ଜ୍ୟୋତି ନନ୍ଦ
ପୁଲବାମାର ଦୁଃଖଦ ଘଟଣାର ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଏକ ସର୍ବଦଳୀୟ ବୈଠକର ଆହ୍ବାନ କରିଥିଲେ ଯେଉଁଠି ସମସ୍ତେ ଦଳମତ ନିର୍ବିଶେଷରେ ଭାରତୀୟ ସେନା ଓ କେନ୍ଦ୍ର ସରକାରଙ୍କ ପଛରେ ଦୃଢ ଭାବର ଠିଆହୋଇଛନ୍ତି ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ।ଏହା ଆମର ଏକ ଦୁର୍ଦ୍ଦିନରେ ସମସ୍ତେ ଏକାଠି ହୋଇ ଲଢିବାର ଏକ ରାଜନୈତିକ ପରିପକ୍ୱତାକୁ ପ୍ରଦର୍ଶନ କରିପାରିଛି।
ସାଧାରଣତଃ ଏହିଭଳି ଏକ ପରିସ୍ଥିତିରେ ଏହିଭଳି ସର୍ବଦଳୀୟ ବୈଠକର ଆବଶ୍ୟକତା ରହିଥାଏ ଯେଉଁଠି ସରକାର ସମସ୍ତଙ୍କୁ ବିଶ୍ବାସକୁ ନେଇ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରିଥାନ୍ତି।ଏହି ପରିକଳ୍ପିତ କାର୍ଯ୍ୟପନ୍ଥାଟି ଯେମିତି ନିର୍ବିବାଦୀୟ ହୋଇପାରିବ ତାହା ସରକାରର ପ୍ରାଥମିକ କର୍ତ୍ତବ୍ୟବୋଧର ଇଲାକାରେ ଆସିଥାଏ।କିନ୍ତୁ ଏହି ସର୍ବଦଳୀୟ ବୈଠକର ଗୁରୁତ୍ବକୁ ଅସ୍ବୀକାର କରି ଆମର ପ୍ରଧାନ ସେବକ ମହାରାଷ୍ଟ୍ରକୁ ଏକ ରାଲି ପାଇଁ ସର୍ବଦଳୀୟ ବୈଠକକୁ ଯିବାର ଘଟଣା ସରକାରର ସଂବେଦନହୀନତାକୁ ବଖାଣ କରୁଛି।ପ୍ରଧାନସେବକ ଯେଉଁ ଉଦ୍ଦେଶ୍ୟରେ ସର୍ବଦଳୀୟ ବୈଠକକୁ ଛାଡି ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଥିଲେ ତାହା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ “ନହେଲେ ନଚଳେ” କାର୍ଯ୍ୟକ୍ରମ ନଥିଲା।ସେଠାରେ ସେ ଏକ ଫଟୋ ଅପ୍ ପ୍ରଦର୍ଶନୀକୁ ଉଦଘାଟନ କରିବା ସହିତ ରାଲି କରିଛନ୍ତି।ଆଉ ଆଜି କାଲି ରାଲି କରିବା କଥା କ’ଣ ଓ କାହିଁକି ତାହା ସମସ୍ତେ ଭଲଭାବରେ ଜାଣନ୍ତି।ତେଣୁ ଫୁଲବାମାର ଘଟଣା ସଂପର୍କରେ ଯଥୋଚିତ ପଦକ୍ଷେପ ନେବାର ଗଂଭୀର ଚର୍ଚ୍ଚା ଓ ମଂଥନ ବନାମ ଏକ ରାଲି ରେ ଯୋଗଦାନ ଭଳି ଦିଇଟି କଥାରୁ , ପ୍ରଧାନସେବକ ଙ୍କର ରାଲିକୁ ପ୍ରାୟୋରିଟି ଦେବା ଅତ୍ୟନ୍ତ ଦୁଃଖଜନକ।
ଏହି ସର୍ବଦଳୀୟ ବୈଠକରେ ପ୍ରଧାନସେବକଙ୍କ ଅନୁପସ୍ଥିତି ଯୋଗୁ ଅଧ୍ୟକ୍ଷତା କରିଥିଲେ ଆମର ଗୃହମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ରାଜନାଥ ସିଂ।ଶ୍ରୀଯୁକ୍ତ ରାଜନାଥ ସିଂ ସବୁବେଳେ ତାଙ୍କର ଦକ୍ଷତାକୁ “କଡି ନିନ୍ଦା”ରେ ନିର୍ବହନ କରିଆସିଥାନ୍ତି।ଆଉ ଆମର ସଂପ୍ରତି କେନ୍ଦ୍ର ସରକାରରେ ଯେଉଁମାନେ ପ୍ରକୃତ କ୍ଷମତାଧରମାନେ ରହିଛନ୍ତି ତାହାର ତାଲିକାରେ ଶ୍ରୀଯୁକ୍ତ ସିଂ କେତେ ନଂବରରେ ଅଛନ୍ତି ତାହା ଆପଣମାନେ ଜାଣିଛନ୍ତି।
ସେ ଯାହାହେଉ ଏଯାଏଁ ବିରୋଧିଦଳ ମାନେ ଏହି ସଂବେଦନଶୀଳ ଘଟଣାକୁ ନେଇ କୌଣସି ବିବଦମାନ ବକ୍ତବ୍ୟ ପ୍ରଦାନ କରିନାହାଁନ୍ତି।ସରକାର ସହ ଦୃଢ ରହିଛନ୍ତି।ଅନ୍ୟପକ୍ଷରେ ଏ ସଂପର୍କରେ ସତ୍ତାଧାରୀ ଦଳର ଆଚରଣ ଅନେକ ପ୍ରଶ୍ନଚିହ୍ନ ଲଗାଇଛି। ପୁଲବାମାର ଘଟଣା ଘଟିବା ସମୟରେ ବିଜେପି ଦଳର ସଭାପତି ଶ୍ରୀଯୁକ୍ତ ଅମିତ ଶାହ ତାମିଲନାଡୁ ରେ ଥିଲେ ଓ ତାହାପରେ ସେ ପ୍ରସ୍ତାବିତ ସଭାକୁ ବାତିଲ୍ ନକରି ପୁଲବାମା ଶହୀଦଙ୍କ ଉପରେ ପଦଟିଏ ନକହି ଅଯୋଧ୍ୟାରେ ରାମମନ୍ଦିର ହେବା ନିଶ୍ଚିତ ବୋଲି ଭାଷଣ ଦେଇଥିଲେ।ଆଉ ସମାନ ସମୟରେ କେରଳରେ ଯୋଗୀ ଆଦିତ୍ୟନାଥ ମଧ୍ୟ ସମାନ କଥା କହିଛନ୍ତି।ଏହି ଦୁଇଜଣ ବିଜେପିର ଷ୍ଟାର୍ ପ୍ରଚାରକ ଙ୍କ ଉଚ୍ଚାରଣ ତଥା ଆଚରଣ ରେ ସାମାନ୍ୟତମ ସଂବେଦନା ଥିବା ଭଳି ମନେ ହୋଇ ନାହିଁ।
ପୁଲବାମାର ଘଟଣା ପରେ ସମଗ୍ର ଭାରତ ଆଜି ଭାବଗତ ଭାବରେ ଏକ।କିନ୍ତୁ ଏହି ଘଟଣାର ତର୍ଜମା ହେବା ବି ଆବଶ୍ୟକ ଯାହା ପରବର୍ତ୍ତି ପର୍ଯ୍ୟାୟରେ ଏହିଭଳି ସଂଭାବ୍ୟ ଦୁର୍ଘଟଣାକୁ ପ୍ରତିହତ କରିବାକୁ ସକ୍ଷମ ହୋଇପାରିବ। ପ୍ରଥମ ପ୍ରଶ୍ନଟି ହେଉଛି ଯେତେବେଳେ ଏହି ଭଳି ବିସ୍ଫୋରଣର ସତର୍କ ସୂଚନା ଆଗରୁ ଥିଲା ସେତେବେଳେ ୭୮ଟି ବସ୍ ରେ(କୌଣସି ସୁରକ୍ଷିତ ବାହନ ନୁହଁ)ସୈନିକ ମାନଙ୍କୁ ପ୍ରାୟ ତିନିଶହ କିଲୋମିଟର ଜାମ୍ମୁ ଠାରୁ କାଶ୍ମୀର ନିଆଯାଉଥିବାର ଘାଟିରାସ୍ତାକୁ ସୁରକ୍ଷିତ କରି ରଖିବାର ପ୍ରୟୋଜନ ନଥିଲା କି ?ଏଥିପାଇଁ କ’ଣ କାହାର ଦାୟିତ୍ଵ ନାହିଁ ?ଆମର ରାଷ୍ଟ୍ରୀୟ ଜେମସ୍ ବଣ୍ଡ ତଥା ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ୍ କ’ଣ ଏହିଭଳି ପ୍ରଶ୍ନର ସମ୍ମୁଖୀନ ହେବା ସହ କୌଣସି କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବାକୁ ହକଦାର ନୁହଁନ୍ତି ?ଆମର ରାଜନେତା ମାନେ ଗୋଟିଏ କିମି ରାସ୍ତା ପାଇଁ ଯଦି ବ୍ୟୋମଯାନର ଆବଶ୍ୟକତା ଅନୁଭବ କରୁଛନ୍ତି ସେତେବେଳେ ଏତେ ଦୀର୍ଘ ଅସୁରକ୍ଷିତ ଘାଟିରାସ୍ତା ବଦଳରେ ସେମାନଙ୍କ ପାଇଁ ଉଡାଣ ବ୍ୟବସ୍ଥା କ’ଣ ଏତେ ଅପ୍ରାସଂଗିକ ?ନା ରାଜନେତାର ପ୍ରାଣ ତୁଳନାରେ ସୈନିକର ପ୍ରାଣର ମୂଲ୍ୟ କିଛି ନୁହଁ ?
କିଛିଦିନ ତଳେ ଅବସରପ୍ରାପ୍ତ ସୈନିକ ମାନେ ୱାନ୍ ରାଙ୍କ୍ ୱାନ୍ ପେନସନ୍ ପାଇଁ ଯନ୍ତରମନ୍ତରରେ ବସିଥିଲେ ।ସେମାନଙ୍କର ଦାବୀ ସହ ଆମର ସରକାର ବା ଆମେ କେତେ ସହାନୁଭୂତିଶୀଳ ତାହା ଆମେ ଜାଣୁ।ଆଉ କିଛିଦିନ ପରେ ସେମାନେ ଏହି ସମାନ ଦାବୀ ପାଇଁ ଆଉଥରେ ଧାରଣା ଦେବେ।
ଏହା ସହିତ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଜଡିତ ରହିଛି ତାହା ହେଉଛି କାଶ୍ମିରିୟତ୍ ବା କାଶ୍ମୀରକୁ ନେଇ କାଶ୍ମୀରର ଅଧିବାସୀଙ୍କ ନିଜସ୍ୱ ବିଚାର ବୋଧ।ଆମେ ଯେଉଁମାନେ କାଶ୍ମୀର ଠାରୁ ଯଥେଷ୍ଟ ଦୂରରେ ଅଛୁ ସେମାନଙ୍କର କାଶ୍ମୀର ସଂପର୍କରେ ଆବେଗପୂର୍ଣ୍ଣ ବୟାନମାନ ସେତିକି ମହତ୍ବ ରଖିବ ନାହିଁ ଯାହା ସେଠିକାର ଅଧିବାସୀମାନେ ନିଜେ ନିଜ ବିଷୟରେ ଭାବି ଆସୁଛନ୍ତି।ଅନେକ ସମୟରେ କାଶ୍ମୀର ବିଷୟରେ ଆମେ ଆମର ଭାବନା ମାନଙ୍କୁ ତାଙ୍କର ଭାବନା ହିସାବରେ ଚଳାଇଥାଉ।କହିବାର ତାତ୍ପର୍ଯ୍ୟ ହେଉଛି କାଶ୍ମୀର ସଂପର୍କରେ ସେଠିକାର ଲୋକଙ୍କ ସହ ତଥା ଭିନ୍ନମତ ପୋଷଣକାରୀଙ୍କ ସହ କଥାବାର୍ତ୍ତା କରିବା ପାଇଁ କେନ୍ଦ୍ର ସରକାର ଜଣେ ଇଣ୍ଟରକୁଲେଟର୍ ବା ବାର୍ତ୍ତାକାର ନିଯୁକ୍ତ କରିଛନ୍ତି କିନ୍ତୁ ତାଙ୍କର କୌଣସି ବାର୍ତ୍ତାଳାପର ସ୍ବରୂପ ଆମକୁ ଗୋଚର ନୁହଁ।ଆପଣମାନେ ମଧ୍ୟ ଏ କଥା ଜାଣନ୍ତି ଯେ ଯେଉଁ ଅଂଚଳରେ ଯୁଦ୍ଧ ହୋଇଥାଏ ସେହି ଅଂଚଳର ପୂର୍ଣ୍ଣ ସମର୍ଥନ ବିନା କୌଣସି ଯୁଦ୍ଧଜୟ ସଂଭବପର ନୁହଁ।ତେଣୁ ଆମକୁ କାଶ୍ମୀରର ବସ୍ତୁସ୍ଥିତିକୁ ବୁଝିବାକୁ ଯଥା ଯଦି କେଉଁଠି ଅସୁବିଧା ଥାଏ ତେବେ ତାହାକୁ ସଜାଡିବାକୁ ପଡିବ।ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ “ଇନସାନିଅତ୍,ଜମୁରିଅତ୍ ଓ କାଶ୍ମିରିୟତ୍” ଉପରେ ଗୁରୁତ୍ଵ ଦେଉଥିଲେ।ଆଜି ର ଏଇ ପୁଲବାମାର ଘଟଣା ଆମକୁ ଆଉଥରେ ଆମ ର ଧାରଣାରେ କାଶ୍ମିରିଅତ୍ କୁ ବିଶ୍ଳେଷଣ କରିବାପାଇଁ ପ୍ରରୋଚିତ କରୁଛି।
“ସର୍ଜିକାଲ୍ ଷ୍ଟ୍ରାଇକ୍” କହି ଆମର ସେନାବାହିନୀର ଅବିଶ୍ୱସନୀୟ ଦକ୍ଷତାକୁ ନିଜର ପାରିବାର ପଣ ସହିତ ଯୋଡିବାର ଏକ ସୁଚତୁର ରାଜନୀତି ପ୍ରଥମଥର ଆରଂଭ କରିଛନ୍ତି ଆମର ଲୋକପ୍ରିୟ ପ୍ରଧାନ ସେବକ।ସେନାବାହିନୀର ସଫଳତା ସବୁବେଳେ ସ୍ଵତନ୍ତ୍ର,ଏହା କୌଣସି ରାଜନୀତି ବା ଦଳ ବା କୌଣସି ବ୍ୟକ୍ତି ବିଶେଷର ଅନୁଗତ ନୁହଁ। ସୁରକ୍ଷାଗତ ଧାରାବାହିକ କାର୍ଯ୍ୟକ୍ରମରୁ କିଛି ବାଛି ତାହାକୁ ନିଜର ସଫଳତା ବୋଲି ପ୍ରଚାରତନ୍ତ୍ରରେ କହୁଥିବା ପ୍ରଧାନ ସେବକ ତେଣୁ ପୁଲବାମାର ବିଫଳତାକୁ ବି ନିଜ ଉପରକୁ ନେବା ଆବଶ୍ୟକ।
ଆମର ସ୍ନାତକ ଶ୍ରେଣୀରେ ୱିଲଫ୍ରେଡ୍ ଓୟେନ୍ ଙ୍କର ଏକ ଇଂରେଜୀ କବିତା ପଢା ଯାଉଥିଲା,ଯାହାର ଶୀର୍ଷକ ଥିଲା,ଡେଲକ୍ ଏଟ୍ ଡେକୋରୋମେଷ୍ଟ।ଏହି ଶୀର୍ଷକ ଟି ଲାଟିନ୍ ରେ ,ଯାହାର ଅର୍ଥ ହେଉଛି,ନିଜ ଦେଶ ପାଇଁ ଆତ୍ମ ବଳିଦାନ ଦେବା ସବୁଠୁ ସୁନ୍ଦର। କବିତାର ବିଷୟବସ୍ତୁ ଥିଲା ,ଏହି ଭଳି ଆତ୍ମବଳିଦାନର ସୁନ୍ଦରତା ର କଥା ଯେଉଁମାନେ କହିଥାନ୍ତି,ସେମାନେ ସାଧାରଣତଃ ଯୁଦ୍ଧକ୍ଷେତ୍ରର ବିଭୀଷିକା ଠାରୁ ଢେର୍ ଦୂରରେ ଥାଆନ୍ତି।