
ହାଇଦ୍ରାବାଦ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୫୦ ଓଭରରେ ୮ ୱିକେଟ୍ ପାଇଁ ୩୪୯ ରନ୍ ସଂଗ୍ରହ କରିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୩୫୦ ରନ୍ ଆବଶ୍ୟକ। ଓପନର୍ ଶୁବମାନ ଗିଲ ଭାରତ ପାଇଁ ଚମତ୍କାର ଦ୍ୱିଶତକ ହାସଲ କରିଛନ୍ତି। ଶୁଭମାନ ଗିଲ ୧୪୯ ବଲରେ ୨୦୮ ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ତାଙ୍କ ଇନିଂସରେ ୧୯ ଟି ଚୌକା ଓ ୯ ଟି ଛକା ମାରିଛନ୍ତି। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ୍ ପାଇଁ ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ୬୦ ରନ୍ ଯୋଡିଥିଲେ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୮ ବଲରେ ୩୪ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୪ ଟି ଚୌକା ଓ ୨ ଟି ଛକା ମାରିଥିଲେ। ତେବେ ବିରାଟ କୋହଲି, ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ। ବିରାଟ କୋହଲି, ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ୮, ୫ ଏବଂ ୩୧ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରେ ୨୮ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳକୁ ୩୫୦ ରନ୍ ଆବଶ୍ୟକ।