ଏହି ତାରିଖରେ ଖେଳାଯିବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ, କରୋନା କାରଣରୁ ହୋଇଥିଲା ବାତିଲ

Published: Oct 22, 2021, 7:05 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସହାୟକ କର୍ମଚାରୀଙ୍କ କିଛି ସଦସ୍ୟ କରୋନା ଚିହ୍ନଟ ହେବା ପରେ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍ ବାତିଲ କରାଯାଇଥିଲା। କିନ୍ତୁ ସିରିଜର ଶେଷ ମ୍ୟାଚ୍ କେବେ ଖେଳାଯିବ ତାହା ଏବେ ସ୍ପଷ୍ଟ ହୋଇଛି। ଇଂଲଣ୍ଡ କ୍ରିକେଟ୍ କହିଛି ଯେ, ଦୁଇ ଦଳ ମଧ୍ୟରେ ସିରିଜର ପଞ୍ଚମ ଟେଷ୍ଟ ଆସନ୍ତା ବର୍ଷ ଜୁଲାଇରେ ଅନୁଷ୍ଠିତ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ ଶିବିରରେ କରୋନା ମାମଲା ସାମ୍ନାକୁ ଆସିବା ପରେ ନିର୍ଦ୍ଧାରିତ ସମୟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପଞ୍ଚମ ଟେଷ୍ଟ ମ୍ୟାଚ୍ ବାତିଲ କରାଯାଇଥିଲା। ମ୍ୟାଚ୍ ବାତିଲ ହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସିରିଜରେ ୨-୧ ରେ ଆଗୁଆ ଥିଲା। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏବଂ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମଧ୍ୟରେ ହୋଇଥିବା ଚୁକ୍ତି ପରେ ପଞ୍ଚମ ମ୍ୟାଚ୍ ବର୍ତ୍ତମାନ ଜୁଲାଇ ୧ ତାରିଖ ୨୦୨୨ରୁ ଏଜବେଷ୍ଟନ୍ ଠାରେ ଅନୁଷ୍ଠିତ ହେବ।

ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ ହାରିସନ୍ କହିଛନ୍ତି ଯେ, ଏହି ସିରିଜ ଶେଷ ହେବା ପାଇଁ ବିସିସିଆଇ ସହିତ ଏକ ଚୁକ୍ତି କରିଥିବାରୁ ଆମେ ଆନନ୍ଦିତ। ଏହି ମ୍ୟାଚ୍ ର ପୁନଃ ନିର୍ଦ୍ଧାରଣ କରିବାକୁ ଅନୁମତି ଦେବାରେ ସହଯୋଗ କରିଥିବା ସମସ୍ତଙ୍କ ପାଇଁ ଆମେ ଅତ୍ୟଧିକ କୃତଜ୍ଞ। ସେପ୍ଟେମ୍ବର ଘଟଣାରେ ବ୍ୟାଘାତ ଏବଂ ନିରାଶା ପାଇଁ ଆମେ ପୁଣି ଥରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛୁ।

ଏଥି ସହ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜର ଫଳାଫଳ ବାହାରକୁ ଆସିଥିବାରୁ ମୁଁ ଖୁସି। ଚାରୋଟି ଟେଷ୍ଟ ମ୍ୟାଚ୍ ଆକର୍ଷଣୀୟ ଥିଲା, ଏବଂ ଆମକୁ ଏକ ଉପଯୁକ୍ତ ଫଳାଫଳ ଆବଶ୍ୟକ। ସେ କହିଛନ୍ତି ଯେ, କ୍ରିକେଟର ପାରମ୍ପାରିକ ରୂପକୁ ବିସିସିଆଇ ସ୍ୱୀକୃତି ଦେଇଥାଏ ଏବଂ ସମ୍ମାନ କରେ। ଗତ ଦୁଇ ମାସ ମଧ୍ୟରେ, ଉଭୟ ବିସିସିଆଇ ଏବଂ ଇସିବି ଆଲୋଚନାରେ ନିୟୋଜିତ ହୋଇଥିଲେ ଏବଂ ଆମେ ଏକ ଉପଯୁକ୍ତ ଉପାୟ ଖୋଜୁଥିଲୁ।

ଅନ୍ତିମ ଟେଷ୍ଟ ମ୍ୟାଚ:

ସଂଶୋଧିତ ତାରିଖ ଏବଂ ସ୍ଥାନ- ଜୁଲାଇ ୧ ତାରିଖରୁ ୫ ତାରିଖ- ଏଜବେଷ୍ଟନ୍

ତିନୋଟି ମ୍ୟାଚ୍ ଟି-୨୦ ସିରିଜ୍:

ଜୁଲାଇ ୭ ତାରିଖରେ ଓଭାଲରେ ପ୍ରଥମ ମ୍ୟାଚ୍।
ଜୁଲାଇ ୯ ତାରିଖରେ ଏଜବେଷ୍ଟନ୍ ଠାରେ ଦ୍ୱିତୀୟ ମ୍ୟାଚ୍
ଜୁଲାଇ ୧୦ ତାରିଖରେ ଟ୍ରେଣ୍ଟ ବ୍ରିଜରେ ତୃତୀୟ ମ୍ୟାଚ୍

ଦିନିକିଆ ସିରିଜର କାର୍ଯ୍ୟସୂଚୀ:

ଜୁଲାଇ ୧୨ ତାରିଖ- ଓଭାଲ- ପ୍ରଥମ ମ୍ୟାଚ୍
ଜୁଲାଇ ୧୪ ତାରିଖରେ- ଲର୍ଡସ- ଦ୍ୱିତୀୟ ମ୍ୟାଚ୍
ଜୁଲାଇ ୧୭ ତାରିଖରେ- ଓଲ୍ଡ ଟ୍ରାଫର୍ଡ- ତୃତୀୟ ମ୍ୟାଚ୍

Related posts