
ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟିଂ ସମ୍ପର୍କରେ ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗମ୍ଭୀର କହିଛନ୍ତି ଯେ, ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅପେକ୍ଷା ରାହୁଲଙ୍କ ସଟ ଖେଳିବାର ଅଧିକ କ୍ଷମତା ରହିଛି। ରାହୁଲ ଭାରତରେ ସଟ ଖେଳିବା ଦୃଷ୍ଟିରୁ ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍ ବୋଲି ଗମ୍ଭୀର କହିଛନ୍ତି। ଗୁରୁବାର ଦିନ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଚେନ୍ନାଇ ବିରୋଧରେ ୪୨ ବଲରେ ୯୮ ରନର ଅପରାଜିତ ଇନିଂସ ଖେଳିଥିଲେ।
ଗମ୍ଭୀରଙ୍କ କହିବାନୁସାରେ, ଯଦି ରାହୁଲ ଏହିପରି ଖେଳିବା ଜାରି ରଖନ୍ତି, ତେବେ ଆଗାମୀ ସମୟରେ ସମଗ୍ର ବିଶ୍ୱ ତାଙ୍କ ବିଷୟରେ କହିବେ। ରାହୁଲ ଏହିପରି ଖେଳ ଜାରି ରଖିବା ଉଚିତ୍। ସେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ନିଜର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ଉଚିତ୍। ଆଜି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଖେଳ ପାଇଁ ସାରା ବିଶ୍ୱ ଜାଣନ୍ତି। ଆଗାମୀ ଦିନରେ ଯଦି ରାହୁଲ ଏହିପରି ଖେଳିବା ଜାରି ରଖନ୍ତି, ତେବେ ସମଗ୍ର ବିଶ୍ୱରେ ଲୋକମାନେ ତାଙ୍କ ବିଷୟରେ ଆହୁରି ଅଧିକ କଥା ହେବେ।
ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏପର୍ଯ୍ୟନ୍ତ ଏହି ଆଇପିଏଲରେ ଅରେଞ୍ଜ କ୍ୟାପ୍ ଧାରକ ଅଟନ୍ତି। ସେ ୧୩ ଟି ମ୍ୟାଚରେ ହାରାହାରି ୬୨.୬୦ ଏବଂ ଷ୍ଟ୍ରାଇକ୍ ରେଟ୍ ୧୩୮.୮୦ ରେ ୬୨୬ ରନ୍ କରିଛନ୍ତି। ଏଥିରେ ୬ଟି ଅର୍ଦ୍ଧଶତକ ମଧ୍ୟ ଅନ୍ତର୍ଭୁକ୍ତ। ଚେନ୍ନାଇ ବିରୋଧରେ ଅପରାଜିତ ୯୮ ରନ ଚଳିତ ବର୍ଷ ତାଙ୍କର ସର୍ବୋତ୍ତମ ସ୍କୋର। ରାହୁଲ ଚଳିତ ବର୍ଷ ଆଇପିଏଲରେ ୪୮ ଟି ଚଉକା ଓ ୩୦ ଟି ଛକା ମାରିଛନ୍ତି।