର ନାହିଁ । ସେଥିପାଇଁ ଗଡ଼ଜାତର ଇତିହାସ ବୋଲି କିଛି ନାହିଁ । ପେଲସାର୍ତ୍ତଙ୍କ ଭାଷାରେ କେବଳ ସମତଳ ଓ ଖୋଲା ସଡ଼କର କଥା କହିବାରେ ଆମେ ସନ୍ତୁଷ୍ଟ ।

ଏବେ ଏବେ ଆମର ବୁଦ୍ଧିଜୀବୀମାନେ ବୁଝିବା ଆରମ୍ଭ କଲେଣି । ଏବେ ଶୁଣାଯାଉଛି, ଇତିହାସ ପରି ସାହିତ୍ୟରେ ମଧ୍ୟ ସବୁବେଳେ ସୁଗମ ଜନଜୀବନର କଥା କୁହାଯାଇଛି । ଓଡ଼ିଶାର ବ୍ୟାପକ ଗଡ଼ଜାତି ଜୀବନଶୈଳୀ ବିଷୟରେ ଆମର ସାହିତ୍ୟ ବା କାହିଁ? ଅବଶ୍ୟ ଗଡ଼ଜାତରେ ରହିଥିବା ମୋ ପରି ଓଡ଼ିଶାର ଲେଖକ ସଂଖ୍ୟା ଆଦୌ କମ୍ ନୁହନ୍ତି!

୧୮୭୭ ମସିହା ‘ନବସମ୍ବାଦ’ରେ କବିବର ରାଧାନାଥ ରାୟ ତାଙ୍କର ‘ଭ୍ରମଣକାରୀର ପତ୍ର’ରେ ଲେଖିଥିଲେ – ‘ପ୍ରାଚୀନକାଳରେ ଗଡ଼ଜାତ ଯେପରି ଥିଲା, ଆଠଗଡ଼ ସେଥିରୁ ସମୁନ୍ନତ ମନେହେଲା ନାହିଁ । ପ୍ରତ୍ୟୁତ ମୋଗଲବନ୍ଦୀର ସଭ୍ୟତା ପ୍ରଦୀପର ଅଧଃଛାୟାପ୍ରାୟ ବୋଧ ହେଲା।‘ ରାଧାନାଥଙ୍କର ଏଇ ଉକ୍ତି ଅବତାରଣା କରିବା ପଛରେ ନିହିତ ଉଦ୍ଦେଶ୍ୟଟି ହେଲା, ଗଡ଼ଜାତ ଓ ମୋଗଲବନ୍ଦୀର ବିଭାଜନରେଖାକୁ ଆଉ ଟିକେ ସ୍ପଷ୍ଟ କରାଇଦେବା । ଓଡ଼ିଆ ନବଜାଗରଣର ଯୁଗରେ ଗଡ଼ଜାତି ପ୍ରଜାମାନେ ତାଙ୍କରି ଅନ୍ଧାର ଭିତରେ ହିଁ ମାଟି କାମୁଡ଼ି ପଡ଼ିରହିଥିଲେ – ଏକଥା କେହି ଚିନ୍ତା କରିନାହାନ୍ତି । ଗଡ଼ଜାତି ରଜାମାନଙ୍କଠାରୁ ସୁଖ – ସ୍ୱାଚ୍ଛନ୍ଦ୍ୟ ଲାଭ ଏବଂ ସେମାନଙ୍କଠାରୁ ଆର୍ଥିକ ସାହାଯ୍ୟ ଲାଭ ଆଶାରେ ପ୍ରାୟ ଓଡ଼ିଆ ବୁଦ୍ଧିଜୀବୀ ସେମାନଙ୍କ ତୋଷାମଦରେ ମୁଖର ହୋଇପଡ଼ିଛନ୍ତି । ଗଡ଼ଜାତର ଅନ୍ଧାର ଅପେକ୍ଷା ରାଜପ୍ରାସାଦାର ରାଜକୀୟ ଆଲୋକ ସେମାନଙ୍କୁ ବେଶି ବେଶି ପ୍ରଲୁବ୍ଧ କରିଛି।

୧୮୯୬ ମସିହା ‘ଓଡ଼ିଆ ଓ ନବସମ୍ବାଦ’ରେ ପ୍ରକାଶିତ ରାଧାନାଥଙ୍କର ‘ବାମଣ୍ଡା’ ଲେଖାରୁ ଆଉ କିଛି ଉଲ୍ଲେଖ କରୁଛି । ‘ସାଧାରଣତଃ ଗଡ଼ଜାତ – ରାଜବୃନ୍ଦର ରୁଚି ଦେଖି ଅନେକ ସମୟରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ। ନିର୍ଜନବାସ, ସ୍ୱାସ୍ଥ୍ୟକର ବାୟୁସେବନ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟଦର୍ଶନର ସୁବିଧା ଏମାନଙ୍କର ଯେପରି ଅଛି ଓଡ଼ିଶାରେ ଏପରି ସୁବିଧା ଆଉ କାହାରି ନାହିଁ ।’ ଗଡ଼ଜାତି ରଜାମାନଙ୍କ ପ୍ରତି ଆମ ବୁଦ୍ଧିଜୀବୀମାନଙ୍କର ଆଗ୍ରହ ଓ ଅନ୍ଧାରମଗ୍ନ ଗଡ଼ଜାତବାସୀଙ୍କ ପ୍ରତି ଅନାଗ୍ରହର କାରଣ ସୁସ୍ପଷ୍ଟ । ସାହିତ୍ୟିକ ପ୍ରତିଷ୍ଠା ଲାଗି ସାମାଜିକ ଦାୟବଦ୍ଧତା ଅପେକ୍ଷା ରାଜ୍ୟନୁଗତ୍ୟ ଯେ ବେଶି ଲୋଡ଼ା, ଏଇ କୌଶଳଟି ଆମର ଆଧୁନିକ ଲେଖକମାନେ ବେଶ୍ ଶିଖିଥିଲେ।

ଦୀନକୃଷ୍ଣ ଦାସଙ୍କ ପରି ସତ୍ତାଦ୍ରୋହୀ ପଦ ‘କବିଯା କରେ ମୁର୍ଖକୁ ସ୍ତୁତି’ ଲେଖି ତଳିତଳାନ୍ତ ହୋଇ ମରିବାର ସତ୍ସାହସ ଓଡ଼ିଆ ଲେଖକର ମରିସାରିଥିଲା । ‘ନବଜାଗରଣ ପର୍ବରେ ଯେଉଁ ଜାତୀୟ ଚେତନା ଓ ଅସ୍ମିତାବୋଧର କଥା କୁହାଯାଉଥିଲା ତା’ ଅତ୍ୟନ୍ତ ସଂକୀର୍ଣ୍ଣ ଓ ଅପୂର୍ଣ୍ଣାଙ୍ଗ, ଏହା ମୁଁ ଦୃଢ଼ତାର ସହ କହିବ ‘ଉକ୍ରଳୀୟ ଭାଷା ଓ ସଂସ୍କୃତି’ ବୋଲି ଯେଉଁ ଡକରାଟି ସେତେବେଳେ ଶୁଭିଲା, ତା’ର ସୀମା କେବଳ ମୋଗଲବନ୍ଦୀ ଅଞ୍ଚଳ । ଗଡ଼ଜାତର ରାଜାମାନଙ୍କର ଉପସ୍ଥିତି ଓ ମତାମତକୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କର ମତାମତ ବୋଲି ଧରିନିଆଗଲା । ଫଳରେ ‘ଓଡ଼ିଆ ପରିଚୟ’ ସହିତ ‘ଗଡ଼ଜାତି ପରିଚୟ’ ମିଶିବାର ଅବକାଶ ରହିଲା ନାହିଁ । ବରଂ ଆଜିପର୍ଯ୍ୟନ୍ତ ପୁରୁଣା ରାଜ୍ୟର ପରିଚୟକୁ ନେଇ ଅସ୍ମିତାବୋଧର ଏକ ବିକଳାଙ୍ଗସ୍ୱରୂପ ଗଡ଼ଜାତ ଅଞ୍ଚଳରେ ରହିଆସିଛି।

ଗଡ଼ଜାତି ରାଜା ଓ ପ୍ରଜାମାନଙ୍କର ସମ୍ପର୍କ ଶୋଷକ ଓ ଶୋଷିତର। ତଥାପି ରାଜା ଯେ ପ୍ରଜାର ପ୍ରଭୁ – ଏଇ ନୀତିବାକ୍ୟରୁ ଗଡ଼ଜାତ ପ୍ରଜାଏ ବିଚ୍ୟୁତ ହୋଇନାହାନ୍ତି । ପ୍ରଜାମଣ୍ଡଳ ଆନ୍ଦୋଳନ ମାଧ୍ୟମରେ କେତେକ ଗଡ଼ଜାତରେ ବିଦ୍ରୋହର ପଦଧ୍ୱନୀ ଶୁଭିଥିଲେ ମଧ୍ୟ, ତାହା କେବଳ ପଦଧ୍ୱନୀ ମାତ୍ର । ପ୍ରଜାମଣ୍ଡଳ ଆନ୍ଦୋଳନର ଜଣେ ପ୍ରଖ୍ୟାତକର୍ମୀ ସୋନପୁରର ସ୍ୱର୍ଗତ ସତ୍ୟାନନ୍ଦ ହୋତା ଥରେ କହିଥିଲେ-‘ଆମେ ଗଡ଼ଜାତିଆ ସବୁବେଳେ କର୍ମୀ-ମୋଗଲବନ୍ଦୀଆ ନେତା’ । ସ୍ୱାଭାବିକ ଭାବରେ ମୋଗଲବନ୍ଦୀ ଅଞ୍ଚଳରେ ଶିକ୍ଷାର ବିକାଶ ଘଟୁଥିଲା । ଏଇ ଅଞ୍ଚଳର ଶିକ୍ଷିତ – ସମ୍ଭ୍ରାନ୍ତ ନେତୃବର୍ଗ ନିଜର ନେତୃତ୍ୱ ପ୍ରତିଷ୍ଠା ପାଇଁ ଗଡ଼ଜାତିଆଙ୍କର ସ୍ଥାନୀୟ ନେତୃତ୍ୱକୁ କର୍ମୀତ୍ୱର ବନ୍ଧନୀରେ ବାନ୍ଧି ରଖିଲେ । ଫଳତଃ ବୃହତ୍ତର ଓଡ଼ିଆ ଗଠନ ଓ ଦେଶ ସ୍ୱାଧୀନତା ପରେ ଗଣତାନ୍ତ୍ରିକ ପଦ୍ଧତିରେ ମଧ୍ୟ ଗଡ଼ଜାତ ଅଞ୍ଚଳର ପ୍ରତିନିଧିତ୍ୱ ରାଜାରାଜୁଡ଼ାଙ୍କ ହାତରେ ହିଁ ନ୍ୟସ୍ତ ରହିଲା । ରାଜାନୁଗତ ଗଡ଼ଜାତି ଚେତନାରେ ଗଣତନ୍ତ୍ରର ଆଦର୍ଶ କିଛି ବି ହଲ୍ଚଲ୍ ସୃଷ୍ଟି କରିପାରିଲା ନାହିଁ ।

ପ୍ରଜାମଣ୍ଡଳ ଆନ୍ଦୋଳନର ଇତିହାସ ଆଜି ପର୍ଯ୍ୟନ୍ତ ସଂକଳିତ ହୋଇଛି କି? ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର କଥା ଉଠିଲା ବେଳେ ବାଜିରାଉତ, ରଘୁ – ଦିବାକରଙ୍କୁ ବାଦ୍ ଦେଲେ ଆଉ କେଉଁ ଗଡ଼ଜାତି ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିଛୁ? ସାରଙ୍ଗଧର ଦାସଙ୍କ ଭୂମିକାକୁ ସ୍ୱାଧୀନୋତ୍ତର ଓଡ଼ିଶାରେ ଖର୍ବ କରି ପ୍ରସ୍ତୁତ କରାଯାଇ ନାହିଁ କି? ତୋଷାମଦକାରୀ ଓ ରାଜାଙ୍କ ଚାଟୁକାରଙ୍କ ହାତରେ ଗଡ଼ଜାତି ପ୍ରଜାଙ୍କର ଗଣତାନ୍ତ୍ରିକ ଭାଗ୍ୟ ଆଜିବି ନିର୍ଦ୍ଧାରିତ ହେଉଛି । ରାଜାନୁଗତ ପ୍ରଜାସୁଲଭ ମନୋଭାବର ପ୍ରତିଫଳନସ୍ୱରୂପ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ରାଜବଂଶମାନେ ଗଡ଼ଜାତର ପ୍ରତିନିଧିତ୍ୱ କରିଆସୁଛନ୍ତି । ରାଜାସାହେବ, ଟିକାୟତ ସାହେବ, ଲାଲ୍ ସାହେବମାନଙ୍କର ହାତରେ ଆମର ଗଣତନ୍ତ୍ର ସୁରକ୍ଷିତ ବୋଲି ଆମେ ଆଜି ବି ଭାବୁଛୁ । ପିଲାବେଳେ ରାଜଭକ୍ତିର ବହୁ ବିଚିତ୍ର ଦୃଶ୍ୟ ମୋର ମନେଅଛି । ଥରେ ମଞ୍ଚ ଉପରୁ ଭାଷଣ ଦେଉ ଦେଉ ଅତ୍ୟନ୍ତ ଭାବପ୍ରବଣ କୁଜି ନେତା ଜଣେ କହି ପକାଇଲେ । ‘ଆମର ରାଜା ଆମ ପାଇଁ ଦେବତା । ସେ ଯଦି ତାଙ୍କ କୁକୁରକୁ ଭୋଟ ଦେବା ପାଇଁ କହିବେ, ଆମେ ତାଙ୍କୁ ନିଶ୍ଚୟ ଭୋଟ ଦେବୁ ।’ ମଞ୍ଚସ୍ଥ ରାଜା ସଗର୍ବରେ ହସୁଥିଲେ ଓ ସାମ୍ନାରେ ଗଣତନ୍ତ୍ର ଶାସନରେ ଅଛନ୍ତି ବୋଲି ଜାଣିପାରିଥିବା ପ୍ରଜାମାନେ ତାଳି ମାରୁଥିଲେ।

ଚାଟୁକାରିତା ଏବଂ ତୋଷାମଦିରେ ପାରଙ୍ଗମ ଲୋକଚରିତ୍ର ସହଜେ ବଦଳେ ନାହିଁ । କିନ୍ତୁ ସଚେତନ ଓ ଶିକ୍ଷିତ ବୁଦ୍ଧିଜୀବୀ ଚାଟୁକାର ହେଲେ କଥା ସଇଲା । ‘ଦରବାର’କୁ ବିଦ୍ରୁପ କରି କବିତା ଲେଖୁଥିବା କବି ଯେତେବେଳେ ରାଜାମାନଙ୍କର ସ୍ତବପାଠ କରିବା ଆରମ୍ଭ କରନ୍ତି ତାହା ସାହିତ୍ୟ ପାଇଁ କଦାପି ଶୁଭଙ୍କର ନୁହେଁ । କେଉଁ କାରଣରୁ ଆମର ନବଯୁଗର ସୂତ୍ରଧରମାନେ ରାଜାନୁଗତପ୍ରାଣ ଥିଲେ ସେ ବିଷୟରେ ଆମେ କେବେ କିଛି ଚିନ୍ତା କରିନାହୁଁ । ଆଦର୍ଶସ୍ଥାନୀୟ ଚରିତ୍ରମାନେ ଯେ କେବେ କିଛି ଭୁଲ କରନ୍ତି ନାହିଁ, ଏପରି ଏକ ବିଚିତ୍ର ଧାରଣା ଆମର ରହିଛି । କିନ୍ତୁ ପ୍ରତ୍ୟେକ ମହାପୁରୁଷ ଭିତରେ ସାଧାରଣ ମଣିଷଟିଏ ଥାଏ, ଯିଏ କି ଭୁଲ କରିବାକୁ ବାଧ୍ୟ।

gadajata thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.