
ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଇପିଏଲର ପ୍ରଥମ ମ୍ୟାଚକୁ ସୁନ୍ଦର ଢଙ୍ଗରେ ଆରମ୍ଭ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ ଧୂଆଁଧାର ପାଳି ଖେଳି ଅର୍ଦ୍ଧଶତକ ଯୋଡିଥିଲେ। ଏଡିଲେଡ ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କୁ ବାକି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା। ଏହାପରେ ଇଂଲଣ୍ଡ ସିରିଜରେ ତାଙ୍କୁ ଦଳରେ ସାମିଲ ମଧ୍ୟ କରାଯାଇନଥିଲା। ପୃଥ୍ବୀ ଶ’ ଏସବୁକୁ ଭୁଲି ନିଜ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ପାଇଁ ପରିଶ୍ରମ କରଥିଲେ। ଯାହାର ଫଳାଫଳ ଚଳିତ ବିଜୟ ହଜାରେ ଟ୍ରଫିରେ ଦେଖିବାକୁ ମିଳିଥିଲା। ସେ ଏହି ଟୁର୍ଣ୍ଣାମେଟରେ ୮୨୭ ରନ ସଂଗ୍ରହ କରିଥିଲେ। ଏହାପରେ ଆଇପିଏଲ-୧୪ ସଂସ୍କରଣର ଚେନ୍ନାଇ ବିରୋଧରେ ୭୨ ରନର ପାଳି ଖେଳିଥିଲେ।
ପୃଥ୍ବୀଙ୍କ ଏହି ପ୍ରଦର୍ଶନରେ ଗାର୍ଲଫ୍ରେଣ୍ଡ ପ୍ରାଚୀ ସିଂହ ଖୁସି ବ୍ୟକ୍ତ କରିଛନ୍ତି। ପ୍ରାଚୀ ଏନେଇ ପ୍ରାତ୍ରିକ୍ରିୟା ରଖିଛନ୍ତି। ସେ ନିଜ ଇଂଷ୍ଟାଗ୍ରାମ ଷ୍ଟୋରିରେ ପୃଥ୍ବୀ ଶ’ ର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଶ’ କଣ ଆରମ୍ଭ କଲେ! ଏହାସହିତ ସେଥିରେ ସେ ହାର୍ଟ ଇମୋଜୀ ମଧ୍ୟ ଲଗାଇଛନ୍ତି। ପ୍ରାଚୀ ଏହା ପୂର୍ବରୁ ଆଇପିଏଲ ଅଭ୍ୟାସ ସେଶନ ସମୟରେ ମଧ୍ୟ ଲେଖିଥିଲେ ଯେ, ହା ହା, ମୁଁ ତୁମର ହସକୁ ମିସ୍ କରୁଛି।