ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱ କପ ହରାଇବା ପରଠାରୁ ଭାରତୀୟ ଦଳକୁ ନେଇ ଅନେକ ଦାବି ଉଠିଛି। ଭାରତୀୟ କ୍ରିକେଟ୍ ବୋର୍ଡରୁ ମଧ୍ୟ ଦଳ ବିଷୟରେ ଭିନ୍ନ ଭିନ୍ନ ମତ ନିଆଯାଉଛି। ଏହି ସମୟରେ ବିସିସିଆଇ ଏକ ବଡ ପଦକ୍ଷେପ ନେଇଛି। ବୋର୍ଡ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ, ପରବର୍ତ୍ତୀ ଟି-୨୦ ବିଶ୍ୱକପ (୨୦୨୪) ପାଇଁ ଏହି ଖେଳାଳିମାନଙ୍କୁ ଦଳଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯିବ। ଏହି ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୧୦ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ନଜର ରଖି ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆର ଟି ଅଶ୍ୱିନ, ମହମ୍ମଦ ଶାମି, ଦୀନେଶ କାର୍ତ୍ତିକ ଏବଂ ଭୁବନେଶ୍ୱର କୁମାର ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଯୋଜନା ବାହାରେ ଅଛନ୍ତି। ଏହି ଖେଳାଳିଙ୍କ ବ୍ୟତୀତ ବର୍ତ୍ତମାନର ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମ ମଧ୍ୟ ଯୋଡା ଯାଇଛି। କିନ୍ତୁ ଏଥିରେ ବିରାଟ କୋହଲିଙ୍କ ନାମ ଅନ୍ତର୍ଭୁକ୍ତ ନୁହେଁ।
ଉଲ୍ଲେଖନୀୟ କଥା ହେଉଛି, ଭାରତୀୟ ଦଳ ଚଳିତ ବର୍ଷ ୪୦ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି ଯେଉଁଥିରେ ଦଳ ୨୮ ଟି ମ୍ୟାଚ୍ ଜିତିଛି ଏବଂ ୧୦ ଟି ରେ ହାରିଛି। ଏଥି ସହିତ ଦଳର ଗୋଟିଏ ମ୍ୟାଚ୍ ଡ୍ର ହୋଇଛି ଏବଂ ଗୋଟିଏ ମ୍ୟାଚର ଫଳାଫଳ ମିଳିନାହିଁ। ଏଥିରେ ଦଳ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ୍ ଜିତିଛି, କିନ୍ତୁ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଦଳ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହାରିଛି। ଏସୀୟ କପରେ ଦଳକୁ ସୁପର-୪ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଥି ସହିତ ଟି-୨୦ ବିଶ୍ୱକପରେ ଦଳ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ହାରିଥିଲା।